କିଏ ହେବେ ରାଜ୍ୟର ପରବର୍ତ୍ତୀ ପୁଲିସ ମହାନିର୍ଦ୍ଦେଶକ ?

ଭୁବନେଶ୍ୱର(ସୁବ୍ରତ ଦାସ): ରାଜ୍ୟର ପୁଲିସ ମହାନିର୍ଦ୍ଦେଶକ ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା ଲୋକାୟୁକ୍ତ ସଦସ୍ୟ ରୂପେ ନିଯୁକ୍ତି ହେବା ପରେ ତାଙ୍କ ସ୍ଥାନରେ କିଏ ପୁଲିସ ଡିଜି ହେବେ ସେଥିନେଇ କଳ୍ପନା ଜଳ୍ପନା ପ୍ରକାଶ ପାଇଛି।

୧୯୮୬ ବ୍ୟାଚ୍‌ର ଆଇପିଏସ୍‌ ଅଫିସର୍‌ ଡାକ୍ତର ଶର୍ମା ଆସନ୍ତା ବର୍ଷ ମେ ମାସରେ ଅବସର ଗ୍ରହଣ କରିଥାନ୍ତେ। କିନ୍ତୁ ଲୋକାୟୁକ୍ତ ସଦସ୍ୟ ରୂପେ ସେ ମନୋନୀତ ହେବା ପରେ ସ୍ୱେଚ୍ଛାକୃତ ଭାବେ ଅବସର ପାଇଁଁ ଆବେଦନ କରିଛନ୍ତି। ଡ଼ାକ୍ତର ଶର୍ମା ୨୦୧୭ ଅଗଷ୍ଟ ମାସରେ ପୁଲିସ ମହାନିର୍ଦ୍ଦେଶକ ଭାବେ ନିଯୁକ୍ତ ହୋଇଥିଲେ।

ଡ଼ାକ୍ତର ଶର୍ମାଙ୍କ ପଛକୁ ୧୯୮୬ ବ୍ୟାଚର ଆଇପିଏସ୍‌ ଅଫିସର୍‌ ପ୍ରଦୀପ କପୁର ୨୦୧୫ ଅକ୍ଟୋବର ୧୪ ତାରିଖରୁ କେନ୍ଦ୍ରୀୟ ଡେପୁଟେସନ୍‌ରେ ଅଛନ୍ତି। ସେ ୨୦୨୨ ନଭେମ୍ବରରେ ଅବସର ଗ୍ରହଣ କରିବେ। ସେ ବର୍ତ୍ତମାନ ନୂଆଦିଲ୍ଲୀସ୍ଥିତ ନ୍ୟାସନାଲ୍‌ ଟେକ୍‌ନିକାଲ ରିସର୍ଚ୍ଚ ଅର୍ଗାନାଇଜେସନ୍‌ର ସେଣ୍ଟର ଡାଇରେକ୍ଟର ଅଛନ୍ତି। କେନ୍ଦ୍ରୀୟ ଡେପୁଟେସନ୍‌ରେ ଶ୍ରୀ କାପୁର୍‌ ଥିବାରୁ ଓଡ଼ିଶାର ପୁଲିସ ମହାନିର୍ଦ୍ଦେଶକ ହେବା ସମ୍ଭାବନା କମ୍‌।

ସେହି ୧୯୮୬ ବ୍ୟାଚ୍‌ର ଆଇପିଏସ୍‌.ଅଫିସର ବିଜୟ କୁମାର ଶର୍ମା ବର୍ତ୍ତମାନ ରାଜ୍ୟର ଅଗ୍ନିଶମ ମହାନିର୍ଦ୍ଦେଶକ,ଗୃହରକ୍ଷୀ ବାହିନୀର କମାଣ୍ଡାଣ୍ଟ୍‌ ଜେନେରାଲ୍‌ ଏବଂ ବେସାମରିକ ପ୍ରତିରକ୍ଷା ବାହିନୀର ନିର୍ଦ୍ଦେଶକ ଅଛନ୍ତି। ସେ ୨୦୨୨ ଅକ୍ଟୋବରରେ ଅବସର ଗ୍ରହଣ କରିବା କଥା। ଅତୀତରେ ଡ଼ାକ୍ତର ଶର୍ମା ଛୁଟିରେ ଥିବା ବେଳେ ବିଜୟ ଶର୍ମା ପୁଲିସ ମହାନିର୍ଦ୍ଦେଶକ ଦାୟିତ୍ୱରେ ଥିଲେ। ତେଣୁ ସେ ପରବର୍ତ୍ତୀ ପୋଲିସ ମହାନିର୍ଦ୍ଦେଶକ ଦୌଡ଼ରେ ଆଗୁଆ ଅଛନ୍ତି।

