ପାଟକୁରାର ମୁରବି କିଏ? ବିପତ୍ତି ବେଳେ କାହାର ଦେଖାନାହିଁ

ଆସୁନାହାନ୍ତି ସାବିତ୍ରୀ, ନିର୍ବାଚନମଣ୍ତଳୀ ବୁଝୁଛନ୍ତି ପୁଅ ସ˚ଜୟ

କେନ୍ଦ୍ରାପଡ଼ା,(ସୁବ୍ରତ ସାମଲ): ସ୍ତ୍ରୀ ସରପଞ୍ଚ; ସ୍ବାମୀ ପ˚ଚାୟତ ବୁଝାସୁଝା କରିବା କଥା ସମସ୍ତେ ଜାଣନ୍ତି। ରାଜ୍ୟରେ ଏମିତି ହଜାର ହଜାର ଉଦାହରଣ ରହିଛି। କିନ୍ତୁ ବିଧାନସଭା କ୍ଷେତ୍ରରେ ଭୋଟରମାନେ ଜଣଙ୍କୁ ନିର୍ବାଚିତ କରିଥିବେ, ଅଥଚ ତାଙ୍କ ବଦଳରେ ଅନ୍ୟ ଜଣେ ନିର୍ବାଚନମଣ୍ତଳୀ କଥା ସ˚ପୂର୍ଣ୍ଣ ବୁଝାସୁଝା କରିବା ଘଟଣା ରାଜ୍ୟ ରାଜନୀତିରେ ଚହଳ ପକାଇଲାଣି। ବାସ୍ତବରେ କିଏ ଲୋକ ପ୍ରତିନିଧି ଏବ˚ କାହାକୁ ଭୋଟ୍‌ ଦେଇ ନିର୍ବାଚିତ କରିଥିଲେ, ତାକୁ ନେଇ ଲୋକଙ୍କ ମଧୢରେ ବଡ଼ ଦ୍ବନ୍ଦ୍ବ ସୃଷ୍ଟି ହେଲାଣି। ଏଭଳି ଦୃଶ୍ୟ ଉପାନ୍ତ ଇଲାକାର କୌଣସି ନିର୍ବାଚନମଣ୍ତଳୀର ନୁହେଁ, ବର˚ ରାଜ୍ୟ ରାଜନୀତିର ସବୁଠୁ ଅଧିକ ସମ୍ବେଦନଶୀଳ ଅ˚ଚଳ କୁହାଯାଉଥିବା କେନ୍ଦ୍ରାପଡ଼ା ଜିଲ୍ଲାରେ ଦେଖିବାକୁ ମିଳିଛି। ତାହା ପୁଣି ବିଜେଡିର ଭେଟେରାନ୍‌ ନେତା ତଥା ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ବେଦପ୍ରକାଶ ଅଗ୍ରଵାଲ୍‌ଙ୍କ ପାଟକୁରା ନିର୍ବାଚନମଣ୍ତଳୀରେ।

