କଟକ: କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର ଜିଲ୍ଲାରେ କଂଗ୍ରେସର ଗତି କୁଆଡେ? ଏ ପ୍ରଶ୍ନ ଏବେ ଗୁରୁତ୍ବପୂର୍ଣ୍ଣ ଏହି ୩ ଉପକୂଳ ଜିଲ୍ଲାର କଂଗ୍ରେସ ସମର୍ଥକଙ୍କୁ ବି ବ୍ୟଥିତ କରୁଛି। ଏହି ଉପକୂଳ ଜିଲ୍ଲା ଗୁଡିକରେ କଂଗ୍ରେସର ଟାଣୁଆ ନେତା ଭାବେ ପରିଗଣିତ ହୋଇ ଆସୁଥିବା ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ବାଳ, ପୂର୍ବତନ ବିଧାୟକ ଗଣେଶ୍ବର ବେହେରା, ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି, ଅରିନ୍ଦମ ସର୍ଖେଲ ପ୍ରମୁଖ ଠିକ ନିର୍ବାଚନ ସମୟରେ କଂଗ୍ରେସ ଛାଡ଼ି ବିଜେଡିକୁ ଚାଲିଯିବା ଘଟଣା ଏହି ତିନି ଜିଲ୍ଲାରେ କଂଗ୍ରେସ ଗଡ଼କୁ ଭୁଶୁଡ଼ାଇବା ସ୍ଥିତିକୁ ଟାଣି ନେଉଛି। ଏବେ ବାରବାଟୀ-କଟକରେ କଂଗ୍ରେସ ନିଜର ସ୍ଥିତି ବଜାୟ ରଖି ବିଜୟ ଆଶା ରଖୁଥିବା ବେଳେ ବାଙ୍କୀ ଓ ଆଳିରେ ମୁକାବିଲା ସ୍ଥିତିରେ ରହି ଶାସକ ଦଳର ବିଜୟ ଧାରା ବଦଳାଇବାକୁ ଉଦ୍ୟମ କରୁଛି।
ଏହି ୩ଟି ଉପକୂଳ ଜିଲ୍ଲାରେ ରହିଛି ୩ ଲୋକସଭା ଆସନ ଆଉ ୧୮ଟି ବିଧାନସଭା ଆସନ। ଏହି ଆସନ ଗୁଡିକରେ ଏକଦା କଂଗ୍ରେସ ସଂପୂର୍ଣ୍ଣ ପ୍ରଭାବ ବିସ୍ତାର କରି ରହିଥିଲା। କିନ୍ତୁ କଂଗ୍ରେସ କ୍ରମାଗତ ଭାବେ ଏଠି ଶକ୍ତି କ୍ଷୟ କରି ଚାଲିଥିବା ବେଳେ ବିଜେପିର ଶକ୍ତି ବୃଦ୍ଧି ଘଟିଛି। ୨୦୨୪ରେ ଠିକ ନିର୍ବାଚନ ସମୟରେ ପ୍ରମୁଖ ନେତା କଂଗ୍ରେସ ଛାଡିବା ଦଳକୁ ଏକପ୍ରକାର ବିପର୍ଯ୍ୟୟ ସ୍ଥିତିକୁ ଟାଣି ନେଇଛି। କେତୋଟି ଆସନରେ କଂଗ୍ରେସ ଦ୍ବିତୀୟ ସ୍ଥାନରେ ରହିବ, ତାହାକୁ ନେଇ ବି ଆକଳନ କରିବା କଷ୍ଟ ହେଉଛି।

