କଟକ: ‘ଫନି’ ବାତ୍ୟା ପ୍ରଭାବରେ ଏସ୍ସିବି ମେଡିକାଲରେ ହୋଇଥିବା କ୍ଷୟକ୍ଷତି ଆକଳନ କରିଛନ୍ତି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲୁଏଚ୍ଓ) ଟିମ୍। ଆଜି ଅପରାହ୍ନରେ ଦୁଇ ଜଣିଆ ଟିମ୍ ମେଡିକାଲ୍ରେ ପହଞ୍ଚି ବିଶେଷ କରି ଜରୁରୀ ପରିସ୍ଥିତିରେ କି’ପ୍ରକାର ପଦକ୍ଷେପ ନିଆଯାଇଥିଲା, ବାତ୍ୟା ମୁକାବିଲା କିଭଳି କରାଯାଇଥିଲା, ସେ ସଂପର୍କରେ କର୍ତୃପକ୍ଷଙ୍କ ଆଲୋଚନା କରିବା ସହ ବିଭିନ୍ନ ୱାର୍ଡ ପରିଦର୍ଶନ କରିଥିଲେ। କାଡିଓଲୋଜି, କାଡିଓଥୋରାସିସ୍ ସହ ବିଭିନ୍ନ ବିଭାଗ ପରିଦର୍ଶନ କରିଥିଲେ। ଏହା ପୂର୍ବରୁ ହୋଇଥିବା ସମୀକ୍ଷା ବୈଠକରେ ‘ଫନି ’ମୁକାବିଲା ପାଇଁ ଏସ୍ସିବି ଅଧୀକ୍ଷକ ପ୍ରଫେସର ଡାକ୍ତର ସିବିକେ ମହାନ୍ତି ବିଭିନ୍ନ ପଦକ୍ଷେପକୁ ପ୍ରଶଂସା କରିଥିଲେ ପ୍ରତିନିଧି ମଣ୍ଡଳୀ। ଡାକ୍ତର ମହାନ୍ତି ଏହି ପରିପ୍ରେକ୍ଷୀରେ ବାତ୍ୟା ଯୋଗୁ ମେଡିକାଲ୍ର ୧୪କୋଟି ଟଙ୍କାର ସଂପତ୍ତି କ୍ଷତି ଘଟିଥିବା ଦର୍ଶାଇଥିଲେ। ଏହାକୁ ଆଧାର କରି ଏସ୍ସିବିର ସୁଦୃଢ଼ ଭିତ୍ତିଭୂମି ପାଇଁ ଡବ୍ଲୁଏଚ୍ଓ ଟିମ୍ ୧୭କୋଟି ଟଙ୍କାର ଏକ ମାଷ୍ଟରପ୍ଲାନ୍ ପ୍ରସ୍ତୁତ କରିଥିବା ସୂଚନା ମିଳିଛି।
ଉଲ୍ଲେଖଯୋଗ୍ୟ, ବାତ୍ୟା ‘ଫନି’ ପ୍ରଭାବରେ ଉପକୂଳ ଓଡ଼ିଶା ଧ୍ବସ୍ତବିଧ୍ବସ୍ତ ହେଇଯାଇଥିବା ବେଳେ ଏସ୍ସିବି ମେଡିକାଲ୍ ଏଥିରୁ ବାଦ୍ ପଡ଼ିନଥିଲା। ପବନ ମାଡ଼ରେ କାଡିଓଥୋରାସିସ୍ ବିଭାଗର ଲାଇବ୍ରେରୀ କମ୍ ଅଡିଟୋରିୟମ୍ର ଛାତ ଉଡିଯିବା ସହ ଓଟିର ସିଲିଂ, କାଚ, କବାଟ, ଝରକା ଗଳି ପଡ଼ିଥିଲା। ଗଛ ପଡି ବ୍ୟାପକ କ୍ଷୟକ୍ଷତି ଘଟିଥିଲା। ତେବେ କ୍ଷତିର ଆକଳନ କରି କର୍ତୃପକ୍ଷ ୧୪କୋଟି ଦର୍ଶାଇଥିଲେ। ସେଥିରୁ କେବଳ ଆରଏଣ୍ଡବିର ୭କୋଟି ୧୭ଲକ୍ଷ ଟଙ୍କା ଅନ୍ତର୍ଭୁକ୍ତ ଥିଲା। ଆଜି ଡବ୍ଲୁଏଚ୍ଓର ଡାକ୍ତର ପବନ ମୂର୍ତ୍ତି, ଡାକ୍ତର ନିହାର ରାୟ ମେଡିକାଲ୍ରେ ପହଞ୍ଚିବା ପରେ ଭାରପ୍ରାପ୍ତ ଡିନ୍ ପ୍ରଫେସର ଡାକ୍ତର ବିପିନ୍ ବିହାରୀ ପ୍ରଧାନ, ଏସ୍ସିବି ଅଧୀକ୍ଷକ ପ୍ରଫେସର ଡାକ୍ତର ସିବିକେ ମହାନ୍ତିଙ୍କ ସମେତ ସମସ୍ତ ବିଭାଗୀୟ ମୁଖ୍ୟ, ଆରଏଣ୍ଡବି, ଜିଇଡି, ପିଏଚ୍ଡି ବିଭାଗର ଅଧିକାରୀଙ୍କୁ ନେଇ ସମୀକ୍ଷା କରିଥିଲେ। ସମୀକ୍ଷା ପରେ ଅଡିଟୋରିୟମ୍, ରେଜିଡିଓଲୋଜି, ଚନ୍ଧୁ ବିଭାଗ, କାଡିଓଲୋଜି, କାଡିଥୋରୋସିସ୍ ବିଭାଗ ବୁଲି ଦେଖିଥିଲେ। ଯେହେତୁ କଟକ ଜିଲ୍ଲା ବାତ୍ୟା ପ୍ରଭାବିତ ଅଂଚଳରେ ଯାଉଛି, ତେଣୁ ଏସ୍ସିବିର ଭିତ୍ତିଭୂମି ସୁଦୃଢ଼ ପାଇଁ ୧୭କୋଟି ଟଙ୍କା ମାଷ୍ଟର ପ୍ଲାନ୍ ପ୍ରସ୍ତୁତ କରିଛନ୍ତି ଟିମ୍। ପ୍ରାକୃତିକ ଦୁର୍ବିପାକକୁ ସଫଳତାର ସହ ମୁକାବିଲା କରିବା ପାଇଁ କି’ପ୍ରକାର ବ୍ୟବସ୍ଥା ରହିବା କଥା, ସେ ସଂପର୍କରେ ଏହି ମାଷ୍ଟରପ୍ଲାନ୍ ପ୍ରସ୍ତୁତ ହୋଇଛି। ସରକାରଙ୍କ ଏହି ରିପୋର୍ଟ ଦିଆଯିବ ବୋଲି ଡବ୍ଲୁଏଚ୍ଓ କର୍ତୃପକ୍ଷ ସୂଚନା ଦେଇଛନ୍ତି। ଗଣମାଧ୍ୟମକୁ ସୂଚନା ଦେଇ କର୍ତୃପକ୍ଷ କହିଛନ୍ତି, ‘ଫନି’ ମୁକାବିଲାରେ ଏସ୍ସିବି କର୍ତୃପକ୍ଷଙ୍କ ପଦକ୍ଷେପ ପ୍ରଶଂସନୀୟ। ଅନ୍ୟପକ୍ଷରେ ଅଧୀକ୍ଷକ ପ୍ରଫେସର ମହାନ୍ତି କହିଛନ୍ତି ଯେ, ବାତ୍ୟା ମୁକାବିଲା ପାଇଁ କେଉଁ ପ୍ରକାର ମଡେଲ ରହିବା କଥା, ତାହା ଉପରେ ପ୍ରତିନିଧି ମଣ୍ଡଳୀ ଗୁରୁତ୍ବାରୋପ କରିଛନ୍ତି। ସେହି ଅନୁସାରେ ସରକାରଙ୍କୁ ସେମାନେ ରିପୋର୍ଟ ଦେବେ।