ଏ ମଞ୍ଜୁଳା କିଏ? ସ୍ବାମୀ ନିତ୍ୟାନନ୍ଦଙ୍କ ସହ ରହିଛି ଘନିଷ୍ଠତା

୨୪ଟି କଂପାନିରେ ନିର୍ଦେଶିକା, ଇମ୍ଫାରେ ବୈଜୟନ୍ତଙ୍କ ଆସିଷ୍ଟାଣ୍ଟ୍‌ ଭାବେ କାମ କରିଥିଲେ

ଭୁବନେଶ୍ବର: ଓଟିଭି ବିବାଦ ମାମଲାରେ ମଞ୍ଜୁଳା ସରାଫ୍‌ଙ୍କ ନାମ ସାମ୍ନାକୁ ଆସିଛି। ଜାତୀୟ ଗଣମାଧ୍ୟମରେ ଏହାକୁ ନେଇ ଗୋଟିଏ ପରେ ଗୋଟିଏ ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଲାଣି। କେବଳ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ପରିବାରର କଂପାନି ଯଥା ଇମ୍ଫା, ଓଟିଭି ଓ ଓର୍‌ଟେଲ୍‌ ସହିତ ତାଙ୍କର ସମ୍ପର୍କ ରହିଛି ତାହା ନୁହେଁ, ଆତ୍ମଘୋଷିତ ଭଗବାନ ସ୍ବାମୀ ନିତ୍ୟାନନ୍ଦଙ୍କ ସହିତ ମଧ୍ୟ ତାଙ୍କର ଘନିଷ୍ଠତା ଥିଲା। ମଞ୍ଜୁଳା ହେଉଛନ୍ତି କାଲୋରେକ୍ସ ହୋଲଡିଂଙ୍ଗ୍‌ ପ୍ରାଇଭେଟ୍ ଲିମିଟେଡ୍‌ର ନିର୍ଦେଶିକା। ସେ କାଲୋରେକ୍ସ ଫାଉଣ୍ଡେସନର ଏମ୍‌ଡି ଓ ସିଇଓ ମଧ୍ୟ। ପାଖାପାଖି ୨୪ଟି କଂପାନି ସହିତ ତାଙ୍କର ନିବିଡ଼ତା ଥିବା ସୂଚନା ମିଳୁଛି। ବୈଜୟନ୍ତ ପଣ୍ଡା ଓ ଜାଗି ମଙ୍ଗତ ପଣ୍ଡାଙ୍କ ସହିତ ତାଙ୍କର ଦୀର୍ଘ ଦିନର ସମ୍ପର୍କ ରହିଥିବା କୁହାଯାଉଛି। ସେ ଓରଟେଲ୍‌ କମ୍ୟୁନିକେସନ୍ସ ଓ ଓଟିଭିର ନିର୍ଦେଶିକା। ପଣ୍ଡାଙ୍କ ସହିତ କିସନଗଡ଼ ଏନଭାର୍ଣ୍ଣମେଣ୍ଟାଲ୍ ଡେଭେଲପ୍‌ମେଣ୍ଟ୍‌ ଆକ୍ସନ୍ ପ୍ରାଇଭେଟ୍‌ ଲିମିଟେଡ୍‌ ସହିତ ମଧ୍ୟ ତାଙ୍କର ସମ୍ପର୍କ ରହିଛି। ସେ ଓଡ଼ିଶାର କଳାହାଣ୍ଡିର ବୋଲି କୁହାଯାଉଛି। ପୂର୍ବରୁ ସେ ବୈଜୟନ୍ତଙ୍କ ଆସିଷ୍ଟାଣ୍ଟ୍‌ ଭାବେ କିଛି ସମୟ ପାଇଁ ଇମ୍ଫାରେ କାର୍ଯ୍ୟ କରୁଥିଲେ। ମଞ୍ଜୁଳା କାର୍ଯ୍ୟ କରୁଥିବା ସମୟରେ ବାହାମାସ୍‌ରୁ ପୁଞ୍ଜିନିବେଶ ଆସିଥିଲେ। ଏହି କାରବାରରେ ମଞ୍ଜୁଳା ମଧ୍ୟସ୍ଥି ଭାବେ କାର୍ଯ୍ୟ କରିଥିଲେ।

