ଭୁବନେଶ୍ବର: ସ୍ପଷ୍ଟ ଜନାଦେଶ ପାଇସାରିଛି ବିଜେପି। ଓଡ଼ିଶାର କ୍ଷମତାର ଡୋରି ଏବେ ବିଜେପି ହାତରେ। କେବଳ ସରକାର ଗଠନକୁ ବାକି ରହିଛି। ତେବେ ମୁଖ୍ୟମନ୍ତ୍ରୀ କିଏ ହେବେ, ତାହାକୁ ନେଇ ସାରା ରାଜ୍ୟରେ ଏବେ କଳ୍ପନାଜଳ୍ପନା ଆରମ୍ଭ ହୋଇଛି। ଫଳାଫଳ ଆସିବାର ୨୪ ଘଣ୍ଟା ବିତିଯାଇଥିଲେ ବି ଏହି ଚିତ୍ର ସ୍ପଷ୍ଟ ହୋଇନି। ସାଧାରଣତଃ ବିଜେପି କୌଣସି ରାଜ୍ୟର ବିଧାନସଭା ନିର୍ବାଚନ ବେଳେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ନାମ ଆଗୁଆ ଘୋଷଣା କରେନାହିଁ। ଫଳାଫଳ ପ୍ରକାଶ ପାଇବା ପରେ ନିଷ୍ପତ୍ତି ହୁଏ। ଦଳର କେନ୍ଦ୍ରୀୟ ନେତୃତ୍ବ ହିଁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବାଛନ୍ତି। ଓଡ଼ିଶାରେ ମଧ୍ୟ ସମାନ ସ୍ଥିତି। ସମସ୍ତେ କେନ୍ଦ୍ରୀୟ ନେତୃତ୍ବଙ୍କ ନିଷ୍ପତ୍ତିକୁ ଅପେକ୍ଷା କରିଛନ୍ତି। ନୂଆଦିଲ୍ଲୀରେ ନାମ ଚୂଡ଼ାନ୍ତ ହେଲା ପରେ ଏଠାରେ ବିଧାୟକ ଦଳ ବୈଠକ ବସି ତାଙ୍କୁ ନେତା ନିର୍ବାଚିତ କରାଯିବ। ୧୦ ତାରିଖରେ ଶପଥ ଗ୍ରହଣ ହେବ ବୋଲି ଆପାତତଃ ସ୍ଥିର ହୋଇସାରିଛି। ତେବେ ସମୟ ଓ ସ୍ଥାନ ଏ ଯାଏ ଚୂଡ଼ାନ୍ତ ହୋଇନି।
ମୁଖ୍ୟମନ୍ତ୍ରୀ ଭାବେ ଦଳ ଯାହାକୁ ଅବସ୍ଥାପିତ କରିବ, ତାଙ୍କର ଉଭୟ ସରକାର ଓ ଦଳ ପାଇଁ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିବ। ଯେହେତୁ କେନ୍ଦ୍ର ଓ ରାଜ୍ୟରେ ବିଜେପି ସରକାର ରହିବ, ତେଣୁ ରାଜ୍ୟବାସୀଙ୍କ ଆଶା ମଧ୍ୟ ଅଧିକ ରହିବା ସ୍ବାଭାବିକ। ନୂଆ ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ର-ରାଜ୍ୟ ମଧ୍ୟରେ ସମନ୍ବୟ ରକ୍ଷା କରି ବଡ଼ ଯୋଜନା କରିବାକୁ ପଡ଼ିବ। ଆହୁରି ମଧ୍ୟ ଦଳୀୟ ଦୃଷ୍ଟିକୋଣରୁ ଦେଖିଲେ ବିଜେପି ମ୍ୟାଜିକ୍ ନମ୍ବର ୭୪ ଟପିଯାଇଛି ସତ, କିନ୍ତୁ ବହୁତ ଆଗକୁ ଯାଇପାରିନି। ପୁଣି ବହୁ ବିଧାୟକ କମ୍ ଭୋଟ୍ ବ୍ୟବଧାନରେ ଜିତିଛନ୍ତି। ଦଳର ଭୋଟ୍ ପ୍ରତିଶତ ମଧ୍ୟ ଉତ୍ସାହଜନକ ନୁହେଁ। ତେଣୁ ଆଗାମୀ ପାଞ୍ଚ ବର୍ଷରେ ଦଳର ସାଂଗଠନିକ ସ୍ଥିତିକୁ ମଜଭୁତ କରିବାକୁ ପଡ଼ିବ। ସେହି ଦୃଷ୍ଟିକୋଣରୁ ନୂଆ ମୁଖ୍ୟମନ୍ତ୍ରୀଙ୍କର ସାଂଗଠନିକ ଦକ୍ଷତା ଦଳ ପାଇଁ ବହୁତ ଗୁରୁତ୍ବପୂର୍ଣ୍ଣ।
ମୁଖ୍ୟମନ୍ତ୍ରୀ ପଦବିକୁ ନେଇ ସାମାଜିକ ଗଣମାଧ୍ୟମରେ ଆଜି ଦିନତମାମ ଭିନ୍ନ ଭିନ୍ନ ପୂର୍ବାନୁମାନ ଚାଲିଛି। ୭/୮ ଜଣଙ୍କ ନାମ ଏବେ ଚର୍ଚ୍ଚାକୁ ଆସିଲାଣି। ସମୟ ଯେତିକି ଗଡ଼ୁଛି, ଏହି ତାଲିକା ଆହୁରି ଲମ୍ବି ଚାଲିଛି। ଚର୍ଚ୍ଚାର ସର୍ବାଗ୍ରେ ରହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ। ୧୦ ବର୍ଷ ହେଲା ରାଜ୍ୟ ବିଜେପିର ସେ ଅଘୋଷିତ ଚେହେରା ପାଲଟିଛନ୍ତି। ୨୦୧୯ ଓ ୨୦୨୪ ନିର୍ବାଚନରେ ଅଧିକାଂଶ ଟିକେଟ ତାଙ୍କରି ସମ୍ମତିରେ ବଣ୍ଟାଯାଇଛି। ଆଉ ନିର୍ବାଚନ ପ୍ରଚାର ବେଳେ ବିଜେଡିର ମୁଖ୍ୟ ଟାର୍ଗେଟ୍ରେ ଧର୍ମେନ୍ଦ୍ର ହିଁ ଥିଲେ। ସେ ସାଂସଦ ଭାବେ ବିଜୟ ଲାଭ କରିଥିବାରୁ ଯଦି ତାଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଚୟନ କରାଯାଏ, ତେବେ ତାଙ୍କୁ ଉପନିର୍ବାଚନର ସାମ୍ନା କରିବାକୁ ପଡ଼ିବ। ଧର୍ମେନ୍ଦ୍ରଙ୍କ ପରେ ଆଜି ଯଦି ସର୍ବାଧିକ କାହା ନାମରେ ଚର୍ଚ୍ଚା ହୋଇଛି, ସେ ହେଲେ ଗିରିଶ ମୁର୍ମୁ। ସେ ଏବେ ଦେଶର ସିଏଜି ଭାବେ କାର୍ଯ୍ୟ କରୁଛନ୍ତି।
ପୂର୍ବରୁ ଜମ୍ମୁ କାଶ୍ମୀରର ରାଜ୍ୟପାଳ ଭାବେ କାର୍ଯ୍ୟ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ସେ ଜଣେ ବିଶ୍ବସ୍ତ ଅଧିକାରୀ। ଶ୍ରୀ ମୁର୍ମୁ ଜଣେ ଦକ୍ଷ ଅଧିକାରୀ ସତ, କିନ୍ତୁ ରାଜ୍ୟ ରାଜନୀତି କିମ୍ବା ବିଜେପି ସଂଗଠନ ସହ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଆଦୌ ଜଡ଼ିତ ନାହାନ୍ତି। ତେଣୁ ତାଙ୍କୁ ଆଣି ସିଧା ମୁଖ୍ୟମନ୍ତ୍ରୀ କରାଯିବା ଘଟଣାକୁ ରାଜନୈତିକ ସମୀକ୍ଷକ ଭାବେ ଗ୍ରହଣ କରିପାରୁ ନାହାନ୍ତି। ଏହି ତାଲିକାରେ ବ୍ରଜରାଜନଗର ବିଧାୟକ ସୁରେଶ ପୂଜାରୀ, କେନ୍ଦୁଝର ବିଧାୟକ ମୋହନ ମାଝୀ ଓ ରଣପୁର ବିଧାୟକ ସୁରମା ପାଢ଼ୀଙ୍କ ନାମ ମଧ୍ୟ ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚାରେ ରହିଛି। କେଉଁ ନେତା କେଉଁ ଦୃଷ୍ଟିରୁ ଯୋଗ୍ୟ, ତାହାର ହିସାବ ମଧ୍ୟ ସମର୍ଥକମାନେ ଦେଉଛନ୍ତି। ଏମିତିରେ ଆଦୌ ଚର୍ଚ୍ଚାରେ ନଥିବା ନେତାଙ୍କୁ ମୁଖ୍ୟମନ୍ତ୍ରୀ ପଦବିରେ ବସାଇ ବିଜେପି କେନ୍ଦ୍ର ନେତୃତ୍ବ ଚକ୍ମା ଦେବାର ଉଦାହରଣ ଅନ୍ୟ ରାଜ୍ୟରେ ରହିଛି। ଓଡ଼ିଶାରେ ମଧ୍ୟ ସେପରି ହେବାରେ କିଛି ଅସ୍ବାଭାବିକତା ନାହିଁ। କେନ୍ଦ୍ର ନେତୃତ୍ବଙ୍କ ଗତିବିଧି କେହି ରାଜ୍ୟ ନେତା ଠଉରାଇ ପାରୁ ନଥିବାରୁ ମୁଖ୍ୟମନ୍ତ୍ରୀ ପ୍ରସଙ୍ଗରେ ପାଟି ଫିଟାଉ ନାହାନ୍ତି।