କୋରାପୁଟ ରାଜନୀତିରେ କାହାର ରହିବ ଦବଦବା? ଏବେ ସବୁଦଳ ପାଇଁ ଟିକେଟ ଚିନ୍ତା

କୋରାପୁଟ: ପଞ୍ଚାୟତ ବିଜ୍ଞପ୍ତି ବାହାରି ସାରିଛି, ହେଲେ ଟିକେଟକୁ ନେଇ ନେତାଙ୍କ ଭିତରେ ଆରମ୍ଭ ହୋଇଥିବା ବିବାଦୀୟ ସ୍ଥିତିର ଅନ୍ତ ହେଉନାହିଁ । ନିଜ କ୍ୟାମ୍ପର ଦବଦବା ଜାହିର କରିବାକୁ ଯାଇ ନେତା, ଆଶାୟୀଙ୍କୁ ଦେଇଥିବା ପ୍ରତିଶ୍ରୁତି ଚ୍ୟାଲେଞ୍ଜ ଆଣିଦେଇଛି ।

ଏକଦା ରାଜ୍ୟ ରାଜନୀତିରେ ପ୍ରଭାବ ବିସ୍ତାର କରି ମନ୍ତ୍ରୀ ହୋଇଥିବା ରବି ନନ୍ଦ ଦୁଇ ଦୁଇ ଥର ନିର୍ବାଚନ ହାରିବା ପରେ ଉଭୟ ଦଳୀୟ ଏବଂ ରାଜ୍ୟ ସ୍ତରରେ ଅଲୋଡା ହୋଇଥିବା ଅନୁଭବ କରି ହେଉଛି । ଆଉ ଯାହାର ବେଶ ଫାଇଦା ଉଠାଇଛନ୍ତି ଜିଲ୍ଲା ସଭାପତି ଈଶ୍ୱର ପାଣିଗ୍ରାହୀ । କୁହାଯାଉଛି, ଆଗାମୀ ପଂଚାୟତ ନିର୍ବାଚନରେ ବେଶ ଦବଦବା ରହିବ ଈଶ୍ୱରଙ୍କର । ନିର୍ବାଚନ ବୈତରଣୀରେ ବିଫଳ ହେବା ପରେ ରବି ନନ୍ଦ ନିଜ ପତ୍ନୀଙ୍କୁ ସାମ୍ନାରେ ରଖି ଗୋଟି ଚାଳନା କରୁଥିବା କୁହାଯାଉଛି । କେବଳ ଜୟପୁର ନିର୍ବାଚନମଣ୍ଡଳୀରେ ସୀମିତ ରହି ୨୦୨୪କୁ ଲକ୍ଷ୍ୟ ରଖିଛନ୍ତି ଏହି ଅଭିଜ୍ଞ ନେତା ।

କଂଗ୍ରେସ ରାଜନୀତିରେ ଏହି ଦୁଇ ଚେହେରାଙ୍କ ମଧ୍ୟରେ ଥିବା ବିବାଦ କାହାକୁ ଅଛପା ନାହିଁ । ତେଣୁ ସ୍ୱାଭାବିକ ଭାବେ ଜିଲ୍ଲା ପରିଷଦ ପାଇଁ ଦଳୀୟ ଟିକେଟ ବାଂଟିବାରେ କାହାର କଥା ରହିବ, ତା ଉପରେ ରାଜନୈତିକ ମହଲର ନଜର ରହିଛି । ତାରାଙ୍କ ପତ୍ନୀ ଜିଲ୍ଲା କଂଗ୍ରେସ ସଭାପତି ଦାୟିତ୍ୱରେ । ଉଭୟ କୋରାପୁଟ ଏବଂ ନବରଙ୍ଗପୁର ରାଜନୀତିରେ ତାରା ପ୍ରଭାବ ପକାଇବାକୁ ଚେଷ୍ଟା ଚଳାଇଛନ୍ତି । ଆଉ ସମାନ ଲକ୍ଷ୍ୟ ସପ୍ତଗିରିଙ୍କର ବି ରହିଛି । ତେଣୁ କଂଗ୍ରେସ ପାଇଁ ଏହା ଚିନ୍ତା ବଢାଇପାରେ ।

ଅପରପକ୍ଷରେ ବିଜେପି ସଂପୂର୍ଣ୍ଣ ଭାବେ ଜୟରାମ ପାଙ୍ଗୀଙ୍କ ରଣନୀତି ଉପରେ ନିର୍ଭର କରିବ ବୋଲି ଅନୁମାନ କରାଯାଉଛି । ଟିକେଟ ବାଂଟିବା ଠାରୁ ଆରମ୍ଭ କରି ରଣନୀତି ଯାଏଁ ସବୁଠି ସେ ପାଇପାରନ୍ତି ଅଗ୍ରାଧିକାର । ଜିଲ୍ଲାର ୨୯ ଜିଲ୍ଲା ପରିଷଦ ଆସନରୁ ୨୦୧୭ରେ ବିଜେଡି ଏକାପଖିଆ ଭାବେ ୨୪ ଆସନରେ ବାଜିମାତ କରିଥିଲା । କଂଗ୍ରେସକୁ ୪ ବିଜେପିକୁ ଗୋଟିଏ ଆସନ ମିଳିଥିଲା । ପରିବର୍ତିତ ରାଜନୈତିକ ସ୍ଥିତିରେ ଯେଉଁଠି ସବୁ ରାଜନୈତିକ ଦଳ ସାମ୍ନାରେ ଦଳୀୟ କନ୍ଦଳ ଆହ୍ୱାନ ସୃଷ୍ଟି କରିଛି, ସେଠି ପଂଚାୟତ ଫଳ ଉପରେ ବଡ ବଡ ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛି ।

ସମ୍ବନ୍ଧିତ ଖବର