କେବେ ନିୟୋଜିତ ହେବେ ଆର୍‌ଡିଏ ଅଧ୍ୟକ୍ଷ? ଶାସକ ଦଳର ଅନ୍ତଃକନ୍ଦଳ ବିଳମ୍ବ ପାଇଁ ଦାୟୀ

କାହା ମୁଣ୍ଡରେ ସୁନା କଳସ? ଦୌ‌ଡ଼ରେ ଦୁଇ ନେତା-ନେତ୍ରୀ

ରାଉରକେଲା: ସହରର ବିକାଶ ପାଇଁ ସ୍ଥାପନ କରାଯାଇଥିଲା ରାଉରକେଲା ଡେଭେଲପ୍‌ମେଣ୍ଟ୍‌ ଅଥରିଟି(ଆର୍‌ଡିଏ)। କିନ୍ତୁ ଏହି ସଂସ୍ଥାରେ ଏବେ ମୁଖିଆବିହୀନ। ବର୍ତ୍ତମାନର ବିଧାୟକ ତଥା ପୂର୍ବତନ ଆର୍‌ଡିଏ ଅଧ୍ୟକ୍ଷ ସାରଦା ପ୍ରସାଦ ନାୟକଙ୍କ ପରଠାରୁ, ଅର୍ଥାତ୍‌ ୨୦୧୯ ମସିହାରୁ ଆଜି ପର୍ଯ୍ୟନ୍ତ ପ୍ରାୟ ସାଢ଼େ ୩ ବର୍ଷ ହେଲା ଏହି ସଂସ୍ଥା ବାପଛେଉଣ୍ଡ ହୋଇପଡ଼ିଛି। ଫଳରେ ଆର୍‌ଡିଏ ପ୍ରଶାସନିକ ଅଧିକାରୀଙ୍କ ଦ୍ବାରା ପରିଚାଳିତ ହେଉଛି। ଖାସ୍‌ ଏହି କାରଣ ପାଇଁ ସହରର ବିକାଶ ଚିରାଚରିତ ଢ଼ଙ୍ଗରେ ଧିମେଇ ଯାଇଛି। ତେବେ ଅଧ୍ୟକ୍ଷ ନିଯୁକ୍ତି ବିଳମ୍ବ ପାଇଁ ଶାସକ ବିଜେଡି ଦଳର ଅନ୍ତଃକନ୍ଦଳ ହିଁ ଏକମାତ୍ର କାରଣ ପାଲଟିଛି। ଏହି ପଦବି ପାଇଁ ଆଶାୟୀଙ୍କ ତାଲିକା ବେଶ୍‌‌ ଲମ୍ବା। ମାତ୍ର ପ୍ରମୁଖ ଦାବିଦାର୍‌ଭାବେ ଏବେ ବିଜେଡିର ଯୁବନେତା ଓ ଜଣେ ବିଜେଡି ନେତ୍ରୀ ସର୍ବାଗ୍ରେ।

ବିଗତ ଦିନରେ ଏହି ପଦବି ପାଇଁ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ନାଁ ଚର୍ଚ୍ଚାକୁ ଆସିଥିଲା। ବିଜେଡି ରାଜ୍ୟ ସମ୍ପାଦକ ତଥା ସୁନ୍ଦରଗଡ଼ ଜିଲ୍ଲା ଜୀବନ ବିନ୍ଦୁ ସଂଯୋଜକ କୁନ ବିହାରୀ ଦାଶଙ୍କଠାରୁ ଆରମ୍ଭ କରି ପୂର୍ବତନ ପୌରାଧ୍ୟକ୍ଷା ରଶ୍ମୀବାଳା ମିଶ୍ର, ଟାଣୁଆ ମହିଳା ବିଜେଡି ନେତ୍ରୀ ମୀନତି ଦେବତା ପର୍ଯ୍ୟନ୍ତ; ଏମାନେ ହିଁ ସବୁବେଳେ ଚର୍ଚ୍ଚାର ପରିସର ଭିତରେ ରହିଥିଲେ। ତେବେ ବିଜେଡି ମହଲରୁ ମିଳିଥିବା ଅଣଆନୁଷ୍ଠାନିକ ସୂଚନା ଅନୁସାରେ, ବର୍ତ୍ତମାନ ଦୌଡ଼ରେ ଶ୍ରୀ ଦାଶ ଓ ଶ୍ରୀମତି ମିଶ୍ର ବେଶ୍‌ ଆଗରେ ଅଛନ୍ତି। ଶ୍ରୀ ଦାଶ ଏକଦା ରାଉରକେଲା ବିଧାୟକ ସାରଦା ନାୟକଙ୍କ ଏକାନ୍ତ ଅନୁଗତ ଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ଫାଟ ଦେଖାଦେଇଥିଲା। ବିଶେଷକରି ଗତ ପ୍ରାୟ ଦୁଇ ବର୍ଷ ହେଲା ଶ୍ରୀ ଦାଶ ଖୋଲାଖୋଲିଭାବେ ବିଧାୟକ ଶ୍ରୀ ନାୟକଙ୍କୁ ବିରୋଧ କରୁଛନ୍ତି। ଏମିତିକି ସେ ନିକଟ ଅତିତରେ ଅନୁଷ୍ଠିତ ରାଉରକେଲା ବଣିକ ସଂଘ ନିର୍ବାଚନ ଓ ଅର୍ବାନ କୋ-ଅପରେଟିଭ୍‌ ବ୍ୟାଙ୍କ୍‌ ନିର୍ବାଚନରେ ବିପକ୍ଷ ବିଜେଡି ଗୋଷ୍ଠିଙ୍କୁ ସମର୍ଥନ କରିଥିଲେ।

