ବ୍ରଜରାଜନଗରରେ ବିଜେପିକୁ ଦୁର୍ବଳ କଲା କିଏ  ?        

ଝାରସୁଗୁଡ଼ା: ସଦ୍ୟ ସମାପ୍ତ ହୋଇଥିବା ବ୍ରଜରାଜନଗର ଉପନିର୍ବାଚନ ଫଳାଫଳ ପ୍ରକାଶିତ ହୋଇଛି। ଏହି ଫଳ ସମସ୍ତଙ୍କୁ ଚମ୍‌କାଇ ଦେଇଥିବା ବେଳେ ବିଜେପି ନେତା ଓ କର୍ମୀଙ୍କୁ ନିରାଶ କରିଛି। ବିଜେଡି ଏହି ନିର୍ବାଚନରେ ପ୍ରଥମ କରି ଏତେ ସଂଖ୍ୟାରେ ଭୋଟ୍‌ ହାସଲ କରିଥିବା ବେଳେ ବିଜେପିକୁ ଏହି ନିର୍ବାଚନରେ ବଡ଼ ଧକ୍କା ଲାଗିଛି। ସାରା ଭାରତରେ ବିଜେପି ରାଜ କରୁଥିବା ବେଳେ ବ୍ରଜରାଜନଗର ଉପନିର୍ବାଚନରେ ଦଳୀୟ ପ୍ରାର୍ଥିନୀ ଅମାନତ ହରାଇବା ରାଜ୍ୟ ବିଜେପିର ଭବିଷ୍ୟତକୁ ନେଇ ପ୍ରଶ୍ନ ଉଠିଛି। ତେବେ ବିଜେପି ଫଳାଫଳ ଏତେ ନୈରାଶ୍ୟଜନକ ହେବା ପଛର କାରଣ କ’ଣ ହୋଇ ପାରେ ତାକୁ ନେଇ ଏବେ ସର୍ବତ୍ର ଚର୍ଚ୍ଚା ଆରମ୍ଭ ହୋଇଛି।

ଏହାର ଉତ୍ତର ଦେବାକୁ ଯାଇ ବିଜେପି ପ୍ରାର୍ଥିନୀ ରାଧାରାଣୀ ପଣ୍ଡା ଇଭିଏମ୍‌  ଉପରେ ଦୋଷ ଲଦିଛନ୍ତି। ଇଭିଏମ୍‌ ଟ୍ୟାମ୍ପରିଂ ହୋଇଥିବା ହୋଇଥିବା ଅଭିଯୋଗ କରିଛନ୍ତି। ଭୋଟରଙ୍କୁ ଶାସକ ଦଳ ‌ବିଭିନ୍ନ ପ୍ରଲୋଭନ ଓ ଧମକଚମକ ଦେଇଥିବା ମଧ୍ୟ ଅଭିଯୋଗ ଆଣିଛନ୍ତି। ଏହି ଅଭିଯୋଗ ପଛରେ ସତ୍ୟାସତ୍ୟ ଯାହା ଥାଉନା କାହିଁକି ହଠାତ ଏମିତି କ’ଣ ହେଲା ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀର ଭୋଟର ବିଜେପିକୁ ପ୍ରତ୍ୟାଖ୍ୟାନ କଲେ। ଯେଉଁ ନିର୍ବାଚନ ମଣ୍ଡଳୀର ଭୋଟର ଗତ ୨୦୧୯ ଲୋକସଭା ନିର୍ବାଚନରେ ବିଜେପି ସାଂସଦ ସୁରେଶ ପୂଜାରୀଙ୍କୁ  ସର୍ବାଧିକ ୯୨, ୬୯୦ ଭୋଟ ଦେଇ ବିଜୟୀ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ସେହି ଭୋଟର ଏଥର ରାଧାରାଣୀଙ୍କୁ ମୁହଁ ମୋଡ଼ି ଦେଲେ କାହିଁକି ? ରାଧାରାଣୀ ମଧ୍ୟ ଏତେ କମ୍‌ ଭୋଟ ପାଇବେ ବୋଲି କଳ୍ପନା ମଧ୍ୟ କରିନଥିଲେ। ଏହା ତାଙ୍କ ଶେଷ ନିର୍ବାଚନ ଓ କେନ୍ଦ୍ରରେ  ମୋଦୀ ହାୱା ଓ ଉପନିର୍ବାଚନରେ ତ୍ରିମୁଖୀ ପ୍ରତିଦ୍ବନ୍ଦ୍ବିତା ତାଙ୍କୁ ବିଜୟୀ କରିବା ସୁନିଶ୍ଚିତ ବୋଲି ସେ ଧରି ନେଇଥିଲେ। ତେବେ ଫଳାଫଳ ପରେ ସବୁ ଓଲଟପାଲଟ ହୋଇ ଯାଇଥିଲା।

୧୯୮୦ ମସିହାରେ ବିଜେପି ପ୍ରତିଷ୍ଠା ହେବା ପରେ ସେହି ବର୍ଷ ବ୍ରଜରାଜନଗର ସାଧାରଣ ନିର୍ବାଚନରେ ବିଜେପି ପ୍ରାର୍ଥୀ ଥିଲେ ଲାଲ ରଘୁନନ୍ଦନ ସାଏ। ସେ ୮୪୮ ଭୋଟ ପାଇଥିଲେ। ୧୯୮୫ ନିର୍ବାଚନରେ ବିଜେପି ପ୍ରାର୍ଥୀ ସୀତାରାମ ରୁଙ୍ଗଟା ୬୨୯ ଭୋଟ ପାଇଥିଲେ। ତେବେ ୧୯୯୦ ନିର୍ବାଚନରେ ବିଜେପି ଭୋଟରେ ସାମାନ୍ୟ ବୃଦ୍ଧି ଘଟିଥିଲା। ଏହି ନିର୍ବାଚନରେ ବିଜେପି ପ୍ରାର୍ଥୀ ଶ୍ୟାମଲାଲ ଅଗ୍ରୱାଲ ୪୨୨୭ ଭୋଟ ପାଇ ତୃତୀୟ ସ୍ଥାନକୁ ଉଠିଥିଲେ। ୧୯୯୫ ନିର୍ବାଚନରେ ବିଜେପି ପ୍ରାର୍ଥୀ କିରଣ ଶଙ୍କର ପଣ୍ଡା ୧୭୪୨ ଭୋଟ ପାଇଥିଲେ।

୨୦୦୦ ମସିହାରୁ ବିଜେପି ଏଠ‌ାରେ କଂଗ୍ରେସ ପ୍ରାର୍ଥୀଙ୍କୁ ଟକ୍କର ଦେବା ଆରମ୍ଭ କଲା। ବିଜେପି ପ୍ରାର୍ଥୀ ସୁରେଶ ପୂଜାରୀ ଏହି ନିର୍ବାଚନରେ ୨୫, ୯୪୭ ଭୋଟ ପାଇଥିବା ବେଳେ ୨୦୦୪ ନିର୍ବାଚନରେ ଭୋଟ ବୃଦ୍ଧି ହୋଇ ୩୯, ୨୬୧ ରେ ପହଞ୍ଚିଥିଲା। ଏହାପରେ ୨୦୦୯ ନିର୍ବାଚନରେ ବିଜେପି ପ୍ରାର୍ଥୀ ଶ୍ରୀ ପୂଜାରୀଙ୍କ ଭୋଟ ବୃଦ୍ଧି ହୋଇ ୪୮, ୮୪୩ରେ ପହଞ୍ଚିଥିଲା। ଭୋଟ ବୃଦ୍ଧି ହୋଇଥିଲେ ମଧ୍ୟ ଶ୍ରୀ ପୂଜାରୀ ତିନିଥର ଯାକ କଂଗ୍ରେସ ପ୍ରାର୍ଥୀ ଅନୁପ ସାଏଙ୍କୁ ପରାସ୍ତ  କରି ପାରି ନଥିଲେ। ୨୦୧୪ରେ କିନ୍ତୁ  ରାଧାରାଣୀ ପଣ୍ଡା ବିଜେପିରୁ  ପ୍ରତିଦ୍ବନ୍ଦ୍ବିତା କରି ୫୦, ୭୩୬ ଭୋଟ ପାଇ ବିଜେଡି ପ୍ରାର୍ଥୀ ଅନୁପ ସାଏଙ୍କୁ ହରାଇବାରେ ସମର୍ଥ ହୋଇଥିଲେ। ୨୦୧୯ରେ ରାଧାରାଣୀ ୬୮,୧୫୩ ଭୋଟ ପାଇ ମଧ୍ୟ ବିଜେଡି ପ୍ରାର୍ଥୀ କିଶୋର ମହାନ୍ତିଙ୍କ ଠାରୁ  ପରାଜିତ ହୋଇଥଲେ। ଏହି ନିର୍ବାଚନରେ ବିଜେଡିର ଭୋଟ ବୃଦ୍ଧି ହୋଇ ୮୦୧୫୨ ରେ ପହଞ୍ଚିଥିଲା। ଶ୍ରୀମତୀ ରାଧାରାଣୀ ପଣ୍ଡା ୧୯୯୫ ମସିହା ନିର୍ବାଚନରେ ଜନତା ଦଳରୁ ପ୍ରାର୍ଥିନୀ ହୋଇ ୨୩୮୫୮ ଭୋଟ ପାଇଥିଲେ।

