କଟକ: କାହା ନିୟନ୍ତ୍ରଣରେ ରହିବ କଟକ-କେନ୍ଦ୍ରାପଡ଼ା-ଜଗତସିଂହପୁରର ଅପରାଧ ସାମ୍ରାଜ୍ୟ? କିଏ ହେବ ଏହି ଉପକୂଳ ଅଞ୍ଚଳର ଡନ୍? ଗ୍ୟାଙ୍ଗଷ୍ଟର୍ ସୁଶାନ୍ତ ଓ ସୁଶୀଲ ଧଳସାମନ୍ତ ଭାଇ ଏବେ ଜେଲରେ ଥିବା ବେଳେ ଦୀପୁ-ଓମ୍ ହତ୍ୟାକାଣ୍ଡ ମାମଲା ଶୁଣାଣ‌ି‌ରେ ଫସି ରହିଛନ୍ତି। ଗ୍ୟାଙ୍ଗଷ୍ଟର୍ ହାଇଦର୍ ପୁଲିସ ଏନକାଉଣ୍ଟରରେ ନିହତ ହୋଇଛି। ଏହି ଦୁଇ ଗ୍ୟାଙ୍ଗଷ୍ଟରଙ୍କ ସାମ୍ରାଜ୍ୟ ଏକ ପ୍ରକାର ଧୂଳିସାତ୍ ହୋଇଯାଇଛି। ଅନ୍ୟପଟେ ଗ୍ୟାଙ୍ଗଷ୍ଟର୍ ଟିଟୋ ଯଦିଓ ଜେଲ୍ ବାହାରେ ଅଛି, କିନ୍ତୁ ସେ ଏକପ୍ରକାର ନିଖୋଜ ସ୍ଥିତିରେ ରହିଛି।

Advertisment

ଉପକୂଳ ଜିଲ୍ଲାରେ ପୁଲିସ ଚାକିରି ସମୟରେ ଟିଟୋକୁ ଅତି ନିକଟରୁ ଅନୁଧ୍ୟାନ କରିଥିବା ବରିଷ୍ଠ ପୁଲିସ ଅଧିକାରୀଙ୍କ ମଧ୍ୟରୁ କିଛି ଅବସର ନେଇଥିବା ବେଳେ ଆଉ କିଛି ଜିଲ୍ଲା ବାହାରକୁ ବଦଳି ହୋଇଗଲେଣି। ନୂଆ ପୁଲିସ ଅଧିକାରୀ ଟିଟୋର ଅପରାଧ ଶୈଳୀ ଓ ଗତିବିଧି ସମ୍ପର୍କର ସମ୍ପୂର୍ଣ୍ଣ ଅନ୍ଧାରରେ। ଏଭଳି ପରିସ୍ଥିତିରେ ଟିଟୋ ପୁଣି ଥରେ ମୁଣ୍ଡ ଟେକି ପୁଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିବାର ଆଶଙ୍କା ଥିବା ଅବସରପ୍ରାପ୍ତ ପୁଲିସ ଅଧିକାରୀମାନେ ଆଶଙ୍କା କଲେଣି। ୨୦୧୮ ଜୁନରେ ଟିଟୋକୁ ଶେଷ ଥର କ୍ରାଇମବ୍ରାଞ୍ଚ ଏସଟିଏଫ୍‌ ଗିରଫ କଲା ପରେ ଚଳିତ ବର୍ଷ ସେ ବ୍ରହ୍ମପୁର ଜେଲରୁ ସର୍ତ୍ତମୂଳକ ଜାମିନରେ ଖଲାସ ହୋଇଥିଲା। କିନ୍ତୁ ଜାମିନରେ ଆସି ପୁଲିସକୁ ସହଯୋଗ ନକରିବାରୁ ହାଇକୋର୍ଟ ଜାମିନ୍ ଖାରଜ କରି ଟିଟୋକୁ ଗିରଫ କରିବାକୁ ପୁଲିସକୁ ନିର୍ଦ୍ଦେଶ ଦେଇଥିଲା। ଏବେ ତାର ପତ୍ତା ମିଳୁନାହିଁ। ଏବେ ସେ ବିଦେଶରେ ଅର୍ଥାତ ଦୁବାଇରେ ଥିବା ଗୋଟିଏ ପକ୍ଷ କହୁଥିବା ବେଳେ ଆଉ କେହି ସେ ଦେଶ ଭିତରେ ଥିବା ଚର୍ଚ୍ଚା କରୁଛନ୍ତି। ଗୋଟିଏ ସମୟରେ ଟିଟୋ ଗ୍ୟାଙ୍ଗ ପାଇଁ ନୂଆ ପିଲାଙ୍କୁ ନିଯୁକ୍ତି କରିବା ପଛର ପ୍ରମୁଖ କାର୍ପଟଦାର କଟକ ନିଆଳିର ସାର୍ପ ସୁଟର୍ ଚଗଲା ମଲ୍ଲିକ ୨୦୦୬ ପରଠାରୁ କଟକରୁ ଫେରାର ହେବା ପରେ ୨୦୧୮ ଜୁଲାଇରେ ନୟାଗଡ଼ ପୁଲିସ ତାକୁ ଏନକାଉଣ୍ଟର କରିଥିଲା। ଚଗଲା ନିହତ ହେବା ପରେ ଟିଟୋ ନୂଆ ପିଲା ନିଯୁକ୍ତି ପ୍ରକ୍ରିୟାକୁ ଏକ ପ୍ରକାର ଗୋପନ ରଖିଆସୁଛି। କିଏ କାହାକୁ ନିଯୁକ୍ତି ଦେଉଛି, ଏ ନେଇ ବାହାରକୁ ତଥ୍ୟ ଆସୁନଥିବା ବେଳେ ଅଣ୍ଡର କଭରରେ ଏହି ନେଟଵାର୍କ ଉପକୂଳ ଜିଲ୍ଲାରେ ବ୍ୟାପୁଥିବା କୁହାଯାଉଛି।

କେନ୍ଦ୍ରାପଡ଼ାର ସାର୍ପ ସୁଟର ବାବୁ ସାହୁ ବି ଟିଟୋ ପାଇଁ ପିଲା ନିୟୋଜିତ କରୁଥିବା କୁହାଯାଏ। ପାରାଦୀପରେ ଟିଟୋର ଅପରାଧ ସାମ୍ରାଜ୍ୟ ନିୟନ୍ତ୍ରଣ କରୁଥିବା ବାପୁ ପରିଡ଼ା ପୁଲିସ ପାଇଁ ଅନେକ ସମୟରେ ବଡ଼ ଚ୍ୟାଲେଞ୍ଜ ହୋଇଆସିଛି। କଟକ ସହର ଓ ଉପକଣ୍ଠରେ ଟିଟୋର କ୍ରାଇମ୍ ସିଣ୍ଡିକେଟ୍ କାଲା ବାବୁ ଓରଫ ବାବୁ ଖାଁ ହାତରେ। କଟକର ଯୁବ ଗ୍ୟାଙ୍ଗଷ୍ଟର ସକିଲ ଟିଟୋ ଗ୍ୟାଙ୍ଗରୁ ବାହାରି ନିଜର ଅଲଗା ଗ୍ୟାଙ୍ଗ ଗଢ଼ିବା ପରେ କାଲା ବାବୁ ସାଇଲୋ ବଡବିଲିର ଡେଙ୍ଗା ଓରଫ ଅଲେଖ ରାଉତରାୟ, ଜଗତପୁରର ଖର୍ଧା ସାହିର ଟିଟୁନି ଓରଫ ଅଶୋକ ବେହେରା, ସତ୍ୟବ୍ରତ ମଲ୍ଲିକ ପ୍ରମୁଖଙ୍କୁ ନେଇ କଟକ ଅକ୍ତିଆର କରିବାରେ ଲାଗିଛି। ଧଳସାମନ୍ତ ଗ୍ୟାଙ୍ଗ୍ ଅପରାଧରେ ସିଧାସଳଖ ସମ୍ପର୍କ ରଖୁ ନଥିବା ବେଳେ ଏହି ସୁଯୋଗର ହାତଛଡ଼ା କରିବାକୁ ଚାହୁଁନି ଟିଟୋ। କଟକ ଜଗତପୁର ନର୍ଥ ଡିଭିଜନ୍‌, ମହାନଦୀ ବ୍ୟାରେଜ ଡିଭିଜନ, ଡ୍ରେନେଜ ଡିଭିଜନ, ଆରଆଣ୍ତବି ଡିଭିଜନରେ ଟେଣ୍ତର ଫିକ୍ସି˚ରେ ଟିଟୋ ଗ୍ୟାଙ୍ଗର ଭାଗିଦାରୀ ଅଧିକ ରହୁଛି।

