ଭୁବନେଶ୍ବର: ସାଧାରଣ ନିର୍ବାଚନ ପାଇଁ ବିଜୁ ଜନତା ଦଳ (ବିଜେଡି) ପ୍ରଥମ ୨ଟି ପର୍ଯ୍ୟାୟରେ ୧୫ଟି ଲୋକସଭା ଓ ୭୨ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀ ଘୋଷଣା କରିସାରିଥିବା ବେଳେ ବାକି ଥିବା ଲୋକସଭା ଓ ବିଧାନସଭା କ୍ଷେତ୍ରରେ କାହାକୁ ମିଳିବ ଟିକେଟ୍ ଦେବ, ସେନେଇ ନେତା ଓ କର୍ମୀଙ୍କ ମଧ୍ୟରେ ଚିନ୍ତା ବଢ଼ିଛି? ଏପରିକି ଅଭିଜ୍ଞ ଓ ପୁରୁଣା ନେତା ମଧ୍ୟ ଆଶା ଆଶଙ୍କାରେ ରହିଛନ୍ତି। କାରଣ ଦୀର୍ଘ ୨୪ ବର୍ଷ ହେଲା ରାଜ୍ୟରେ ବିଜେଡି ସରକାରରେ ଥିବାରୁ ଆଗାମୀ ନିର୍ବାଚନରେ ଆଶାୟୀ ନେତାଙ୍କ ସଂଖ୍ୟା ଢେର ବଢ଼ିଯାଇଛି।

Advertisment

ଅନ୍ୟପଟରେ ଗୁରୁବାର ଭଳି ଶୁକ୍ରବାର ଦିନତମାମ ନବୀନ ନିବାସରେ ବିଜେଡି ନେତାଙ୍କ ଗହଳି ଦେଖିବାକୁ ମିଳିଛି। କୁହାଯାଉଛି, ଯେଉଁମାନଙ୍କୁ ଦଳୀୟ ଟିକେଟ୍ ମିଳିବ, ସେମାନଙ୍କ ତାଲିକା ପ୍ରସ୍ତୁତ ହୋଇଯାଇଛି। ଖାଲି ଅପେକ୍ଷା ରହିଛି, ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଘୋଷଣାକୁ। ତେବେ ଶେଷ ମୁହୂର୍ତ୍ତରେ ଟିକେଟ ପକ୍କା କରିବା ପାଇଁ ଭିନ୍ନ ଭିନ୍ନ ଆଳରେ ନବୀନ ନିବାସରେ ନେତାମାନେ ପହଞ୍ଚୁଛନ୍ତି। ବ୍ରହ୍ମପୁରର ବରିଷ୍ଠ ନେତା ଚନ୍ଦ୍ରଶେଖର ସାହୁ, ରମେଶ ଚ୍ୟାଉ ପଟ୍ଟନାୟକ, ବୀରମହାରାଜପୁର ବିଧାୟକ ପଦ୍ମନାଭ ବେହେରା, ଅଙ୍ଗଦ କହଁର ପ୍ରମୁଖ ନବୀନ ନିବାସ ଆସିଥିଲେ। ଅନ୍ୟପଟେ ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟରେ ଟିକେଟ ପାଇଥିବା ନେତା ସୁପ୍ରିମୋଙ୍କୁ ଭେଟି ଧନ୍ୟବାଦ ଜଣାଇବାକୁ ଭୁଲି ନାହାନ୍ତି।

ତୃତୀୟ ପର୍ଯ୍ୟାୟରେ ବିଜେଡି ୬ଟି ଲୋକସଭା ଓ ୭୫ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିବ। ଏହିସବୁ ସିଟରେ ଅନେକ ବଡ଼ବଡ଼ ନେତାଙ୍କ ଭାଗ୍ୟ ଝୁଲିକି ରହିଛି। ରାଜ୍ୟର ରାଜଧାନୀ ଭୁବନେଶ୍ୱର ଲୋକସଭା ପାଇଁ ଦଳ ବିଜେପି ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀଙ୍କ ବିରୋଧରେ ସୁର ରାଉତରାୟଙ୍କ ପୁଅ ମନ୍ମଥ ରାଉତରାୟଙ୍କୁ ବିଜେଡି ଟିକେଟ ଦେଇଛି। ଏହି ଲୋକସଭା ନିର୍ବାଚନ ମଣ୍ଡଳୀ ଅଧୀ‌ନରେ ଆସୁଥିବା ଜଟଣୀରେ ବିଭୂତି ବଳବନ୍ତରାୟଙ୍କୁ ବିଜେଡି ପ୍ରାର୍ଥୀ କରିଛି। କିନ୍ତୁ ବାକି ୬ଟି ବିଧାନସଭା କ୍ଷେତ୍ର ଯଥା ଏକାମ୍ର, ଭୁବନେଶ୍ବର (ମଧ୍ୟ), ଭୁବନେଶ୍ବର (ଉତ୍ତର), ଜୟଦେବ, ଖୋର୍ଦ୍ଧା ଓ ବେଗୁନିଆ ପାଇଁ ପ୍ରାର୍ଥୀ ଘୋଷଣା କରିନାହିଁ ଦଳ।