ବନ୍ଧମୁଣ୍ଡା: ରାଉରକେଲା ବନଖଣ୍ଡର ବିଶ୍ରା ରେଞ୍ଜ ଅନ୍ତର୍ଗତ ବନ୍ଧମୁଣ୍ଡା ଏ-କ୍ୟାବିନ ନିକଟରେ ମାଲଗାଡ଼ି ଧକ୍କାରେ ଛୁଆହାତୀର ମୃତ୍ୟୁ ଘଟଣାକୁ ନେଇ ବନବିଭାଗ ଓ ରେଳବାଇ ମଧ୍ୟରେ ବିବାଦ ତୀବ୍ର ହୋଇଛି। ଟ୍ରେନ୍ ଧକ୍କାରେ ହାତୀ ମୃତ୍ୟୁ ପାଇଁ ଦାୟୀ କିଏ ବୋଲି ସାଧାରଣରେ ପ୍ରଶ୍ନ ଉଠିଛି। ଘଟଣା ପରେ ବନବିଭାଗ ଅଧିକାରୀମାନେ ସହକାରୀ ‌ଲୋକୋ ପାଇଲଟ୍‌ କବିରାଜ ମାହାତୋଙ୍କୁ ପଚରାଉଚରା କରିବା ପାଇଁ ଅଟକ ରଖିଥିଲେ। ପରେ ବନବିଭାଗ ଲୋକୋ ପାଇଲଟ୍‌ ମନୋଜ କୁମାର ଏବଂ ସହକାରୀ ଲୋକୋ ପାଇଲଟ୍‌ କବିରାଜ ମାହାତୋଙ୍କ ବିରୋଧରେ ହାତୀ ମୃତ୍ୟୁ ସଂପର୍କିତ ମାମଲା ରୁଜୁ କରିଛି। ମାମଲା ରଜୁ ହେଲା ପରେ ଲୋ କୋ ପାଇଲଟ୍‌ମାନେ ବନ୍ଧମୁଣ୍ଡା ରେଳବାଇ କ୍ରୁ-ଲୋବି ସମ୍ମୁଖରେ ବହୁ ସମୟ ଧରି ବିରୋଧ ପ୍ରଦର୍ଶନ କରିଥିଲେ। ସେମାନେ ଅଭିଯୋଗ କରିଥିଲେ ଯେ ମାଲଗାଡ଼ିର ଚାଳକଙ୍କୁ ହାତୀଙ୍କ ଗତିବିଧିର ସଂପର୍କରେ କୌଣସି ସୂଚନା ଦିଆଯାଇ ନଥିଲା। ଏଭଳି ସ୍ଥିତିରେ ସେମାନଙ୍କ ନାଁରେ କାହିଁକି ମାମଲା ରୁଜୁ ହୋଇଛି ବୋଲି ପ୍ରଶ୍ନ ଉଠାଇଥିଲେ। 

Advertisment

ସୂଚନା ଥାଉକି ସୋମବାର ରାତି ପ୍ରାୟ ସାଢ଼େ ୯ଟା ସମୟରେ ମାଲଗାଡ଼ି ଧକ୍କାରେ ଛୁଆହାତୀର ମୃତ୍ୟୁ ହେବା ପରେ ରେଳବାଇ ଏବଂ ବନବିଭାଗ ଅଧିକାରୀଙ୍କ ନିଦ ହଜି ଯାଇଛି। ଏହି ଘଟଣା ଯୋଗୁ ଚକ୍ରଧରପୁର ଏବଂ ରାଉରକେଲା ମଧ୍ୟରେ ଟ୍ରେନ୍ ଚଳାଚଳ ସୋମବାର ରାତି ପ୍ରାୟ ୩ଟା ପର୍ଯ୍ୟନ୍ତ ବନ୍ଦ ରହିଥିଲା। ସକାଳେ ଟ୍ରେନ୍ ଚଳାଚଳ ସ୍ୱାଭାବିକ ହୋଇଥିଲା। ଅନ୍ୟପକ୍ଷରେ ବନ ବିଭାଗ ଟିମ୍ ରାତିସାରା ଘଟଣାସ୍ଥଳରେ ଜଗି ରହିଥିଲେ। ମଙ୍ଗଳବାର ସକାଳେ ରାଉରକେଲା ଡିଏଫ୍‌ଓ ଯଶୋବନ୍ତ ସେଠୀ ଘଟଣାସ୍ଥଳରେ ପହଞ୍ଚିବା ପରେ ହାତୀର ଶବ ବ୍ୟବଚ୍ଛେଦ କରାଯାଇଥିଲା। ବ୍ୟବଚ୍ଛେଦ ପରେ ମୃତଦେହକୁ ବନକର୍ମୀଙ୍କ ଦ୍ୱାରା ନିକଟସ୍ଥ ଜଙ୍ଗଲରେ ପୋତି ଦିଆଯାଇଥିଲା।

ରାତିରେ ଛୁଆହାତୀର ମୃତ୍ୟୁ ପରେ ୨୪ଟି ହାତୀ ସକାଳେ ସନ୍ତୋଷପୁର ସ୍ଥିତ ଜାରାଟୋଲି ଆଡ଼କୁ ପଳାଇ ଯାଇଥିଲେ। ମାତ୍ର ଗୋଟିଏ ମାଈହାତୀ ନିଜ ଛୁଆ ସହିତ ଘଟଣାସ୍ଥଳ ନିକଟରେ ରାତି ସାରା ଜଗି ରହିଥିଲା। ସକାଳ ହେବା ପରେ ଏହି ଦୁଇହାତୀର ଖାଦ୍ୟ ଏବଂ ପାଣି ପାଇଁ ବନବିଭାଗ ପକ୍ଷରୁ ବ୍ୟବସ୍ଥା କରାଯାଇଥିଲା। ଘଟଣାସ୍ଥଳରେ ଉପସ୍ଥିତ ରାଉରକେଲା ଡିଏଫ୍‌ଓ କହିଛନ୍ତି ଯେ ହାତୀ ପଲଙ୍କ ଯାତାୟାତ ସଂପର୍କରେ ବନ୍ଧମୁଣ୍ଡା ରେଳବାଇ କଣ୍ଟ୍ରୋଲ ରୁମକୁ ଆଗୁଆ ସୂଚନା ଦିଆଯାଇଥିଲା। ଏହାପରେ ମଧ୍ୟ ହାତୀ ଚଳାଚଳ ଜୋନରେ ଦ୍ରୁତଗତିରେ ଟ୍ରେନ୍ ଚଳାଉଥିଲେ।  ରେଳବାଇ କଣ୍ଟ୍ରୋଲ ରୁମରେ ଥିବା ଅଧିକାରୀ କାହିଁକି ଏହାକୁ ଗୁରୁତ୍ୱ ଦେଇ ନଥିଲେ ବା ଲୋକୋ ପାଇଲଟ୍‌ଙ୍କୁ ଜଣାଇ ନଥିଲେ ବୋଲି ପ୍ରଶ୍ନ ଉଠୁଛି। ଉଲ୍ଲେଖନୀୟ ଯେ ଗତ କିଛିଦିନ ଧରି ବନ୍ଧମୁଣ୍ଡା, ବିଶ୍ରା, ଭାଲୁଲତା, ଜରେଇକେଲା, ବରସୁଆଁ, ବିମଳାଗଡ଼ ଆଦି ଅଞ୍ଚଳରେ ହାତୀଙ୍କ ଚଳପ୍ରଚଳ ବଢ଼ିବାରେ ଲାଗିଛି।