ରାଜ୍ୟରେ କୋଭିଡ୍ ମୃତ୍ୟୁହାର ସର୍ବନିମ୍ନ, ସୁସ୍ଥହାର ଉଲ୍ଲେଖନୀୟ
ଫେରନ୍ତା ପ୍ରବାସୀଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରିବାରେ ସଫଳ
ହଜାରେ ଶଯ୍ୟାର କୋଭିଡ୍ ହସ୍ପିଟାଲ ପ୍ରତିଷ୍ଠାରେ ପ୍ରଥମ ରାଜ୍ୟ
ଭୁବନେଶ୍ୱର : କୋଭିଡ୍ ପରିଚାଳନାରେ ଓଡ଼ିଶା ସରକାରଙ୍କ ପଦକ୍ଷେପକୁ ପ୍ରଶଂସା କରିଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ବା ‘ହୁ’। 'ହୁ'ର ୱେବସାଇଟ୍ରେ ଓଡ଼ିଶାର କରୋନା ସଂକ୍ରମଣ ନିୟନ୍ତ୍ରଣ ନେଇ ଏକ ଆଲେଖ୍ୟ ପ୍ରକାଶ ପାଇଛି ଯାହାର ଶୀର୍ଷକ ରହିଛି ‘ପ୍ରଶାସନରୁ ଗୋଷ୍ଠୀ ସ୍ଥିରତା ପର୍ଯ୍ୟନ୍ତ’। ଏଥିରେ କରୋନା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପର ପ୍ରଶଂସା କରାଯାଇଛି। ତେବେ 'ହୁ'ର ଏହି ଆଲେଖ୍ୟରେ ଗତ ଜୁନ୍ ୨୪ତାରିଖ ବେଳକୁ ରାଜ୍ୟରେ ସୁସ୍ଥହାର ୬୯.୪ ପ୍ରତିଶତ ଓ ମୃତ୍ୟୁ ହାର ୦.୨୯ ପ୍ରତିଶତ ରହିଥିବା ସଂପର୍କରେ ଉଲ୍ଲେଖ କରାଯାଇଛି। କରୋନା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ଭାବେ କୋଭିଡ୍ ପରିଚାଳନା ବ୍ୟବସ୍ଥାର ମଧ୍ୟ ପ୍ରଶଂସା କରାଯାଇଛି।
ଦେଶର ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ୧ହଜାର ଶଯ୍ୟା ବିଶିଷ୍ଟ କୋଭିଡ୍ ହସ୍ପିଟାଲ ସପ୍ତାହକ ଭିତରେ ପ୍ରତିଷ୍ଠା କରିବାରେ ସକ୍ଷମ ହୋଇଥିଲା। ଏହାସହ ସବୁ ଜିଲ୍ଲାରେ ସ୍ବତନ୍ତ୍ର କୋଭିଡ୍ ହସ୍ପିଟାଲ ପ୍ରତିଷ୍ଠା କରାଯାଇଛି। କଟକସ୍ଥିତ ଅଶ୍ବିନୀ କୋଭିଡ୍ ହସ୍ପିଟାଲକୁ ଉଚ୍ଚ ପ୍ରଶଂସା କରିଛନ୍ତି 'ହୁ' ଓ ମିଳିତ ଜାତିସଂଘର ସ୍ବତନ୍ତ୍ର ଟିମ୍। ସେହିପରି ଇନ୍ଫ୍ଲୁଏଞ୍ଜା ଲଇକ୍ ଇଲନେସ୍ (ଆଇଏଲଆଇ) ଓ ସିଭିୟର ଆକ୍ୟୁଟ ରେସ୍ପିରେଟାରି ଇଲନେସ୍ (ଏମ୍ଏଆରଆଇ) ରୋଗୀଙ୍କୁ ଠାବ କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଥିଲା। ସଂକ୍ରମଣ ଅବରୋଧ ଅଞ୍ଚଳ ସହିତ ସମ୍ବେଦନଶୀଳ ଲୋକମାନଙ୍କ ସାପ୍ତାହିକ ରିପୋର୍ଟ ସଂଗ୍ରହ ହୋଇଥିଲା। ଏଥିପାଇଁ ପ୍ରଶାସନିକ ଅଧିକାରୀଙ୍କଠାରୁ ଡାକ୍ତର, ଏଲ୍ଟି ଓ ପୁଲିସ କର୍ମଚାରୀମାନେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ କରୋନାକୁ ଏକ ମହାମାରୀ ଭାବେ ଘୋଷଣା କରିବା ପରେ ରାଜ୍ୟ ସରକାର ମାର୍ଚ ୧୩ତାରିଖରେ ଏହାକୁ ଜାତୀୟ ବିପର୍ଯ୍ୟୟ ଭାବେ ଘୋଷଣା କରିଥିଲେ। ଲୋକମାନଙ୍କୁ ସଚେତନ କରିବା ଲାଗି ହାତ ଧୋଇବା, ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ରକ୍ଷା କରିବାର ଗୁରୁତ୍ବକୁ ପ୍ରଚାର ପ୍ରସାର କରାଇବାରେ ମୁଖ୍ୟମନ୍ତ୍ରୀ ଓ ବିଧାନସଭା ସଭାର ଅନ୍ୟ ସଦସ୍ୟମାନେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ରାଜ୍ୟ ସରକାର ପୂର୍ବରୁ ରହିଥିବା ପୋଲିଓର ଅଭିଜ୍ଞତାକୁ ବିନିଯୋଗ କରିବା କରୋନା ପାଇଁ ଟାମ୍ପଲେଟ୍ ପ୍ରସ୍ତୁତି, ଅବରୋଧ ଅଞ୍ଚଳ ପାଇଁ ତୃଣମୂଳସ୍ତରୀୟ ଯୋଜନା, କଣ୍ଟ୍ରୋଲ ରୁମ୍ ଗଠନ ଓ ଯାଞ୍ଚକୁ ଯଥେଷ୍ଟ ଗୁରୁତ୍ବ ଦିଆଯାଇଥିବା 'ହୁ' ଉଲ୍ଲେଖ କରିଛନ୍ତି।
ଆରମ୍ଭରୁ ଓଡ଼ିଶାରେ ବହୁତ କମ୍ ସଂଖ୍ୟକ କୋଭିଡ୍ ନମୁନା ପରୀକ୍ଷାଗାର ରହିଥିଲା। ଜୁଲାଇ ୨୧ ତାରିଖ ସୁଦ୍ଧା ୧୯ଟି ଲାବ ପ୍ରତିଷ୍ଠା ସହିତ ୪ଲକ୍ଷରୁ ଅଧିକ ନମୁନା ପରୀକ୍ଷା ହୋଇଛି। ସେହିପରି କରୋନା ସମୟରେ ଯେପରି ଅନ୍ୟ ରୋଗୀମାନେ ସମସ୍ୟାର ସମ୍ମୁଖୀନ ନ ହୁଅନ୍ତି ସେଥିପାଇଁ ଟେଲି ମେଡିସିନ୍ ସେବା ୪୧ଟି ସ୍ବାସ୍ଥ୍ୟକେନ୍ଦ୍ରରେ ଆରମ୍ଭ କରାଯାଇଥିଲା। ଏହାସହ କୋଭିଡ୍ ରୋଗୀଙ୍କ ପାଇଁ ପ୍ଲାଜମା ଥେରାପି ପ୍ରତିଷ୍ଠା କରିବା ଦିଗରେ ଓଡ଼ିଶା ପଦକ୍ଷେପ ଗ୍ରହଣ କରିଥିବା କୁହାଯାଇଛି। ଦେଶବ୍ୟାପୀ ଲକ୍ଡାଉନ୍ ଆରମ୍ଭ ହେବା ପରେ ଲକ୍ଷାଧିକ ସଂଖ୍ୟାରେ ପ୍ରବାସୀ ରାଜ୍ୟକୁ ଫେରିଥିଲେ। ଏହାକୁ ମଧ୍ୟ ରାଜ୍ୟ ସରକାର ସଫଳତାର ସହିତ ପରିଚାଳନା କରିଥିଲେ। ପ୍ରବାସୀମାନଙ୍କ ଯାତାୟାତ ଉପରେ ନଜର ରଖିବା ଲାଗି ଅନଲାଇନ୍ ଇ-ପାସ୍ ବ୍ୟବସ୍ଥା, କଣ୍ଟାକ୍ଟ ଟ୍ରେସିଂ, ପ୍ରବାସୀଙ୍କୁ ଖାଦ୍ୟ ଯୋଗାଣ ସହିତ ସେମାନଙ୍କ ସ୍ବାସ୍ଥ୍ୟ ଉପରେ ନଜର ରଖାଯାଇଥିଲା। ଏଥିପାଇଁ ଅସ୍ଥାୟୀ ମେଡିକାଲ କ୍ୟାମ୍ପ୍ (ଟିଏମ୍ସି) ଗଠନ କରାଯାଇଥିଲା ବେଳେ ଏହା ସଙ୍ଗରୋଧ କେନ୍ଦ୍ର ଭାବେ ବ୍ୟବହୃତ ହୋଇଥିଲା। ଏଥିରେ ଗର୍ଭବତୀ ମହିଳାଙ୍କଠାରୁ ଆରମ୍ଭ କରି ବରିଷ୍ଠ ନାଗରିକ, ଜଟିଳ ରୋଗ ଥିବା ବ୍ୟକ୍ତି ଓ କିନ୍ନରମାନଙ୍କ ପାଇଁ ସ୍ବତନ୍ତ୍ରଭାବେ ନଜର ଦେଇଥିଲେ ରାଜ୍ୟ ସରକାର।
ଅପରପକ୍ଷରେ ଲୋକମାନଙ୍କୁ କରୋନା ସଚେତନତା ବାର୍ତା ପ୍ରଦାନ ଦିଗରେ ମିସନ ଶକ୍ତି ଅଧୀନରେ ଥିବା ସ୍ବୟଂ ସହାୟକ ଗୋଷ୍ଠୀ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା। ୟୁନିସେଫ୍ ଓ ୟୁଏନ୍ଏଫ୍ପିଏରୁ ମିଳିତ ଭାବେ ସେମାନଙ୍କୁ ତାଲିମ ପ୍ରଦାନ କରାଯାଇଥିଲା। ଏସ୍ଏଚ୍ଜି ମହିଳା ୧୦ଲକ୍ଷ ମାସ୍କ ପ୍ରସ୍ତୁତ କରିବା ସହିତ ରନ୍ଧା ଖାଦ୍ୟ ଓ ଅତ୍ୟାବଶ୍ୟକ ଜିନିଷପତ୍ର ପ୍ରଦାନ କରିବାରେ ପଦକ୍ଷେପ ନେଇଥିଲେ। କୋଭିଡ୍ ଡ୍ୟୁଟିରେ ନିୟୋଜିତ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କୁ ଆଗୁଆ ଦରମା ସହିତ କୋଭିଡ୍ରେ ପ୍ରାଣ ହରାଇଲେ ୫୦ଲକ୍ଷ ଟଙ୍କାର କ୍ଷତିପୂରଣ ମଧ୍ୟ ଘୋଷଣା କରାଯାଇଥିବା ସଂପର୍କରେ 'ହୁ' ଉଲ୍ଲେଖ କରିଛନ୍ତି।