କେନ୍ଦ୍ରୀୟ ଡେପୁଟେସନରେ ଗଲେ ରାଜେଶ ବର୍ମା, କିଏ ହେବେ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ?

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ କିଏ ହେବେ? ପାୱାର କରିଡରରେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। କାରଣ ବର୍ତ୍ତମାନ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ଥିବା ରାଜେଶ ବର୍ମା କେନ୍ଦ୍ରୀୟ ଡେପୁଟେସନରେ ଯାଉଛନ୍ତି। ୧୯୮୭ ବ୍ୟାଚର ଏହି ଆଇଏଏସ ଅଧିକାରୀ କୃଷି, ସମବାୟ ତଥା ଚାଷୀ ମଙ୍ଗଳ ମନ୍ତ୍ରାଳୟରେ ଅତିରିକ୍ତ ସଚିବ ଭାବେ ନିଯୁକ୍ତି ପାଇଛନ୍ତି।

ଡିପାର୍ଟମେଣ୍ଟ୍‌ ଅଫ ପର୍ସୋନେଲ ଆଣ୍ଡ ଟ୍ରେନିଂ(ଡିଓପିଟି) ତରଫରୁ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୯୮୭ ମସିହା ବ୍ୟାଚର ଆଇଏଏସ ଅଧିକାରୀ ରାଜେଶ ବର୍ମା ଜାନୁୟାରୀ ୨୦୧୭ରୁ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ଭାବେ ଦାୟିତ୍ୱ ତୁଲାଉଥିଲେ। ଏହା ପୂର୍ବରୁ ଉପେନ୍ଦ୍ରନାଥ ବେହେରା ଏହି ଦାୟିତ୍ୱରେ ଥିଲେ।

ପୂର୍ବରୁ ରାଜ୍ୟରେ କୃଷି ବିଭାଗର ପ୍ରମୁଖ ସଚିବ ଭାବେ ଦାୟିତ୍ୱ ତୁଲାଇବାର ଅଭିଜ୍ଞତା ରହିଛି ରାଜେଶ ବର୍ମାଙ୍କର। ଏପରିକି କାଳିଆ ଯୋଜନା ପଛରେ ତାଙ୍କର ଏକ ବଡ଼ ଭୂମିକା ରହିଥିବା ଚର୍ଚ୍ଚା ହୁଏ। ତେବେ କେନ୍ଦ୍ରକୁ ସେ ଯିବା ପରେ ତାଙ୍କ ସ୍ଥାନରେ କିଏ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଯିବ, ସେନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

ଚର୍ଚ୍ଚା ଅନୁସାରେ, ଉନ୍ନୟନ କମିଶନର ଥିବା ଅସିତ ତ୍ରିପାଠୀ, ପଂଚାୟତିରାଜ ସଚିବ ଦେଓରଂଜନ ସିଂ, ନଗର ଉନ୍ନୟନ ବିଭାଗ ସଚିବ ଜି. ମାଥିଭାଥନନଙ୍କ ମଧ୍ୟରୁ କାହାକୁ ଜଣଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ଭାବେ ଦାୟିତ୍ୱ ମିଳିପାରେ। ଏମାନଙ୍କ ମଧ୍ୟରୁ ଅସିତ ତ୍ରିପାଠୀ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପାହ୍ୟାରେ ଥିବା ବେଳେ ଦେଓରଂଜନ ସିଂ ଏବଂ ଜି. ମାଥିଭାଥନନ ପ୍ରମୁଖ ସଚିବ ପାହ୍ୟାରେ ରହିଛନ୍ତି। ଫଳରେ ଆଗାମୀ ଦିନରେ ରାଜ୍ୟରେ ବିଭାଗୀୟ ସଚିବସ୍ତରରେ ଏକ ବଡ଼ଧରଣର ଅଦଳବଦଳ ହେବାର ସମ୍ଭାବନା ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର