ରାୟଗଡା: ‘ଆମ ଓଡ଼ିଶା ନବୀନ ଓଡ଼ିଶା’ର ପଞ୍ଚାୟତ ବୁକଲେଟ୍‌ରେ ମନ୍ଦିରକୁ ଅର୍ଥ ନଦେଇ ଫଟୋ ଛପାଯାଇଥିବାକୁ ନେଇ ଏବେ ଅସନ୍ତୋଷ ବଢିବାରେ ଲାଗିଛି। ଏଭଳି ଘଟଣା ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲା ଅନ୍ତର୍ଗତ ଜାତ୍ତିଲି ପଞ୍ଚାୟତରେ। ଜାତ୍ତିଲି ଠାରେ ରହିଥିବା ଗଣେଶ ମନ୍ଦିର ଓ ଠାକୁରାଣୀ ମନ୍ଦିରକୁ ନିଜସ୍ବ ଖର୍ଚ୍ଚରେ କିଛି ବଦାନ୍ୟ ବ୍ୟକ୍ତିମାନେ ନିର୍ମାଣ କରିଥିବା ବେଳେ ‘ଆମ ଓଡ଼ିଶା ନବୀନ ଓଡ଼ିଶା’ର ପଞ୍ଚାୟତ ବୁକଲେଟ୍‌ରେ କାହିଁକି ଏହି ଦୁଇ ମନ୍ଦିର ସ୍ଥାନ ଦିଆଗଲା ବୋଲି ପ୍ରଶ୍ନ କରାଯାଇଛି।

Advertisment

ଏନେଇ ସ୍ଥାନୀୟ ସରପଞ୍ଚ ସ୍ବୀକାର କରିଥିବା ବଳେ ବ୍ଲକ ପ୍ରଶାସନ ତରଫରୁ କୌଣସି ପ୍ରତିକ୍ରିୟା ଦିଆଯାଇ ନାହିଁ। ସ୍ଥାନୀୟ ଆନନ୍ଦ ବୁରାଡ଼ି ନାମକ ବ୍ୟକ୍ତି ନିଜ ଖର୍ଚ୍ଚରେ ଗଣେଶ ମନ୍ଦିର ନିର୍ମାଣ କରିଥିବା ଯୁକ୍ତି ବାଢନ୍ତି। ସେ କୌଣସି ସରକାରୀ ଅନୁଦାନ ମନ୍ଦିର ନିର୍ମାଣ ପାଇଁ ପାଇନଥିବା କହନ୍ତି। କେ.ରାମାରାଓ ଆଚାରୀଙ୍କ କହିବା ଅନୁଯାୟୀ ବହୁ ଦିନର ଠାକୁରାଣୀ ମନ୍ଦିର ଭାଙ୍ଗିଯାଇଥିବାରୁ ଆମ ସଂପ୍ରଦାୟର ଲୋକମାନେ ଏବଂ ଜାତ୍ତିଲି ଗ୍ରାମବାସୀଙ୍କ ସହଯୋଗରେ ଏହି ଠାକୁରାଣୀ ମନ୍ଦିର ନିର୍ମାଣ ହୋଇଥିବା କହିଛନ୍ତି।

ତେବେ କୌଣସି ସରକାରୀ ଅର୍ଥ ଏଥିରେ ଖର୍ଚ୍ଚ କରାଯାଇ ନଥିବା କୁହାଯାଇଛି। ସେହିପରି ସରପଞ୍ଚ ଇନ୍ଦୁମତି ଶବର ମଧ୍ୟ ଏହାକୁ ସ୍ବୀକାର କରିଛନ୍ତି। ଏହି ଦୁଇଟି ମନ୍ଦିର ପାଇଁ କୌଣସି ସରକାରୀ ଅର୍ଥ ଖର୍ଚ୍ଚ ହୋଇନାହିଁ। ସମସ୍ତ ଖର୍ଚ୍ଚ ଗ୍ରାମବାସୀ ଏବଂ ବଦାନ୍ୟ ବ୍ୟକ୍ତିମାନଙ୍କ ନିଜସ୍ବ ଅର୍ଥରେ ନିର୍ମାଣ ହୋଇଛି। ତେବେ ଏଭଳି ମିଥ୍ୟା ପ୍ରଚାରକୁ ଗ୍ରାମବାସୀ ଏବଂ ମନ୍ଦିର ନିର୍ମାଣ କରିଥିବା ବ୍ୟକ୍ତିମାନେ ଅସଂତୋଷ ଜାହିର କରିଛନ୍ତି।