ଚାଷୀଙ୍କ ସହିତ କିଏ? ବିଜେଡି, ବିଜେପି ଓ କଂଗ୍ରେସ ଭୂମିକାକୁ ନେଇ ଦ୍ବନ୍ଦ୍ବ ବଢ଼ୁଛି

ଭୁବନେଶ୍ବର : କୃଷି ସଂକ୍ରାନ୍ତରେ କେନ୍ଦ୍ର ସରକାରଙ୍କ ଆଇନକୁ ବିରୋଧ କରି ଦେଶରେ ମୁଣ୍ଡ ଟେକିଥିବା ଚାଷୀ ଆନ୍ଦୋଳନ ଧୀରେ ଧୀରେ ଉଗ୍ର ରୂପ ଧାରଣ କରୁଛି। କେନ୍ଦ୍ର ସରକାରଙ୍କ ପାଇଁ ଏହା ମୁଣ୍ଡବିନ୍ଧାର କାରଣ ହେଲାଣି। ହେଲେ ଏହି ପ୍ରସଙ୍ଗ ବିଭିନ୍ନ ରାଜନୈତିକ ଦଳକୁ ମଧ୍ୟ କିଛି କମ୍ ଆକ୍ରାନ୍ତ କରିନି। କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ଅନୁମୋଦନ ଦେବା ବେଳେ ରାଜନୈତିକ ଦଳମାନେ ସଂସଦରେ ଯେତିକି ସମାଲୋଚିତ ହୋଇନଥିଲେ, ଏବେ ଏହାର କାର୍ଯ୍ୟାନ୍ବୟନ ବେଳେ ତା ଚାହିଁ ଆହୁରି ସଙ୍ଗିନ୍ ସ୍ଥିତିକୁ ଆମନ୍ତ୍ରଣ କରିଛନ୍ତି। ଓଡ଼ିଶା କ୍ଷେତ୍ରରେ ଏହା ଏବେ ଏକ ବିଚିତ୍ର ପରିସ୍ଥିତି ସୃଷ୍ଟି କରିଛି। ପ୍ରମୁଖ ତିନି ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ଅକଳରେ ପଡ଼ିଛନ୍ତି। ବାସ୍ତବରେ ଚାଷୀ ଓ ଚାଷ ସ୍ବାର୍ଥରେ କିଏ? ଏଭଳି ଏକ ପ୍ରଶ୍ନର ଠୋ ଠା ଉତ୍ତର ଦେବାରେ କେହି ନାହାନ୍ତି। ଚାଷୀ ଓ ଚାଷ ସହିତ ସମସ୍ତେ ଅଛନ୍ତି ବୋଲି ଗଣମାଧ୍ୟମରେ ଦାବି କରିଥିଲେ ହେଁ, ଚାଷୀ ସହିତ କୌଣସି ରାଜନୈତିକ ଦଳ ହାତମିଳାଇ ପାରିନାହାନ୍ତି।

ଚାଷୀ ଦେଇଥିବା ଭାରତ ବନ୍ଦ ଡାକରାକୁ କଂଗ୍ରେସ ଦଳ ସମର୍ଥନ କରିଥିଲା। ଆଜି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଆଉ ପାଦେ ଆଗକୁ ଯାଇ କହିଛନ୍ତି, ଚାଷୀ ଆନ୍ଦୋଳନକୁ ସମର୍ଥନ କରି ଆସନ୍ତାକାଲି ପ୍ରତି ଜିଲ୍ଲାରେ ରାଜନୈତିକ କାର୍ଯ୍ୟକ୍ରମ ହାତକୁ ନିଆଯିବ। ହେଲେ ବିଧାନସଭା ଭିତରେ ଓ ବାହାରେ ଦଳୀୟ ନେତାମାନେ ଯେଭଳି ଢଙ୍ଗରେ ଗର୍ଜନ କରୁଥିଲେ, ଭାରତ ବନ୍ଦ ଦିନ କଂଗ୍ରେସର ଉପସ୍ଥିତି ସେଭଳି ନଥିଲା। ସେହିଭଳି ଚାଷୀ ଆନ୍ଦୋଳନରେ ଓଡ଼ିଶା କଂଗ୍ରେସ ଉଭୟ ରାଜ୍ୟ ସରକାର ଏବଂ କେନ୍ଦ୍ର ଉପରେ ଚାପ ସୃଷ୍ଟି କରିବା ଭଳି ସ୍ଥିତି ସୃଷ୍ଟି କରିପାରିନାହିଁ। ୩୦ଟି ଜିଲ୍ଲାରେ ଦଳର ସଂଗଠନ ଥିଲେ ହେଁ ହାତଗଣତି କିଛି ଅଞ୍ଚଳକୁ ଛାଡିଦେଲେ ଅନ୍ୟଠାରେ ନେତାଙ୍କ ଆନ୍ତରିକତା ଚାଷୀଙ୍କ ପାଇଁ କେତେ ରହିଛି, ତାହା ଆଉ କାହାକୁ ବୁଝିବାକୁ ବାକି ନାହିଁ।

