ଜୟପୁର: ଭିଜିଲାନ୍ସ କାର୍ଯ୍ୟାଳୟ ପାର୍ଶ୍ବରେ ଥିବା ଆରଏମସିର କୃଷକ ଭବନକୁ ଭଡ଼ାସୂତ୍ରରେ ନେଇଥିବା ସମ୍ବାଦ ଗ୍ରୁପ୍‌ ଗତବର୍ଷକ ହେବ ଖାଲି କରିଥିଲେ। ଏହାରି ମଧ୍ୟରେ ଆରଏମସି ନିଜ ଅଧିନରେ ଏହି ସଂପତ୍ତିକୁ ସୁରକ୍ଷିତ ଭାବେ ରଖିବା ବଦଳରେ ସେଭଳି ଛାଡ଼ି ଦେବା ଫଳରେ ଏହାର ଗ୍ରୀଲ ଠାରୁ ଆରମ୍ଭ କରି କବାଟ ଝରକା ସବୁ ଭାଙ୍ଗି ଲୁହା ଆଦି ଚୋରି ହେଉଛି। ସେଭଳି ‌ଦୈନିକ ବଜାର ପରିସରରେ ଗତ ୧୮ବର୍ଷ ତଳେ ସ୍ଥାପନ କରିଥିବା ଜୟପୁର କୋଲ୍ଡ ଚାମ୍ବରରେ ଥିବା ଯନ୍ତ୍ରାଂଶ ବି ଚୋରୀ ହେବା ସହ ଗାଏବ ହୋଇଯାଇଛି। ଆରଏମସି (ନିୟନ୍ତ୍ରିତ ବଜାର କମିଟି)ର ସଂପତ୍ତିର ସୁରକ୍ଷା ଦାୟିତ୍ବ କାହାର ଏବେ ଏହାକୁ ନେଇ ଉଠିଛି ପ୍ରଶ୍ନ।

Advertisment

ଭିଜିଲାନସ୍ ଏସପି କାର୍ଯ୍ୟାଳୟ ପାର୍ଶ୍ବରେ ଥିବା ଆରଏମସିର କୃଷକ ଭବନକୁ ସମ୍ବାଦ ଗୃପ ପକ୍ଷରୁ ଭଡ଼ାସୂତ୍ରରେ ନିଆଯାଇଥିଲା। ତେବେ ଏହାର ଉତ୍ତମ ରକ୍ଷଣାବେକ୍ଷଣ ପାଇଁ ଆରଏମସିକୁ ବାରମ୍ବାର ଜଣାଇବା ପରେ କିଛି ପଦକ୍ଷେପ ଆରଏମସି ନେଇ ନଥିଲା।ପରବର୍ତ୍ତୀ ସମୟରେ ସମ୍ବାଦ ଗୃପ ଏହି ଘରକୁ ଖାଲି କରି ପାରାବେଡ଼ା ସନ୍ତୋଷୀ ମା’ନଗର ଦ୍ବିତୀୟ ଗଳିରେ ଗୋଟିଏ ଭଡ଼ା ଘରକୁ ସ୍ଥାନାନ୍ତର କରାଯାଇଥିଲା। ଗତ ବର୍ଷକ ହେବ ସ୍ଥାନାନ୍ତର ହୋଇଥିଲେ ହେଁ ଏଯାଏଁ ଉକ୍ତ ବିପଦସଂକୁଳ କୃଷକ ଭବନକୁ ଭଙ୍ଗାଯିବା କିମ୍ବା ସେଠାରେ ରହିଥିବା ଲୁହା ଓ କବାଟ ଆଦିକୁ ସାଇତି ରଖି ପାରିଲା ନି ଆରଏମସି। ବିପଦସଂକୁଳ ଅବସ୍ଥାରେ ଥିବା ଏହି କୋଠା ମଧ୍ୟରେ ଅସମାଜିକ ମାନେ ଆଡ୍ଡା ଜମାଇବା ସହ ଲୁହା ଓକବାଟ ଆଦି ବାହାର କରି ନେଇଗଲେଣି।

ସେଭଳି ଗତ ୧୮ବର୍ଷ ତଳେ ଆରଏମସି ପକ୍ଷରୁ ପରିବା ବ୍ୟବସାୟୀ ଏବଂ ଚାଷୀଙ୍କ ସୁବିଧା ଲାଗି ସହର ମଝିରେ ଥିବା ବିଦ୍ୟାଧର ଦୈନିକ ବଜାର  ଏହା ପ୍ରତିଷ୍ଟା କରାଯାଇଥିଲା। ଅଂଚଳର ଚାଷୀ ମାନେ ନିଜ ପରିବାକୁ ବିକ୍ରୀ କରିବା ଏବଂ ବଳକା ପରିବାକୁ ଏହି କୋଲ୍ଡ ଚାମ୍ବରରେ ରଖିବେ ଏବଂ ତା ପଅରଦିନ ‌ତାହାକୁ ବିକ୍ରୀ କରିବେ ବୋଲି ଯୋଜନା ରହିଥିଲା। ଏହାଫଳରେ ଗ୍ରାହକ ବି ତାଜା ଓ ତଟକା ପରିବାର ପାଇ ପାରିବେ ବୋଲି ଲକ୍ଷ୍ୟ ରହିଥିଲା। ଏହାର ଭଡା ବାବଦକୁ ଅଳ୍ପ କିଛି ପଇସା ନିଆଯିବା ଯୋଜନା ରହିଥିଲା।ତେବେ ଏହା ଖୋଲା ହେବା ପର ଠାରୁ କାର୍ଯ୍ୟକାରୀ ହିଁ ହୋଇ ପାରିନଥିଲା। ଅପରପକ୍ଷରେ ସେଭଳି ତାଲା ପଡ଼ି ପଡ଼ି ରହି ସେଠାକାର ଯନ୍ତ୍ରାଂଶ ବି ଚୋରୀ ହୋଇଗଲାଣି। ଅପରପକ୍ଷରେ ଖୋଳ କେବଳ ଖତ ଖାଇ ପଡ଼ି ରହିଛି। ଉଭୟ ସଂପତ୍ତି ଆରଏମସିର ହୋଇଥିବାରୁ ଏହାକୁ ସୁରକ୍ଷିତ କରିବାକୁ ଦାବି ହୋଇଛି। ଯଥା ଶୀଘ୍ର କୃଷକ ଭବନକୁ ଭାଙ୍ଗି ସେଠାରେ ନୂଆ ମାର୍କେଟିଂ ବିଲଡିଙ୍ଗ କରିବା ପ୍ରସ୍ତାବ ରହିଛି ବୋଲି କହିଛନ୍ତି ଆରଏମସି ସଂପାଦକ ଚନ୍ଦ୍ର ସେଠିଆ। ସେଭଳି କୋଲ୍ଡ ଚାମ୍ବରକୁ ମଧ୍ୟ ଆରଏମସି ନିଜ ଅଧିନକୁ ନେବ ବୋଲି କହିଛନ୍ତି।