କିଏ ହେବେ ବିଜେଡି ପ୍ରାର୍ଥୀ, ବର୍ଷାରାଣୀ ନା​ ମହେନ୍ଦ୍ର ନା ଆଉ କିଏ ?

ବରଗଡ଼: ପ୍ରଥମେ ବିଜେପି ପରେ କଂଗ୍ରେସ। ପ୍ରାର୍ଥୀ ଘୋଷଣା ଦୌଡ଼ରେ ଉଭୟ ଦଳ ବିଜେଡିକୁ ପଛରେ ପକାଇ ଦେଇଛନ୍ତି। ସୂଚନା ମୁତାବକ, ବିଜେଡିର ତୁଙ୍ଗ ନେତାମାନେ ଏଥିପାଇଁ ମାରାଥନ ସର୍ଭେ ଚଳାଇଛନ୍ତି। ବିଭିନ୍ନ ମହଲରେ ବିଳମ୍ବିତ ରାତି ଯାଏଁ ଶାସକ ଦଳର ସମ୍ଭାବ୍ୟ ପ୍ରାର୍ଥୀ ନେଇ ସରଗରମ ଆଲୋଚନା ଚାଲିଛି। ତେବେ କିଏ ପ୍ରାର୍ଥୀ ହେବ, ତାହା ଚୂଡ଼ାନ୍ତ ହୋଇପାରୁନାହିଁ। ଏଣେ ଭିତିରି ଖବର ଅନୁସାରେ ଦିବଂଗତ ବିଧାୟକ ବିଜୟ ରଂଜନ ସିଂ ବରିହାଙ୍କ ପରିବାର ଭିତରେ ଦାବିଦାରଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ଯଦି ଉପନିର୍ବାଚନର ଇତିହାସ ଦେଖାଯାଏ, ତେବେ ଦିବଂଗତ ବିଧାୟକଙ୍କ ପରିବାରରୁ ହିଁ ଟିକଟ୍‌ ମିଳୁଛି। ଏହି ମାନଦଣ୍ଡ ଆଧାରରେ ଗଲେ ବିଜେଡି ଦିବଂଗତ ବିଧାୟକଙ୍କ ପରିବାର ସଦସ୍ୟଙ୍କ ଭିତରୁ ଜଣକୁ ହିଁ ମଇଦାନକୁ ଆଣିବ।

ଏହି କ୍ରମରେ ଟିକଟ୍‌ର ପ୍ରଥମ ଦାବିଦାର ହେଲେ ସ୍ବର୍ଗତ ବିଜୟରଂଜନଙ୍କ ପତ୍ନୀ ତିଳୋତ୍ତମା। ହେଲେ, ରାଜ‌ନୀତି ମଇଦାନରେ ତାଙ୍କୁ ବିଗତ ଦିନରେ କେବେ ବି ଦେଖିବାକୁ ମିଳିନଥିଲା। ସାଧାରଣତଃ ତିଳୋତ୍ତମା ଘରେ ରହି ଗୃହକାର୍ଯ୍ୟ ଦେଖୁଥିଲେ। ବାହାରେ ତାଙ୍କର ସଂପୃକ୍ତି କମ୍‌ ରହିଥିଲା। ତେଣୁ ଏହି ଦୁଇ ଦିଗକୁ ବିଜେଡି ନିଶ୍ଚିତ ଭାବେ ଚିନ୍ତା କରିବ। କିନ୍ତୁ ସେ ଦଳ ସୁଯୋଗ ଦେଲେ ନିଶ୍ଚିତ ଭାବେ ପ୍ରତ୍ୟକ୍ଷ ରାଜନୀତିକୁ ଆସି ଲୋକଙ୍କ ସେବା କରିବେ ବୋଲି କହିଛନ୍ତି। ସେହିପରି ବିଜୟରଂଜନଙ୍କ ବଡ଼ଭାଇ ମନୋରଂଜନ ସିଂ ବରିହା ମଧ୍ୟ ଟିକଟ୍‌ ପାଇଁ ଆଶାବାଦୀ। ମନୋରଂଜନ ପୂର୍ବରୁ ଦୁଇଥର ଜିଲ୍ଲା ପରିଷଦ ସଭାପତି ବି ରହିଥିଲେ। ଏଥିରୁ ଥରେ ଜନତା ଦଳ ଏବଂ ଥରେ କଂଗ୍ରେସରୁ ସେ ପ୍ରତିନିଧିତ୍ବ କରିଥିଲେ। ଫରେଷ୍ଟର ଚାକିରିରୁ ଇସ୍ତଫା ଦେଇ ସେ ରାଜନୀତିକୁ ଓହ୍ଲାଇଥିଲେ। ସାନଭାଇଙ୍କ ଅବର୍ତ୍ତମାନରେ ମନୋରଂଜନଙ୍କ ସମର୍ଥକମହଲ ମଧ୍ୟ ଶାସକଦଳର ଟିକଟ ପାଇଁ ଢେର୍‌ ଆଶାବାଦୀ ରହିଛନ୍ତି। ସେହିପରି ବିଜୟରଂଜନଙ୍କ ବଡ଼ଝିଅ ବର୍ଷାରାଣୀ ବି ବିଜେଡି ଟିକଟ୍‌ ଦୌଡ଼ରେ ଥିବା ଶୁଣିବାକୁ ମିଳୁଛି। ବର୍ଷାରାଣୀ ଭୁବନେଶ୍ବରରେ ଆଇନ ପାଠ ପଢ଼ିଛନ୍ତି। ସେ ସତ୍ୟବାଦୀର ପୂର୍ବତନ ବିଧାୟକ ରମାରଂଜନ ବଳିଆର ସିଂଙ୍କ ପୁଅଙ୍କୁ ବାହା ହୋଇଛନ୍ତି। ବର୍ତ୍ତମାନ ବର୍ଷାରାଣୀ ପଦ୍ମପୁରସ୍ଥିତ ନିଜ ପୈତୃକ ଘରେ ଆସି ଅଛନ୍ତି। ତାଙ୍କ ସହ ବିଜେଡିର କିଛି ନେତା ଭେଟାଭେଟି କରିଥିବା ମଧ୍ୟ ଦେଖିବାକୁ ମିଳିଛି।

ବିଜୟରଂଜନଙ୍କ ପରିବାର ବାହାରେ ଅନ୍ୟ ଆଶାୟୀଙ୍କ ତାଲିକା ମଧ୍ୟ ବେଶ୍ ଲମ୍ବା।  ତନ୍ମଧ୍ୟରେ ପ୍ରଶାସନିକ ଅଧିକାରୀ ମହେନ୍ଦ୍ର ବଢ଼େଇଙ୍କ ନାମ ବେଶ୍‌ ଚର୍ଚ୍ଚାରେ ରହିଛି।  ପଦ୍ମପୁର ପାଖ ଟାଲ୍‌ ଗାଁର ବାସିନ୍ଦା ମହେନ୍ଦ୍ର ବିଭାଗୀୟ ପଦୋନ୍ନତି ବଳରେ ପ୍ରଶାସନିକ ସେବା କ୍ୟାଡର୍‌କୁ ଉନ୍ନୀତ ହୋଇଥିଲେ। ସେ ଏବେ ନୂଆପଡ଼ା ଜିଲ୍ଲାରେ ଡେପୁଟି କଲେକ୍ଟର ପଦରେ କାର୍ଯ୍ୟରତ। ଏହା ପୂର୍ବରୁ ସେ ଭୁବନେଶ୍ବର ମହାନଗର ନିଗମର ଡେପୁଟି କମିସନର ଭଳି ଗୁରୁତ୍ବପୂର୍ଣ୍ଣ ଦାୟିତ୍ବରେ ଥିଲେ। ଶାସକଦଳରେ ତାଙ୍କର ଭଲ ପ୍ରଭାବ ରହିଥିବାରୁ ଦୀର୍ଘ ଦିନ ହେଲା ମହେନ୍ଦ୍ର ପଦ୍ମପୁର ନିର୍ବାଚନମଣ୍ଡଳୀରେ ସକ୍ରିୟ ରହିଛନ୍ତି। ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରି ସେ ନିଜ ଉପସ୍ଥିତି ଜାହିର କରି ଆସୁଛନ୍ତି। ବିଜୟରଂଜନଙ୍କ ଅସୁସ୍ଥତା ପରଠାରୁ ସେ ଦଳୀୟ ଟିକଟକୁ ଆଖିଆଗରେ ରଖି ନୂଆପଡ଼ାକୁ ବଦଳି ହୋଇ ଆସିଥିବା ତାଙ୍କ ସମର୍ଥକ ମହଲରେ ଚର୍ଚ୍ଚା ହେଉଛି। ଏପରିକି ସେ ସରକାରୀ ପଦରୁ ଇସ୍ତଫା ଦେଇଥିବା ମଧ୍ୟ କୁହାଯାଉଛି। ତେବେ ଏନେଇ ଶ୍ରୀ ବଢ଼େଇଙ୍କ ମତାମତ ଲୋଡ଼ାଯିବାରେ ସେ ଟିକଟ ଦୌଡ଼ରେ ତାଙ୍କ ଉପସ୍ଥିତି ତଥା ସରକାରୀ ପଦରୁ ଇସ୍ତଫା ଦେବା ପ୍ରସଙ୍ଗକୁ ଚତୁରତାର ସହ ଏଡ଼ାଇ ଯାଇଥିଲେ। ଏଭଳି ପରିସ୍ଥିତିରେ ଶ୍ରୀ ବଢ଼େଇ ଟିକଟ୍‌ ଦୌଡ଼ରେ ଥିବା ଏକପ୍ରକାର ନିଶ୍ଚିତ ମନେ ହେଉଛି।