ରଶ୍ମୀବାଳାଙ୍କ ରାଜନୈତିକ ଗୁରୁଭାବେ ଶ୍ରୀ ନାୟକ ଜଣାଶୁଣା। କେବଳ ସାରଦାଙ୍କ ଆଶୀର୍ବାଦରୁ ହିଁ ରଶ୍ମୀବାଳା ରାଉରକେଲା ପୌରପାଳିକାର ପୌରାଧ୍ୟକ୍ଷା ହୋଇଥିଲେ। ଅବଶ୍ୟ କାର୍ଯ୍ୟକାଳ ଶେଷହେବାପରେ ରଶ୍ମୀବାଳା ଓ ସାରଦାଙ୍କ ମଧ୍ୟ କୌଣସି କାରଣରୁ ବିଭେଦ ଦେଖାଦେଇଥିଲା। ଏବେ କିନ୍ତୁ ସ୍ଥିତି ସ୍ବାଭାବିକ୍‌ ହୋଇଯାଇଛି। କୁହାଯାଏ, ବର୍ତ୍ତମାନ ରଶ୍ମୀବାଳା ହିଁ ସାରଦାଙ୍କ ପ୍ରଥମ ଓ ଏକମାତ୍ର ପସନ୍ଦ। ଏମିତିକି ରଶ୍ମୀବାଳାଙ୍କୁ ଆର୍‌ଡିଏ ଅଧ୍ୟକ୍ଷ ପଦରେ ଥଇଥାନ କରିବାକୁ ବିଧାୟକ କୁଆଡ଼େ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିଛନ୍ତି। କିନ୍ତୁ ଏଯାଏଁ ରଶ୍ମୀବାଳାଙ୍କ ନାଁରେ ମୋହର ବାଜିପାରିନି।

