ବାରିପଦା : ରାଜ୍ୟର ବିକାଶ ପାଇଁ ମାଳମାଳ ଯୋଜନା କାର୍ଯ୍ୟକାରୀ ହେଉଥିବାବେଳେ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା। ହେଲେ ଏ ସବୁ ଭିତରେ ଆଦିବାସୀବହୁଳ ମୟୂରଭଞ୍ଜ ଜିଲ୍ଲା କୋଣଠେସା ହୋଇଯାଉଛି। ଏହି ଜିଲ୍ଲାର ବିକାଶ ପାଇଁ ନା ଅଛି କିଛି ସ୍ବତନ୍ତ୍ର ଯୋଜନା ନା ମିଳୁଛି କୌଣସି ଆର୍ଥିକ ପ୍ୟାକେଜ୍‌। ଯାହାଫଳରେ ଜିଲ୍ଲାରେ ବେକାରୀ ସମସ୍ୟା ବୃଦ୍ଧି ପାଉଥିବା ବେଳେ ଦାଦନ ଖଟିବାକୁ ଘର ଛାଡ଼ି ରାଜ୍ୟ ବାହାରକୁ ପଳାଉଛନ୍ତି ଲୋକ। କର୍ମନିଯୁକ୍ତି ଦେଲା ଭଳି ଜିଲ୍ଲାରେ ଏଯାଏ କୌଣସି ବଡ଼ ଶିଳ୍ପ ପ୍ରତିଷ୍ଠା ହୋଇ ପାରିନାହିଁ। ପୂର୍ବରୁ ଚାଲୁଥିବା ଛୋଟମୋଟ ଶିଳ୍ପସଂସ୍ଥା ସବୁ ବନ୍ଦ ହୋଇଗଲାଣି। ଦିନେ ବେତନଟୀ କାଠପାଳରେ ଚାଲୁଥିବା ସୂତାକଳ ପାଇଁ ୪ ହଜାର ଲୋକ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ରୋଜଗାରକ୍ଷମ ହେଉଥିଲେ। ହେଲେ ପରିଚାଳନାଗତ ତ୍ରୁଟି ଓ ଅନ୍ୟାନ୍ୟ କାରଣ ପାଇଁ ଏହା ବନ୍ଦ ହୋଇଗଲା। ସେହିଭଳି ବାରିପଦା ପାଲବଣୀରେ ଥିଲା ‘ନିକୋ କେବୁଲ କାରଖାନା। ଏହା ମଧ୍ୟ ବନ୍ଦ ହୋଇଯିବାରୁ ପ୍ରାୟ ୩ ହଜାର ଲୋକ ଜୀବିକା ହରାଇଥିଲେ। ଗତ ୧୫ ବର୍ଷ ମଧ୍ୟରେ ଜିଲ୍ଲାରେ କୌଣସି ଗୋଟିଏ ବଡ଼ଶିଳ୍ପ ପ୍ରତିଷ୍ଠା ହୋଇନଥିବା ବେଳେ ୧୦୦ରୁ ଊର୍ଦ୍ଧ୍ବ ଛୋଟ ଶିଳ୍ପସଂସ୍ଥା ବନ୍ଦ ହୋଇଯାଇଛି।

Advertisment

publive-image en.wikipedia.org

ମୟୂରଭଞ୍ଜ ଜିଲ୍ଲାରେ ୮୦ ପ୍ରତିଶତ ଲୋକ ଆଦିବାସୀ ସଂପ୍ରଦାୟର। ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ ଓ କୃଷିକାର୍ଯ୍ୟ କରି ସେମାନେ ପେଟ ପୋଷନ୍ତି। ହେଲେ ଜିଲ୍ଲାରେ ବନଜାତ ଦ୍ରବ୍ୟ ବିକ୍ରିବଟା ପାଇଁ ବଜାର ବ୍ୟବସ୍ଥା ନାହିଁ। ସେହିପରି କୃଷିକ୍ଷେତ୍ରର ମଧ୍ୟ ବିକାଶ ହେଉନି। ଜିଲ୍ଲାରେ ମାତ୍ର ୪୦ ପ୍ରତିଶତ ଜମି ଜଳସେଚିତ। ଅବଶିଷ୍ଟ ୬୦ ପ୍ରତିଶତ ଜମିରେ ଚାଷ କରୁଥିବା କୃଷକ ପ୍ରତିବର୍ଷ ଅନିୟମିତ ବୃଷ୍ଟିପାତ, ମରୁଡ଼ି, ବନ୍ୟାବାତ୍ୟା ସହ ଲଢ଼ି ଆଣ୍ଠେଇ ପଡ଼ୁଛି। ଜିଲ୍ଲାରେ କୃଷିଭିତ୍ତିକ ଶିଳ୍ପ ପ୍ରତିଷ୍ଠା କେବଳ ଘୋଷଣାରେ ସୀମିତ ରହିଯାଇଛି। ଶିମିଳିପାଳ ଅଭୟାରଣ୍ୟଠାରୁ ନେଇ ଖିଚିଂ ମନ୍ଦିର ଯାଏ ଜିଲ୍ଲାରେ ୫୦ରୁ ଅଧିକ ଆକର୍ଷଣୀୟ ସ୍ଥାନ ରହିଛି। ଏହି ସବୁ ସ୍ଥାନକୁ ବର୍ଷତମାମ ପର୍ଯ୍ୟଟକଙ୍କ ସୁଅ ଛୁଟେ। ଏହି ସବୁ ସ୍ଥାନର ବିକାଶ କରି ଜିଲ୍ଲାରେ ପର୍ଯ୍ୟଟନ ଶିଳ୍ପକୁ ନୂଆ ଦିଶା ଦେଲେ ହଜାର ହଜାର ବେକାର ଯୁବକଯୁବତୀଙ୍କ ପାଇଁ କର୍ମନିଯୁକ୍ତି ସୃଷ୍ଟି ହୋଇପାରନ୍ତା ବୋଲି ବି‌ଶେଷଜ୍ଞଙ୍କ ମତ। ହେଲେ ଏ ଦିଗରେ ବି ସରକାରଙ୍କ ପଦକ୍ଷେପ ନିରୁତ୍ସାହଜନକ।

publive-image Gaon Connection

ଗରିବ ଲୋକଙ୍କ ପାଇଁ ଉଦ୍ଦିଷ୍ଟ ମନରେଗା ଯୋଜନା ବି ଜିଲ୍ଲାରେ ବାଟବଣା ହୋଇଛି। ମଣିଷ ବଦଳରେ ମେସିନ୍‌ ଦ୍ବାରା କାମ କରାଇ ଗରିବଙ୍କ ପେଟକୁ ଲାତ ମାରୁଛନ୍ତି ଠିକାଦାର। ଫଳରେ କର୍ମନିଯୁକ୍ତି ଅଭାବରୁ ଜିଲ୍ଲାରୁ ହଜାର ହଜାର ଲୋକ କାମଧନ୍ଦା ଅନ୍ବେଷଣରେ ବାହାରକୁ ପଳାଇ ଯାଉଛନ୍ତି। ଏକ ବେସରକାରୀ ସଂସ୍ଥାର ସ‌ର୍ଭେ ଅନୁଯାୟୀ, ମୟୂରଭଞ୍ଜ ଜିଲ୍ଲାରୁ ୨୨ ହଜାରରୁ ଊର୍ଦ୍ଧ୍ବ ଲୋକ ବାହାର ରାଜ୍ୟରେ ଦାଦନ ଖଟୁଛନ୍ତି। ସେଥିମଧ୍ୟରୁ ୭ ହଜାରରୁ ଅଧିକ ଶିକ୍ଷିତ ଯୁବକ ଅଛନ୍ତି। ଏମାନଙ୍କ ପାଇଁ ପ୍ରଶାସନର କୌଣସି ଦରଦ ନଥିବା ବେଳେ ସେମାନଙ୍କ ସ୍ବର ସାଜିବାକୁ ବିଧାନସଭା, ଲୋକସଭା ଯାଉଥିବା ଜନ ପ୍ରତିନିଧି ବି ଚୁପ୍‌ ରହୁଛନ୍ତି। ଫଳରେ ମୟୂରଭଞ୍ଜର ବିକାଶ କେବଳ ସ୍ବପ୍ନ ହୋଇ ରହିଯାଇଛି। ଏହି ଧାରା ଜାରି ରହିଲେ ଜିଲ୍ଲାରେ ଆଗକୁ ଏକ ବଡ଼ଧରଣର ରାଜନୈତିକ ଓଲଟାପାଲଟ ଆଶଙ୍କାଙ୍କୁ ଏଡ଼ାଇ ଦିଆଯାଇନପାରେ ବୋଲି ରାଜନୀତି ବିଶେଷଜ୍ଞଙ୍କ ମତ। ତେବେ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ସବୁ କ୍ଷେତ୍ରରେ ପଛୁଆ ମୟୂରଭଞ୍ଜର ବିକାଶ ପାଇଁ କେଉଁ ନକ୍ସା ଆଙ୍କୁଛନ୍ତି, ତାହା ଉପରେ ସଭିଁଙ୍କର ନଜର ରହିଛି।