କାହା ପାଇଁ ସମ୍ବଲପୁର ନାରୀ ବନ୍ଦୀ ନିକେତନ?

ହାଇକୋର୍ଟ ନିର୍ଦେଶ ପରେ ବଦଳିବ କି ବନ୍ଦିନୀଙ୍କ ଭାଗ୍ୟ, ୮ ସବ୍‌ଜେଲ୍‌ରେ ଅଛନ୍ତି ଜଣେ ଲେଖାଏଁ ମହିଳା କଏଦୀ

ଭୁବନେଶ୍ବର: ମହିଳା ବନ୍ଦୀମାନଙ୍କୁ ପ୍ରଶିକ୍ଷଣ ଦେବା ସହ ସେମାନଙ୍କ ମାନସିକତାରେ ସୁଧାର ଆଣିବା ପାଇଁ ସମ୍ବଲପୁରରେ ରାଜ୍ୟର ଏକମାତ୍ର ମହିଳା ଜେଲ୍‌ ‘ନାରୀ ବନ୍ଦୀ ନିକେତନ’ ରହିଛି। ଏଠାରେ ୫୫ ମହିଳା କଏଦୀଙ୍କ ପାଇଁ ରହିବାର ବ୍ୟବସ୍ଥା ରହିଛି। କିନ୍ତୁ ଏହି କେନ୍ଦ୍ର‌ରେ ମାତ୍ର ୪ଜଣ ସଜାପ୍ରାପ୍ତ ମହିଳା କଏଦୀ ରହୁଛନ୍ତି। ଆବଶ୍ୟକ ଭିତ୍ତିଭୂମି ଓ ସୁବିଧା ଥାଇ ମଧ୍ୟ ପ୍ରଶିକ୍ଷଣ ବ୍ୟବସ୍ଥା ଉପରେ ବିଶେଷ ଧ୍ୟାନ ଦିଆଯାଉନାହିଁ। ହାତଗଣତି କଏଦୀ ଥିବାରୁ ପ୍ରଶିକ୍ଷକମାନେ ନିୟମିତ ଆସୁନାହାନ୍ତି। ଫଳରେ ଯେଉଁ ମହତ୍‌ ଉଦ୍ଦେଶ୍ୟ ନେଇ ଏହି ଜେଲ୍‌ର ପରିକଳ୍ପନା କରାଯାଇଥିଲା, ତାହା ସାଧିତ ହୋଇପାରୁନାହିଁ।

ଅପରପକ୍ଷେ, ରାଜ୍ୟ‌ରେ ଏମିତି ବହୁ ଜେଲ୍‌ ରହିଛି, ଯେଉଁଠାରେ ଜଣେ କିମ୍ବା ଦୁଇଜଣ ମହିଳା କଏଦୀ ରହୁଛନ୍ତି। ଏହି ଜେଲମାନଙ୍କରେ ମହିଳାଙ୍କ ପାଇଁ ସ୍ବତନ୍ତ୍ର ସେଲ୍‌ ଥିଲେ ମଧ୍ୟ ତାହା ଅତି ଛୋଟ। ଏକୁଟିଆ ରହିବା ମହିଳାମାନେ ମାନସିକ ରୋଗୀ ହେବାର ଆଶଙ୍କା ରହିଥାଏ। ଏହାକୁ ଦୃଷ୍ଟିରେ ରଖି ହାଇକୋର୍ଟ କିଛି ଦିନ ତଳେ ନିର୍ଦ୍ଦେଶ ଦେଇଛନ୍ତି ଯେ ଯେଉଁ ଜେଲ୍‌ରେ ହାତଗଣତି ମହିଳା କଏଦୀ ରହୁଛନ୍ତି, ସେମାନଙ୍କୁ ତୁରନ୍ତ ନିକଟସ୍ଥ ଜେଲକୁ ପଠାଯାଉ। ହାଇକୋର୍ଟଙ୍କ ଏହି ନିର୍ଦ୍ଦେଶ ପରେ, ସମ୍ବଲପୁର ନାରୀବନ୍ଦୀ ନିକେତନରେ ନିକଟସ୍ଥ ଜେଲ୍‌ଗୁଡ଼ିକରୁ ମହିଳା କଏଦୀଙ୍କୁ ଆଣି ଏଠାରେ ରଖାଯାଉ ବୋଲି ମାନବାଧିକାର କର୍ମୀମହଲ‌ରେ ଦାବି ହୋଇଛି। ଏହାଦ୍ବାରା ଏହି ସ୍ବତନ୍ତ୍ର ଜେଲ୍‌ର ଉଦ୍ଦେଶ୍ୟ ସାଧିତ ହେବା ସହ ବହୁ ମହିଳା କଏଦୀଙ୍କ ଜୀବନରେ ଏକ ବଡ଼ଧରଣର ପରିବର୍ତ୍ତନ ଅଣାଯାଇ ପାରିବ ବୋଲି ସେମାନେ ଯୁକ୍ତି ବାଢ଼ିଛନ୍ତି।