ଅପରପକ୍ଷରେ ଅନ୍ୟତମ ଦାବିଦାର୍‌ କୁନ ବିହାରୀଙ୍କ ଭୁବନେଶ୍ବର ଲବି ବେଶ୍‌ ସୁଦୃଢ଼। ଏହାସହ ସୁନ୍ଦରଗଡ଼ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ପ୍ରୀତି ରଞ୍ଜନ ଘଡ଼ାଇଙ୍କ ସହ ନିକଟ ସମ୍ପର୍କରେ ଥିବା ଆଲୋଚନା ହୁଏ। ତେବେ ସାରଦାଙ୍କୁ ଅସନ୍ତୋଷ କରି ବିରୋଧୀ କୁନ ବିହାରୀଙ୍କୁ ଅଧ୍ୟକ୍ଷ ନିଯୁକ୍ତ କରିବା ବିଜେଡି ଶୀର୍ଷ ନେତୃତ୍ବଙ୍କ ପାଇଁ ଏତେ ସହଜ ହୋଇନପାରେ। କାରଣ, ଶ୍ରୀ ଦାଶଙ୍କୁ ଏହି ପଦବି ଦିଆଗଲେ, ସୁନ୍ଦରଗଡ଼ ଜିଲ୍ଲାର ବିଜେଡିର ପ୍ରମୁଖ ଚେହେରାଭାବେ ନିଜକୁ ପୂର୍ବରୁ ପ୍ରମାଣିତ କରିସାରିଥିବା ସାରଦାଙ୍କ ପ୍ରତି ଏକ ଶକ୍ତ ଧକ୍କା ସଦୃଶ ହେବ। ସାରଦାଙ୍କୁ ଅଣଦେଖା କରି ବିରୋଧୀ କୁନ ବିହାରୀଙ୍କୁ ନିୟୋଜିତ କରିବା ଦଳ ପାଇଁ ଘାତକ ମଧ୍ୟ ହୋଇପାରେ। ସମ୍ଭବତଃ କୁନ ବିହାରୀଙ୍କ ବଳିଷ୍ଠ ଲବି ଯୋଗୁଁ ସାରଦାଙ୍କ ସମର୍ଥିତ ପ୍ରାର୍ଥୀଙ୍କୁ ମଧ୍ୟ ଅଧ୍ୟକ୍ଷ ପଦ ମିଳିବାରେ ବିଳମ୍ବ ହେଉଛି। ଅନ୍ୟଥା ଗତ ସାଢ଼େ ୩ ବର୍ଷ ହେଲା ପଦବି ଖାଲି ପଡ଼ିନଥାନ୍ତାବୋଲି ରାଜନୈତିକ ମହଲରୁ ମତ ଆସୁଛି। ଯଦିଓ ଅଧ୍ୟକ୍ଷ ପଦ ଦୌଡ଼ରେ ମୀନତି ଢ଼େର୍‌ ପଛେଇ ଯାଇଛନ୍ତି; ମାତ୍ର ସେ ବି ଦ‌ୌଡ଼ରୁ ସଂପୂର୍ଣ୍ଣ ବାଦ୍‌ ପଡ଼ିନାହାନ୍ତି।

୨୦୧୯ ସାଧାରଣ ନିର୍ବାଚନରେ ଦଳୀୟ ଟିକେଟ୍‌ ନ ମିଳିବାରୁ ମୀନତି ଖୋଲା ବିରୋଧ କରି ସ୍ବାଧୀନ ପ୍ରାର୍ଥୀଭାବେ ନାମାଙ୍କନ ଦାଖଲ କରିଥିଲେ। ଅବଶ୍ୟ ବିଜେଡି ଶୀର୍ଷ ନେତୃତ୍ବଙ୍କ ଚାପ ହେଉ ଅବା ‌ଅନ୍ୟ କୌଣସି ପଦବିରେ ଅବସ୍ଥାପିତ କରିବାର ନିର୍ଭରଶୀଳ ପ୍ରତିଶ୍ରୁତି, ପରବର୍ତ୍ତୀ ସମୟରେ ସେ ନାମାଙ୍କନ ପ୍ରତ୍ୟାହାର କରିନେଇଥିଲେ। ସେତେବେଳେ ଚର୍ଚ୍ଚା ଜୋର୍‌ ଧରିଥିଲା ଯେ ତାଙ୍କୁ ଆର୍‌ଡିଏ ଅଧ୍ୟକ୍ଷଭାବେ ନିଯୁକ୍ତ କରାଯିବ। କିନ୍ତୁ ଏତେ ଦିନ ବିତିବା ସତ୍ତ୍ବେ ତାହା ସମ୍ଭବ ହୋଇନି। କାହା ମୁଣ୍ଡରେ ହାତୀ ସୁନା କଳସ ଢ଼ାଲିବ ତାହା ସମୟ କହିବ; କିନ୍ତୁ ଦଳୀୟ ଅନ୍ତଃ କନ୍ଦଳ ଯୋଗୁଁ ଆର୍‌ଡିଏ ଅଧ୍ୟକ୍ଷ ଭଳି ଏକ ଗୁରୁତ୍ବପୂର୍ଣ୍ଣ ପଦବି ବର୍ଷବର୍ଷ ହେଲା ଖାଲିପଡ଼ିବା, ବିରୋଧୀ ଦଳକୁ ସମାଲୋଚନା କରିବାରେ ଖୋରାକ୍‌ ଯୋଗାଉଛି।

ସମ୍ବନ୍ଧିତ ଖବର