ଅନ୍ୟପଟେ ଗ୍ୟାଙ୍ଗଷ୍ଟର ହାଇଦର୍ ୨୦୨୧ ଜୁଲାଇ ୨୪ରେ ଚୌଦ୍ବାର ଜେଲରୁ ବାରିପଦା ସର୍କଲ ଜେଲକୁ ସ୍ଥାନାନ୍ତର ସମୟରେ ବାଲେଶ୍ବର ନିକଟରେ ପୁଲିସ ଗୁଳିରେ ନିହତ ହେବା ପରେ ହାଇଦର ଯୁଗର ଶେଷ ହୋଇଥିଲା। ଏବେ ହାଇଦରର ବଡ଼ ପୁଅ ସେକ୍ ମୁନ୍ନା, ମଝିଆ ପୁଅ ଆଜାରୁଦ୍ଦିନ, ସାନ ପୁଅ ସେକ୍‌ ଚୁନ୍ନେଇ, ପୁତୁରା କାଲା, ଶଳା ଗୋରା, ସାନ ଜ୍ବାଇଁ ଯଦିଓ ଛୋଟ ଧରଣର ଅପରାଧରେ ସମ୍ପୃକ୍ତ ଅଛନ୍ତି, କିନ୍ତୁ ହାଇଦର ଶୈଳୀରେ ସେମାନଙ୍କୁ ନେଇ ବଡ଼ ଗ୍ୟାଙ୍ଗ ମୁଣ୍ଡ ଟେକିବାର ଆଶଙ୍କା କ୍ଷୀଣ। ବଡ଼ ପୁଅ ମୁନ୍ନା ଜଗତସିଂହପୁର ବିରିଡ଼ିର କୁଖ୍ୟାତ ଅପରାଧୀ ମିଲନ ଓରଫ ସୁଜିତ କୁମାର ସ୍ବାଇଁ, ଜଗତସିଂହପୁର ଥାନା ଅଞ୍ଚଳର କାଳିଆ ଓରଫ ସୌଭାଗ୍ୟ ଜେନା ଏବଂ ଖୋର୍ଧା ଜିଲ୍ଲା ଚନ୍ଦକା ଅଞ୍ଚଳର ଜିତୁ ଓରଫ ଦିବ୍ୟ ସ୍ବରୂପ ସାହୁ ଭଳି ସହଯୋଗୀଙ୍କୁ ଧରି ଅପରାଧରେ ସାମିଲ ଅଛି। କିନ୍ତୁ ସେମାନେ ବି ସେଭଳି ପ୍ରଭାବ ବିସ୍ତାର କରିପାରିବାର କ୍ଷମତା ରଖି ନାହାନ୍ତି। ସେହିଭଳି ନିମେଇସାପୁରର ତପୁ ଓରଫ ପ୍ରଶାନ୍ତ ଦାସ, ଜଗତସିଂହପୁରର ଟୁଲିଆ ଜେନା ଓରଫ ନିଗମାନନ୍ଦ ଜେନା ନିଜନିଜର ଗ୍ୟାଙ୍ଗ ଜରିଆରେ କଟକ, ଜଗତସିଂହପୁର ଅଞ୍ଚଳରେ ପ୍ରଭାବ ରଖୁଥିଲେ ବି ଟିଟୋ, ଧଳସାମନ୍ତ, ହାଇଦରଙ୍କ ଭଳି ପ୍ରଭାବ ଏଯାଏ ସୃଷ୍ଟି କରି ପାରି ନାହାନ୍ତି। ତେବେ ଉଭୟ ଧଳସାମନ୍ତ ଓ ହାଇଦର ସାମ୍ରାଜ୍ୟ ଦୁର୍ବଳ ହୋଇପଡ଼ିଥିବା ବେଳେ ବାହାରେ ଲୁଚିଛପି ଘୂରି ବୁଲୁଥିବା ଟିଟୋ ଉପକୂଳର ସଂପୂର୍ଣ୍ଣ ଅପରାଧ ସାମ୍ରାଜ୍ୟକୁ ଅକ୍ତିଆର କରିବାରେ କେତେ ସଫଳ ହେବ, ତାହା ଉପରେ ସମସ୍ତଙ୍କ ନଜର ରହିଛି।