ଆତ୍ମଘୋଷିତ ଭଗବାନ ସ୍ବାମୀ ନିତ୍ୟାନନ୍ଦଙ୍କ ସହ ସେ ନିକଟତର ଥିଲେ ବୋଲି କୁହାଯାଏ। ଯୌନ ଉତ୍ପୀଡ଼ନ ଓ ଜାଲିଆତି ମାମଲାରେ ଛନ୍ଦି ହୋଇ ଦେଶ ଛାଡ଼ି ପଳାୟନ କରିଥିବା ସ୍ବାମୀ ନିତ୍ୟାନନ୍ଦଙ୍କ ଆଶ୍ରମ ତରଫରୁ ଏକ ଡିପିଏସ୍‌ ସ୍କୁଲ୍‌ ପରିଚାଳନା କରାଯାଉଛି ଯାହାକୁ ମଞ୍ଜୁଳା ଚଲାଉଛନ୍ତି। ସ୍ବାମୀ ନିତ୍ୟାନନ୍ଦଙ୍କ ଚମତ୍କାରିତା ବିଷୟରେ ସେ ସବୁ ବେଳେ ଲୋକମାନଙ୍କୁ ବୁଝାଇଥାନ୍ତି। ଏନେଇ ଗୁଜରାଟରେ ଭିଡିଓ ଜାରି ହୋଇଥିଲା। ଯେଉଁଠି ସାଧିକା ମଂଜୁଳା ଶ୍ରଫ ଭଣ୍ଡ ନିତ୍ୟାନନ୍ଦର ତୃତୀୟ ନୟନ ଦ୍ୱାରା କିଭଳି ଚୁଟି ଉପାଡିବା ସମ୍ଭବ ହୋଇଥିଲା, ତାକୁ କହୁଥିଲେ। ଏଥିସହ ଯଦି ଛାତ୍ର ଛାତ୍ରୀଙ୍କର ଦିବ୍ୟଶକ୍ତି ଆସିଯାନ୍ତା, ତେବେ ଜଗତକୁ ଅନେକ ଲାଭ ମିଳନ୍ତା ବୋଲି ଭିଡିଓରେ ମଂଜୁଳା ଦର୍ଶାଉଥିଲେ । ଫ୍ରାନସରେ ଥିବା ଏକ ବ୍ୟାଙ୍କକୁ ଭାରତରେ ରହି ଦେଖିପାରୁଥିଲେ ବୋଲି ସେ ଦାବି କରିଥିଲେ। ଏହା କୁଆଡେ ବାବା ନିତ୍ୟାନନ୍ଦଙ୍କ ଅଲୈାକିକ ମହିମା ବୋଲି ସେ ଭିଡିଓରେ କହିଥିଲେ। ଅନ୍ୟ ଏକ ଭିଡିଓରେ ସ୍ବାମୀ ନିତ୍ୟାନନ୍ଦ ମଞ୍ଜୁଳାଙ୍କୁ ‘ରାଜମାତା’ ଭାବେ ଅଭିହିତ କରୁଥିବା ଦେଖିବାକୁ ମିଳିଥିଲା। ୨୦୧୯ ନଭେମ୍ବର ୨୦ରେ ଗୁଜରାଟ ପୁଲିସ ପକ୍ଷରୁ ଦାବି କରାଯାଇଥିଲା ଯେ ସ୍ବାମୀ ନିତ୍ୟାନନ୍ଦ ଦେଶ ଛାଡ଼ି ପଳାୟନ କରିଛନ୍ତି। ସେ ତ୍ରିନିଦାଦ୍ ଆଣ୍ଡ୍ ଟବାଗୋ କିମ୍ବା ଇକ୍ବେଡରରେ ଏକ ଦ୍ବୀପ କିଣିଛନ୍ତି। ସେଠାରେ କୈଳାସ ନାମକ କ୍ଷୁଦ୍ର ରାଷ୍ଟ୍ର ଗଠନ କରିଛନ୍ତି। ଅହମ୍ମଦାବାଦ ପୁଲିସ ମତରେ ସେ ଇକ୍ବେଡରରେ ଥାଇପାରନ୍ତି କାରଣ ସେହି ଦେଶ ସହିତ ଭାରତ ପ୍ରତ୍ୟର୍ପଣ ଚୁକ୍ତି ସ୍ବାକ୍ଷର କରିନାହିଁ।

