ଭୁବନେଶ୍ବର : ରାଜ୍ୟ ମୁଖ୍ୟ ସୂଚନା କମିସନର ପଦବି ଏବେ ଖାଲି ପଡ଼ିଛି। ଏହି ପଦବିରେ ନିଯୁକ୍ତି ପାଇଁ ମଙ୍ଗଳବାର ଅପରାହ୍ନରେ ଚୟନ କମିଟି ବୈଠକ ବସିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲ୍ ପ୍ଲାଟ୍ଫର୍ମରେ ହେବାକୁ ଥିବା ଏହି ବୈଠକରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ଓ ଆଇନ ମନ୍ତ୍ରୀ ପ୍ରତାପ ଜେନା ସାମିଲ ହେବେ। ଏ ବୈଠକରେ ଜଣଙ୍କ ନାମ ଚୂଡ଼ାନ୍ତ ହୋଇ ରାଜ୍ୟପାଳଙ୍କ ଅନୁମୋଦନ ନିମନ୍ତେ ପଠାଯିବ। ରାଜ୍ୟପାଳ ଅନୁମୋଦନ ଦେଲା ପରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ।
ମୁଖ୍ୟ ସୂଚନା କମିସନର ସୁନିଲ ମିଶ୍ର ଗତ ମାସ ୧୫ ତାରିଖରେ ଅବସର ଗ୍ରହଣ କରିଥିଲେ। ତାହା ପୂର୍ବରୁ ଜୁନ୍ ମାସରେ ଏହି ପଦବିରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରାଯାଇଥିଲା। ଜୁଲାଇ ୩୧ ତାରିଖ ସୁଦ୍ଧା ଆଗ୍ରହୀ ବ୍ୟକ୍ତିମାନେ ଆବେଦନ କରିବାକୁ କୁହାଯାଇଥିଲା। ଆବେଦନ ପ୍ରକ୍ରିୟା ଶେଷ ହୋଇଥିଲେ ବି ଚୟନ କମିଟି ବୈଠକ ବସି ନ ଥିଲା। ଏଥର ମୁଖ୍ୟ ସୂଚନା କମିସନର୍ ପଦବି ପାଇଁ ଦୁଇ ଜଣ ଆଇପିଏସ୍ ଅଫିସରଙ୍କ ନାମ ଚର୍ଚ୍ଚାର ଆଗରେ ରହିଛି। ଜଣେ ହେଲେ ଅଗ୍ନିଶମ ଡିଜି ଏମ୍ ଅକ୍ଷୟ ଓ ଅନ୍ୟ ଜଣେ ହେଲେ ତାମିଲନାଡ଼ୁର ପୂର୍ବତନ ଡିଜି ଜଳଦ କୁମାର ତ୍ରିପାଠୀ। ଶ୍ରୀ ଅକ୍ଷୟ ଆସନ୍ତା ନଭେମ୍ବର ମାସରେ ଅବସର ଗ୍ରହଣ କରିବେ। ଶ୍ରୀ ତ୍ରିପାଠୀ ଗତ ଜୁନ୍ ମାସରୁ ଅବସର ନେଇ ସାରିଛନ୍ତି। ତାମିଲନାଡ଼ୁ କ୍ୟାଡର୍ର ଆଇପିଏସ୍ ଅଫିସର ଶ୍ରୀ ତ୍ରିପାଠୀଙ୍କ ଘର ଓଡ଼ିଶାରେ । ଏହା ବାଦ୍ କେନ୍ଦ୍ରାଞ୍ଚଳ ଆର୍ଡିସି ଅନିଲ ସାମଲ ମଧ୍ୟ ଏହି ପଦବି ପାଇଁ ଜଣେ ଦାବିଦାର ଥିବା କୁହାଯାଉଛି। ଶ୍ରୀ ସାମଲ ଚଳିତ ମାସରେ ଅବସର ଗ୍ରହଣ କରିବେ। ଏପରିକି ବର୍ତ୍ତମାନର ଡିଜି ଅଭୟ ଆସନ୍ତା ନଭେମ୍ବର ମାସରେ ଅବସର ନେଉଥିବାରୁ ତାଙ୍କ ନାମ ମଧ୍ୟ ମୁଖ୍ୟ ସୂଚନା କମିସନର ପଦବି ପାଇଁ ବିଚାର କରାଯାଇପାରେ ବୋଲି କୁହାଯାଉଛି।
ସୂଚନାଯୋଗ୍ୟ ଯେ ୨୦୦୫ ନଭେମ୍ବର ମାସରୁ ରାଜ୍ୟ ସୂଚନା କମିସନ କାର୍ଯ୍ୟକ୍ଷମ ହେଲା ପରେ ତିନି ଜଣ ମୁଖ୍ୟ ସୂଚନା କମିସନର ଭାବେ କାର୍ଯ୍ୟ କରିଛନ୍ତି। ଅବସରପ୍ରାପ୍ତ ଆଇଏଏସ୍ ଅଫିସର୍ ଡି ଏନ୍ ପାଢ଼ୀ ପ୍ରଥମ ମୁଖ୍ୟ ସୂଚନା କମିସନର୍ ଭାବେ ନିଯୁକ୍ତି ପାଇଥିଲେ। ତାଙ୍କ ପରେ ପୂର୍ବତନ ମୁଖ୍ୟ ଶାସନ ସଚିବ ତରୁଣକାନ୍ତି ମିଶ୍ର ଏହି ପଦବିରେ ଅବସ୍ଥାପିତ ହୋଇଥିଲେ। ଶ୍ରୀ ମିଶ୍ରଙ୍କ ପରେ ଅବସରପ୍ରାପ୍ତ ଆଇଆର୍ଏସ୍ ଅଫିସର ସୁନିଲ ମିଶ୍ର ମୁଖ୍ୟ ସୂଚନା କମିସନର୍ ଭାବେ କାର୍ଯ୍ୟ କରି ଗତ ଅଗଷ୍ଟ ମାସରେ ଅବସର ଗ୍ରହଣ କରିଛନ୍ତି।