କିଏ ହେବେ ରାଜ୍ୟର ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ?

ଭୁବନେଶ୍ୱର(ସୁବ୍ରତ ଦାସ): ରାଜ୍ୟର ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଆଜି ରାଜ୍ୟ ନିର୍ବାଚନ କମିଶନର ଭାବେ ନିଯୁକ୍ତ ହେବା ପରେ ସ୍ୱେଚ୍ଛାକୃତ ଅବସର ଗ୍ରହଣ ପାଇଁ ଆବେଦନ କରିଛନ୍ତି। ତାଙ୍କ ସ୍ଥାନରେ କିଏ ମୁଖ୍ୟ ଶାସନ ସଚିବ ହେବେ ଏଥିନେଇ ରାଜନୈତିକ ଓ ପ୍ରଶାସନିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି। ବର୍ତ୍ତମାନ ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଥିବା ଅସିତ କୁମାର ତ୍ରିପାଠୀ ଦୌଡ଼ରେ ଆଗୁଆ ଥିବାର ଜଣାଯାଇଛି।

୧୯୮୩ ବ୍ୟାଚର ଆଇଏଏସ ଅଫିସର ଆଦିତ୍ୟ ପ୍ରସାଦ ପାଢ଼ୀ ଆସନ୍ତା ବର୍ଷ ଫେବ୍ରୁଆରି ମାସରେ ଅବସର ନେଇଥାନ୍ତେ। କିନ୍ତୁ ସେ ରାଜ୍ୟ ନିର୍ବାଚନ କମିଶନର ଭାବେ ଆଜି ନିଯୁକ୍ତି ପାଇଥିବାରୁ ଆଇଏଏସ୍‌ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେବା ପାଇଁ ଆବେଦନ କରିଛନ୍ତି। ରାଜ୍ୟ ନିର୍ବାଚନ କମିଶନ ରାଜ୍ୟରେ ପଞ୍ଚାୟତ ଏବଂ ପୌର ନିର୍ବାଚନ ପରିଚାଳନା କରିଥାନ୍ତି। ପୌର ନିର୍ବାଚନ ଆସନ୍ନ ଥିବାରୁ ରାଜ୍ୟ ନିର୍ବାଚନ କମିଶନରଙ୍କ ଗୁରୁତ୍ୱ ରହିଛି। ତେଣୁ ଶ୍ରୀ ପାଢ଼ୀ ଏହି ସାମ୍ବିଧାନିକ ପଦବୀରେ ଯୋଗ ଦେବାକୁ ଯାଉଛନ୍ତି।

ଶ୍ରୀ ପାଢ଼ୀଙ୍କର ଏକା ବ୍ୟାଚର ଆଇଏଏସ୍‌ ଅଫିସର ଇଞ୍ଜେଟି ଶ୍ରୀନିବାସ କେନ୍ଦ୍ରରେ କର୍ପୋରେଟ ବ୍ୟାପାର ସଚିବ ଅଛନ୍ତି। ସେ ଆସନ୍ତା ବର୍ଷ ମେ ମାସରେ ଅବସର ନେବେ। ତାଙ୍କ ପଛକୁ ଅଛନ୍ତି ୧୯୮୪ ବ୍ୟାଚର ଅଫିସର ଅରୁଣ କୁମାର ପଣ୍ଡା। ସେ କେନ୍ଦ୍ର ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ (ଏମ୍‌.ଏସ୍‌.ଏମ୍‌.ଇ) ସଚିବ ଦାୟିତ୍ୱରେ ଅଛନ୍ତି।

