ପ୍ରତାପୁର: ମାସେ କି ଦୁଇମାସ ନୁହେଁ, ଦୀର୍ଘ ୧୬ ମାସ ହେଲା ସାରସ ବିଧବା ଭତ୍ତା ପାଇବାରୁ ବଞ୍ଚିତ ‌ହୋଇ ରହିଛନ୍ତି। ଆଉ ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି, ସାରସଙ୍କ ବ୍ୟାଙ୍କ୍ ଆକାଉଣ୍ଟ୍‌କୁ ଟଙ୍କା ଆସୁଛି ସତ। କିନ୍ତୁ ବ୍ୟାଙ୍କ୍‌‌ରେ ପହଞ୍ଚିବା ବେଳେ ଆକାଉଣ୍ଟ୍‌ରୁ ଟଙ୍କା କେହି ଉଠାଇ ନେଇଯାଇଥିବା କର୍ତ୍ତୃପକ୍ଷ କହୁଛନ୍ତି। ଫଳରେ ସାରସ ଏବେ ଚିନ୍ତାରେ ପଡ଼ିଛନ୍ତି। ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ୍ ଗେରେଡ଼ା ପଞ୍ଚାୟତର ସାରସ ନାୟକ। ସ୍ବାମୀଙ୍କ ମୃତ୍ୟୁ ପରେ ସାରସ ଗେରେଡ଼ା ଗ୍ରାମରେ ନିଜ ଝିଅନାତି ସହ ରହୁଛନ୍ତି। ଜ୍ବାଇଁ ରାଜ୍ୟ ବାହାରେ ଦାଦନ ଖଟୁଛନ୍ତି। ଝିଅ ମୂଲ ଲାଗିଲେ ପରିବାର ଚଳୁଥିବା ବେଳେ ସାରସଙ୍କୁ ବିଧବା ଭତ୍ତା ମଧ୍ୟ ମିଳୁଛି।

Advertisment

ତେବ‌େ ୨୦୨୨ ମସିହା ଜାନୁଆରି ମାସରେ ସାରସ ଶେଷ ରଥ ପାଇଁ ଭତ୍ତା ପାଇଥିଲେ। ଏହାପରଠୁ ସରକାରଙ୍କ ନୂତନ ବ୍ୟବସ୍ଥା ଅନୁସାରେ, ବ୍ୟାଙ୍କ୍ ଜମାଖାତାକୁ ଟଙ୍କା ପଠାଯାଉଛି। କିନ୍ତୁ ଦୀର୍ଘ ୧୬ମାସ ହେଲା ସାରସ ଭତ୍ତା ଟଙ୍କା ଉଠାଇପାରିନାହାନ୍ତି। କିଛି ବର୍ଷ ତ‌ଳେ ସେ କୁଲାଡ଼ର ଏସ୍‌ବିଆଇ କିଓସ୍କ୍ ବ୍ୟାଙ୍କ୍‌ରେ ଖାତା ଖୋଲିଥିଲେ। ଏବେ ସାରସଙ୍କ ଜମାଖାତାକୁ ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆରେ ଅପଡେଟ୍ କରାଯାଇଛି। ଯେଉଁଥିରୁ ଜଣାପଡ଼ିଛି, ସାରସଙ୍କ ଆକାଉଣ୍ଟ୍‌କୁ ପ୍ରତିମାସରେ ୫୦୦ ଟଙ୍କା ଭତ୍ତା ଆସୁଛି। କିନ୍ତୁ ସେ ଏହି ଟଙ୍କା ପାଇନାହାନ୍ତି। ବ୍ୟାଙ୍କ୍ କର୍ତ୍ତୃପକ୍ଷ ଟଙ୍କା ଉଠାଯାଇଥିବା କହୁଛନ୍ତି।

ହେଲେ ସାରସଙ୍କ ଟଙ୍କା କିଏ ନେଉଛି, ଏହାକୁ ନେଇ ବର୍ତ୍ତମାନ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସମସ୍ୟାର ସମାଧାନ ପାଇଁ ସାରସ ବ୍ୟାଙ୍କ୍‌କୁ ଦୌଡ଼ୁଛନ୍ତି। କିନ୍ତୁ କୌଣସି ସୁଫଳ ମିଳୁନି। ଗେରେଡ଼ା  ସରପଞ୍ଚ ପ୍ରଦୀପ ସେଠୀ ଏହା ଜାଣିବା ପରେ ବ୍ୟାଙ୍କ୍ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। କେହି ଜଣେ ସାରସଙ୍କ ସରଳତାର ସୁଯୋଗ ନେଇ ଏଭଳି କାରନାମା ଘଟାଉଥିବା ସେ ଅଭିଯୋଗ ଆଣିବା ସହ ତଦନ୍ତ ଦାବି କରିଛନ୍ତି।
ବିଭିନ୍ନ ବର୍ଗର ହିତାଧିକାରୀଙ୍କୁ ବ୍ୟାଙ୍କ୍ ଆକାଉଣ୍ଟ୍‌କୁ ଅନଲାଇନ୍ ମାଧ୍ୟମରେ ଭତ୍ତା ପଠାଇବାର ଅଭିଯାନ ସରକାର ହାତକୁ ନେଇଛନ୍ତି। ଫଳରେ ପଞ୍ଚାୟତ କାର୍ଯ୍ୟାଳୟକୁ ଆସି ଲମ୍ବାଧାଡ଼ିରେ ଛିଡ଼ା ନହୋଇ ହିତାଧିକାରୀମାନେ ଘରେ ଥାଇ ପ୍ରାପ୍ୟ ପାଇପାରିବେ। ସରକାରଙ୍କ ଏହି ନିଷ୍ପତ୍ତି ନିଶ୍ଚିତ ଭାବେ ସ୍ବାଗତଯୋଗ୍ୟ ପଦକ୍ଷେପ। କିନ୍ତୁ ଏହି ବ୍ୟବସ୍ଥା‌ କିଛି ଗ୍ରାମାଞ୍ଚଳର ହିତାଧିକାରୀଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛି। ସରକାର ସିନା ଟଙ୍କା ପଠାଉଛନ୍ତି, କିନ୍ତୁ ହିତାଧିକାରୀଙ୍କ ଆକାଉଣ୍ଟ୍ ଖାତାକୁ ଟଙ୍କା ଆସିପାରୁନି। ଫଳରେ ବୃଦ୍ଧବୃଦ୍ଧାଙ୍କ ସମସ୍ୟା ବଢ଼ିଛି। କେତେବେଳେ ବାୟୋମେଟ୍ରିକ୍ ମେସିନ୍‌ରେ ଫିଙ୍ଗର୍ ପ୍ରିଣ୍ଟ୍ ନେଉ ନଥିବାରୁ ଟଙ୍କା ଉଠାଇ ପାରୁନଥିବା ବେଳେ ଆଉ କେତେବେଳେ ଆକାଉଣ୍ଟ୍ ନମ୍ବର ସମସ୍ୟା ପାଇଁ ବ୍ୟାଙ୍କ୍‌କୁ ଟଙ୍କା ଆସିବାରେ ବିଳମ୍ବ ହେଉଛି। ଆଉ ଏଭଳି ପରିସ୍ଥିତିରେ ଟଙ୍କା ହଡ଼ପର ଆଶଙ୍କା ଦେଖାଦେଇଛି।