ବେଦୁ ବାବୁଙ୍କ ବିୟୋଗ ପରେ ପାଟକୁରା ଉପନିର୍ବାଚନରେ ତାଙ୍କ ପତ୍ନୀ ସାବିତ୍ରୀ ଅଗ୍ରଵାଲ୍‌  ବିଧାୟିକା ଭାବେ ନିର୍ବାଚିତ ହୋଇଛନ୍ତି। ସ୍ଥାନୀୟ ଲୋକଙ୍କ କହିବା କଥା, ବିଜୟୀ ହେବା ପରଠାରୁ ବିଧାୟିକାଙ୍କୁ ଦେଖିବାକୁ ମିଳୁନାହିଁ। ଶିଳାନ୍ୟାସ ହେଉ କି ଉଦ୍‌ଘାଟନ ଅଥବା ସଭା/ସମିତି/ବୈଠକରେ ସାବିତ୍ରୀଙ୍କ ବଦଳରେ ତାଙ୍କ ପୁଅ ରାଜ୍ୟ ବିଜେଡି କାର୍ଯ୍ୟକାରିଣୀ ସଦସ୍ୟ ସ˚ଜୟ ଅଗ୍ରଵାଲ୍‌ଙ୍କ ଉପସ୍ଥିତି ଦେଖିବାକୁ ମିଳୁଛି। ପୂର୍ବରୁ ବହୁ ଗୁରୁତ୍ବପୂର୍ଣ୍ଣ ବୈଠକରେ ବିଧାୟିକା ଅନୁପସ୍ଥିତ ରହିବାର ନଜିର୍‌ ରହିଛି। ଏପରିକି, ଡିଆର‌୍‌ଡିଏରେ ଅନୁଷ୍ଠିତ ବହୁ ଗୁରୁତ୍ବପୂର୍ଣ୍ଣ ମିଟି˚ ଯେଉଁଠି ବିଧାୟକଙ୍କ ଉପସ୍ଥିତି ନିୟମାନୁଯାୟୀ ନିହାତି ଦରକାର, ସେଠି ଜିଲ୍ଲାର ଅନ୍ୟ ବିଧାୟକଙ୍କ ଉପସ୍ଥିତି ଦେଖିବାକୁ ମିଳୁଥିବା ବେଳେ ପାଟକୁରା ବିଧାୟିକାଙ୍କ ସ୍ଥାନରେ କିନ୍ତୁ ପୁଅ ସ˚ଜୟ ହାଜର ହେଉଛନ୍ତି।

ବଡ଼ କଥା ହେଉଛି ଭଲ ବେଳେ ତ ଦେଖିବାକୁ ମିଳୁନଥିଲା, ଏବେ ବନ୍ୟା ବିପତ୍ତି ବେଳେ ଲୋକଙ୍କ ଦୁଃଖ ଦୁର୍ଦ୍ଦଶା ସମୟରେ ବି ବିଧାୟିକାଙ୍କୁ ଦେଖିବାକୁ ମିଳୁନାହିଁ। ଗତ ପ୍ରାୟ ସପ୍ତାହ ହେବ ପାଟକୁରା ନିର୍ବାଚନ ମଣ୍ତଳୀର ବିଭିନ୍ନ ସ୍ଥାନରେ ବନ୍ୟା ବିତ୍ପାତ୍‌ ଦେଖିବାକୁ ମିଳିଛି। ବେଣୀପୁର ପ˚ଚାୟତରେ ଭୟଙ୍କର ବିପର୍ଯ୍ୟୟ ଦେଖିବାକୁ ମିଳିଛି। ଘେରିବ˚ଧ ଭା˚ଗିଯିବାରୁ ୫ଟି ଵାର୍ଡର ଅଢେ଼ଇ ହଜାରରୁ ଅଧିକ ଲୋକ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି। ଶୁକ୍ରବାର ସ˚ଧୢାରେ ବେଣୀପୁରରେ ବ˚ଧ ଭା˚ଗିବା ପରେ ଶନିବାର ଅପରାହ୍ନରେ ସା˚ସଦ ଅନୁଭବ ମହାନ୍ତି ସେଠାକୁ ଯାଇଥିଲେ। କିନ୍ତୁ ସ୍ଥାନୀୟ ଲୋକ ପ୍ରତିନିଧି ହିସାବରେ ବିଧାୟିକା ସାବିତ୍ରୀଙ୍କ ବଦଳରେ ପୁଅ ସ˚ଜୟଙ୍କୁ ସା˚ସଦଙ୍କ ସହିତ ଦେଖିବାକୁ ମିଳିଥିଲା। ଏହାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳୁଛି। ଏବେ ଲୋକ ତ ସିଧାସଳଖ ପ୍ରଶ୍ନ କଲେଣି: ଭୋଟ୍‌ ଦେଇ ଆମେ କାହାକୁ ନିର୍ବାଚିତ କରିଥିଲୁ; ସାବିତ୍ରୀ ନା ସ˚ଜୟଙ୍କୁ…?

ସେପଟେ ‘ଆମ ବିଧାୟିକା ଗଲେ କୁଆଡେ଼? ବୋଲି ସାମାଜିକ ଗଣମାଧୢମରେ ପୋଷ୍ଟ୍ ଘୂରି ବୁଲୁଛି।

ସମ୍ବନ୍ଧିତ ଖବର