ଡିସେମ୍ବର ୩୧ରେ ଅବସର ନେବେ ମୁଖ୍ୟ ଶାସନ ସଚିବ ଅସିତ୍‌ ତ୍ରିପାଠୀ

ଭୁବନେଶ୍ୱର: ଆଉ ମାତ୍ର ୮ ଦିନ ପରେ ମୁଖ୍ୟ ଶାସନ ସଚିବ ଅସିତ୍‌ ତ୍ରିପାଠୀଙ୍କ ଚାକିରି ଜୀବନ ସମାପ୍ତ ହେବ। ଶ୍ରୀ ତ୍ରିପାଠୀ ଚାକିରିରୁ ଅବସର ଗ୍ରହଣ କରିବେ। ଏ ନେଇ ଆଜି ସାଧାରଣ ପ୍ରଶାସନ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି।  ମୁଖ୍ୟ ଶାସନ ସଚିବ ଅସିତ୍‌ ତ୍ରିପାଠୀ ଆସନ୍ତା ୩୧ ତାରିଖ ଦିନ ଅବସର ନେବା ସଂକ୍ରାନ୍ତରେ ସରକାର ସୂଚିତ କରିଛନ୍ତି । ୧୯ ଅଗଷ୍ଟ ୨୦୧୯ରେ ମୁଖ୍ୟ ଶାସନ ସଚିବ ଭାବେ ଅଭସ୍ଥାପିତ ହୋଇଥିବା ଶ୍ରୀ ତ୍ରିପାଠୀ ରାଜ୍ୟ ସରକାରଙ୍କ କରୋନା ପରିଚାଳନାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ଏଥିସହ ଲକଡାଉନ୍ ଓ ସଟଡାଉନ୍ ଭଳି ବଡ଼ ବଡ ଘୋଷଣା କରି ବେଶ ଚର୍ଚ୍ଚାରେ ରହିଥିଲେ ।

ଅତି ବିଶ୍ବସ୍ତ ସୂତ୍ରରୁ ମିଳୁଥିବା ସୂଚନା ମୁତାବକ, ଉନ୍ନୟନ କମିସନର ସୁରେଶ ମହାପାତ୍ର ମୁଖ୍ୟସଚିବ ଦୌଡରେ ଆଗରେ ଅଛନ୍ତି। ବରିଷ୍ଠତା ଦୃଷ୍ଟିରୁ ବି ସବୁଠୁ ଆଗରେ ରହିଛନ୍ତି ୧୯୮୬ ବ୍ୟାଚର ଅଧିକାରୀ ଶ୍ରୀ ମହାପାତ୍ର । ତା’ ପଛକୁ ବରିଷ୍ଠତା ଭିତ୍ତିରେ ୧୯୮୭ ବ୍ୟାଚର ଆଇଏଏସ ପ୍ରଦୀପ୍ତ ମହାପାତ୍ରଙ୍କ ନାଁ ଆସୁଛି । କିନ୍ତୁ ଗତ ଦୁଇ/ ତିନିଥର ହେଲା ଉନ୍ନୟନ କମିସନର ଥିବା ଅଧିକାରୀଙ୍କୁ ମୁଖ୍ୟ ଶାସନ ସଚିବ ପଦବୀରେ ଅବସ୍ଥାପିତ କରାଯାଉଛି । ତେଣୁ ତାଙ୍କୁ ଏହି ଗୁରୁତ୍ବପୂର୍ଣ୍ଣ ପଦବିରେ ସରକାର ବସାଇବା ସମ୍ଭାବନା ଅଧିକ। ଏଥିସହିତ ନୂଆବର୍ଷରେ ପ୍ରଶାସନିକସ୍ତରରେ ଏକ ବଡ଼ଧରଣର ଅଦଳବଦଳ ହେବାର ସମ୍ଭାବନା ସୃଷ୍ଟି ହୋଇଛି।

ସାଧାରଣତଃ ମୁଖ୍ୟଶାସନ ସଚିବ ବଦଳିଲେ ପ୍ରଶାସନରେ  ପରିବର୍ତନ ହୋଇଥାଏ । ଯଦି ଶ୍ରୀ ମହାପାତ୍ର ମୁଖ୍ୟସଚିବ ହୁଅନ୍ତି, ତେବେ ଉନ୍ନୟନ କମିସନର ପଦବିରେ ନୂଆ ଅଧିକାରୀଙ୍କୁ ଦେଖିବାକୁ ମିଳିବ। ସେହିଭଳି ଦୀର୍ଘ ୮ ବର୍ଷ ଧରି ନଗର ଉନ୍ନୟନ ଓ ପଞ୍ଚାୟତିରାଜ ସଚିବଙ୍କର ବଦଳି ହୋଇନାହିଁ। ଏଣୁ ଜଙ୍ଗଲ, ଉଚ୍ଚଶିକ୍ଷାଠାରୁ ଆରମ୍ଭ କରି ଏକାଧିକ ବିଭାଗର ସଚିବସ୍ତରରେ ଅଦଳବଦଳ ହୋଇପାରେ। କିଛି ଜିଲ୍ଲାର ଜିଲ୍ଲାପାଳ ବି ବଦଳିପାରନ୍ତି। ଢେଙ୍କାନାଳ ଓ ସମ୍ବଲପୁର ଜିଲ୍ଲାରେ ଏସ୍‌ପି ପଦବି ଖାଲି ପଡିଛି। ଏଣୁ ଏସବୁ ସହିତ ନୂଆ ବର୍ଷରେ ଆଇଏଏସ୍ ଓ ଆଇପିଏସ୍ ସ୍ତରରେ ମଧ୍ୟ ବ୍ୟାପକ ଅଦଳବଦଳ ହେବ।

ସମ୍ବନ୍ଧିତ ଖବର