କାହା ଦଖଲରେ ରହିବ ୩ ପୌରପାଳିକା, ୨ ଏନ୍‌ଏସି?

ବାଲେଶ୍ବର: ବାଲେଶ୍ବର ପୌରପାଳିକା ସମେତ ଜିଲ୍ଲାର ୫ ପୌରାଞ୍ଚଳରେ ଶନିବାର ସକାଳ ୮ଟାରୁ ଭୋଟଗଣତି ଆରମ୍ଭ ହେବ। ସୋର ପୌରପାଳିକା ନିମନ୍ତେ ସୋରସ୍ଥିତ ଉପେନ୍ଦ୍ରନାଥ କଲେଜ, ରେମୁଣା ଡିଗ୍ରି କଲେଜରେ ରେମୁଣା ଏନ୍‌ଏସି, ଜଳେଶ୍ବର ନୋଡାଲ ହାଇସ୍କୁଲରେ ଜଳେଶ୍ବର ପୌରପାଳିକା ଓ ନୀଳଗିରି କଲେଜରେ ନୀଳଗିରି ଏନ୍‌ଏସି ନିମନ୍ତେ ଭୋଟ ଗଣତି ହେବ ବୋଲି ସୂଚନା ଦିଆଯାଇଛି। ସୋର, ଜଳେଶ୍ବର ଓ ରେମୁଣାରେ କାଉନସିଲର ଏବଂ ଅଧ୍ୟକ୍ଷ ପାଇଁ ଯଥାକ୍ରମେ ୫ଟି ଟେବୁଲରେ ଏକକାଳୀନ ଭୋଟଗଣତି କରାଯିବ।

ନୀଳଗିରିରେ ଅଧ୍ୟକ୍ଷ ପାଇଁ ୫ଟି ଓ କାଉନସିଲର ପାଇଁ ୨ଟି ଟେବୁଲରେ ଭୋଟ ଗଣତିର ବ୍ୟବସ୍ଥା ହୋଇଛି। ବାଲେଶ୍ବର ପୌରପାଳିକାର ଭୋଟ ଗଣତି ନିମନ୍ତେ ସ୍ଥାନୀୟ ସରକାରୀ ଆଇଟିଆଇରେ ସମସ୍ତ ପ୍ରସ୍ତୁତି ସରିଛି। ଷ୍ଟ୍ରଙ୍ଗ୍‌ରୁମ ତଥା ଗଣତି କେନ୍ଦ୍ର ବାହାରେ ପୁଲିସ ଫୋର୍ସ ମୁତୟନ କରାଯାଇଛି। ପୌରପାଳିକାର ୩୦ଟି ୱାର୍ଡରେ କାଉନସିଲର ସମେତ ଅଧ୍ୟକ୍ଷା ପଦ ପାଇଁ ଏକ ସମୟରେ ଗଣତି ଆରମ୍ଭ ହେବ। ୭ଟି ଟେବୁଲରେ ଭୋଟ ଗଣତି ହେବାକୁ ଥିବାବେଳେ ୧୪ ରାଉଣ୍ଡ ଗଣତି ହେବାର ଆକଳନ କରାଯାଇଛି।

ଆଜି ଖୋଲାଯିବ ଇଭିଏମ୍‌, ସକାଳ ୮ରୁ ଗଣତି

ଜିତାପଟ୍‌ ନେଇ ଉଭୟ ବିଜେଡି, ବିଜେପି ଆଶାବାଦୀ

ମତଦାନ ପାଇଁ ବାଲେଶ୍ବର ପୌରପାଳିକାରେ ୯୬୩୪୬ ଭୋଟରଙ୍କ ପାଇଁ ୯୮ଟି, ସୋର ପୌରପାଳିକାରେ ୨୬୪୩୨ ଭୋଟରଙ୍କ ପାଇଁ ୩୮ଟି, ଜଳେଶ୍ବର ପୌରପାଳିକାରେ ୨୦୦୫୯ ଭୋଟରଙ୍କ ପାଇଁ ୨୪ଟି, ନୀଳଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ(ଏନ୍‌ଏସି)ରେ ୧୩୭୯୬ ଭୋଟରଙ୍କ ପାଇଁ ୧୫ଟି ଏବଂ ରେମୁଣା ବିଜ୍ଞାପିତ ଅଞ୍ଚଳ ପରିଷଦରେ ୨୮୩୬୯ ଜଣ ମତଦାତାଙ୍କ ପାଇଁ ୩୬ଟି ବୁଥ୍‌ର ବ୍ୟବସ୍ଥା କରାଯାଇଥିଲା। ୩ ପୌରପାଳିକା ଏବଂ ୨ ବିଜ୍ଞାପିତ ଅଞ୍ଚଳ ପରିଷଦ(ଏନ୍‌ଏସି)ର ଭୋଟକୁ ମିଶାଇ  ୭୦. ୫୯ ପ୍ରତିଶତ ଭୋଟହାର ହୋଇଛି। ପୌରାଧ୍ୟକ୍ଷ ପଦ ଏବଂ ଏନ୍‌ଏସି ଅଧ୍ୟକ୍ଷ ପଦରେ ୨୧(ବାଲେଶ୍ବର ୫, ସୋର ୪, ଜଳେଶ୍ବର ୪, ରେମୁଣା ୩ ଓ ନୀଳଗିରି ୫) ଜଣ ପ୍ରାର୍ଥୀ ଓ ୱାର୍ଡ କାଉନସିଲର ପଦରେ ୩୧୯(ବାଲେଶ୍ବର ୧୨୧, ସୋର ୫୭, ଜଳେଶ୍ବର ୫୫, ରେମୁଣା ୪୫ ଓ ନୀଳଗିରି ୪୧) ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରୁଥିଲେ।

ଗୁରୁବାର ଭୋଟ ଗ୍ରହଣ ଶେଷ ହେବା ପରେ ବୁଥ୍‌ ଫେରନ୍ତାଙ୍କ ମୁହଁରୁ ଅଧିକାଂଶ ୱାର୍ଡ କାଉନସିଲର ଓ ଅଧ୍ୟକ୍ଷ ପଦରେ ବିଜେପି ଓ ବିଜେଡି ମଧ୍ୟରେ କଡ଼ା ମୁକାବିଲା ହୋଇଥିବା ଜଣାଯାଇଛି। ତେଣୁ କାଉନସିଲର ଫଳାଫଳରେ ବିଜେଡି ବାଜିମାତ କରିବ ବୋଲି ଚର୍ଚ୍ଚା ହେଉଥିବା ବେଳେ ଅଧ୍ୟକ୍ଷା ପଦ ପାଇଁ ଉଭୟେ ବିଜେଡି ଓ ବିଜେପି ଆଶାବାଦୀ ରହିଥିବା ବେଳେ କାଲିର ଭୋଟଗଣତି ପରେ ପୌର ଫଳାଫଳ ନେଇ ଉତ୍କଣ୍ଠାର ଅନ୍ତ ଘଟିବ।

ସମ୍ବନ୍ଧିତ ଖବର