ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲାରେ ମନଇଚ୍ଛା ଲଘୁ ଖଣିଜ ଚୋରି ହେଉଛି। ନକଲି ଟ୍ରାନ୍‌ଜିଟ୍‌ ପାସ୍‌ ଜରିଆରେ ନିର୍ଦ୍ଧାରିତ ପରିମାଣରୁ ଅଧିକ ବାଲି ଉତ୍ତୋଳନ କରାଯାଉଛି। କାଗଜପତ୍ରରେ ବାଲିଘାଟଗୁଡ଼ିକୁ ବିଭିନ୍ନ କାରଣରୁ ବନ୍ଦ ଥିବାର‌ ଦର୍ଶାଯାଉଥିଲେ ମଧ୍ୟ ସେଥିରୁ ମନଇଚ୍ଛା ବାଲି ଖନନ ହେଉଛି। ଅନ୍ୟପକ୍ଷରେ ସରକାରୀ ଫାଇଲ୍‌ରେ କାର୍ଯ୍ୟକ୍ଷମ ନଥିବା ଏହି ଘାଟଗୁଡ଼ିକର ବାର୍ଷିକ ଆର୍ଥିକ ଆକଳନ ମଧ୍ୟ ହେଉନାହିଁ। ଏ ନେଇ ଜିଲ୍ଲା ଖଣି କାର୍ଯ୍ୟାଳୟରେ ଯୋଗାଯୋଗ କଲେ କର୍ମଚାରୀ ଅଭାବରୁ ଚଢ଼ାଉ ସମ୍ଭବ ହୋଇ ପାରୁନଥିବା ଉତ୍ତର ମିଳୁଛି। 

Advertisment

ଖଣି ବିଭାଗର ସୂଚନା ମୁତାବକ ଝାରସୁଗୁଡ଼ା ଜିଲ୍ଲାରେ ମୋଟ ୩୧ଟି ବାଲିଘାଟ ରହିଛି। ଏହାମଧ୍ୟରୁ ୧୫ଟି ଘାଟ ସରକାରୀ ରେକର୍ଡରେ କାର୍ଯ୍ୟକ୍ଷମ ଥିବା ବେଳେ ୧୬ଟି ଘାଟ ବନ୍ଦ ରହିଛି। ଏହି ୧୬ଟି ବାଲିଘାଟ ମଧ୍ୟରୁ ୨ଟି ଖନନ ଉପଯୋଗୀ ଥିଲେ ହେଁ ବିଭିନ୍ନ କାରଣରୁ କାର୍ଯ୍ୟକ୍ଷମ ହୋଇ ପାରୁନାହିଁ। ବଳକା ୧୪ଟି ଘାଟରେ ବୈଧାନିକ ଅନୁମତି (ଷ୍ଟାଚୁଟୋରି କ୍ଲିୟରାନ୍ସ) ନ ଥିବାରୁ ସେଗୁଡ଼ିକ କାର୍ଯ୍ୟକ୍ଷମ ନଥିବା ରିପୋର୍ଟରେ ଦର୍ଶାଯାଇଛି। ସେପଟେ କାର୍ଯ୍ୟକ୍ଷମ ଥିବା ୧୫ଟି ଘାଟ ମଧ୍ୟରୁ ଏବେ ୬ଟି ବାଲିଘାଟ ବିଭିନ୍ନ କାରଣରୁ ବନ୍ଦ ଥିବା ବେଳେ ଅନ୍ୟ ୯ଟି ଘାଟରୁ ବାଲି ଉଠାଣ ହେଉଛି। ଜିଲ୍ଲାରେ ବାଲିର ଚାହିଦା ଥିବା ବେଳେ ବିଭିନ୍ନ ଶିଳ୍ପାନୁଷ୍ଠାନ ସମେତ କନଷ୍ଟ୍ରକ୍‌ସନ୍‌ ସାଇଟ୍‌ରେ ବାଲିର ବହୁଳ ବ୍ୟବହାର ହେଉଛି। କେବଳ ସେତିକି ନୁହେଁ, ଝାରସୁଗୁଡ଼ାର ବାଲି ପଡ଼ୋଶୀ ଜିଲ୍ଲା ସମ୍ବଲପୁରକୁ ବି ଯାଉଛି। ତେବେ ଜିଲ୍ଲାର ୭୧ ପ୍ରତିଶତ ବାଲି ଉତ୍ପାଦନ ବନ୍ଦ ହୋଇଥିବା ବେଳେ ଏହି ବାଲି କୁଆଡୁ ଆସୁଛି, ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କାଗଜପତ୍ରରେ ବାଲିଘାଟଗୁଡ଼ିକୁ ବନ୍ଦ ଥିବା ଦର୍ଶାଯାଉଥିଲେ ମଧ୍ୟ ସେହି ବାଲିଘାଟଗୁଡ଼ିକରୁ ବେଧଡ଼କ ବାଲି ଉଠାଣ ହୋଇ ଚାଲାଣ କରାଯାଉଥିବା ସାମନାକୁ ଆସୁଛି। ବିଭିନ୍ନ ସମୟରେ ଖଣି ବିଭାଗ ଓ ପୁଲିସର ଧରପଗଡ଼ ସମୟରେ ଏହାର ପ୍ରମାଣ ମିଳୁଛି। 

ଖଣି ବିଭାଗର ତଥ୍ୟ ଅନୁସାରେ, ଜିଲ୍ଲାର ବିଭିନ୍ନ ବାଲି ସୈରାତରୁ ବାର୍ଷିକ ୩,୦୮,୫୧୬ ଏମ୍‌ଜିକ୍ୟୁ ବାଲି ଉଠାଣର କ୍ଷମତା ରହିଛି। ବାର୍ଷିକ ୧୦ ହଜାର ଏମ୍‌ଜିକ୍ୟୁ ବାଲି ଉଠାଣର କ୍ଷମତା ରହିଥିବା ବାଲିଘାଟରୁ ନକଲି ଟ୍ରାନ୍‌ଜିଟ୍‌ ପାସ୍‌ ବ୍ୟବହାର କରାଯାଇ ବହୁ ପରିମାଣର ବାଲି ଉଠାଇ ନିଆଯାଉଛି। ବର୍ଷସାରା ଚିତ୍ରକୁ ନେଲେ ଏହାର ପରିମାଣ ପ୍ରାୟ ୧୦ ଗୁଣା ହେବ। ଏବେ ଖରାଦିନ ଯୋଗୁଁ ନିର୍ମାଣ କାମଗୁଡ଼ିକ ଜୋର୍‌ସୋରରେ ଚାଲିଛି। ମାତ୍ର ସରକାରୀ ରେକର୍ଡରେ ବାଲିଘାଟକୁ ବନ୍ଦ କରି ଏବଂ ଅସାଧୁ ଅଧିକାରୀଙ୍କୁ ହାତ କରି ମାଫିଆମାନେ ପ୍ରଚୁର ବାଲି ଉଠାଣ କରୁଥିବା ବେଳେ ସରକାରୀ ତହବିଲକୁ କିନ୍ତୁ କ୍ଷତି ସହିବାକୁ ପଡ଼ୁଥିବା ଅଭିଯୋଗ ହୋଇଛି।