୧୯୯୪ ମସିହାରେ ପ୍ରତିଷ୍ଠା ହୋଇଥିବା ‘ନାରୀ ବନ୍ଦୀ ନିକେତନ’ରେ ଅଧୀକ୍ଷକଙ୍କଠାରୁ ଆରମ୍ଭ କରି ସମସ୍ତ କର୍ମଚାରୀ ମହିଳା। ରାଜ୍ୟର ଅନ୍ୟ କୌଣସି ଜେଲ୍‌ରେ ଶଯ୍ୟା ବ୍ୟବସ୍ଥା ନଥିବା ବେଳେ ଏହା ଏକମାତ୍ର ଜେଲ୍‌, ଯେଉଁଠାରେ ଶଯ୍ୟା ସହ ଟିଭି, ଫ୍ରିଜ୍‌ ଆଦିର ବ୍ୟବସ୍ଥା ରହିଛି। ଏଠାରେ ସିଲେଇ, ପେପର୍‌ ଠୁଙ୍ଗା ପ୍ରସ୍ତୁତ ପାଇଁ ପ୍ରଶିକ୍ଷଣ ଦିଆଯାଉଛି। ସମ୍ବଲପୁର, କଟକ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଆୟୋଜିତ ପ୍ରଦର୍ଶନୀରେ ମହିଳା ଜେଲ ଅନ୍ତେବାସୀଙ୍କ ପ୍ରସ୍ତୁତ ଚାନ୍ଦୁଆ, ପର୍ସ, ଶାଢ଼ି ସମେତ ବିଭିନ୍ନ ପ୍ରକାର ସାମଗ୍ରୀ ବିକ୍ରି ହୋଇଥାଏ। ଏଥିସହ ଖରା ଦିନରେ କଏଦୀଙ୍କ ହାତ ତିଆରି ବଡ଼ିର ସ୍ବତନ୍ତ୍ର ଚାହିଦା ରହିଛି। ମାତ୍ର ସମ୍ବଲପୁର ମହିଳା ଜେଲରେ ମାତ୍ର ୪ଜଣ ସଜାପ୍ରାପ୍ତ କଏଦୀ ଥିବାରୁ ଆବଶ୍ୟକ ସୁବିଧା ଥାଇ ମଧ୍ୟ ପ୍ରଶିକ୍ଷଣ ବ୍ୟବସ୍ଥା ଏତେ ଉନ୍ନତମାନର ହୋଇପାରୁନାହିଁ।

ସୂଚନା ଅନୁଯାୟୀ, ରାଜ୍ୟରେ ଥିବା ବିଭିନ୍ନ ପ୍ରକାର ୮୭ଟି ଜେଲରେ ସଜାପାପ୍ତ ୨୬୧୯କଏଦୀଙ୍କ ମଧ୍ୟରୁ ୭୭ଜଣ ମହିଳା କଏଦୀ ଅଛନ୍ତି। ସେଥିମଧ୍ୟରୁ ଢେଙ୍କାନାଳ, ଭଦ୍ରକ, ତାଳଚେର, ଆସିକା, ଛତ୍ରପୁରରେ ମାତ୍ର ଜଣେ ଲେଖାଏଁ କଏଦୀ ଥିବା ବେଳେ ଅନୁଗୁଳ, ଭବାନୀପାଟଣା, ବଲାଙ୍ଗୀର, ସୁନ୍ଦରଗଡ଼, ବୌଦ୍ଧ, ଦେବଗଡ଼ରେ ୨ ଜଣ ଲେଖାଏଁ ଏବଂ କୋରାପୁଟ, ବାଲେଶ୍ବର, କେନ୍ଦୁଝର, ପୁରୀ, ଚମ୍ପୁଆରେ ୩ଜଣ ଲେଖାଏଁ ମହିଳା କଏଦୀ ଅଛନ୍ତି। ତେଣୁ ଜଣେ କିମ୍ବା ୨ ଜଣ ମହିଳା ଥିବା ସେଲଗୁଡ଼ିକ ଅତି ଛୋଟ ଥାଏ, ଯେଉଁଠି ସେମାନଙ୍କ ସର୍ବନିମ୍ନ ଆବଶ୍ୟକତାକୁ ଗୁରୁତ୍ବ ଦେବା ଭଳି ବ୍ୟବସ୍ଥା ନାହିଁ। ସେହିପରି ରାଜ୍ୟର ୮ଟି ସବ୍‌-ଜେଲରେ ଜଣେ ଲେଖାଏଁ, ୧୧ଟି ସବ୍‌-ଜେଲରେ ୨ଜଣ ଲେଖାଏଁ ମହିଳା ବନ୍ଦୀ ରହୁଛନ୍ତି। ରାଜ୍ୟର ଅନ୍ୟାନ୍ୟ ଜେଲରେ ଥିବା ସଜା ପାଇଥିବା ମହିଳା କଏଦୀଙ୍କ ସଂଖ୍ୟା ହେଲା, ବ୍ରହ୍ମପୁରରେ ୬, ବାରିପଦା ୬, ଚୌଦାର ୧୪, ରାଉରକେଲା ସ୍ବତନ୍ତ୍ର ଜେଲରେ ୪। ସଜା ପାଇଥିବା ମହିଳା କଏଦୀଙ୍କ ସଂଖ୍ୟା କମ୍‌ ହେଲେ ମଧ୍ୟ ମହିଳା ବିଚାରାଧୀନଙ୍କ ସଂଖ୍ୟା ୬୨୭ରହିଛି।

ସମ୍ବନ୍ଧିତ ଖବର