କିଏ ନକଲି, ଔଷଧ ନା ଫାର୍ମ?

କଟକ : କିଏ ନକଲି? ଔଷଧ ନା ଫାର୍ମ? ଭେଷଜ ନିୟନ୍ତ୍ରକ ବିଭାଗ କହୁଛି, କଟକର କନିକା ଛକସ୍ଥିତ ହୋଲସେଲ୍‌ ଗୋଦାମରୁ ଯେଉଁ ସବୁ ଔଷଧ ଜବତ ହୋଇଥିଲା ସେଗୁଡ଼ିକ ଯେଉଁ ଫାର୍ମରୁ ତିଆରି ହୋଇଛି ବୋଲି ଲେବୁଲରେ ଉଲ୍ଲେଖ ରହିଛି, ସେଭଳି ଔଷଧ ତିଆରି ସଂସ୍ଥା ନାହିଁ। ଅର୍ଥାତ୍‌ ହିମାଚଳପ୍ରଦେଶର ସୋଲାନସ୍ଥିତ ମ୍ୟାକ୍ସ ରିଲିଫ୍‌ ହେଲଥ୍‌ କେୟାର ନାମକ କୌଣସି ସଂସ୍ଥା ନାହିଁ। ଯଦି ସଂସ୍ଥା ନାହିଁ ତେବେ ଔଷଧ ଆସିଲା କେଉଁଠୁ? ଏଭଳି କ୍ଷେତ୍ରରେ ଯଦି ସଂସ୍ଥା ନକଲି ତେବେ ଔଷଧ  ସବୁ  ନକଲି ନୁହେଁ କି? ବେନାମୀ କମ୍ପାନିର ପ୍ରମାଣ ହାତରେ ଧରି ଭେଷଜ ନିୟନ୍ତ୍ରକ ବିଭାଗ କାର୍ଯ୍ୟାନୁଷ୍ଠାନ ନ ନେଇ ଚୁପ୍‌ ବସିଛନ୍ତି କାହିଁକି। ଆଉ କଣ ଅଧିକ ପ୍ରମାଣ ଦରକାର ବୋଲି ବିଭିନ୍ନ ମହଲରେ ପ୍ରଶ୍ନ ଉଠିଲାଣି। ଭେଷଜ ନିୟନ୍ତ୍ରକ ବିଭାଗ କେବଳ କୋର୍ଟରେ ମାମଲା ରୁଜୁ କରି ଚୁପ୍‌ ବସିଛି। ଅନ୍ୟପଟେ ରୋଗୀଙ୍କ ଜୀବନ ସହ ଖେଳ ଭଳି ନକଲି ଔଷଧ କାରବାର ଘଟଣାର କ୍ରାଇମ ବ୍ରାଞ୍ଚ୍‌ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏହି ନିର୍ଦ୍ଦେଶ ପରେ ତଦନ୍ତର ଦିଗ କେଉଁ ଆଡକୁ ଯାଉଛି ତାକୁ ଦେଖିବା ବ‌ାକି ରହିଲା।

କଟକରେ ନକଲି ଔଷଧ ଚଢ଼ଉ ଘଟଣାକୁ ତିନିଦିନ ବିତିଯାଇଛି। ୧୧ତାରିଖ ଦିନ କଟକର କନିକା ଛକସ୍ଥିତ ‘ମେଡିଲିଓଡ୍ ମେଡିକାମେଣ୍ଟ ପ୍ରାଇଭେଟ୍‌ ଲିମିଟେଡ୍‌’ର ମାଲିକ ଶିବପ୍ରସନ୍ନ ଜେନା ଔଷଧ ଜବତ ପରଦିନ ହିଁ ଖୋଲାଖୋଲି ଭାବେ ଚାଲେଞ୍ଜ୍‌ କରିଥିଲେ। ଗଣମାଧ୍ୟମ ସମ୍ମୁଖରେ ପ୍ରତିକ୍ରିୟା ରଖି କହିଥିଲେ ଯେ, ସେ କୌଣସି ନକଲି କାରବାର କରିନାହାନ୍ତି। ବିଲ୍‌ ଜରିଆରେ ଔଷଧ କିଣିଛନ୍ତି ଓ ବିଲ ଜରିଆରେ ଔଷଧ ବିକ୍ରି କରିଛନ୍ତି। ତା’ର ସମସ୍ତ ତଥ୍ୟ ପ୍ରମାଣ ଡ୍ରଗ୍ଧ କଣ୍ଟ୍ରୋଲ ବିଭାଗକୁ ପ୍ରଦାନ କରିସାରିଛନ୍ତି। ଓଡ଼ିଶାରେ ଗୋଟିଏ ବି ଫାବିଫିରାଭର ବଟିକା ବିକ୍ରି କରିନାହାନ୍ତି, ସବୁ ଯାଇଛି ଗ୍ବାଲିଅରକୁ। ଅନ୍ୟପଟେ ହିମାଚଳପ୍ରଦେଶରୁ ଯେଉଁ  ମ୍ୟାକ୍ସ ରିଲିଫ୍‌ ହେଲଥ୍‌ କେୟାର ସଂସ୍ଥା କଥା କୁହାଯାଉଛି ସେ ଜାଣିନାହାନ୍ତି ବରଂ ଗାଜିଆବାଦ୍‌ ଉତ୍ତରପ୍ରଦେଶରୁ ଔଷଧ ସବୁ କିଣିଛନ୍ତି। ତା’ହେଲେ ସଂସ୍ଥା ନଥାଇ ଔଷଧ ବିକ୍ରି ପାଇଁ ଆସିବା ଅପରାଧ ନୁହେଁ କି?

