ଟାଙ୍ଗରପାଲି ଓ ଲେଫ୍ରିପଡ଼ା ବ୍ଲକ୍: ଜିଲ୍ଲା ପରିଷଦରେ ବାଜି ମାରିବ କିଏ?

‘କ’ରେ ଆଦିବାସୀ କାର୍ଡ ଖେଳିପାରେ ସିପିଆଇ

ସୁନ୍ଦରଗଡ଼: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଟାଙ୍ଗରପାଲି ଓ ଲେଫ୍ରିପଡ଼ା ବ୍ଲକ୍ ଦୁଇ ପ୍ରମୁଖ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପୂର୍ବତନ ବିଧାୟକ ତଥା ବିଜେଡି ନେତା ଯୋଗେଶ କୁମାର ସିଂ ଓ ବର୍ତ୍ତମାନର ବିଜେପି ବିଧାୟିକା କୁସୁମ ଟେଟେଙ୍କୁ ନେଇ ଚର୍ଚ୍ଚାରେ। ଟାଙ୍ଗରପାଲି ବ୍ଲକ ତସଲାଡିହି ବିଧାୟିକା କୁସୁମଙ୍କ ଗାଁ ହୋଇଥିବା ବେଳେ ଯୋଗେଶ ଲେଫ୍ରିପଡ଼ା ବ୍ଲକ ସର୍ଗିପାଲି ବାସିନ୍ଦା। ପୂର୍ବ ଜମିଦାରିକୁ ନେଇ ଯୋଗେଶଙ୍କ ପ୍ରଭାବ ଏହି ଅଞ୍ଚଳରେ ଅଧିକ। ଏହି କାରଣରୁ ଏ ଦୁଇ ବ୍ଲକର ଜିଲ୍ଲା ପରିଷଦ ଓ ପଞ୍ଚାୟତସମିତି ଅଧ୍ୟକ୍ଷ ଆସନ ଉଭୟ ବିଜେଡି ଓ ବିଜେପି ପାଇଁ ସମ୍ମାନର ପ୍ରଶ୍ନ। ଉଭୟ ଦଳର ଜୟ ବା ପରାଜୟ ସହ ସେମାନଙ୍କ ପତିଆରାର ସମ୍ପର୍କ ଥିବାରୁ ସୁନ୍ଦରଗଡ଼ ବ୍ଲକ୍ ପରି ଏଠାରେ ମଧ୍ୟ ଉଭୟେ ମୁହାଁମୁହିଁ। ପ୍ରଥମେ ଆସିବା ଟାଙ୍ଗରପାଲି ବ୍ଲକକୁ। ମହିଳାଙ୍କ ପାଇଁ ସଂରକ୍ଷିତ ଟାଙ୍ଗରପାଲି-୯ ‘କ’ ଜିଲ୍ଲା ପରିଷଦ ଆସନରେ ବିଜେଡିରୁ ଗେଲବତି ପଟେଲ, ବିଜେପିରୁ ପୂଜା ପଟେଲ, କଂଗ୍ରେସରୁ ଯଶୋଦା ପଟେଲ ଓ ସିପିଆଇରୁ ସୁଲୋଚନା ଭୋଇ ପ୍ରତିଦ୍ବିନ୍ଦ୍ବିତା କରୁଛନ୍ତି।

ମଙ୍ଗସପୁର, ରେମେଣ୍ଡା, ନିଆଲିପାଲି, ଯୋଗୀମାଲ, କିରିପସିରା, ଉଜ୍ବଳପୁର, ଗମ୍ଭାରୀଡିହି ପଞ୍ଚାୟତର ୨୪୩୬୦ ଭୋଟର ନିଜ ପ୍ରତିନିଧି ନିର୍ବାଚିତ କରିବେ। ଏହି ଆସନରେ ପୂର୍ବରୁ ୨୦୧୨ରେ ବିଜେଡିର ବଲ୍ଲଭୀ ନାଏକ ଓ ୨୦୧୭ରେ ବିଜେପିର ରବିରତ୍ନ କିସାନ ନିର୍ବାଚିତ ହୋଇଥିଲେ। ଚଳିତ ନିର୍ବାଚନରେ ୩ ପ୍ରମୁଖ ବିଜେଡି, ବିଜେପି ଓ କଂଗ୍ରେସ ବାଜି ମାରିବାକୁ କସରତ ଆରମ୍ଭ କରି ଦେଇଥିବା ବେଳେ ପ୍ରଥମ ଥର ପାଇଁ ସିପିଆଇ ପ୍ରାର୍ଥିନୀ ୩ ଦଳକୁ ଟକ୍କର ଦେବାକୁ ଆଗେଇ ଆସିଛି। ବିଜେଡିର ଗେଲବତୀ ପଟେଲ ରାଜନୀତିରେ ପ୍ରଥମେ ପାଦ ଦେଇଥିଲେ ମଧ୍ୟ ସେ ଜଣେ ଆଇନଜୀବୀ ଓ ଉଚ୍ଚ ଶିକ୍ଷିତା ଭାବେ ପରିଚିତା। ଅନ୍ୟପଟେ ଟାଙ୍ଗରପାଲି ପଞ୍ଚାୟତସମିତି ଅଧ୍ୟକ୍ଷ ଜଟିଆ ମୁଣ୍ଡା ‘କ’ ଜୋନ୍ ବାସିନ୍ଦା।

ଏସ୍ଥିତିରେ ବିଜେଡିର ଜୟ ପରାଜୟ ସହ ତାଙ୍କ ଦକ୍ଷତା ମଧ୍ୟ ଯୋଡ଼ି ହୋଇଥିବାରୁ ସେ ଜିତାପଟ ପାଇଁ ବଳ ଲଗାଇ ଦେଇଛନ୍ତି। ତେବେ ବିଜେପିର ପୂଜା ପଟେଲ ଓ କଂଗ୍ରେସର ଯଶୋଦା ପଟେଲ ସିଧା ରୋଷେଇ ଶାଳରୁ ରାଜନୀତିକୁ ଆସିଛନ୍ତି। ପୂଜା ପଟେଲଙ୍କ ସ୍ବାମୀ ରାଜେଶ ପଟେଲ ଗତ ନିର୍ବାଚନରେ ଯୋଗୀମାଲ ପଞ୍ଚାୟତ ସମିତିସଭ୍ୟ ଭାବେ ଲଢ଼ି ପରାଜିତ ହୋଇଥିଲେ। ପ୍ରଥମ ଥର ରାଜନୀତିକୁ ଆସିଥିଲେ ମଧ୍ୟ ପୂଜା ମୋଦୀଙ୍କ ନାମରେ ନିର୍ବାଚନୀ ବୈତରଣୀ ପାର ହେବାର ଆଶା ରଖିଛନ୍ତି। ଅନ୍ୟପଟେ ଏଠାରେ ପୂର୍ବତନ ବିଧାୟକ ଯୋଗେଶଙ୍କ ସମେତ ପଞ୍ଚାୟତସମିତି ଅଧ୍ୟକ୍ଷ ଜଟିଆ ମୁଣ୍ଡା ଓ ଅନ୍ୟ ବହୁ କଂଗ୍ରେସ ନେତା କଂଗ୍ରେସ ଛାଡ଼ି ବିଜେଡିରେ ସାମିଲ ହୋଇଥିବାରୁ କଂଗ୍ରେସର ସ୍ଥିତି ଭଲ ନାହିଁ। ଏହା ସତ୍ତ୍ବେ ଅବସରପ୍ରାପ୍ତ ଶିକ୍ଷକ ସୁକଦେବ ବଢ଼େଇଙ୍କ ନେତୃତ୍ବରେ ଦଳ ମଙ୍ଗସପୁର ପଞ୍ଚାୟତର ଝିଅ ଓ ଯୋଗୀମାଲ ପଞ୍ଚାୟତର ବୋହୂ ଯଶୋଦାଙ୍କୁ ପ୍ରାର୍ଥୀ କରି ଦୁଇ ପଞ୍ଚାୟତର ଏକପାଖିଆ ସମର୍ଥନରେ ବିଜୟ ମୁହାଁ ହେବାକୁ ଆଶା ରଖିଛି। ତେବେ ଏଠାରେ ୩ ପ୍ରମୁଖ ଦଳର ପ୍ରାର୍ଥିନୀମାନେ ଅଗ୍ରିଆ ସମ୍ପ୍ରଦାୟର ହୋଇଥିବାରୁ ସିପିଆଇ ଦଳ ଯୁବନେତା ସନ୍ତୋଷ ଆଚାର୍ଯ୍ୟଙ୍କ ନେତୃତ୍ବରେ ଆଦିବାସୀ କାର୍ଡ ଖେଳିବାକୁ ଉଜ୍ବଳପୁର ଗ୍ରାମଦେବତୀ ପୂଜକଙ୍କ ପୁତ୍ରବଧୂ ସୁଲୋଚନାଙ୍କୁ ପ୍ରାର୍ଥୀ କରିଛି। ୩ ପ୍ରମୁଖ ଦଳରେ ଅଗ୍ରିଆ ଭୋଟ୍ ବିଭାଜନରୁ ସିପିଆଇ ବିଜୟ ହାସଲ କରିବ ବୋଲି ଆଶା ରଖିଛି। ସେହିପରି ମହିଳା ସଂରକ୍ଷିତ ଟାଙ୍ଗରପାଲି-୧୦ ‘ଖ’ ଜିଲ୍ଲା ପରିଷଦ ଆସନରେ ବିଜେଡିରୁ କୁନ୍ତୀ ପ୍ରଧାନ, ବିଜେପିରୁ ସରସ୍ବତୀ ଓରାମ ଓ କଂଗ୍ରେସରୁ ସୁପ୍ରିୟା ଚୌଧୁରୀ ନିର୍ବାଚନୀ ମୈଦାନକୁ ଓହ୍ଲାଇଛନ୍ତି।

ଏହି ଆସନ ପାଇଁ ଟାଙ୍ଗରପାଲି, ମେଘଡେଗା, ମହୁଲପାଲି, ତସଲାଡିହି, ରତନପୁର, ସାନପତ୍ରାପାଲି ପଞ୍ଚାୟତର ୨୫୫୦୧ ଭୋଟର ମତଦାନ କରିବେ। ଏଠାରେ ପୂର୍ବରୁ ୨୦୧୨ରେ ବିଜେଡିର ସୁପ୍ରିୟା ତନ୍ତୀ ଓ ୨୦୧୭ରେ ବିଜେପିର ଯୋଗେଶ୍ବର ଭୋଇ ନିର୍ବାଚିତ ହୋଇଥିଲେ। ବିଜେଡିର କୁନ୍ତୀ ପ୍ରଧାନ ୨୦୧୨ରେ କଂଗ୍ରେସ ଦଳରୁ ପ୍ରତିଦ୍ବନ୍ଦ୍ବିତା କରି ପରାଜିତ ହୋଇଥିଲେ। ସମାଜସେବାରେ ମନୋନିବେଶ କରିଥିବା ଅବିବାହିତା କୁନ୍ତୀ ପରବର୍ତ୍ତୀ ସମୟରେ ବିଜେଡିରେ ଯୋଗ ଦେଇ ଚଳିତ ନିର୍ବାଚନରେ ବିଜୟର ଆଶା ରଖିଛନ୍ତି। ସେହିପରି ବିଜେପିର ସରସ୍ବତୀ ଓରାମ ଖ୍ରୀଷ୍ଟିଆନ ଆଦିବାସୀ ଭୋଟ୍ ପାଇବାର ଆଶା ରଖିଛନ୍ତି। ତେଲେନଡିହିରୁ ସାନପତ୍ରାପାଲି ଅଞ୍ଚଳ ଖ୍ରୀଷ୍ଟିଆନ ଭୋଟ୍ ବହୁଳ ହୋଇଥିବାରୁ ସେ ଏହାର ଫାଇଦା ନେଇପାରନ୍ତି।