୧୯୮୬ ବ୍ୟାଚ୍‌ ଆଇପିଏସ୍‌.ଅଫିସର୍‌ଏମ୍‌.ନାଗେଶ୍ୱର ରାଓ ବର୍ତ୍ତମାନ ସିବିଆଇରୁ ବଦଳି ହୋଇ ଅଗ୍ନିଶମ ବିଭାଗର ମହାନିର୍ଦ୍ଦେଶକ ଅଛନ୍ତି। ସେ ୨୦୨୦ ଜୁଲାଇ ମାସରେ ଅବସର ନେବେ

୧୯୮୭ ବ୍ୟାଚ୍‌ ଆଇପିଏସ୍‌. ଅଫିସର ସୁନିଲ କୁମାର ବନ୍‌ସଲ୍‌ ୨୦୨୨ ଜୁନ୍‌ ମାସରେ ଅବସର ନେବେ। ତାଙ୍କର କାର୍ଯ୍ୟକାଳ ଆହୁରି ଦୁଇ ବର୍ଷରୁ ଉର୍ଦ୍ଧ୍ୱ ଥିଲେ ମଧ୍ୟ ସେ କେନ୍ଦ୍ରୀୟ ଡେପୁଟେସନ୍‌ରେ ଅଛନ୍ତି। ତେଣୁ ତାଙ୍କର ଓଡ଼ିଶା ପ୍ରତ୍ୟାବର୍ତ୍ତନ ସମ୍ଭାବନା କ୍ଷୀଣ।

ସେହି ଏକା ବ୍ୟାଚ୍‌ର ଆଇପିଏସ୍‌. ଅଫିସର୍‌ ସୁନୀଲ ରୟ ବର୍ତ୍ତମାନ ଗୋଇନ୍ଦା ବିଭାଗର ସ୍ୱତନ୍ତ୍ର ମହାନିର୍ଦ୍ଦେଶକ ଅଛନ୍ତି। ସେ ଆସନ୍ତା ବର୍ଷ ମେ ମାସରେ ଅବସର ନେବେ। ସେ ପୂର୍ବରୁ କଟକ-ଭୁବନେଶ୍ୱରର ପୋଲିସ କମିସନର୍‌ ଥିଲେ ଏବଂ ତାଙ୍କର ଜଣେ ଦକ୍ଷ ଓ ସଚ୍ଚୋଟ ଅଫିସର ଭାବେ ନାଁ ଅଛି। ତେଣୁ ସେ ଡ଼ାକ୍ତର ଶର୍ମାଙ୍କ ସ୍ଥାନରେ ପରବର୍ତ୍ତୀ ପୋଲିସ ମହାନିର୍ଦ୍ଦେଶକ ଭାବେ ନିଯୁକ୍ତି ପାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।

ସେମାନଙ୍କ ପଛକୁ ୧୯୮୮ ବ୍ୟାଚ୍‌ର ୫ ଜଣ ଆଇପିଏସ୍‌.ଅଫିସର ଅଛନ୍ତି। ସେମାନେ ହେଲେ ସ୍ୱତନ୍ତ୍ର ସଶସ୍ତ୍ର ବାହିନୀଅତିରିକ୍ତ ମହାନିର୍ଦ୍ଦେଶକ ମନୋଜକୁମାର ଛାବ୍ରା,କେନ୍ଦ୍ରୀୟ ଡେପୁଟେସନ୍‌ରେ ଥିବା ଏମ୍‌.ଅକ୍ଷୟ , ରାଜ୍ୟ କ୍ରାଇମ୍‌ବ୍ରାଞ୍ଚ ଅତିରିକ୍ତ ମହାନିର୍ଦ୍ଦେଶକ ସନ୍ତୋଷ କୁମାର ଉପାଧ୍ୟାୟ, ଓଡ଼ିଶା ମାନବିକ କମିଶନର୍‌ ଅନୁସନ୍ଧାନ ନିର୍ଦ୍ଦେଶକ ବିନୟାନନ୍ଦ ଝା ଏବଂ କଲିକତାଠାରେ ଅବସ୍ଥାପିତ ଚା’ ବୋର୍ଡର ଉପାଧ୍ୟକ୍ଷ ଅରୁଣ କୁମାର ରୟ୍‌।

ସମ୍ବନ୍ଧିତ ଖବର