ଝାରସୁଗୁଡ଼ା: ଝାରସୁଗୁଡା ଉପନିର୍ବାଚନ ଲାଗି କଂଗ୍ରେସର ପ୍ରାର୍ଥୀଙ୍କ ନାମ ଖୁବ ଶୀଘ୍ର ଘୋଷଣା ହେବ। ଝାରସୁଗୁଡ଼ା ଦାୟିତ୍ୱରେ ଥିବା ବିଧାୟକ ସନ୍ତୋଷ ସିଂ ସାଲୁଜା ଛ ଜଣିଆ ପ୍ରାର୍ଥୀଙ୍କ ତାଲିକା ପ୍ରସ୍ତୁତ କରି ଆଜି ପିସିସିକୁ ରିପୋର୍ଟ ପ୍ରଦାନ କରିଛନ୍ତି। ଏହି ରିପୋର୍ଟ ଏଆଇସିସିକୁ ଦିଆଯିବ ଓ ଦୁଇରୁ ତିନି ଦିନ ଭିତରେ ପ୍ରାର୍ଥୀଙ୍କ ନାମ ଘୋଷଣା ହେବ ବୋଲି ଜଣାଯାଇଛି।
ଉପନିର୍ବାଚନ ଲାଗି କଂଗ୍ରେସର ଟିକେଟ ଦୌଡ଼ରେ ତିନିଜଣ ଅଛନ୍ତି। ସେମାନଙ୍କ ଭିତରେ ରହିଛନ୍ତି ପୂର୍ବତନ ବିଧାୟକ ବୀରେନ୍ ପାଣ୍ଡେଙ୍କ ପୁଅ ତରୁଣ ପାଣ୍ଡେ, ୨୦୧୯ର ପ୍ରାର୍ଥୀ ମହେନ୍ଦ୍ର ନାୟକ ଓ ଝାରସୁଗୁଡ଼ା ଜିଲ୍ଲା ସଭାପତି ଅଶୋକ ମିଶ୍ର। ତେବେ ଏହି ତିନିଜଣଙ୍କ ମଧ୍ଯରୁ କାହାକୁ ଟିକେଟ ମିଳିବ ସେନେଇ ସସପେନ୍ସ ଲାଗି ରହିଛି।

Advertisment

ସୂଚନାଯୋଗ୍ୟ, ଗତକାଲି କଂଗ୍ରେସର ୫ଜଣିଆ ବିଧାୟକ ପ୍ରାର୍ଥୀ ଚୟନ କମିଟି ଝାରସୁଗୁଡ଼ାରେ ପହଞ୍ଚିଥିଲେ। ଦଳର ବରିଷ୍ଠ ବିଧାୟକ ସନ୍ତୋଷ ସିଂ ସାଲୁଜା ଏହି କମିଟିର ଅଧ୍ୟକ୍ଷ ରହିଥିବା  ବେଳେ ବିଧାୟକ ଅଧିରାଜ ପାଣିଗ୍ରାହୀ ସଦସ୍ୟ ରହିଛିନ୍ତି। ଏହି ଟିମ  ଝାରସୁଗୁଡ଼ା ଜିଲ୍ଲା କାର୍ଯ୍ୟାଳୟରେ ପହଞ୍ଚିବା ପରେ କିରମିରା, ଲାଇକେରା ଓ କୋଲାବିରା ବ୍ଲକ ଅଞ୍ଚଳକୁ ଯାଇ କଂଗ୍ରେସ କର୍ମୀ ଓ ପଦାଧିକାରୀଙ୍କୁ ଭେଟି ମତାମତ ଲୋଡ଼ିଥିଲେ।

ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ୬ ଜଣ ପ୍ରାର୍ଥୀ ତାଲିକାରେ ରହିଥିବାବେଳେ ଯାହାଙ୍କ ଜିତିବାର ଅଧିକ ସମ୍ଭାବନା ରହିଛି ତାକୁ କଂଗ୍ରେସ ପ୍ରାର୍ଥୀ କରିବ। ଆଜିର ରିପୋର୍ଟ ନେଇ ପିସିସି କମିଟି ଅବଗତ କରାଯିବା ପରେ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯିବ ବୋଲି ଚୟନ କମିଟିର ଅଧ୍ୟକ୍ଷ ସନ୍ତୋଷ ସିଂ ସାଲୁଜା ସୂଚନା ଦେଇଛନ୍ତି।