କିଛି ଦିନ ଭିତରେ ଅନେକ ଦାବିଦାର ବାହାରିଥିବାରୁ ବିଜେଡି ପ୍ରାର୍ଥୀ ଚୟନ ନେଇ ବେଶ୍ ସତର୍କତା ଅବଲମ୍ବନ କରୁଥିବା କୁହାଯାଉଛି। ବିଶେଷକରି ସଦ୍ୟ ସମାପିତ ଧାମନଗର ଉପନିର୍ବାଚନରେ ଦଳୀୟ ପ୍ରାର୍ଥୀ ଚୟନରେ ତିକ୍ତ ଅନୁଭୂତି ଶାସକଦଳକୁ ଏଥିପାଇଁ ଅଧିକ ସତର୍କ କରାଇଦେଇଛି। ତେବେ ରାଜ‌େନୖତିକ ପର୍ଯ୍ୟବେକ୍ଷକ ମହଲର ସୂଚନା ଅନୁସାରେ ଶାସକ ଦଳର ଟିକଟକୁ ନେଇ ବିଜୟରଂଜନଙ୍କ ପରିବାର ଭିତରେ ଟଣାଓଟରା ଆରମ୍ଭ ହୋଇଯାଇଛି। ବିଭିନ୍ନ ରଣନୀତି ଦୃଷ୍ଟିରୁ ଦଳୀୟ ନେତୃତ୍ବଙ୍କ ନଜର କନ୍ୟା ବର୍ଷାରାଣୀଙ୍କ ଉପରକୁ ରହିଥିଲା ବେଳେ ଏଥିରେ ପରିବାରର ଅନ୍ୟ ସଦସ୍ୟମାନେ କୁଆଡ଼େ ଅସୁଖୀ ରହୁଛନ୍ତି। ଏହାକୁ ପ୍ରଶମିତ କରିବା ଲାଗି ଦଳର ବରିଷ୍ଠ ନେତାମାନେ ଦିନରାତି ଏକ କରି ଦେଇଛନ୍ତି। ଏହାର ସମାଧାନ ହୋଇ ନପାରିଲେ ଦ୍ବୟଂ ବିବାଦେ ତୃତୀୟ ଲାଭ ନ୍ୟାୟରେ ପ୍ରଶାସନିକ ଅଧିକାରୀ ମହେନ୍ଦ୍ରଙ୍କ ମୁଣ୍ଡରେ ବି ହାତୀ ସୁନା କଳସୀ ଢାଳିପାରେ ବୋଲି ଆକଳନ କରାଯାଉଛି।  ତେବେ ଶାସକ ଦଳ ଶେଷ ମୁହୂର୍ତ୍ତରେ ଯେ ସଂପୂର୍ଣ୍ଣ ଏକ ନୂଆମୁହଁକୁ ଆଣି ବିରୋଧୀ ଶିବିରକୁ ଚକମା ନଦେବ ତାହା ମଧ୍ୟ ଏଡ଼ାଇ ହେବନାହିଁ ବୋଲି ପର୍ଯ୍ୟବେକ୍ଷକ ମହଲ ଅନୁମାନ କରୁଛନ୍ତି। ଏ ସଂପର୍କରେ ପୂର୍ବତନ ମନ୍ତ୍ରୀ ତଥା ଭଟଲି ବିଧାୟକ ସୁଶାନ୍ତ ସିଂହଙ୍କ ମତାମତ ଲୋଡ଼ା ଯାଇଥିଲା। ଦଳ ନିଜର ସବୁ ରିପୋର୍ଟ ଆଧାରରେ ନିଷ୍ପତ୍ତି ନେବ। ଆସନ୍ତାକାଲି ସଂଧ୍ୟା ସୁଦ୍ଧା ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇପାରେ ବୋଲି ଶ୍ରୀ ସିଂହ ଅନୁମାନ କରିବା ସହିତ ମୁଖ୍ୟମନ୍ତ୍ରୀ ହିଁ ଏହା ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନେବେ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର