ପଞ୍ଚାୟତ ନିର୍ବାଚନ: ଗୁଣପୁରରେ କଂଗ୍ରେସର ମଙ୍ଗୁଆଳ କିଏ?

୧୯୮୧ରୁ ରାୟଗଡ଼ା ରାଜନୀତିରେ ସକ୍ରିୟ ଅଛନ୍ତି ବିଜୟ, ଦୁଇ ଥର ପତି-ପତ୍ନୀ ସମ୍ଭାଳିଛନ୍ତି ଜିଲ୍ଲା ପରିଷଦ ଅଧ୍ୟକ୍ଷ ଆସନ

ରାୟଗଡ଼ା(ନବୀନ ଚନ୍ଦ୍ର ସାହୁ): ଗୁଣପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ କଂଗ୍ରେସର ମଙ୍ଗ ସମ୍ଭାଳିବ କିଏ? ସଡ଼କ ଦୁର୍ଘଟଣାରେ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁରୁଷୋତ୍ତମ ଗମାଙ୍ଗଙ୍କ ମୃତ୍ୟୁ ପରଠୁ ଏହି ଚର୍ଚ୍ଚା ଏବେ ଲାଗି ରହିଛି। ମୁଣ୍ଡ ଉପରେ ପଞ୍ଚାୟତ ନିର୍ବାଚନ ଥିବାରୁ ଗୁଣପୁର ବିଧାନସଭା ଅଧୀନରେ ଥିବା ୮ ଜିଲ୍ଲା ପରିଷଦ ଆସନ, ୫ ବ୍ଲକରେ ଶାସକ ବିଜେଡ଼ିକୁ ଚକମା ଦେବାକୁ କଂଗ୍ରେସ ଦଳର ବରିଷ୍ଠ ନେତା ବିଜୟ ଗମାଙ୍ଗଙ୍କ ଉପରେ ଭରସା କରିଛି। ତେବେ ପୁରୁଷୋତ୍ତମଙ୍କ ଭଳି କଂଗ୍ରେସ ରଣନୀତିକୁ କାର୍ଯ୍ୟକାରୀ କରିବାରେ ବିଜୟ ସକ୍ଷମ ହେବେ କି ନାହିଁ ତାହା ପଞ୍ଚାୟତ ନିର୍ବାଚନ ଫଳାଫଳ ପରେ ସ୍ପଷ୍ଟ ହୋଇଯିବ।

ଗୁଣପୁର, ରାମନାଗୁଡା, ଚନ୍ଦ୍ରପୁର, ଗୁଡାରି, ପଦ୍ମପୁର ୫ଟି ବ୍ଲକ୍ ଓ ଗୁଣପୁର, ଗୁଡାରି ୨ ପୌରାଞ୍ଚଳକୁ ନେଇ ଗଠିତ ଗୁଣପୁର ବିଧାନସଭା ଆସନ। ୨୦୧୭ ପଞ୍ଚାୟତ ନିର୍ବାଚନରେ ପୁରୁଷୋତ୍ତମଙ୍କ ଗୋଟି ଚାଳନାରେ ବ୍ଲକ୍ ଓ ଜିଲ୍ଲା ପରିଷଦ ନିର୍ବାଚନରେ କଂଗ୍ରେସ ସଫଳତା ହାସଲ କରିଥିଲା। ୮ ଜିଲ୍ଲା ପରିଷଦ ଜୋନରୁ କଂଗ୍ରେସ ୪ଟି, ବିଜେପି ୩ଟି ଏବଂ ଶାସକ ବିଜେଡ଼ି ପ୍ରାର୍ଥୀ ଗୋଟିଏ ଜୋନରେ ବିଜୟୀ ହୋଇଥିଲେ। ରାୟଗଡ଼ାର ୨୨ ଜିଲ୍ଲା ପରିଷଦ ଜୋନରୁ କଂଗ୍ରେସ ୧୧ଟିରେ ବିଜୟୀ ହୋଇଥିବା ବେଳେ ପଦ୍ମପୁର ‘ଖ’ ଆସନରୁ ବିଜୟୀ ହୋଇଥିବା ପୁରୁଷୋତ୍ତମ ଅଧ୍ୟକ୍ଷ ଭାବେ ଦାୟିତ୍ବ ତୁଲାଇଥିଲେ।

କେବଳ ଜିଲ୍ଲା ପରିଷଦ ନୁହେଁ, ୨୦୧୪ ଓ ୨୦୧୯ ସାଧାରଣ ନିର୍ବାଚନରେ ମଧ୍ୟ ବିଜେଡ଼ି ବିରୁଦ୍ଧରେ ଗୁଣପୁର ବିଧାନସଭା ଆସନରୁ ପୁରୁଷୋତ୍ତମ ପ୍ରାର୍ଥୀ ହୋଇ ବିଜେଡ଼ିକୁ ଟକ୍କର ଦେଇ ଆସୁଥିଲେ। ୨୦୧୪ ସାଧାରଣ ନିର୍ବାଚନରେ ପୁରୁଷୋତ୍ତମ ବିଜେଡ଼ି ପ୍ରାର୍ଥୀ ତ୍ରିନାଥ ଗମାଙ୍ଗଙ୍କ ନିକଟରୁ ୭୩୮୬ ଭୋଟରେ ଏବଂ ୨୦୧୯ ନିର୍ବାଚନରେ ବିଜେଡ଼ି ପ୍ରାର୍ଥୀ ରଘୁନାଥ ଗମାଙ୍ଗଙ୍କ ନିକଟରୁ ୬୨୪୩ ଭୋଟରେ ପରାଜିତ ହୋଇଥିଲେ। ବିଜେଡ଼ି ବିଜୟରେ କଣ୍ଟା ହୋଇଥିବା ପୁରୁଷୋତ୍ତମ ୨୦୨୦ ମସିହାରେ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇବା ପରେ ଗୁଣପୁରରେ କଂଗ୍ରେସ ସଂଗଠନ ସମ୍ଭାଳିବାକୁ ଦଳ ଏବେ ବରିଷ୍ଠ ନେତା ବିଜୟ ଗମାଙ୍ଗଙ୍କ ଉପରେ ନିର୍ଭର କରିଛି। ସାଂସଦ ସପ୍ତଗିରି ଉଲାକା, ଜିଲ୍ଲା ସଭାପତି ଦୁର୍ଗା ପ୍ରସାଦ ପଣ୍ଡାଙ୍କ ଯୋଗସୂତ୍ରରେ ବିଜୟ ଚଳିତ ପଞ୍ଚାୟତ ନିର୍ବାଚନଚରେ ଦଳକୁ ବିଜୟୀ କରିବା ପାଇଁ ଗୋଟି ଚାଳନା ଆରମ୍ଭ କରିଛନ୍ତି। ଛାତ୍ର ଜୀବନରୁ ରାଜନୀତିରେ ସକ୍ରିୟ ଥିବା ବିଜୟ ୧୯୭୮ରେ କୋରାପୁଟ ଡିଏଭି କଲେଜର ସଭାପତି ଦାୟିତ୍ବ ତୁଲାଇଥିଲେ।

୧୯୭୮ରେ ବ୍ଲକ୍ ମଙ୍ଗଳ ଅଧିକାରୀ ଭାବେ ଚାକିରି ଜୀବନ ଆରମ୍ଭ କରିଥିଲେ ମଧ୍ୟ ରାଜନୀତିର ନିଶା ତାଙ୍କୁ ଛାଡ଼ିନଥିଲା। ଫଳରେ ୧୯୮୧ରେ ଚାକିରି ଛାଡ଼ି ୧୯୮୪ରେ ଜନତା ଦଳ ଟିକେଟରୁ ଗୁଣପୁର ବିଧାନସଭା ଆସନରେ ନିର୍ବାଚନ ଲଢ଼ି ପରାଜିତ ହୋଇଥିଲେ। ଏହା ପରେ ୧୯୯୬ ଉପନିର୍ବାଚନରେ କଂଗ୍ରେସ ଟିକେଟରେ ଲଢ଼ି ପୁଣି ପରାଜିତ ହୋଇଥିଲେ ବିଜୟ। ୧୯୯୭ ପଞ୍ଚାୟତ ନିର୍ବାଚନରେ କଂଗ୍ରେସର ବାଜିମାତ୍ ପରେ ଜିଲ୍ଲା ପରିଷଦ ଆସନରୁ ବିଜୟୀ ହୋଇ ବିଜୟ ରାୟଗଡ଼ାର ପ୍ରଥମ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦାୟିତ୍ବ ତୁଲାଇଥିଲେ। ୨୦୦୨ ପଞ୍ଚାୟତ ନିର୍ବାଚନରେ ବିଜୟ ନିଜ ପତ୍ନୀ କେତକୀ ଗମାଙ୍ଗଙ୍କୁ ବିଜୟୀ କରି ଜିଲ୍ଲା ପରିଷଦ ଅଧ୍ୟକ୍ଷା କରିଥିଲେ। ୨୦୦୭ ପରଠୁ କୌଣସି ନିର୍ବାଚନ ଲଢ଼ିବାର ସୁଯୋଗ ପାଇନଥିଲେ ମଧ୍ୟ ବିଜୟ ଦଳ ଭିତରେ ସକ୍ରିୟ ରହିଥିଲେ। ପୁରୁଷୋତ୍ତମଙ୍କ ଅକାଳ ବିୟୋଗ ପରେ ନେତୃତ୍ବ ସଙ୍କଟ ଯୋଗୁ ଗୁଣପୁର ବ୍ଲକ୍ କଂଗ୍ରେସ, ନଗର କଂଗ୍ରେସ ସଭାପତିଙ୍କ ସମେତ ଦଳର ତୁଙ୍ଗ ନେତା ବିଜେଡ଼ିରେ ଯୋଗ ଦେଇଛନ୍ତି। ଏପରି ସ୍ଥିତିରେ ବିଜୟ ଗମାଙ୍ଗ ହିଁ ଦଳର ନେତୃତ୍ବ ନେବାକୁ ଦାବିଦାର ଥିବାରୁ କଂଗ୍ରେସ ୨୦୨୨ ପଞ୍ଚାୟତ ନିର୍ବାଚନ ଦାୟିତ୍ବ ପ୍ରଦାନ କରିଛି।

ସମ୍ବନ୍ଧିତ ଖବର