ଚାଷୀଙ୍କୁ ସମର୍ଥନ କରୁଛି କଂଗ୍ରେସ, ଆନ୍ଦୋଳନ ପ୍ରଭାବୀ ନୁହେଁ
ଏମ୍‌ଏସ୍‌ପି ସଂକଳ୍ପରେ ଦସ୍ତଖତ କରିଥିଲେ, ଏବେ କେନ୍ଦ୍ର ରାସ୍ତାରେ ବିଜେପି
ଏମ୍‌ଏସ୍‌ପି ସଂକଳ୍ପ ପାରିତ କରିଛି ବିଜେଡି, ଆଇନରେ ଦଣ୍ଡବିଧାନ ନାହିଁ

କେନ୍ଦ୍ରରେ ବିଜେପି ସରକାରରେ ଥିବା କାରଣରୁ ରାଜ୍ୟରେ ଦଳର ଆଭିମୁଖ୍ୟ ସ୍ବତନ୍ତ୍ର ନୁହେଁ। ସ୍ବାମୀନାଥନ୍ କମିଟିଙ୍କ ସୁପାରିସ କାର୍ଯ୍ୟାନ୍ବୟନ ଏବଂ ସର୍ବନିମ୍ନ ସହାୟକ ମୂଲ୍ୟ ଦୁଇଗୁଣା କରିବା କ୍ଷେତ୍ରରେ ଓଡ଼ିଶାରେ ଗୋଟିଏ ମତ ପ୍ରକାଶ ପାଇପାରୁନାହିଁ। ଯଦିଓ ବିଧାନସଭାରେ ଏମ୍‌ଏସ୍‌ପି ସଂକ୍ରାନ୍ତ ସଂକଳ୍ପରେ ସେ ସମୟରେ ବିଜେପି ବିଧାୟକମାନେ ଦସ୍ତଖତ କରିଥିଲେ, ଏହି ପ୍ରସଙ୍ଗକୁ ଦିଲ୍ଲୀ ନେବା ସମୟରେ କିନ୍ତୁ ଦଳ ବିଶେଷ ଭୂମିକା ନେଇପାରିଲା ନାହିଁ। ପ୍ରଧାନମନ୍ତ୍ରୀ ଓଡ଼ିଶାର ବିଧାୟକମାନଙ୍କୁ ଭେଟିବା ପାଇଁ ସମୟ ଦେଇନଥିଲେ। ଏବେ ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ ଗଣମାଧ୍ୟମକୁ କହିଛନ୍ତି, ବିରୋଧୀ ଦଳମାନେ କୃଷି ଆଇନ ନେଇ ଲୋକଙ୍କୁ ଭ୍ରମିତ କରୁଛନ୍ତି। ଓଡ଼ିଶା କିଷାନ ମୋର୍ଚା ଓଡ଼ିଶାରେ ୫ଟି ସ୍ଥାନ ଅର୍ଥାତ୍ ବାଲେଶ୍ୱର, ବରଗଡ଼, ଜୟପୁର, ଢେଙ୍କାନାଳ ଓ କଟକରେ ସମାବେଶ କରି ଚାଷୀଙ୍କୁ ବୁଝାଇବ। କେନ୍ଦ୍ର ଆଇନ ଫଳରେ ୭୦% ଚାଷୀ ଲାଭରେ ରହିବେ। ଦଳ ଏହି ଅବସରରେ କହିଛି ଯେ ରାଜ୍ୟ ସରକାରଙ୍କ ପାଖରେ ଯଦି କାଳିଆ ପାଇଁ ଟଙ୍କା ନାହିଁ, ତେବେ ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ ୬ ହଜାର ଟଙ୍କା ପଠାଇବାକୁ ତାଲିକା ଦିଅନ୍ତୁ। ହେଲେ ଏ କ୍ଷେତ୍ରରେ ସରକାର କାହିଁକି କାଳକ୍ଷେପଣ ନୀତି ଅବଲମ୍ବନ କରୁଛନ୍ତି, ତାହାକୁ ନେଇ ଶ୍ରୀ ପୁରୋହିତ ପ୍ରଶ୍ନ ଉଠାଇଛନ୍ତି।

ଅନ୍ୟପକ୍ଷରେ ସଂସଦରେ ଭିନ୍ନ ଏକ ଭୂମିକା ନେଇଥିଲା ବିଜେଡି। ବିଲ୍ ସଂପର୍କରେ ଅଧିକ ତର୍ଜମା ହେବା ଉପରେ ଦଳ ଗୁରୁତ୍ବ ଦେଇଥିଲା।ଏହାକୁ ସିଲେକ୍ଟ କମିଟିକୁ ପଠାଇବା ଉପରେ ନେତାମାନେ ଜୋର ଦେଇଥିଲେ। ଏବେ ବି ବିଜେଡି ସ୍ପଷ୍ଟ କରିଛି ଯେ ସେମାନେ ଚାଷୀଙ୍କ ସହିତ ଅଛନ୍ତି। ହେଲେ ଏକ୍ଷେତ୍ରରେ ଯେଉଁ ବଡ଼ ଆହ୍ବାନଟି ସରକାରଙ୍କ ସାମ୍ନାରେ ଅଛି, ତାହା ଉପରୁ ବିଜେଡି ନେତାମାନେ ପରଦା ହଟାଇପାରିନାହାନ୍ତି। ଚାଷୀ କରୁଥିବା ଆନ୍ଦୋଳନକୁ ବିଜେଡି ସମର୍ଥନ ଦେବ ନା ନାହିଁ, ଏ ସଂକ୍ରାନ୍ତରେ ଦଳ ରୋକ୍‌ଠୋକ୍ ବା ସ୍ପଷ୍ଟ ଉତ୍ତର ଦେବା ସ୍ଥିତିରେ ନାହିଁ। ଓଡ଼ିଶା ବନ୍ଦ ପୂର୍ବରୁ ବିଜେଡି କହିଥିଲା, ସେମାନେ ଆନ୍ଦୋଳନରେ ନୁହେଁ, ବରଂ ଆଲୋଚନାରେ ବିଶ୍ବାସ କରନ୍ତି। ହେଲେ ଏବେ ପ୍ରଶ୍ନ ଉଠୁଛି, ସ୍ବାମୀନାଥନ୍ କମିଟି ସୁପାରିସକୁ ଶତ ପ୍ରତିଶତ କାର୍ଯ୍ୟକାରୀ କରିବା, ସର୍ବୋପରି ଏମ୍‌ଏସ୍‌ପି ମୂଲ୍ୟ ଦେଢଗୁଣା କରିବା ସଂକ୍ରାନ୍ତରେ ବିଜେଡି ବା ରାଜ୍ୟ ସରକାର କେନ୍ଦ୍ର ସହିତ କେତେଥର ସ୍ବତନ୍ତ୍ର ଭାବେ ଆଲୋଚନା କରିଛନ୍ତି? ବିଧାନସଭାରେ ସଂକଳ୍ପ ପାରିତ ଓ ଚିଠି ମଧ୍ୟରେ ଏହି ପ୍ରସଙ୍ଗଟି ଯେ ନିର୍ବାଚନ ପରବର୍ତୀ ସ୍ଥିତିରେ ହଜିଯାଇଥିଲା, ଏକଥାକୁ କେହି ଅସ୍ବୀକାରି କରିପାରିବେ ନାହିଁ ବୋଲି ରାଜନୈତିକ ପର୍ଯ୍ୟବେକ୍ଷକ ମହଲ ବିଚାର କରୁଛନ୍ତି। ଧାନ କ୍ଷେତ୍ରରେ ସର୍ବନିମ୍ନ ସହାୟକ ମୂଲ୍ୟ ୨୯୩୦ ଟଙ୍କା କରିବା ଲାଗି ପ୍ରସ୍ତାବ ଉପରେ ସମ୍ଭବତଃ ଗତବର୍ଷ ମଧ୍ୟରେ ଥରୁଟିଏ ମଧ୍ୟ ବିତର୍କ ହୋଇନାହିଁ।

ଆହୁରି ଗୁରୁତ୍ବପୂର୍ଣ୍ଣ କଥା ହେଉଛି କେନ୍ଦ୍ର ସରକାରଙ୍କ ଚାଷୀ ଆଇନର କାର୍ଯ୍ୟାନ୍ବୟନ ପାଇଁ ପ୍ରଥମ ଥର ହୋଇଥିବା କାର୍ଯ୍ୟାଦେଶ ଅକାମୀ ହୋଇଯାଇଥିଲା। ଦ୍ବିତୀୟ ଥର ଗତ ଅଧିବେଶନରେ ଏହି ଅଧ୍ୟାଦେଶକୁ ବିଲ୍‌ ଆକାରରେ ସରକାର ଗୃହରେ ଆଗତ କରିଛନ୍ତି ଓ ଏହାକୁ ନେଇ ପ୍ରଥମ ଦିନ ଢେର୍ ବିତର୍କ ହୋଇଛି। ସରକାର ଏଥିରେ ଏମ୍‌ଏସ୍‌ପି କଥା କହିଛନ୍ତି। ହେଲେ ସର୍ବନିମ୍ନ ସହାୟକ ମୂଲ୍ୟ ଚାଷୀ ନ ପାଇଲେ କି ଦଣ୍ଡବିଧାନ କରାଯିବ ସେକଥା ଲେଖାଯାଇନାହିଁ। କେବଳ ସେତିକି ନୁହେଁ, ବାହାର ବ୍ୟବସାୟୀ କିଣିବା ଲାଗି ଏଥିରେ ସୁଯୋଗ ରହିଛି। ଅଳ୍ପ କିଛି ପରିବର୍ତନ କରିଛନ୍ତି ସରକାର। ଏବେ ଯଦି ଚାଷୀମାନଙ୍କ ସହିତ ଅଛନ୍ତି, ତେବେ କୃଷି ମନ୍ତ୍ରୀ ଅରୁଣ ସାହୁ ଗଣମାଧ୍ୟମ ସାମ୍ନାକୁ ଆସି ପ୍ରାଞ୍ଜଳ ଭାବେ ଚାଷୀ ପ୍ରସଙ୍ଗରେ ସରକାରଙ୍କ ନୀତି କଣ ହେବାକୁ ଯାଉଛି ତାହା କହୁନାହାନ୍ତି କାହିଁକି? ଆଜି ବି ଦଳୀୟ ରାଜ୍ୟ କାର୍ଯ୍ୟାଳୟରେ ଗଣମାଧ୍ୟମ ପ୍ରତିନିଧିମାନେ ବିଜେଡି ନେତାଙ୍କ ଠାରୁ ସ୍ପଷ୍ଟ ଉତ୍ତର ପାଇପାରିନଥିଲେ। ଚାଷୀଙ୍କ ସହିତ ସରକାର ଥିଲା ଓ ରହିଛି ବୋଲି ବିଜେଡି ନେତା ମତ ରଖି ବାକି ସବୁ ପ୍ରଶ୍ନକୁ ଢୋକି ଦେଇଥିଲେ। ଆସନ୍ତାକାଲିର ଚାଷୀ ଆନ୍ଦୋଳନକୁ ସମର୍ଥ କରି ସେମାନେ କି ପଦକ୍ଷେପ ନେବେ ବା ରାଜରାସ୍ତାକୁ ଓହ୍ଲାଇବେ ଏ ସଂକ୍ରାନ୍ତରେ କେହି କିଛି କହିନଥିଲେ।

ଉଲ୍ଲେଖଥାଉକି, କୃଷକଙ୍କ ପ୍ରସଙ୍ଗରେ ଓଡ଼ିଶା ସରକାରଙ୍କ ନିରବତା ନେଇ ବିଭିନ୍ନ ମହଲରେ ସମାଲୋଚନା ପରେ କ୍ୟାବିନେଟ୍ ବୈଠକରେ ଏକ ସଂକଳ୍ପ ପାରିତ କରାଯାଇଛି। ଏଥିରେ ସ୍ବାମୀନାଥନ୍ କମିଟି ସୁପାରିସ ସମ୍ପୂର୍ଣ୍ଣ କାର୍ଯ୍ୟକାରିତା ଏବଂ ଏମ୍‌ଏସ୍‌ପି ଦୁଇଗୁଣା କରିବା ପାଇଁ କେନ୍ଦ୍ରକୁ ଚିଠି ଲେଖିବ ବୋଲି ଦୋହରାଇଛି।

ସମ୍ବନ୍ଧିତ ଖବର