ପ୍ରକୃତ ହିରୋ କିଏ, ବୁଝାଇ କହିଲେ ସାଗରିକା

ଭୁବନେଶ୍ୱର: ହିରୋଗିରି କେଉଁଠାରେ ଥାଏ, ଏ ବାବଦରେ ବୁଝାଇ କହିଛନ୍ତି ଟ୍ରାଫିକ ଡିସିପି ସାଗରିକା ନାଥ | ଭୂବନେଶ୍ୱର ଷ୍ଟେସନ ବଜାରରେ ଆୟୋଜିତ ଦୁର୍ଗା ପୂଜା କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ଲୋକଙ୍କୁ ଟ୍ରାଫିକ ନିୟମର ଉଦ୍ଦେଶ୍ୟ ବାବଦରେ ବୁଝାଇଥିଲେ | ସାଗରିକା କହିଥିଲେ ଯେ ଆଇନ ଭାଙ୍ଗିବାରେ ହିରୋଗିରି ନାହିଁ ବରଂ ଆଇନ ମାନିବାରେ ହିରୋଗିରି ରହିଛି | ଆପଣଙ୍କୁ ସାଙ୍ଗମାନେ କହିବେ ପୁଲିସ ଡରରେ ହେଲମେଟ ପିନ୍ଧୁଛୁ, ଆମେ ତିନିଜଣ ପଳାଇବା ଏଥିରେ ବଡ କଥା କଣ ଅଛି, ଏହା ସତ୍ୱେ ବି ଯଦି ଆପଣ କହିବେ ନା ଏହା ଭୁଲ ମୁଁ ଏୟା କରିବି ନାହିଁ ତେବେ ହିଁ ଆପଣ ସଫଳ ହେବେ |

ଆପଣଙ୍କ ଇଛାଶକ୍ତି ଓ ଟ୍ରାଫିକ ନିୟମ ମାନିଲେ ହିଁ ଶୃଙ୍ଖଳିତ ଟ୍ରାଫିକ ବ୍ୟବସ୍ଥା କରିପାରିବା ବୋଲି ସାଗରିକା କହିଛନ୍ତି | ସେହିପରି ସାଗରିକା କହିଛନ୍ତି ଯେ ୧୦୦ ପ୍ରତିଶତ ମଧ୍ୟରୁ ୯୯ ପ୍ରତିଶତ ଥର ଆପଣ ଯେମିତି ଯାଇଥିଲେ ସେମିତି ଘରକୁ ଫେରିଆସିପାରିବେ କିନ୍ତୁ ଗୋଟିଏ ଭୁଲ ଯୋଗୁଁ ଯଦି ଆପଣଙ୍କ ଜୀବନ ଚାଲିଯାଇପାରେ ତେବେ ଆପଣଙ୍କ ପରିବାର ଲୋକଙ୍କ ଉପରେ କଣ ବିତିବ, ଥରେ ଭାବନ୍ତୁ |

ସେହିପରି ଭାରତର ପଡୋଶୀ ଦେଶ ଭୁଟାନ, ଶ୍ରୀଲଙ୍କା, ନେପାଳରେ ଟ୍ରାଫିକ ସିଗନାଲ ଥିବା ଚାଳକମାନେ ଶୃଙ୍ଖଳିତ ଭାବେ ଟ୍ରାଫିକ ନିୟମକୁ ମାନନ୍ତି | ସେହିପରି ଟ୍ରାଫିକ କନେଷ୍ଟବଳ ଥାଆନ୍ତୁ କି ନଥାନ୍ତୁ ସମସ୍ତେ ଏହି ନିୟମକୁ ମାନିବା ଉଚିତ ବୋଲି ପରାମର୍ଶ ଦେଇଛନ୍ତି ଟ୍ରାଫିକ ଡିସିପି | ଶେଷରେ ଜରିମାନା ଆଦାୟ ପଛର ଉଦ୍ଦେଶ୍ୟ ବାବଦରେ ସାଗରିକା କହିଛନ୍ତି ଯେ ଫାଇନ ଆଦାୟ ଉଦ୍ଦେଶ୍ୟ ନୁହେଁ ବରଂ ସମସ୍ତେ ସୁରକ୍ଷିତ ଘରେ ପହଂଚିବା ହିଁ ଏକମାତ୍ର ଲକ୍ଷ୍ୟ |

ସମ୍ବନ୍ଧିତ ଖବର