ଭୁବନେଶ୍ବର: ଖୁବ୍‌ ଶୀଘ୍ର ଓଡ଼ିଶା ବି‌ଜେପିର ସାଙ୍ଗଠନିକ ଅଦଳବଦଳ ହେବ। ମଣ୍ଡଳ ସଭାପତିଙ୍କ ଠାରୁ ଆରମ୍ଭ କରି ରାଜ୍ୟ ସଭାପତିଙ୍କ ପର୍ଯ୍ୟନ୍ତ ସମସ୍ତେ ବଦଳିବେ। ଏନେଇ ପ୍ରସ୍ତୁତି ଆରମ୍ଭ ହେଉଛି। ଶନିବାର ନୂଆଦିଲ୍ଲୀ‌ସ୍ଥିତ ବିଜେପି କାର୍ଯ୍ୟାଳୟରେ ବିଜେପିର ଓଡ଼ିଶା ପ୍ରଭାରୀ ବିଜୟ ପାଲ ସିଂହ ତୋମାର, ସହପ୍ରଭାରୀ ଲତା ଉସେଣ୍ଡି, ରାଜ୍ୟ ସଭାପତି ମନମୋହନ ସାମଲ, ସାଧାରଣ ସମ୍ପାଦକ (ସଂଗଠନ) ମାନସ କୁମାର ମହାନ୍ତିଙ୍କ ସମେତ ଓଡ଼ିଶା ବିଜେପିର ସଂଗଠନ ଦାୟିତ୍ବରେ ଥିବା ନେତାମାନେ ବୈଠକ କରି ଏନେଇ ରୂପରେଖ ପ୍ରସ୍ତୁତ କରିଥିବା ଜଣାପଡ଼ିଛି।

Advertisment

ବିଜେପି ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡାଙ୍କ କାର୍ଯ୍ୟକାଳ ଜୁନ୍‌ ମାସରୁ ‌ଶେଷ ହୋଇସାରିଛି। ଡିସେମ୍ବର ସୁଦ୍ଧା ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ ନିଯୁକ୍ତି ଦିଆଯିବ। ହେଲେ ଏହା ପୂର୍ବରୁ ସମସ୍ତ ରାଜ୍ୟରେ ମଣ୍ଡଳ ସଭାପତି, ଜିଲ୍ଲା ସଭାପତି, ବିଭିନ୍ନ ପଦାଧିକାରୀ ନିର୍ବାଚନ ସରିବା ପରେ ରାଜ୍ୟ ସଭାପତି ନିର୍ବାଚନ ହେବ। ତା’ ପରେ ଯାଇ ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ ନିଯୁକ୍ତି ଦିଆଯିବ। ବିଜେପି ସାଙ୍ଗଠନିକ ପଦପଦବି ବଦଳିବା ନେଇ ପ୍ରକ୍ରିୟା ଆରମ୍ଭ ହେବା ପରେ ଏବେ ରାଜ୍ୟ ସଭାପତି କିଏ ହେବ ତାହା ଉପରେ ସମସ୍ତଙ୍କ ନଜର। ମନ‌ମୋହନ ସାମଲଙ୍କୁ ଦଳ ମାର୍ଚ୍ଚ ୨୪, ୨୦୨୩ରେ ରାଜ୍ୟ ସଭାପତି ଦାୟିତ୍ବ ଦେଇଥିଲା। ତାଙ୍କ ନେତୃତ୍ବରେ ଦଳ ପ୍ରଥମ ଥର ପାଇଁ ବିଜେପି ରାଜ୍ୟରେ ଏକାକୀ ସରକାର ଗଠନ କରିଛି। ଜେ.ପି. ନଡ୍ଡାଙ୍କ କାର୍ଯ୍ୟକାଳ ଦୁଇ ଦଫାରେ ବଢ଼ିଥିବାରୁ ଏହି ସମୟରେ ଯେଉଁ ରାଜ୍ୟରେ ରାଜ୍ୟ ସଭାପତିଙ୍କୁ ନିଯୁକ୍ତି ଦିଆଯାଇଥିଲା ତାହା ଅନ୍ତରୀଣ ନିଯୁକ୍ତି ଥିଲା। ତେଣୁ ରାଷ୍ଟ୍ରୀୟ ସଭାପତି ବଦଳିବା ସହ ରାଜ୍ୟ ସଭାପତି ବଦଳିବେ ବୋଲି କୁହାଯାଉଛି। ଏହାକୁ ଦେଖିଲେ ମନମୋହନଙ୍କ ପରେ କିଏ ଓଡ଼ିଶା ବିଜେପିର ମଙ୍ଗ ଧରିବେ ତାହାକୁ ନେଇ ଏବେଠୁ ଲବି ଆରମ୍ଭ ହେଲାଣି।

ବିଜେପି ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ରାଷ୍ଟ୍ରୀୟ ନେତୃତ୍ବ ଯଦି ମନମୋହନଙ୍କୁ କୌଣସି ବଡ଼ ପଦପଦବି ନଦିଅନ୍ତି ତେବେ ପୁଣି ରାଜ୍ୟ ସଭାପତି ଦାୟିତ୍ବ ଦେଇପାରନ୍ତି। ଯଦି ମନମୋହନ ସଭାପତି ନହୁଅନ୍ତି ତେବେ ପୂର୍ବତନ ସଭାପତି ତଥା ପୂର୍ବତନ ସାଂସଦ ବସନ୍ତ ପଣ୍ଡା, ପୂର୍ବତନ ସଭାପତି ସମୀର ମହାନ୍ତି, ଦଳର ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର ପ୍ରମୁଖ ଏହି ପଦବି ପାଇଁ ବଡ଼ ଦାବିଦାର ଅଛନ୍ତି। ସେହିପରି ଦଳର ସଙ୍ଗଠନ ମନ୍ତ୍ରୀ ମଧ୍ୟ ବଦଳିପାରନ୍ତି। ଏହି ପଦବିରେ ଆରଏସ୍‌ଏସ୍‌ର ଜଣେ ବଡ଼ ନେତାଙ୍କୁ ନିଯୁକ୍ତି ଦିଆଯାଇପାରେ।
ଦଳର ସାଙ୍ଗଠନିକ ପରିବର୍ତ୍ତନ ପାଇଁ ସେପ୍ଟେମ୍ବର ୧ରୁ ସଦସ୍ୟତା ଅଭିଯାନ ଆରମ୍ଭ ହେବ। ଏଥିରେ ବର୍ତ୍ତମାନର ସମସ୍ତ ସଦସ୍ୟ ପୁଣି ସଦସ୍ୟତା ଗ୍ରହଣ କରିବା ସହ ନୂଆ ସଦସ୍ୟଙ୍କୁ ସାମିଲ୍ କରାଯିବ। ଏହାପରେ ମଣ୍ଡଳ ସଭାପତି ନିର୍ବାଚନ, ଜିଲ୍ଲାସ୍ତରୀୟ ସଭାପତି ନିର୍ବାଚନ ହେବ।

ବିଜେପିର ଜଣେ ବରିଷ୍ଠ ନେତାଙ୍କ କହିବାନୁଯାୟୀ, ୧୯୮୦ ମସିହାରୁ ୨୦୨୪ ପର୍ଯ୍ୟନ୍ତ ୪୪ବର୍ଷ ମଧ୍ୟରେ ଓଡ଼ିଶା ବିଜେପିର ମାତ୍ର ୯ଜଣ ରାଜ୍ୟ ସଭାପତି ହୋଇଥିଲେ। ବିଶ୍ବଭୂଷଣ ହରିଚନ୍ଦନ, ବିମ୍ବାଧର କୁଅଁର, ସୁରେଶ ପୂଜାରୀ, କନକବର୍ଦ୍ଧନ ସିଂହଦେଓ ଓ ସମୀର ମହାନ୍ତିଙ୍କୁ ଛାଡ଼ି ବାକି ୪ଜଣ ଦେବେନ୍ଦ୍ର ପ୍ରଧାନ (ଦୁଇ ଥର)ଙ୍କ ବ୍ୟତୀତ ଜୁଏଲ ଓରାମ, ମନମୋହନ ସାମଲ, ବସନ୍ତ କୁମାର ପଣ୍ଡା ତିନି ଥର ଲେଖାଏ ରାଜ୍ୟ ସଭାପତି ହୋଇଛନ୍ତି। ତେଣୁ ରାଷ୍ଟ୍ରୀୟ ନେତୃତ୍ବ ମନମୋହନଙ୍କୁ ପୁଣି ରାଜ୍ୟ ସଭାପତି କରିବେ କି ନାହିଁ ସେନେଇ କିଛି ସ୍ଥିର ହୋଇନି। ଅପରପକ୍ଷେ ରାଜ୍ୟ ସଭାପତି ଭାବେ ମନମୋହନଙ୍କ କାର୍ଯ୍ୟକାଳ ଓଡ଼ିଶା ବିଜେପି ପାଇଁ ବେଶ୍ ଶୁଭପ୍ରଦ ହୋଇଛି। ସେ ୧୯୯୯ରୁ ୨୦୦୦, ୨୦୦୧ରୁ ୨୦୦୪ ଏବଂ ୨୦୨୩ରୁ ରାଜ୍ୟ ସଭାପତି ଅଛନ୍ତି। ତାଙ୍କରି କାର୍ଯ୍ୟକାଳରେ ବିଜେପି ଓଡ଼ିଶାରେ ମେଣ୍ଟ ସରକାର ଗଠନ କରିଥିଲା। ଏବେ ପୁଣି ବିଜେପି ଏକାକୀ ସରକାର ଗଠନ କରିଛି। ତେଣୁ ମନମୋହନଙ୍କ ସଂପର୍କରେ ଦଳ ବଡ଼ ନିଷ୍ପତ୍ତି ନେବା ସମ୍ଭାବନା ଅଧିକ।

ବିଜେପି ନୀତି ଅନୁଯାୟୀ ଜଣଙ୍କୁ ଏକାଧିକ ପଦ ମିଳିବନି। ଜୁଏଲ ଓରାମ ଏବେ କେନ୍ଦ୍ରରେ ମନ୍ତ୍ରୀ ଅଛନ୍ତି। କନକବର୍ଦ୍ଧନ ସିଂହଦେଓ ଉପମୁଖ୍ୟମନ୍ତ୍ରୀ, ସୁରେଶ ପୂଜାରୀ କ୍ୟାବିନେଟ୍ ମନ୍ତ୍ରୀ ଥିବାରୁ ସେମାନଙ୍କୁ ରାଜ୍ୟ ସଭାପତି କରାଯିବନାହିଁ। ଓଡ଼ିଶା ବିଜେପି ୪୪ ବର୍ଷରେ ମାତ୍ର ୯ଜଣଙ୍କୁ ରାଜ୍ୟ ସଭାପତି କରିଥିବାରୁ ଏହି ଧାରା ଦେଖିଲେ ସମୀର ମହାନ୍ତି ଓ ବସନ୍ତ ପଣ୍ଡାଙ୍କ ନାମ ଚର୍ଚ୍ଚାକୁ ଆସୁଛି। ବିଜେପିର ଏକ ଶକ୍ତିଶାଳୀ ଗୋଷ୍ଠୀ ସମୀରଙ୍କ ସମର୍ଥନରେ ଅଛନ୍ତି। ଯଦି ନୂଆ ମୁହଁକୁ ଦଳ ସଭାପତି ଦାୟିତ୍ବ ଦିଏ ତେବେ ଗୋଲକ ମହାପାତ୍ରଙ୍କୁ ସୁଯୋଗ ଦେବାକୁ ଏହି ଶକ୍ତିଶାଳୀ ଗୋଷ୍ଠୀ ଲବି କରିବେ ବୋଲି ଦଳୀୟ ମହଲରେ ଚର୍ଚ୍ଚା ହେଉଛି।