ଭୁବନେଶ୍ବର: ଦେଶରେ ୫୦୦୦ରୁ ଅଧିକ ଛୋଟବଡ଼ ରାଜନୈତିକ ଦଳ ଥିବାବେଳେ ୫୦ରୁ ଅଧିକ ଦଳ ସକ୍ରିୟ ଅଛନ୍ତି। ହେଲେ ବିଜେପି ଯେପରି ସଦସ୍ୟତା ସଂଗ୍ରହ କରେ କେହି ସେମିତି କରନ୍ତିନି। କଂଗ୍ରେସର ଏପରି ସଦସ୍ୟତା ଅଭିଯାନ ଦେଖିଛନ୍ତି କି? ବିଜେପିରେ ହିଁ ଅତ୍ୟନ୍ତ ସ୍ବଚ୍ଛ ଭାବେ ସଦସ୍ୟତା ଗ୍ରହଣ ହୁଏ। ସଦସ୍ୟତା ଗ୍ରହଣ ସରିବା ପରେ ନିର୍ବାଚନ ହେବ। ମଣ୍ଡଳ ସଭାପତିରୁ ଆରମ୍ଭ କରି ରାଷ୍ଟ୍ରୀୟ ଅଧ୍ୟକ୍ଷ ପର୍ଯ୍ୟନ୍ତ ସବୁ ଚୟନ ହେବେ। ବିଜେପିରେ ପରିବାରବାଦ ନାହିଁ, ଏଠାରେ କୌଣସି ନେତାଙ୍କ ପରିବାରର ସଦସ୍ୟ ନାହାନ୍ତି। ବରଂ ତୃଣମୂଳ ସ୍ତରରେ କାର୍ଯ୍ୟ କରୁଥିବା କାର୍ଯ୍ୟକର୍ତ୍ତା ହିଁ ନେତା ହୁଅନ୍ତି। ବିଜେପି ନେତୃତ୍ବରେ ହିଁ ବିକଶିତ ଭାରତ ଗଠନ ହେବ। ଏହି ଲକ୍ଷ୍ୟ ପୂରଣ ପାଇଁ ସବୁ ବର୍ଗର ଲୋକ ବିଜେପିର ସଦସ୍ୟ ହୁଅନ୍ତୁ ବୋଲି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା କହିଛନ୍ତି।
ବିଜେପି ପକ୍ଷରୁ ଚାଲିଥିବା ସଦସ୍ୟତା ଅଭିଯାନରେ ଉଦ୍ବୋଧନ ଦେଇ ଶ୍ରୀ ନଡ୍ଡା କହିଛନ୍ତି ଯେ ବିଜେପି ନେତୃତ୍ବରେ ଏନ୍ଡିଏ ସରକାର ଦେଶର ବିକାଶ ପାଇଁ କାମ କରୁଛି। କିନ୍ତୁ ଇଣ୍ଡି ମେଣ୍ଟର ଦଳଗୁଡ଼ିକ ଭ୍ରଷ୍ଟାଚାରକୁ ବଢ଼ାଇବା ସହ ରାଷ୍ଟ୍ର ବିରୋଧୀ ତତ୍ତ୍ବକୁ ପ୍ରୋତ୍ସାହିତ କରୁଛନ୍ତି। କେରଳ ଓ ପଶ୍ଚିମବଙ୍ଗରେ କଂଗ୍ରେସ ଓ ବାମପନ୍ଥୀ ଦଳ ପରସ୍ପର ମଧ୍ୟରେ ଲଢ଼େଇ କରୁଥିବାବେଳେ ଦିଲ୍ଲୀରେ କୋଳାକୋଳି ହେଉଛନ୍ତି। ଏହାସହ ଶ୍ରୀ ନଡ୍ଡା କହିଛନ୍ତି ଯେ କଂଗ୍ରେସ ଓ ବାମପନ୍ଥୀ ଦଳଗୁଡ଼ିକର କିଛି ଆଦର୍ଶ ନାହିଁ। କିନ୍ତୁ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ‘ସବ୍କା ସାଥ, ସବ୍କା ବିକାଶ, ସବ୍କା ପ୍ର୍ରୟାସ ଓ ସବ୍କା ବିଶ୍ୱାସ’ ମନ୍ତ୍ରରେ ବିଜେପି ଆଗକୁ ବଢ଼ିଚାଲିଛି। ସମାଜର ସବୁଠାରୁ ଅନ୍ତିମ ସୋପାନରେ ଥିବା ବ୍ୟକ୍ତିଙ୍କ ପାଖରେ କିପରି ସବୁ ଯୋଜନାର ସୁଫଳ ପହଞ୍ଚିପାରିବ ସେଥିପାଇଁ ବିଜେପି ସରକାର ନିରନ୍ତର ପ୍ରୟାସ କରିଚାଲିଛି। ଏବେବି ଦେଶରେ ଏମିତି ପରିବାର ଅଛନ୍ତି ଯେଉଁମାନଙ୍କର କୌଣସି ରାଜନୈତିକ ଦଳ ସହ କିଛି ସମ୍ପର୍କ ନାହିଁ। ସେମାନଙ୍କୁ ଖୋଜିକି ବିଜେପିର ସଦସ୍ୟ କରିବା ସହ ସେମାନଙ୍କର ବିକାଶ କରିବାକୁ ହେବ।
ପୂର୍ବୋଦୟ ବିକାଶ ରେଳରେ ଓଡ଼ିଶା ପ୍ରଥମ ବଗି ହେବ: ମୁଖ୍ୟମନ୍ତ୍ରୀ
ଓଡ଼ିଶାରେ ବିଜେପିର ୧କୋଟି ସଦସ୍ୟ ହେବେ: ମନମୋହନ
ଏବେ ଆମେରିକାଠାରୁ ଆରମ୍ଭ କରି ଚୀନ, ଜାପାନ, ଅଷ୍ଟ୍ରେଲିଆ ଭଳି ଦେଶର ଅର୍ଥନୀତି ତଳକୁ ଖସୁଥିବାବେଳେ ଭାରତର ଅର୍ଥନୀତି ଉପରମୁହାଁ ଅଛି। ଏହି ସବୁ ଦେଶର ଅଭିବୃଦ୍ଧି ହାର ୫%ରୁ କମ୍ ଥିବାବେଳେ ଭାରତର ଅଭିବୃଦ୍ଧି ହାର ୭% ରହିଛି। ମୋଦୀଙ୍କ କାର୍ଯ୍ୟକାଳରେ ଏହା ୧୦% ଛୁଇଁବ। ଦେଶ ପ୍ରଗତି କରୁଥିବାର ଉଦାହରଣ ଦେଇ ଶ୍ରୀ ନଡ୍ଡା କହିଥିଲେ, ପୂର୍ବରୁ ମନମୋହନ ସିଂହ ଆମେରିକା ଗଲେ ଆତଙ୍କବାଦ, ଭାରତ-ପାକିସ୍ତାନ ବିବାଦ କଥା ଉଠାଉଥିଲେ। ହେଲେ ଏବେ ମୋଦୀ ଆମେରିକାରେ ସେମିକଣ୍ଡକ୍ଟର, ବୈଷୟିକ ଜ୍ଞାନ, ପରିବେଶ କଥା ଉଠାଉଛନ୍ତି। ଏବେ ଦେଶରେ ବ୍ୟବହାର ହେଉଥିବା ୯୭% ମୋବାଇଲ ଭାରତରେ ଉତ୍ପାଦନ ହେଉଛି। ଇସ୍ପାତ ଉତ୍ପାଦନରେ ଭାରତ ଦ୍ୱିତୀୟ, ଖେଳନା ରପ୍ତାନିରେ ତୃତୀୟ, ଅଟୋମୋବାଇଲ କ୍ଷେତ୍ରରେ ଭାରତ ତୃତୀୟ ସର୍ବବୃହତ ବଜାରରେ ପରିଣତ ହୋଇଛି। ଅକ୍ଟୋବର ମାସରେ ଆୟୁଷ୍ମାନ ଭାରତ ଯୋଜନାରେ ୭୦ବର୍ଷରୁ ଊର୍ଦ୍ଧ୍ବ ସବୁ ବର୍ଗର ଲୋକଙ୍କୁ ସାମିଲ କରାଯିବ। ଏଥିରେ ପ୍ରାୟ ୧୦କୋଟି ଲୋକ ସାମିଲ ହେବେ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଥିଲେ, ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଗଠନ ହେବ। ଏହି ୧୨ବର୍ଷର କାଳଖଣ୍ଡର ପ୍ରଥମ ୫ବର୍ଷର ଦାୟିତ୍ବ ଆମକୁ ମିଳିଛି। ଆମକୁ ଏହାର ସଦୁପଯୋଗ କରିବାକୁ ହେବ। ପୂର୍ବୋଦୟ ଯୋଜନାର ବିକାଶ ରେଳରେ ଓଡ଼ିଶା ଯେପରି ପ୍ରଥମ ବଗି ହେବ ସେହି ଅନୁଯାୟୀ କାମ କରିବାକୁ ହେବ। ରାଜ୍ୟ ସଭାପତି ମନମୋହନ ସାମଲ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି କହିଥିଲେ, ଏବେ ସବୁ ବର୍ଗର ଲୋକ ବିଜେପିରେ ଆଗ୍ରହର ସହ ମିଶୁଛନ୍ତି। ଓଡ଼ିଶାରେ ବିଜେପିର ୧କୋଟି ସଦସ୍ୟ ହେବେ। ଏହି କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ କେ.ଭି ସିଂହଦେଓ, ବିଜେପିର ରାଷ୍ଟ୍ରୀୟ ମହାମନ୍ତ୍ରୀ ସୁନିଲ ବଂଶଲ ଓ ଦୁଷ୍ମନ୍ତ ଗୌତମ ପ୍ରମୁଖ ଉପସ୍ଥିତ ଥିଲେ। ଆଜି ଶ୍ରୀ ନଡ୍ଡା ଭୁବନେଶ୍ୱର ପହଞ୍ଚିବା ପରେ ଏଜି ଛକସ୍ଥିତ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଏହାପରେ ବୁଦ୍ଧିଜୀବୀ ସମ୍ମିଳନୀରେ ଯୋଗଦେଇଥିଲେ। ଅପରାହ୍ଣରେ ରାଜ୍ୟ କାର୍ଯ୍ୟାଳୟରେ ମନ୍ତ୍ରୀ, ସାଂସଦ, ବିଧାୟକ ଓ ପାର୍ଟିର ପଦାଧିକାରୀଙ୍କ ବୈଠକରେ ଯୋଗ ଦେଇ ସଦସ୍ୟତା ଅଭିଯାନକୁ ଗତିଶୀଳ କରିବା ପାଇଁ ପରାମର୍ଶ ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/MiAkTYHByNlbtAfrNMFZ.jpg)