ଅସିତ କୁମାର ତ୍ରିପାଠୀ

ସେ ଆସନ୍ତା ଏପ୍ରିଲ ୩୦ ତାରିଖରେ ଅବସର ଗ୍ରହଣ କରିବେ। ଏ ଦୁଇ ଅଫିସର କେନ୍ଦ୍ରରେ ଡେପୁଟେସନ୍‌ରେ ଥିବାରୁ ଏବଂ ସେମାନଙ୍କର କାର୍ଯ୍ୟକାଳ ଅଳ୍ପଦିନ ବାକି ଥିବାରୁ ସେମାନଙ୍କୁ ମୁଖ୍ୟ ଶାସନ ସଚିବ ନିଯୁକ୍ତି ଦେବା ସମ୍ଭାବନା କମ୍‌ ରହିଛି ବୋଲି ପ୍ରଶାସନିକ ମହଲରେ ଚର୍ଚ୍ଚା ହେଉଛି।

ସେମାନଙ୍କ ପଛକୁ ୧୯୮୫ ବ୍ୟାଚର ଉପେନ୍ଦ୍ର ପ୍ରସାଦ ସିଂହ ଏବଂ ସୁରେନ୍ଦ୍ର ନାଥ ତ୍ରିପାଠୀ କେନ୍ଦ୍ରୀୟ ଡେପୁଟେସନ୍‌ରେ ଅଛନ୍ତି। ସେହି କାରଣରୁ ସେମାନଙ୍କୁ ଓଡ଼ିଶା ଅଣାଯିବାର ସମ୍ଭାବନା କ୍ଷୀଣ ବୋଲି କୁହାଯାଉଛି। ୧୯୮୫ ବ୍ୟାଚର ଗଗନ କୁମାର ଧଳ ରାଜ୍ୟର କୃଷି ଉତ୍ପାଦନ କମିଶନର ଅଛନ୍ତି। ତେବେ ତାଙ୍କର କାର୍ଯ୍ୟକାଳ ଆସନ୍ତା ବର୍ଷ ଜାନୁଆରି ମାସରେ ଶେଷ ହେଉଛି।

ତେବେ ୧୯୮୬ ବ୍ୟାଚର ଆଇଏଏସ୍‌ ଅଫିସର ଅସିତ କୁମାର ତ୍ରିପାଠୀ ମୁଖ୍ୟ ଶାସନ ସଚିବ ଦୌଡ଼ରେ ଆଗରେ ରହିଛନ୍ତି। ସେ ବର୍ତ୍ତମାନ ରାଜ୍ୟର ଉନ୍ନୟନ କମିଶନର, ଗୃହ ବିଭାଗର ଅତିରିକ୍ତ ଶାସନ ସଚିବ ଏବଂ କେବିକେ ଅଞ୍ଚଳର ମୁଖ୍ୟ ପ୍ରଶାସକ ଦାୟିତ୍ୱରେ ରହିଛନ୍ତି। ଗୁରୁତ୍ୱ ଦୃଷ୍ଟିରୁ ଏହା ମୁଖ୍ୟ ଶାସନ ସଚିବ ପଦବୀ ପଛକୁ ରହିଛି।

ସେହି ୧୯୮୬ ବ୍ୟାଚର ଅଫିସର ଏମ୍‌ଏସ୍‌ଏସ୍‌ଇ ବିଭାଗ ଦାୟିତ୍ୱରେ ଥିବା ଅତିରିକ୍ତ ମୁଖ୍ୟ ଶାସନ ଲକ୍ଷ୍ମୀ ନାରାୟଣ ଗୁପ୍ତାଙ୍କର ଚାକିରିକାଳ ଚଳିତ ମାସରେ ଶେଷ ହେଉଛି। ତେବେ ସେହି ଏକା ବ୍ୟାଚର ଆଇଏଏସ୍‌ ଅଫିସର ତଥା ଜଙ୍ଗଲ ଓ ପରିବେଶ ବିଭାଗ ଦାୟିତ୍ୱରେ ଥିବା ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ମୁଖ୍ୟ ଶାସନ ସଚିବ ଦୌଡ଼ରେ ଦୁଇ ନମ୍ବର ସ୍ଥାନରେ ଥିବାର ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର