କିଏ ହେବ ପିପିଲିର ବିଧାୟକ? ଇଭିଏମରେ ସିଲ୍ ହେଲା ୧୦ ପ୍ରାର୍ଥୀଙ୍କ ଭାଗ୍ୟ

୩ରେ ଆସିବ ଫଳାଫଳ

ଭୁବନେଶ୍ବର: ପ୍ରଦୀପ ମହାରଥୀଙ୍କ ପରେ କିଏ ହେବ ପିପିଲିର ବିଧାୟକ? କିଏ ବିଧାନସଭାରେ ପିପିଲିକୁ ପ୍ରତିନିଧିତ୍ୱ କରିବ? ଏସବୁ ପ୍ରଶ୍ନ ଭିତରେ ଆଜି ଉପନିର୍ବାଚନରେ ଭୋଟ ଦେଇ ସେମାନଙ୍କ ନେତା ବାଛିଛନ୍ତି ପିପିଲିବାସୀ । ତେବେ କରୋନା ଭୟ ରହିଥିଲେ ବି ବହୁସଂଖ୍ୟାରେ ପିପିଲି ଭୋଟର ନିଜର ଗଣତାନ୍ତ୍ରିକ ଅଧିକାର ସାବ୍ୟସ୍ତ କରିଛନ୍ତି। ଶେଷକୁ ଇଭିଏମରେ ସିଲ୍ ହୋଇଯାଇଛି ନେତାଙ୍କ ଭାଗ୍ୟ ।

ଗୁରୁବାର ପିପିଲି ଉପନିର୍ବାଚନରେ ତିନି ପ୍ରମୁଖ ଦଳର ପ୍ରାର୍ଥୀ ନିଜ ନିଜର ମତଦାନ କରିଛନ୍ତି । ପିପିଲିର ପାଣିଦଳ ମତଦାନ କେନ୍ଦ୍ରରେ ମତଦାନ କରିଛନ୍ତି ମହାରଥୀ ପରିବାର । ରୁଦ୍ରଙ୍କ ସହ ତାଙ୍କ ମା’ ପ୍ରତିଭା ମହାରଥୀ, ପତ୍ନୀ ଜାଗୃତି ଓ ଭଉଣୀ ପଲ୍ଲବୀ ଆସି ଭୋଟ୍ ଦେଇଛନ୍ତିି । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବା ଦିନରୁ ଚୁପ୍ ରହିଥିବା ପ୍ରତିଭା ମହାରଥୀ ଭୋଟ ଦେବା ପରେ ପ୍ରଥମ କରି ନିଜର ପ୍ରତିକ୍ରିୟା ରଖିଥିଲେ ।

ସେପଟେ ସକାଳୁ ସକାଳୁ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ କରିବା ପରେ ୨୩୪ ନମ୍ବର କମାକନ୍ତିଆ ବୁଥକୁ ଆସି ଭୋଟ ଦେଇଥିଲେ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ । ଏହି ସମୟରେ ଭୋଟ ଦେବାକୁ ହ୍ୱିଲ୍ ଚେୟାରରେ ଯାଇଥିବା ଜଣେ ବୃଦ୍ଧାଙ୍କୁ ଭୋଟ ଗ୍ରହଣ କେନ୍ଦ୍ର ପର୍ଯ୍ୟନ୍ତ ନେଇ ଯାଇଥିଲେ ଆଶ୍ରିତ । ସେହିପରି କଂଗ୍ରେସ ପ୍ରାର୍ଥୀ ବିଶ୍ୱକେଶନ ହରିଚନ୍ଦନ ଡ଼େଲାଙ୍ଗ ବେରବୋଇ ସରକାରୀ ଉଚ୍ଚ ବିଦ୍ୟାଳୟରେ ଭୋଟ୍ ଦେଇଛନ୍ତି । ଭୋଟ୍ ଦେବା ପରେ ସେ କହିଛନ୍ତି ଯେ, ଏହା ତାଙ୍କର ପରୀକ୍ଷା ନୁହେଁ, ପିପିଲିବାସୀଙ୍କ ପରୀକ୍ଷା ।

ଏ ସବୁ ଭିତରେ ଆଜି ନିିର୍ବାଚନ ଯେମିତି ଶାନ୍ତି ଶୃଙ୍ଖଳାର ସହ ଶେଷ ହେବ ସେଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଥିଲା । ସମ୍ବେଦନଶୀଳ ଓ ଅତି ସମ୍ବେଦନଶୀଳ ବୁଥ ଗୁଡିକରେ ଜଗି ରହିଥିଲେ ସଶସ୍ତ୍ର ସୁରକ୍ଷାବଳ । ସୂଚନାଯୋଗ୍ୟ ଯେ, ପ୍ରଦୀପ ମହାରଥୀଙ୍କ ବିୟୋଗ ପରେ ଏବେ ସେଠାରେ ଉପନିର୍ବାଚନ ହୋଇଛି, ଯାହାର ଫଳାଫଳ ଆସନ୍ତା ୩ ତାରିଖରେ ଆସିବ ।

ସମ୍ବନ୍ଧିତ ଖବର