୨୦୧୦ରେ ସରକାରୀ କାଗଜପତ୍ର ଜାଲିଆତି କରି ଡିପିଏସ୍‌ ଇଷ୍ଟ୍‌ ସ୍କୁଲ୍‌ ପାଇଁ ମଞ୍ଜୁଳା ସିବିଏସ୍‌ଇ ସ୍ବୀକୃତି ହାସଲ କରିଥିଲେ ବୋଲି ଅଭିଯୋଗ ହୋଇଥିଲା। ୨୦୨୦ ଜୁଲାଇରେ ଗୁଜରାଟ ହାଇକୋର୍ଟଙ୍କ ଠାରୁ ସେ ଅନ୍ତରୀଣ ଜାମିନ ପାଇଥିଲେ। ମାତ୍ର କୋର୍ଟ ସ୍ପଷ୍ଟ କରିଥିଲେ ଯେ ତଳ କୋର୍ଟରେ ପୁଲିସ ତାଙ୍କର ଯେକୌଣସି ସମୟରେ ରିମାଣ୍ଡ୍ ଦାବି କରିପାରିବେ। ‌ମଞ୍ଜୁଳାଙ୍କ ବ୍ୟବସାୟ ଜଗତରେ ଏତେଟା ପରିଚିତ ନଥିଲେ ମଧ୍ୟ ସେ ୨୪ଟି କଂପାନିର ନିର୍ଦେଶିକା ଥିବା ଜଣାପଡ଼ିଛି। ସେଥି ମଧ୍ୟରୁ ଦୁଇଟି କଂପାନି ହେଉଛି ଓରଟେଲ୍‌ କମ୍ପ୍ୟୁନିକେସନ୍ସ ଓ ଓଡ଼ିଶା ଟିଭି ଲିମିଟେଡ୍‌। ଅଭିଯୋଗ ହୋଇଛି ଯେ ପଣ୍ଡାଙ୍କ ସହ ମିଶି ମଞ୍ଜୁଳା ମନି ଲଣ୍ଡରିଂ କାରବାରରେ ଜଡ଼ିତ ଥିଲେ। ବାହାମାସରୁ ୧୮ କୋଟି ଟଙ୍କା ବୈଜୟନ୍ତ ଓ ଜଗି ପଣ୍ଡାଙ୍କ କଂପାନିକୁ ପଠାଯାଇଥିଲା। ଏହି ଅପରାଧିକ ଷଡ଼ଯନ୍ତ୍ରରେ ମଞ୍ଜୁଳା ପ୍ରତ୍ୟକ୍ଷ ଭାବେ ଜଡ଼ିତ ଥିଲେ ବୋଲି ଅଭିଯୋଗ ହୋଇଛି। ଭାରତକୁ କଳାଧନ ଆଣିବା ଲାଗି ବୈଜୟନ୍ତ, ଜାଗି ଓ ମଞ୍ଜୁଳା ଜାଲ୍ କଂପାନି ଯଥା ଫିନ୍‌ଲେ କର୍ପୋରେସନ ଲିମିଟେଡ୍‌, ମେସିନା ଲିମିଟେଡ୍‌ ଓ ପିକିକା କର୍ପୋରେସନ ଲିମିଟେଡ୍‌କୁ ବ୍ୟବହାର କରିଥିଲେ। ଏହି କଂପାନିଗୁଡ଼ିକର ଠିକଣା ସମାନ ଥିବା ବେଳେ ସେମାନଙ୍କ କାରବାର ବିଷୟରେ ନିର୍ଦିଷ୍ଟ କିଛି ସୂଚନା ନାହିଁ। ଏହି ତିନି କଂପାନିର ନିର୍ଦେଶକମାନଙ୍କ ନାମ ମଧ୍ୟ ଘୋଷଣା କରାଯାଇନାହିଁ। ହୱାଲା କାରବାର ଜରିଆରେ ବେଆଇନ କଳାଧନକୁ ମଞ୍ଜୁଳାଙ୍କ ସହାୟତାରେ ପଣ୍ଡା ବାହାରକୁ ପଠାଉଥିଲେ ଓ ଏହି ଜାଲ୍ କଂପାନିଗୁଡ଼ିକ ଜରିଆରେ ତାହାକୁ ପୁଣି ଦେଶ ମଧ୍ୟକୁ ଫେରାଇ ଆଣୁଥିଲେ ବୋଲି ଅଭିଯୋଗ ହୋଇଛି। ବାହାମାସର ଜାଲ୍ କଂପାନି ଜରିଆରେ ଦିଲ୍ଲୀରେ ସୁରଙ୍ଗୀ ସର୍ଭିସେସ୍‌ ଲିମିଟେଡ୍‌ ଠାରୁ ୨୦୧୯ ଜାନୁଆରି ୨୫ରେ ପଣ୍ଡାଙ୍କ ମାଲିକାନାରେ ଥିବା ଓଟିଭି ପକ୍ଷରୁ ଏକ ସମ୍ପତ୍ତି କିଣିବା ଲାଗି ୧୦ କୋଟି ଟଙ୍କା ଦିଆଯାଇଥିଲା। ବାହାମାସର ଦୁଇଟି କଂପାନି ଫିନ୍‌ଲେ କର୍ପୋରେସନ ଓ ମେସିନା କର୍ପୋରେସନ ହେଉଛନ୍ତି ସୁରଙ୍ଗି ସର୍ଭିସେସ୍‌ର ମାଲିକ। ପଣ୍ଡାଙ୍କ ବିଭିନ୍ନ ସଂସ୍ଥାରେ ହୋଇଥିବା ନିବେଶ ସହିତ ମଞ୍ଜୁଳାଙ୍କ କୌଣସି ନା କୌଣସି ଉପାୟରେ ସମ୍ପର୍କ ଥିବା ଜଣାପଡ଼ିଥିବାରୁ ତାଙ୍କୁ ନେଇ ସନ୍ଦେହ ଅଧିକ ଦୃଢ଼ୀଭୂତ ହୋଇଛି।

ସମ୍ବନ୍ଧିତ ଖବର