ମହାପ୍ରଭୁଙ୍କ ଟଙ୍କା ଆଉ କିଏ ଖାଉଛି, ୨୫ ହଜାର ୬୨୩ଏକର ଜମି ଅନ୍ୟ ଦଖଲରେ

ମହାପ୍ରଭୁଙ୍କ ନାମକୁ ଆସିପାରିନି ମାନିଲେ ମନ୍ତ୍ରୀ, ୬୨୬ କୋଟିରୁ ୫୫୨କୋଟି ସ୍ଥାୟୀ ଜମା ଅଛି

ଭୁବନେଶ୍ବର: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଇଁ େୟସା କରିଦେବୁ, ତେସା କରିଦେବୁ। ଶ୍ରୀଜଗନ୍ନାଥ ମନ୍ଦିର ବାହାରକୁ ବିଶ୍ବସ୍ତରୀୟ କରିଦିଆଯିବ। ରାଜ୍ୟ ସରକାର ରାଜ୍ୟବାସୀଙ୍କୁ ଏମିତି କେତେ ସ୍ବପ୍ନ ଦେଖାଉଛନ୍ତି। ହେଲେ ମହାପ୍ରଭୁଙ୍କ ପ୍ରତି ସରକାରଙ୍କର କେତେ ଆନ୍ତରିକତା ରହିଛି, ବିଧାନସଭାରେ ଖୋଦ୍ ଆଇନମନ୍ତ୍ରୀ ପ୍ରତାପ ଜେନାଙ୍କ ଉତ୍ତରରୁ ଏହାର ଆଭାସ ମିଳୁଛି। ମହାପ୍ରଭୁଙ୍କ ଶ୍ରୀଜଗନ୍ନାଥଙ୍କ ନାମରେ ଯେତେ ସଂପତ୍ତି ରହିଛି, ସେସବୁ ଆଜି ବା ତାଙ୍କ ନାମକୁ ଆସିପାରିନାହିଁ। ବିଧାୟକ ଗଣେଶ ରାମ ସିଂ ଖୁଣ୍ଟିଆଙ୍କ ଏକ ଲିଖିତ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ ନିଜେ କହିଛନ୍ତି, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଚିହ୍ନଟ ହୋଇଥିବା ୬୦ ହଜାର ୪୨୬ ଏକର ଜମି ମଧ୍ୟରୁ ୨୫ ହଜାର ୬୨୩ ଏକର ଜମିର ସ୍ବତ୍ତ୍ବଲିପି ଶ୍ରୀମନ୍ଦିର ପ୍ରଶାସନ ପାଖରେ ନାହିଁ। ଏଥିରୁ ମାତ୍ର ୩୪ହଜାର ୮୦୩ ଏକର ଜମିର ସ୍ବତ୍ତ୍ବଲିପି ପ୍ରଶାସନ ନିକଟରେ ଅଛି। ଅର୍ଥାତ୍ ଜଗନ୍ନାଥଙ୍କର ବହୁ ପରିମାଣରୁ ଭୂସମ୍ପତ୍ତି ଏବେ ଜବରଦଖଲକାରୀଙ୍କ କବଜାରେ ରହିଛି ବୋଲି ସରକାର ସ୍ବୀକାର କରିବା ସହିତ ଏ ଦିଗରେ ଠୋସ୍ ପଦକ୍ଷେପ ନିଆଯାଇନଥିବା କଥାକୁ ପରୋକ୍ଷରେ ମାନିଛନ୍ତି। କେବଳ ସେତିକି ନୁହେଁ, ସରକାର ଆଜି ଏକଥା ବି କହିଛନ୍ତି, ଶ୍ରୀଜଗନ୍ନାଥଙ୍କ ପାଖରେ ୬୨୬ କୋଟି ୪୪ଲକ୍ଷ ୭୮ ହଜାର ୪୪୪ ଟଙ୍କା ଅଛି, ଯେଉଁଥିରୁ ସ୍ଥାୟୀ ଜମା ଆକାରରେ ୫୫୨ କୋଟି ୪୩ ଲକ୍ଷ ୨୧ ହଜାର ଟଙ୍କା ରହିଛି।

ସରକାର ଆଜି କହିଛନ୍ତି ଯେ ଶ୍ରୀ ଜଗନ୍ନାଥଙ୍କ ସମ୍ପତ୍ତି ଓଡିଶାର ୨୪ଟି ଜିଲ୍ଲାରେ ରହିଛି। ଏହାର ମୋଟ ପରିମାଣ ୬୦ ହଜାର ୪୨୬ ଏକର ୯୪୩ ଡିସିମିଲି। ଏଥିମଧ୍ୟରୁ ଅଦ୍ୟାବଧି ୩୪ ହଜାର ୮୦୩ ଏକର ୧୩ ଡିସିମିଲି ପରିମିତ ଜମିର ଚୂଡାନ୍ତ ସ୍ୱତ୍ତ୍ୱଲିପି ଶ୍ରୀମନ୍ଦିର ପ୍ରଶାସନ ନିକଟରେ ରହିଛି। ତେବେ ବିନା କାଗଜପତ୍ରରେ ଶ୍ରୀଜଗନ୍ନାଥଙ୍କ ସଂପତ୍ତିକୁ ବେଆଇନ ଭାବେ ଅବରୋଧ କରିଥିବା ବ୍ୟକ୍ତିବିଶେଷଙ୍କୁ ସରଜମିନ ତଦନ୍ତ ପୂର୍ବକ ଚିହ୍ନଟ କରାଯାଇଛି ଓ ଉକ୍ତ ଅବରୋଧକୁ ଉଚ୍ଛେଦ କରାଯିବା ନିମନ୍ତେ ଶ୍ରୀଜଗନ୍ନାଥ ମନ୍ଦିର ଆଇନ-୧୯୫୫ର ଧାରା ୧୬-ଏ(୧) ଅନୁଯାୟୀ ୮୬୪ଟି ବେଆଇନ ଅବରୋଧ ମକଦ୍ଦମା ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଦାଏର କରାଯାଇଛି। ଖୋର୍ଧା ଜିଲ୍ଲାରେ ସର୍ବାଧିକ ୧୫ ହଜାର ୭୬ ଏକର ଜମି ରହିଛି, ଯାହା ମହାପ୍ରଭୁଙ୍କ ନାମକୁ ଆସିପାରିନାହିଁ। ସେହିଭଳି ପୁରୀରେ ୬୮୨୯ ଏକର, କଟକରେ ୪୪୩ ଏକର, ଅନୁଗୁଳ ୬୨ ଏକର, େଢଙ୍କାନାଳରେ ପାଖାପାଖି ୨୨ ଏକର ଏହି ଶ୍ରେଣୀର ଜମି। ବାଲେଶ୍ବରରେ ମଧ୍ୟ ଶ୍ରୀଜଗନ୍ନାଥଙ୍କର ୫୧୬ ଏକର ୮୨୫ ଡିସିମିଲି ଜମି, ଭଦ୍ରକରେ ୩୬୫ ଏକର ୨୯୬ ଡିସିମିଲି ଜମି, କେନ୍ଦ୍ରାପଡାରେ ୩୮୮ ଏକର ୪୨୯ ଡିସିମିଲି , ଗଞ୍ଜାମରେ ୮୦୦ ଏକର ୭୦୦ ଡିସିମିଲି, ଯାଜପୁରରେ ପାଖାପାଖି ୫୭୨ ଏକର ଜମି ରହିଛି, ଯାହା ଠାକୁରଙ୍କ ନାମକୁ ଆସିପାରିନାହିଁ।