୧୯୯୮ ଉପନିର୍ବାଚନରେ ଶ୍ରୀମତୀ ପଣ୍ଡା ବିଜେଡି ଟିକେଟରେ ପ୍ରତିଦ୍ବନ୍ଦ୍ବିତା କରି ୨୭୯୫୫ ଭୋଟ ପାଇଥିଲେ। ଏହି ନିର୍ବାଚନରେ ସେ ମାତ୍ର ୫୨୨ ଭୋଟରେ ପରାଜିତ ହୋଇଥିଲେ। ୨୦୦୦ ନିର୍ବାଚନରେ ରାଧାରାଣୀ ସ୍ବାଧୀନ ପ୍ରାର୍ଥୀ ଭାବରେ ପ୍ରତିଦ୍ବନ୍ଦ୍ବିତା କରି ୧୭୨୮୩ ଭୋଟ ହାସଲ କରିଥିଲେ। ୨୦୦୪ ନିର୍ବାଚନରେ ରାଧାରାଣୀ ୧୪୭୩୧ ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିଲେ। ଏହି ଉପନିର୍ବାଚନରେ କିନ୍ତୁ ବିଜେପିରେ ପ୍ରତିଦ୍ବନ୍ଦ୍ବିତା କରି ରାଧାରାଣୀ ଅଧିକ କ୍ଷତିଗ୍ରସ୍ତ ହୋଇଥିଲେ। ୨୨୬୩୦ ଭୋଟ ପାଇ ସେ ତୃତୀୟ ସ୍ଥାନରେ ରହିଥିଲେ। ଏହି ନିର୍ବାଚନରେ ତାରକା ପ୍ରଚାରକ ଭାବରେ ବିଜେପିର କିଛି ତୁଙ୍ଗନେତା ଆସି ପ୍ରଚାର ମଧ୍ୟ କରିଥିଲେ। ଦୁଇ ଜଣ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଶେଶ୍ବର ଟୁଡୁ ମଧ୍ୟ ପ୍ରଚାର କରିଥିଲେ।

ରାଜ୍ୟ ସଭାପତି ଏଠାରେ ଡେରା ପକାଇଥିଲେ। ତେବେ ପ୍ରଚାର ଶେ‌ଷ ଆଡ଼କୁ ବିଜେପି ହାତ ଟେକିଦେଲା ଭଳି ପରିସ୍ଥିତି ଉପୁଜିଥିବା ଅନୁମାନ କରାଯାଇଥିଲା। ତାରକା ପ୍ରଚାରକ ରେଳ ମନ୍ତ୍ରୀ ଓଡ଼ିଶା ଗସ୍ତରେ ଥିଲେ ମଧ୍ୟ ପ୍ରଚାରକୁ ଆସି ନଥିଲେ। ଏହି ସମୟରେ ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଯାତ୍ରା କରି ନରେନ୍ଦ୍ର ମୋଦୀ ଓ ଅମିତ ସାହାଙ୍କୁ ସାକ୍ଷାତ କରିବା ମଧ୍ୟ ବିଜେପି ପାଇଁ ମହଙ୍ଗା ପଡ଼ିଥିବା କୁହାଯାଉଛି। ଅନ୍ୟ ପକ୍ଷରେ ବିଜେପି କର୍ମୀଙ୍କ ମଧ୍ୟରେ ନିର୍ବାଚନକୁ ନେଇ ଉତ୍ସାହ ନଥିବା ପରିଲକ୍ଷିତ ହୋଇଥିଲା। ଟିକେଟ ଘୋଷଣା ଦିନ ଜିଲ୍ଲା ସଭାପତିଙ୍କ ଇସ୍ତଫା ନାଟକ ମଧ୍ୟ ବିଜେପି ଦଳରେ ଫାଟ ସୃଷ୍ଟି କରିଥିଲ। ଦୀର୍ଘ ଦିନ ଧରି ସୁରେଶ ଓ ରାଧାରାଣୀଙ୍କ ମଧ୍ୟରେ ଥିବା ତିକ୍ତତା ମଧ୍ୟ ଉଭୟ ନେତାଙ୍କ ସମର୍ଥକଙ୍କୁ ଲଢ଼େଇ ପାଇଁ ଶକ୍ତି ଯୋଗାଇ ନଥିବା କୁହାଯାଉଛି।

ସମ୍ବନ୍ଧିତ ଖବର