ସେହିପରି କଂଗ୍ରେସର ସୁପ୍ରିୟା ରାଜନୀତିରେ ନୂଆ ହୋଇଥିଲେ ମଧ୍ୟ ଟାଙ୍ଗରପାଲି ପଞ୍ଚାୟତ ସମିତି ଉପାଧ୍ୟକ୍ଷ ଥିବା ତାଙ୍କ ଶ୍ବଶୁର ଅଶୋକ କୁମାର ନାଏକଙ୍କ ରାଜନୈତିକ ଅନୁଭୂତିକୁ ଧରି ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି। ଲେଫ୍ରିପଡ଼ା ‘କ’ ୩୪ ନମ୍ବର ଜିଲ୍ଲା ପରିଷଦ ଅନୁସୂଚୀତ ଜନଜାତି ପାଇଁ ସଂରକ୍ଷିତ। ପ୍ରାର୍ଥୀ ଭାବେ ମୈଦାନରେ ବିଜେଡିର ବୈଷ୍ଣବ ମାଝୀ, ବିଜେପିର ରାଜେଶ ସୋରେଙ୍ଗ, କଂଗ୍ରେସର ହରେକୃଷ୍ଣ ଭିତିରିଆ ଓ ସ୍ବାଧୀନ ପ୍ରାର୍ଥୀ ଅମିତ କୁମାର କିସାନ। ତଳସରା ବିଧାରନସଭା କ୍ଷେତ୍ରରେ ଥିବା ଅଲାପକା, ହୁର୍ମେଇ, ଗିରିଙ୍ଗକେଲା, ଗୁଣ୍ଡିଆଡିହି, ମଶାବିରା, ଡୁମାବାହାଲ, ରାଜବାହାଲ, ସରଫଗଡ଼ ପଞ୍ଚାୟତର ୨୭୪୭୯ ଭୋଟର। ଏଠାରେ ୨୦୧୨ରେ ବିଜେଡିର ପିତୃଷ ଟପ୍ପୋ ଓ ୨୦୧୭ରେ ବିଜେପିର ବାସନ୍ତୀ ବାରିକ ନିର୍ବାଚିତ ହୋଇଥିଲେ। ଚଳିତ ନିର୍ବାଚନରେ ବିଜେଡି ପ୍ରାର୍ଥୀ ହୋଇଥିବା ଶ୍ରୀ ମାଝୀ ବ୍ଲକ୍ ସଭାପତି ରହିଛନ୍ତି। ଏବେ କଳେ ବଳେ କୌଶଳେ ବିଜେପି ହାତରୁ ଆସନ ଛଡ଼ାଇନେବାକୁ ବିଜେଡି ନୂଆ ରଣନୀତି ଆପଣେଇଛି। ଜିଲ୍ଲା ସଭାପତି ତଥା ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ବିନୟ ଟପ୍ପୋଙ୍କ ନେତୃତ୍ବରେ ନବୀନ ପଟ୍ଟନାୟକଙ୍କ ବିଭିନ୍ନ ଯୋଜନାକୁ ଅସ୍ତ୍ର କରି ଭୋଟ ସାଉଁଟିବାର ଉଦ୍ୟମ ହୋଇଛି। ସେହିପରି ବିଧାୟକ ତଥା ବିଜେପି ଜିଲ୍ଲା ସଭାପତି ଭବାନୀଶଙ୍କର ଭୋଇ ନିଜ ନିର୍ବାଚନମଣ୍ଡଳୀରେ ଥିବା ଏହି ଅଞ୍ଚଳରେ ପୂର୍ବ ଆସନ ବଜାୟ ରଖିବାକୁ ଉଦ୍ୟମ ଚଲାଇଛନ୍ତି।

ବିଜେପି ଯୁବନେତା ତଥା ଲେଫ୍ରିପଡା ପଞ୍ଚାୟତ ସମିତି ଉପାଧ୍ୟକ୍ଷ ଅମୀର ନାଏକ ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଜୋର୍ ଲଗାଇଛନ୍ତି। ଏଥର ଦଳ ଗିରିଙ୍ଗକେଲାର ରାଜେଶ ସୋରେଙ୍ଗଙ୍କୁ ପ୍ରାର୍ଥୀ କରିଛି। କଂଗ୍ରେସ ଓ ସିପିଏମ ମଧ୍ୟ ନିଜ ନିଜର ପ୍ରାର୍ଥୀ ଛିଡ଼ା କରିଛନ୍ତି। ତେବେ ଏହି ଜୋନ୍ ପ୍ରାୟ ଦୁର୍ଗମ ଓ ଉପାନ୍ତ ଅଞ୍ଚଳ ହୋଇଥିବା ବେଳେ ଲୋକେ ମୌଳିକ ସେବାରୁ ବଞ୍ଚିତ ହୋଇ ଆସୁଛନ୍ତି। ଏସ୍ଥିତିରେ ଦୁଇ ପ୍ରମୁଖ ଦଳର ଜିଲ୍ଲା ସଭାପତିଙ୍କ ପାଇଁ ଏହି ଜୋନର ବିଜୟ ବଡ଼ ଆହ୍ବାନ ଠିଆ କରିଛି। ଲେଫ୍ରିପଡ଼ା ‘ଖ’ ୩୫ ନମ୍ବର ଜିଲ୍ଲାପରିଷଦ ଅନୁସୂଚୀତ ଜାତି ମହିଳା ପାଇଁ ସଂରକ୍ଷିତ। ଏଥିରେ ବିଜେଡିରୁ ଅଞ୍ଜଳି ଘୋଷ, ବିଜେପିରୁ ସଂଯୁକ୍ତା ବୁଖ୍ରା ଓ କଂଗ୍ରେସରୁ ସରସ୍ବତୀ ସେଠ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। ଛଟେନପାଲି, ଝୁରିମାଲ, ଦର୍ଲିପାଲି, ରାଇବଗା, ରାଇଡିହି, ଲେଫ୍ରିପଡ଼ା, କୁଲାବିରା, ସର୍ଗିପାଲି, ବଡ଼ବଙ୍ଗା ପଞ୍ଚାୟତର ୩୩୭୪୨ ଭୋଟର ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ଏଠାରେ ୨୦୧୨ରେ କଂଗ୍ରେସର ରୀନା ମାଝୀ, ୨୦୧୭ରେ ପୁଣି କଂଗ୍ରେସର ଯୋଗେଶଙ୍କ ଭାଇ ନରେଶ ପ୍ରତାପ ସିଂ ନିର୍ବାଚିତ ହୋଇଥିଲେ। ଏହା ଦୁଇଟି ବିଧାନସଭା ନିର୍ବାଚନମଣ୍ଡଳୀ ପରିସରଭୁକ୍ତ ଥିବା ଦୃଷ୍ଟିରୁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଜୋନ୍ ଭାବେ ଜଣାଶୁଣା।

ଅଦ୍ୟାବଧି ଏହି ଜୋନରୁ କେବଳ ଥରେ ବିଜେପି ବିଜୟୀ ହୋଇଥିଲା ଓ ପରବର୍ତ୍ତୀ ୪ ନିର୍ବାଚନରେ ଯୋଗେଶଙ୍କ ନେତୃତ୍ୱରେ କଂଗ୍ରେସ ନିଜର ଦବଦବା ବଜାୟ ରଖିଥିଲା। ଯୋଗେଶ ବିଜେଡିକୁ ଆସିବା ପରେ ଏବେ ବିଜେଡି ପ୍ରାର୍ଥୀଙ୍କ ଜିତାପଟ ଉପରେ ତାଙ୍କ ସମ୍ମାନ ନିର୍ଭର ଥିବାରୁ ସେ ପୂରା ଦମ୍ ଲଗାଇ ଦେଇଛନ୍ତି। ବିଧାୟିକା କୁସୁମ ମଧ୍ୟ ଏହି ଆସନକୁ ହାତଛଡ଼ା ନକରିବାକୁ ଲାଗି ପଡ଼ିଛନ୍ତି। ପ୍ରାର୍ଥିତ୍ବକୁ ବିଚାରକୁ ନେଲେ ପୂର୍ବ ନିର୍ବାଚନଗୁଡିକରେ ସର୍ଗିପାଲି ଓ ବଡବଙ୍ଗା ପଞ୍ଚାୟତର ପ୍ରାର୍ଥୀ ହିଁ ବିଜୟୀ ହୋଇ ଆସିଛନ୍ତି। ଏଥର ଦର୍ଲିପାଲିରୁ ୨ ଜଣ ପ୍ରାର୍ଥୀ ବିଜେପିର ଶ୍ରୀମତୀ ବୁଖ୍ରା ଓ କଂଗ୍ରେସରୁ ସରସ୍ବତୀ ସେଠ ରହିଛନ୍ତି। ତେଣୁ ଦର୍ଲିପାଲି, ରାଏଡିହି ଓ ରାଏବଗା ସିଂହ ଭାଗ ଭୋଟ୍ ସେହି ଦୁଇ ପ୍ରାର୍ଥୀ ଭାଗ କରି ନେବେ। ସେହିଭଳି ଯୋଗେଶଙ୍କ ନିଜ ପଞ୍ଚାୟତ ସର୍ଗିପାଲି ଓ ଝୁରିମାଲର ଏକତରଫା ଭୋଟ୍ ବିଜୟ ପାଇଁ ନିର୍ଣ୍ଣାୟକ ଭୂମିକା ନେଉଥିବାରୁ ଏହି ଦୁଇ ପଞ୍ଚାୟତ ବିଜେଡି ପାଇଁ ସହାୟକ ହେବ ବୋଲି କୁହାଯାଉଛି। ବଡ଼ବଙ୍ଗା, ଛଟେନପାଲି ପଞ୍ଚାୟତରେ ଉଭୟ ବିଜେପି ଓ ବିଜେଡି ଭୋଟ ଭାଗ କରି ନେବାର ସମ୍ଭାବନା ଥିବା ବେଳେ ତଳସରା ନିର୍ବାଚନ ମଣ୍ଡଳୀ ଅଧୀନରେ ଥିବା ଲେଫ୍ରିପଡା ଓ କୁଲାବିରା ପଞ୍ଚାୟତ ଦ୍ବୟରେ ବିଜେଡି ସୁବିଧା ଜନକ ସ୍ଥିତିରେ ଥିବା ଅନୁମାନ କରାଯାଉଛି।

ସମ୍ବନ୍ଧିତ ଖବର