ଏହାବ୍ୟତୀତ ମନ୍ତ୍ରୀ ଆହୁରି ତଥ୍ୟ ଦେଇଛନ୍ତି ଯେ ଗତ ଜାନୁଆରି ୩୧ ତାରିଖ ସୁଦ୍ଧା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ସମସ୍ତ ପାଣ୍ଠି ସ୍ଥାୟୀ ଜମା ପରିମାଣ ୫ଶହ ୫୨ କୋଟି ୪୩ ଲକ୍ଷ ୨୧ ହଜାର ଟଙ୍କା ରହିଥିବା ବେଳେ ଫ୍ଲେକ୍ସି, ସଂଚୟ ଖାତା ଓ ଚଳନ୍ତି ଖାତାରେ ମୋଟ ୭୪ କୋଟି ୧ ଲ୭ ୫୭ ହଜାର ୪୪ ଟଙ୍କା ରହିଥିଲା। ଏପରି ସର୍ବମୋଟ ୬୨୬କୋଟି ୪୪ ଲକ୍ଷ ୭୮ ହଜରା ୪୪୪ ଟଙ୍କା ଜମା ରହିଛି। ଏଥିରୁ ଶ୍ରୀଜଗନ୍ନାଥ ଟେମ୍ପୁଲ୍ କର୍ପସ ଫଣ୍ଡରେ ୨୫୫କୋଟି ୮୬ଲକ୍ଷ ୭୮ ହଜାର ୮୭୬ ଟଙ୍କା, ଶ୍ରୀଜଗନ୍ନାଥ ଟେମ୍ପଲ୍ ଫାଉଣ୍ଡେସନ୍ ଫଣ୍ଡରେ ୯୮ କୋଟି ୯୬ଲକ୍ଷ, ୩୬ ହଜାର ୮୬୬ ଟଙ୍କା, ଶ୍ରୀଜଗନ୍ନାଥ ଟେମ୍ପଲ୍ ଫଣ୍ଡରେ ୨୭୧ କୋଟି ୬୧ଲକ୍ଷ ୬୨ ହଜାର ୭୦୨ ଟଙ୍କା ରହିଥିଲା। ମହାପ୍ରଭୁଙ୍କ ସମସ୍ତ ପାଣ୍ଠିକୁ ସର୍ବାଧିକ ହାରରେ ସୁଧ ପ୍ରଦାନ କରୁଥିବା ବ୍ୟାଙ୍କରେ ସ୍ଥାୟୀ ଜମାରେ ବିନିଯୋଗ କରାଯିବା ନିମନ୍ତେ ପ୍ରଚଳିତ ଧାରାକୁ ଅବ୍ୟାହତ ରଖି ଟେଣ୍ଡର ମାଧ୍ୟମରେ ୟେସ୍ ବ୍ୟାଙ୍କରେ ୫୯୨ କୋଟି ଟଙ୍କା ବିନିଯୋଗ କରାଯାଇଥିଲା। ଶ୍ରୀଜଗନ୍ନାଥ ମନ୍ଦିର ଆକ୍ଟ ୧୯୫୪ର ଧାରା ୨୮-ସି(୩)ଅନୁଯାୟୀ ଫାଉଣ୍ଡେସନ ଫଣ୍ଡର ସମସ୍ତ ଅର୍ଥ ରାଜ୍ୟ ସରକାରଙ୍କ ଦ୍ୱାରା ସ୍ୱୀକୃତି ପ୍ରାପ୍ତ ବ୍ୟାଙ୍କ କିମ୍ବା ବ୍ୟାଙ୍କ ଗୁଡିକରେ ଦୀର୍ଘ ମିଆଦି ସ୍ଥାୟୀ ଜମାରେ ରଖାଯିବାର ବିଧି ରହିଛି । ତେବେ ପଂଜୀକୃତ ବ୍ୟାଙ୍କମାନଙ୍କ ମଧ୍ୟରେ ୟେସ୍ ବ୍ୟାଙ୍କ ସ୍ଥାନୀତ ହୋଇଥିବାରୁ ଓ ଟେଣ୍ଡର ମାଧ୍ୟମରେ ଅଂଶ ଗ୍ରହଣ କରି ସର୍ବାଧିକ ସୁଧ ପ୍ରଦାନ କରିଥିବାରୁ ଏହି ବ୍ୟାଙ୍କରେ ମହାପ୍ରଭୁଙ୍କ ସମସ୍ତ ପାଣ୍ଠିକୁ ଜମା କରାଯାଇଛି। ଗତବର୍ଷ ସେପ୍ଟେମ୍ବର ୩୦ ସୁଦ୍ଧା ୟେସ୍ ବ୍ୟାଙ୍କରେ ମହାପ୍ରଭୁଙ୍କର ୫୯୨ କୋଟି ଟଙ୍କା ଜମା ଥିଲା। ସ୍ଥାୟୀ ଜମାରେ ୫୪୫ କୋଟି ଓ ଫ୍ଲେକ୍ସି ଜମାରେ ୪୭ କୋଟି ଟଙ୍କା ରହିଥିଲା। ଏହା ମଧ୍ୟରେ ୪୭ କୋଟିର ଫ୍ଲେକ୍ସି ଜମା ୟେସ୍ ବ୍ୟାଙ୍କରୁ ପ୍ରତ୍ୟାହାର ହୋଇଛି। ବାକି ୫୪୫ କୋଟି ଟଙ୍କା ଆସନ୍ତା ମାର୍ଚ୍ଚ ୧୯ ଓ ୩୦ ତାରିଖରେ ଉଠାଯାଇ ରାଷ୍ଟ୍ରାୟତ୍ତ ବ୍ୟାଙ୍କରେ ରଖାଯିବ ବୋଲି ବିଧାନସଭାରେ ମନ୍ତ୍ରୀ ଶ୍ରୀ ଜେନା ସୂଚନା ଦେଇଥିଲେ।

ସମ୍ବନ୍ଧିତ ଖବର