ରାଉରକେଲା: ପ୍ରଶାସନିକ ଅଧିକାରୀଙ୍କ ଦ୍ବାରା ପରିଚାଳିତ ନେତୃତ୍ବ ବିହୀନ ରାଉରକେଲା ଉନ୍ନୟନ ପ୍ରାଧିକରଣ (ଆର୍ଡିଏ) ବହୁଦିନରୁ ସ୍ଥାଣୁ ଅବସ୍ଥାରେ ରହିଛି। ସହରରେ ଏକାଧିକ ବାସଗୃହ ପ୍ରକଳ୍ପ, ମାର୍କେଟ୍ କଂପ୍ଲେକ୍ସ ନିର୍ମାଣର ଆବଶ୍ୟକତା ଥିବା ସତ୍ତ୍ବେ ପ୍ରଶାସନିକ ଅଧିକାରୀଙ୍କ ଦୂରଦର୍ଶିତା ଓ ଆଗ୍ରହର ଅଭାବ ଯୋଗୁ ଏହା ସମ୍ଭବ ହେଉନି। ଗତ ୫ ବର୍ଷ ହେଲା ଖାଲି ପଡ଼ିଥିବା ଆର୍ଡିଏ ଅଧ୍ୟକ୍ଷ ପଦ ପୂରଣ, ବର୍ତ୍ତମାନ ସମୟର ଆବଶ୍ୟକତା। ପୂର୍ବରୁ ଅଧ୍ୟକ୍ଷଭାବେ ରାଜନୈତିକ ଦଳର ନେତାଙ୍କୁ ଅବସ୍ଥାପିତ କରାଯାଉ ଥିବାବେଳେ ଏହି ଧାରା ଏବେ ବନ୍ଦ ହୋଇଯାଇଛି। ସଂପ୍ରତି ରାଜ୍ୟରେ ନୂଆ ସରକାର ଗଠନ ପରେ ଏ ଦିଗରେ ବିହିତ ପଦକ୍ଷେପ ନିଆଯିବ ନା ପୂର୍ବବତ୍ ଏହି ପଦ ଖାଲିରଖି ସହରର ସାମଗ୍ରିକ ବିକାଶକୁ ଅଣଦେଖା କରାଯିବ ତାହାକୁ ନେଇ ଚର୍ଚ୍ଚା। ପ୍ରଥମେ ସ୍ବତନ୍ତ୍ର ଯୋଜନା ପ୍ରାଧିକରଣ (ଏସ୍ପିଏ) ଗଠିତ ହେବାପରେ ପରବର୍ତ୍ତୀ ସମୟରେ ରାଉରକେଲା ଆଞ୍ଚଳିକ ବିକାଶ ଟ୍ରଷ୍ଟ୍ (ଆର୍ଆର୍ଆଇଟି) ଗଠିତ ହୋଇଥିଲା। ୧୯୯୫ ଅକ୍ଟୋବର ୨ ତାରିଖରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ସମୟରେ ଏହି ସଂସ୍ଥା ଆର୍ଡିଏରେ ପରିଣତ ହୋଇଥିଲା।
ସେତେବେଳେ ବେଶ୍ କ୍ଷମତାଶାଳୀଥିବା ଦିଲୀପ ରାୟ ନିଜର ଏକାନ୍ତ ଅନୁଗତ ବିଡି ମିଶ୍ରଙ୍କୁ ଆର୍ଡିଏ ଅଧ୍ୟକ୍ଷଭାବେ ନିଯୁକ୍ତ କରିଥିଲେ। ଏହାପରେ ବହୁବର୍ଷ ଏହି ପଦବି ଖାଲିପଡ଼ିଥିଲା। ୨୦୧୦ ମସିହାରେ ପ୍ରଥମଥର ପାଇଁ ଜଣେ ରାଜନେତାଙ୍କୁ ଏହି ଗୁରୁତ୍ବପୂର୍ଣ୍ଣ ପଦବିରେ ଥଇଥାନ କରାଯାଇଥିଲା। ୨୦୦୯ ସାଧାରଣ ନିର୍ବାଚନରେ ଦଳୀୟ ବିଜେପି ଟିକଟ କଟିବାରୁ ବଣାଇର ପୂର୍ବତନ ବିଧାୟକ ଦୟାନିଧି କିଷାନ ସ୍ବାଧୀନ ପ୍ରାର୍ଥୀଭାବେ ପ୍ରତିଦ୍ବନ୍ଦ୍ବିତା କରିଥିଲେ। ଏଣୁ ବିଶୃଙ୍ଖଳିତ ଆଚରଣ ପାଇଁ ଦଳ ତାଙ୍କୁ ନିଲମ୍ବିତ କରିବାପରେ ସେ ବିଜେଡିରେ ଯୋଗଦେଇଥିଲେ। ୨୦୧୦ ଅକ୍ଟୋବର ମାସରେ ଶ୍ରୀ କିଷାନଙ୍କୁ ଏହି ପଦରେ ଥଇଥାନ କରାଯାଇଥିଲା। ୨୦୧୪ ଯାଏ ସେ ଏହି ପଦବିରେ ରହିଥିଲେ। ୨୦୧୪ ସାଧାରଣ ନିର୍ବାଚନରେ ବିଜେଡି ପ୍ରାର୍ଥୀ ସାରଦା ପ୍ରସାଦ ନାୟକ ପରାସ୍ତ ହେବାପରେ ତାଙ୍କୁ ଏହି ପଦ ମିଳିଥିଲା। ସାରଦା ୨୦୧୪ ନଭେମ୍ବର ୨୭ ତାରିଖରୁ ୨୦୧୯ ମସିହା ଯାଏ ଏହି ପଦରେ ରହିଥିଲେ।
ଏଥର କ୍ଷମତା ପରିବର୍ତ୍ତନ ଫଳରେ ବିଜେପିର ସ୍ଥାନୀୟ ନେତାଙ୍କୁ ଏହି ପଦରେ ଅବସ୍ଥାପିତ କରାଯିବା ନେଇ ଚର୍ଚ୍ଚା ଜୋର୍ଧରିଛି। ଏହି ଚର୍ଚ୍ଚାର ଆଗରେ ଅଛନ୍ତି ବିଜେପିର ଜଣେ ରାଜ୍ୟସ୍ତରୀୟ ପ୍ରବକ୍ତା। ସଂପୃକ୍ତ ବିଜେପି ନେତା ପୂର୍ବରୁ ଦଳର ଜିଲ୍ଲା ସଭାପତି ସହ ବିଭିନ୍ନ ପଦପଦବିରେ ରହିଥିଲେ। ଏକଦା ସେ ଟିକେଟ ଦାବିଦାର ବି ଥିଲେ। ୨୦୧୪ ମସିହାରେ ପ୍ରମୁଖ ଟିକଟ ଦାବିଦାର ଥିବାସତ୍ତ୍ବେ ତାଙ୍କୁ ବାଦ୍ଦେଇ ଦଳ ଦିଲୀପ ରାୟଙ୍କୁ ଟିକଟ ଦେଇଥିଲା। ୨୦୧୯ ମସିହାରେ ମଧ୍ୟ ତାଙ୍କୁ ଉପେକ୍ଷାକରି ନିହାର ରାୟ ଓ ୨୦୨୪ରେ ପୁଣି ଦିଲୀପ ରାୟଙ୍କୁ ଟିକଟ ଦେଇଥିଲା। ଏକାଧିକବାର ଉପେକ୍ଷିତ ସଂପୃକ୍ତ ନେତାଙ୍କୁ ଏଥର ଥଇଥାନ କରାଯିବା ସମ୍ଭାବନା ସର୍ବାଧିକ। ତେବେ, ସଂପୃକ୍ତ ନେତା କିନ୍ତୁ ଏହି ପଦବି ପାଇଁ ଇଚ୍ଛୁକ ନଥିବା ତାଙ୍କ ସମର୍ଥକଙ୍କ ସୂଚନାରୁ ପ୍ରକାଶ। ସମ୍ଭବତଃ ତାଙ୍କୁ କୌଣସି ନିଗମର ଦାୟିତ୍ବ ମିଳୁ ବୋଲି ସେ ଓ ତାଙ୍କ ସମର୍ଥକମାନେ ଚାହୁଁଥିବା ଚର୍ଚ୍ଚା ହେଉଛି। ଏତଦ୍ବ୍ୟତୀତ ଆଉ ୩/୪ ଜଣଙ୍କ ନାଁ ଚର୍ଚ୍ଚାରେ ରହିଛି।