ଅନ୍ୟପଟେ କନିକାଛକସ୍ଥିତ ‘ମେଡିଲିଓଡ୍ ମେଡିକାମେଣ୍ଟ ପ୍ରାଇଭେଟ୍‌ ଲିମିଟେଡ୍‌’ ୫୮ହଜାର କରୋନା ଔଷଧ ଫେବିମେକ୍ସ-୪୦୦ ବଟିକା ମ୍ୟାକ୍ସ ରିଲିଫ୍‌ ହେଲ୍‌ଥ କେୟାରରୁ କଣିଥିଲେ। ସେଥିରୁ ୪୦,୬୦୦ ବଟିକା ଗ୍ବାଲିଅର୍‌ ସଂସ୍ଥାକୁ ବିକ୍ରି କରିଥିବା ଜଣାପଡ଼ିଛି। ବଳକା ୧୭,୪୦୦ ବଟିକାକୁ ୪୦୦ ବଟିକା ନମୂନା ପରୀକ୍ଷା ପାଇଁ ପଠାଯାଇଛି। ବାକି ୧୭ହଜାର ବଟିକା ଜବତ୍‌ ହୋଇଛି। ମ୍ୟାକ୍ସ ରିଲିଫ୍‌ ହେଲଥ୍‌ କେୟାର ନାମକ କୌଣସି ସଂସ୍ଥା ନଥିବା ତଦନ୍ତରୁ ଜଣାପଡ଼ିଛି। ଏ ସଂପର୍କରେ ମଧ୍ୟପ୍ରଦେଶ ଡ୍ରଗ୍ସ କଂଟ୍ରୋଲ ବିଭାଗକୁ ସୂଚନା ମଧ୍ୟ ଦିଆଯାଇଛି। ଜବତ୍‌ ୯ପ୍ରକାର ଔଷଧର ନମୁନା ମଧ୍ୟ ଜବତ୍‌ କରାଯାଇ ନମୁନା ପରୀକ୍ଷା ପାଇଁ ପଠାଯାଇଥିବା ୧୨ତାରିଖ ଦିନ ସୂଚନା ଦେଇଥିଲେ। ହେଲେ କମ୍ପୁଟର ଷ୍ଟକ୍‌ ଯାଞ୍ଚରୁ ସିନା ଫାବିମେକ୍ସ ବା ଫାବିଫିରାଭର ଔଷଧ ଓଡ଼ିଶା ବଜାରକୁ ଯାଇ ନଥିବା ଉଭୟ ଭେଷଜ ନିୟନ୍ତ୍ରକ ବିଭାଗ ଓ ନିଜେ ସଂସ୍ଥାର ମାଲିକ କହିଛନ୍ତି। ତେବେ ଓଡ଼ିଶା ବଜାରରେ ଏହି ଔଷଧ ଯାଇ ନଥିବାର ସତ୍ୟତା କେତେ ବୋଲି ଏବେ ସମସ୍ତଙ୍କ ମନରେ ସନ୍ଦେହ ପ୍ରକାଶ ପାଇଛି। ‌ଜବତ୍‌ ଔଷଧର ନମୁନା ସବୁ ପରୀକ୍ଷା ପାଇଁ କଲିକତାସ୍ଥିତ ସେଣ୍ଟ୍ରାଲ ଲାବୋରେଟୋରି ଓ ରାଜ୍ୟ ‌ଲା‌ବୋରେଟୋରିକୁ ପଠାଯାଇଥିବା ବିଭାଗ କହିଛି। ଯଦି ସଂସ୍ଥା ନକଲି ତା’ହେଲେ ନମୁନା ପରୀକ୍ଷା ରିପୋର୍ଟକୁ ବିଭାଗ କାହିଁକି ଓ କେଉଁ ଭିତ୍ତିରେ ଅପେକ୍ଷା କରିଛି? ଉଲ୍ଲେଖଯୋଗ୍ୟ ଯେ, ସାରା ରାଜ୍ୟରେ ଏହି ନକଲି ବା ଭେଜାଲ ଔଷଧ ବିପୁଳ ପରିମାଣରେ ବଜାରରେ ବିକ୍ରି ହେଉଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର