ଭୁବନେଶ୍ବର: ଆଗାମୀ ସାଧାରଣ ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି ଓଡ଼ିଶାର ୨୧ଟି ଲୋକସଭା ନିର୍ବାଚନ ମଣ୍ଡଳୀ ଭିତରୁ ୧୮ଟି ସ୍ଥାନରେ ନିଜର ପ୍ରାର୍ଥୀ ଘୋଷଣା କରିସାରିଛି। ସେହିଭଳି ବିଜୁ ଜନତା ଦଳ ଏପର୍ଯ୍ୟନ୍ତ ୧୫ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିସାରିଛି। କିନ୍ତୁ କଂଗ୍ରେସ କୌଣସି ପ୍ରାର୍ଥୀ ତାଲିକା ଜାରି କରିନାହିଁ। କଟକ, କନ୍ଧମାଳ ଓ ଯାଜପୁରରେ ବିଜେପି ଏପର୍ଯ୍ୟନ୍ତ ପ୍ରାର୍ଥୀ ଦେଇ ନଥିବା ବେଳେ ବ୍ରହ୍ମପୁର, ବଲାଙ୍ଗୀର, ଭଦ୍ରକ, ବାଲେଶ୍ବର, ବରଗଡ଼ ଓ କେନ୍ଦୁଝରରେ ବିଜେଡି ପ୍ରାର୍ଥୀ ଘୋଷଣା କରିବାର ଅଛି। ତେଣୁ ଏସବୁ ଲୋକସଭା ଆସନରେ କିଏ ପ୍ରାର୍ଥୀ ହେବ ସେ ନେଇ ଉକ୍ରଣ୍ଠା ବଢ଼ିଛି।
ଲୋକସଭାରେ ୩୩ ପ୍ରତିଶତ ମହିଳା ସଂରକ୍ଷଣ ଆଧାରରେ ଆଉ ୩ ମହିଳାଙ୍କୁ ବିଜେଡି ଲୋକସଭା ଆସନ ପାଇଁ ଟିକେଟ ଦେଇପାରେ ବୋଲି ଚର୍ଚ୍ଚା ହେଉଛି। ୩୩ ପ୍ରତିଶତ ଆଧାର ରହିଲେ ୨୧ ଲୋକସଭା ଆସନ ମଧ୍ୟରୁ ୭ଟିରେ ମହିଳା ପ୍ରାର୍ଥୀ ରହିବା କଥା। ପୂର୍ବରୁ ଯାଜପୁର, ଜଗତସିଂହପୁର, ଆସ୍କା ଓ କୋରାପୁଟ ଲୋକସଭା ଆସନରେ ମହିଳା ପ୍ରାର୍ଥୀ ଘୋଷଣା କରିସାରିଛି ବିଜେଡି। ତେଣୁ ଆଉ ୩ଟି ଆସନରେ ବିଜେଡି ମହିଳା ପ୍ରାର୍ଥୀଙ୍କ ନାଁ ଘୋଷଣା କରିପାରେ ବୋଲି ଚର୍ଚ୍ଚା ହେଉଛି। ବ୍ରହ୍ମପୁରରେ ଚନ୍ଦ୍ରଶେଖର ସାହୁଙ୍କ ନାଁ ଚର୍ଚ୍ଚାରେ ଥିଲେ ବି ଶେଷ ମୂହୂର୍ତ୍ତରେ ଜଣେ ମହିଳାଙ୍କୁ ମୈଦାନକୁ ଆଣିପାରେ ବିଜେଡି। ସେହିଭଳି ଭଦ୍ରକରେ ବି ମଞ୍ଜୁଲତା ମଣ୍ଡଳ ପ୍ରାର୍ଥୀ ହୋଇପାରନ୍ତି ବୋଲି କୁହାଯାଉଛି।
କଟକରେ ସଂତୃପ୍ତ ମିଶ୍ର, ଯାଜପୁରରେ ଶର୍ମିଷ୍ଠା ସେଠୀ ଓ କନ୍ଧମାଳରେ ଅଚ୍ୟୁତ ସାମନ୍ତଙ୍କୁ ବିଜେଡି ଟିକେଟ୍ ଦେଇଛି। ମାତ୍ର ବିଜେପି ଏହି ୩ ଆସନରେ ନିଜର ପ୍ରାର୍ଥୀ ଘୋଷଣା କରିନାହିଁ। ତେଣୁ ସମସ୍ତଙ୍କର ଏହି ୩ଟି ଆସନ ଉପରେ ନଜର ରହିଛି।