କଳାହୀରା ଚୋରା କାରବାର ପଛର ନାୟକ କିଏ ?

ଝାରସୁଗୁଡ଼ା : ଝାରସୁଗୁଡ଼ା ଜିଲ୍ଲାରେ ରହିଛି ଦେଶର ବୃହତ କୋଇଲା ଖଣି। ଏହି ଜିଲ୍ଲାର ବ୍ରଜରାଜନଗର ଓ ବେଲପାହାଡ଼ ଅଞ୍ଚଳ କୋଇଲା ଖଣି ଯୋଗୁଁ ପରିଚିତ। ସଂପ୍ରତି କେନ୍ଦ୍ର ସରକାରଙ୍କ ମହାନଦୀ କୋଇଲା କମ୍ପାନୀ ଲିମିଟେଡ ଏହି ଖଣି ପରିଚାଳନା କରି ଆସୁଥିବା ବେଳେ କୋଇଲା ମାଇନିଂ, ଲୋଡିଂ, ଅନ୍ଲୋଡିଂ, ସାଇଡିଂ, ଟ୍ରନ୍ସପୋର୍ଟିଂ ପ୍ରଭୃତି କାର୍ଯ୍ୟ ବିଭିନ୍ନ ଠିକା ସଂସ୍ଥା ଜରିଆରେ ପରିଚାଳିତ ହୋଇଥାଏ। ତେବେ ବିଭିନ୍ନ ସ୍ତରରେ ଏହି କୋଲିଲାକୁ ମାଫିଆ ମାନେ ଚୋରି କରି ତାଙ୍କୁ ଚାଲାଣ କରିଥାନ୍ତି। କୋଇଲାରୁ କେନ୍ଦ୍ର ଓ ରାଜ୍ୟ ସରକାର ହଜାର ହଜାର କୋଟି ଟଙ୍କାର ରୟାଲଟି ପାଉଥିବାରୁ ଏହାକୁ କଳାହୀରାର ଆଖ୍ୟା ଦିଆଯାଇଛି। ଏହି କଳାହୀରାକୁ କିଛି ସଂଗଠିତ ମାଫିଆ ବିଭିନ୍ନ ଉପାୟରେ ଚୋରି କରି ସେମାନେ ମଧ୍ୟ ହଜାର ହଜାର ହଜାର କୋଟି ଟଙ୍କା ପକେଟସ୍ଥ କରୁଥିବା ଅଭିଯୋଗ ହୋଇଛି।

Deccan Chronicle

କଳାହୀରାକୁ ନେଇ ଜିଲ୍ଲାର ଅପରାଧ ତାଲିକାରେ ଅନେକ ଫର୍ଦ୍ଦ ଯୋଡ଼ି ହୋଇ ଆସିଛି। ମାଫିଆ ମାନେ ନିଜର ପତିଆରା ଯେତେ ବୃଦ୍ଧି କରିବେ ସେହି ଅନୁପାତରେ ସେମାନେ କୋଇଲା ଲୁଟ୍ କରି ଚାଲାଣ କରି ପାରିବେ। ତେଣୁ ସବୁବେଳେ ଜିଲ୍ଲାର ବ୍ରଜରାଜନଗର, ବେଲପାହାଡ଼ ଥାନାରେ ଗ୍ୟାଙ୍ଗୱାର, ହତ୍ୟାକାଣ୍ଡ, ଗୁଳିକାଣ୍ଡ, ଅପହରଣ ଭଳି ସଙ୍ଗୀନ ଅପରାଧମାନ ସଂଗଠିତ ହୋଇଥାଏ। କୋଇଲା ମାଫିଆ ମାନେ ନିଜ ନିଜ ପତିଆରା ବଢ଼ାଇବା ପାଇଁ ଆତଙ୍କ ସୃଷ୍ଟି କରିଥିବା ଜିଲ୍ଲା ପୁଲିସ ସବୁବେଳେ ସ୍ବୀକାର କରି ଆସିଛି। କୋଇଲା କାରବାରକୁ ନେଇ ଅତୀତରେ ଅନେକ ସମ୍ବେଦନଶୀଳ ହତ୍ୟାକାଣ୍ଡ ଲୋକଙ୍କୁ ଆଜିବି ଆତଙ୍କିତ କରି ରଖିଛି। କୋଇଲା ଚୋରା ଚାଲାଣକୁ ନେଇ କେଉଁ ମୁହୂର୍ତ୍ତରେ ବଡ଼ଧରଣର ଅପରାଧ ସଂଗଠିତ ହୋଇଯିବ ତାହା ଅନୁମାନ କରିବା କଷ୍ଟକର ବ୍ୟାପାର। ଏହି କାରବାରରେ ଯଦି କିଏ ଅନ୍ତରାୟ ସୃଷ୍ଟି କଲା ତେବେ ତାକୁ ମୂଲ୍ୟବାନ ଜୀବନ ହରାଇବାକୁ ମଧ୍ୟ ପଡ଼ିଥାଏ। ତେବେ ଏକ ରାଷ୍ଟ୍ରୀୟ କମ୍ପାନୀ ଭଳି ମାଫିଆ ମାନେ କୋ୍ଇଲା ଚୋରା କାରବାରକୁ ସୁରୁଖୁରରେ କରି ଆସୁଛନ୍ତି। ଏଥିପାଇଁ କଳ,ବଳ , କୌଶଳ ମଧ୍ୟ ପ୍ରୟୋଗ କରାଯାଇଥାଏ। ଏହି ମାଫିଆ ମାନଙ୍କ ପ୍ରଛଦ୍ଦପଟରେ ବହୁ ପ୍ରଭାବଶାଳୀ ରାଜନେତା ରହିଥିବା ବେଳେ ଏକ ମୋଟା ଅଙ୍କ ରାଜନୀତିରେ ମଧ୍ୟ ବ୍ୟବହାର ହୋଇଥାଏ। ମାଫିଆ ମାନେ କିଛି ଅସାଧୁ ପୁଲିସ ଅଧିକାରୀଙ୍କୁ ମଧ୍ୟ ହାତବାରିସି କରି ସୁରକ୍ଷିତ ରହିଥାନ୍ତି। ଏହି କାରବାର ଏଭଳି ଜାଲ ଭାବରେ ବ୍ୟାପିଥାଏ ଯେ, ପ୍ରକୃତ ଅପରାଧିକୁ ଧରିବା ପୁଲିସ ପାଇଁ ସେତେଟା ସମ୍ଭବ ହୋଇନଥାଏ।

ପୂର୍ବରୁ କୋଇଲା ଡିପୋରୁ ଚୋରା ଚାଲାଣ ହେଉଥିବା ବେଳେ ଏବେ ସିଧାସଳଖ ମାଇନିଂ ଅଞ୍ଚଳରୁ କୋଇଲା ଚୋରି ହେଉଥିବା ଅଭିଯୋଗ ହୋଇଛି। କୋଲ ସାଇଡିଂରୁ ପ୍ରତିଦିନ ଶହ ଶହ ବାଇକରେ କୋଇଲା ଚୋରି କରି ନିର୍ଦ୍ଦିଷ୍ଟ ସ୍ଥାନକୁ ନେଇଥାନ୍ତି। ଅନେକ ଢ଼ାବା ଓ ଇଟାଭାଟି ଗୁଡ଼ିକରେ ଏହି କୋଇଲା ଗଦା କରାଯାଇ ଧିରେ ଧିରେ ତାକୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥାଏ। କିଛି କୋଇଲାକୁ ପ୍ରୋସେସିଂ କରି ଚାଲାଣ କରାଯାଉଥିବା ବେଳେ ଆଉ କିଛି କୋଇଲା ସିଧାସଳଖ ଚାଲାଣ ହୋଇଥାଏ। ପ୍ରତିଦିନ ସକାଳେ ଓ ସନ୍ଧ୍ୟାରେ ଶହ ଶହ ବାଇକରେ କୋଇଲା ବୋଝେଇ ହୋଇ ଦ୍ରୁତ ଗତିରେ ଯାଉଥିବା ଦେଖା ଯାଇଥାଏ। ଶନିବାର କୋଇଲା ବୋଝେଇ ହୋଇ ଯାଉଥିବା ବେଳେ ଝାରସୁଗୁଡ଼ା ପୁଲିସ ବଢ଼େଇମୁଣ୍ଡା ଠାରେ ଏମାନଙ୍କୁ ଅଟକାଇ କୋଇଲା ଚୋରି ମାମଲାରେ ଗିରଫ କରିଥିଲା। ଏମାନଙ୍କ ଠାରୁ ଯେଉଁ ୧୨ଟି ବାଇକ୍ ଜବତ ହେଲା ତାହା ସବୁ ଭଡ଼ା ବାଇକ୍ ବୋଲି ଜଣାଯାଇଥିଲା। ଚୋରା କୋଇଲା ନିର୍ଦ୍ଦିଷ୍ଟ ସ୍ଥାନକୁ ନେଇ ପହଞ୍ଚାଇବା ପାଇଁ ଜଣେ ବ୍ୟକ୍ତିକୁ ଟ୍ରିପ୍ ପିଛା ୨ ଶହ ଟଙ୍କା ଦିଆଯାଇଥାଏ। ଏହି କାରବାରରେ ବାଇକ୍ ଭଡ଼ାରେ ଲାଗିଥିବା ବେଳେ ବାଇକ ନେଇ କୋଇଲା ପହଞ୍ଚାଇବା କାମ ଶହ ଶହ ଲୋକ ଦିନ ରାତି କରୁଥିବା ଜଣାଯାଇଛି।

ଗୋଟିଏ ଗୋଟିଏ ବାଇକରେ ସାଢ଼େ ଦୁଇ ରୁ ୩ କୁଇଣ୍ଟାଲ କୋଇଲା ଲୋଡ଼୍ କରାଯାଇ ପରିବହନ କରାଯାଇଥାଏ। ଜଣେ ବ୍ୟକ୍ତି ଦୈନିକ ୪ ରୁ ୬ ଟ୍ରିପ୍ ଚାଲାଣ କରି ସେହି ଅନୁପାତରେ ୮ ରୁ ୧୨ ଶହ ଟଙ୍କା ରୋଜଗାର କରିଥାଏ। ଏମିତି ମଧ୍ୟ ନୁହେଁ ଯେ, ଏହି ଚୋରାକାରବାର ସଂପର୍କରେ କୋଇଲା କମ୍ପାନୀ କିମ୍ବା ପୁଲିସ ଭଲ କରି ଜାଣି ନାହାନ୍ତି। ସମସ୍ତେ ଏହି କାରବାର ସଂପର୍କରେ ଅବଗତ ଅଟନ୍ତି। କିଏ ଏହି କାରବାର ନିୟନ୍ତ୍ରଣ କରୁଛି ତାହା ମଧ୍ୟ ସମସ୍ତଙ୍କୁ ଜଣା। ମାତ୍ର ଚୋରି ରୋକିବାରେ କେହି ପଦକ୍ଷେପ ନେଉନଥିବାରୁ ହଜାର ହଜାର ଟଙ୍କାର ରାଷ୍ଟ୍ରୀୟ ସଂପତ୍ତି କିଛି ଅସାଧୁ ବ୍ୟକ୍ତିଙ୍କ ପକେଟକୁ ଚାଲି ଯାଉଛି।

ସମ୍ବନ୍ଧିତ ଖବର