Advertisment

୨୦୦୯ରେ ୩ଟି ଜିଲ୍ଲାର ୧୮ଟି ବିଧାନସଭା ଆସନ ମଧ୍ୟରୁ ଦଳ ଗୋଟିଏ ଆସନରେ ବି ଜିତି ପାରି ନଥିଲା। କିନ୍ତୁ ୩ଟି ଯାକ ଲୋକସଭା ଆସନ ଓ ୧୪ଟି ବିଧାନସଭା ଆସନରେ କଂଗ୍ରେସ ଦ୍ବିତୀୟ ସ୍ଥାନରେ ରହିଥିଲା। ଅର୍ଥାତ ବିଜେଡିର ମୁଖ୍ୟ ପ୍ରତିଦ୍ବନ୍ଦ୍ବୀ ଭାବେ କଂଗ୍ରେସ ରହିଥିଲା। ୨୦୧୪ରେ ସଫଳତା ଦୃଷ୍ଟିରୁ କଂଗ୍ରେସ ପାଇଁ କିଛିଟା ଉତ୍ସାହ ସୃଷ୍ଟି ହୋଇଥିଲା। କଂଗ୍ରେସ ପ୍ରାର୍ଥୀ ସାଲେପୁର, ଆଳି, ରାଜନଗର ଓ ଜଗତସିଂହପୁର ବିଧାନସଭା ଆସନରୁ ବିଜୟୀ ହୋଇଥିଲେ। ଅନ୍ୟ ୧୧ଟି ବିଧାନସଭା ଆସନରେ କଂ‌ଗ୍ରେସ ପ୍ରାର୍ଥୀ ଦ୍ବିତୀୟ ସ୍ଥାନରେ ଅର୍ଥାତ ପ୍ରମୁଖ ପ୍ରତିଦ୍ବନ୍ଦ୍ବୀ ରହିଥିଲେ। ୩ଟି ଯାକ ଲୋକସଭା ଆସନରେ ବି କଂଗ୍ରେସ ପ୍ରାର୍ଥୀ ଦ୍ବିତୀୟ ସ୍ଥାନରେ ଅର୍ଥାତ ମୁଖ୍ୟ ପ୍ରତିଦ୍ବନ୍ଦ୍ବୀ ରହିଥିଲେ। କିନ୍ତୁ ୨୦୧୯ରେ କଂଗ୍ରେସର ବିପର୍ଯ୍ୟୟ ଆରମ୍ଭ ହେଲା। ୧୮ଟି ବିଧାନସଭା ଆସନରୁ ମାତ୍ର ଗୋଟିଏ ଅର୍ଥାତ ବାରବାଟୀ-କଟକରେ କଂଗ୍ରେସ ବିଜୟୀ ହେଲା। ମାତ୍ର ୭ଟି ବିଧାନସଭା ଆସନରେ ଦ୍ବିତୀୟ ସ୍ଥାନରେ ଅର୍ଥାତ ମୁଖ୍ୟ ପ୍ରତିଦ୍ବନ୍ଦ୍ବୀ ରହିଲା। ଅନେକ ଆସନରେ ତ କଂଗ୍ରେସ ପ୍ରାର୍ଥୀ ଅମାନତ ହରାଇଲେ। ୩ଟି ଯାକ ଲୋକସଭା ଆସନରେ ଦ୍ବିତୀୟ ସ୍ଥାନରୁ ଖସି ତୃତୀୟ ସ୍ଥାନରେ ରହିଲା। ୨୦୧୯‌ରେ ଯେଉଁ ଆସନରେ କଂଗ୍ରେସ ପ୍ରାର୍ଥୀ ଦ୍ବିତୀୟ ସ୍ଥାନରେ ରହିଥିଲେ, ସେହି ଆସନ ମଧ୍ୟରୁ କେନ୍ଦ୍ରାପଡାରୁ ଗଣେଶ୍ବର ବେହେରା, ରାଜନଗରରୁ ଅଂଶୁମାନ ମହାନ୍ତି, ପାରାଦୀପରୁ ଅରିନ୍ଦମ ‌ସର୍ଖେଲ, ଜଗତସିଂହପୁରରୁ ଚିରଞ୍ଜୀବ ବିଶ୍ବାଳ ଦଳ ଛାଡି ଦେ‌ଇଛନ୍ତି। ବାଲିକୁଦା-ଏରସମାରେ ପୂର୍ବତନ ବିଧାୟକ ଲଲାଟେନ୍ଦୁ ମହାପାତ୍ର ନିର୍ବାଚନ ଲଢିବେ ନାହିଁ ବୋଲି କହି ବସି ଯାଇଛନ୍ତି।

କେବଳ ବାଙ୍କୀରେ ପୂର୍ବତନ ବିଧାୟକ ଦେବାଶିଷ ପଟ୍ଟନାୟକ ନିର୍ବାଚନ ଲଢୁଛନ୍ତି। ଆଳିରେ ଦେବେନ୍ଦ୍ର ଶର୍ମାଙ୍କ ବଦଳରେ ତାଙ୍କ ଝିଅ ଦେବସ୍ମିତା ଶର୍ମା ନିର୍ବାଚନ ଲଢୁଛନ୍ତି। ୨୦୧୯ରେ କଂଗ୍ରେସ ଯେଉଁ ଏକମାତ୍ର ଆସନ ଭାବେ ବାରବାଟୀ-କଟକ ଜିତିଥିଲା ସେଠାରେ ବିଧାୟକ ମହମ୍ମଦ ମୋକିମଙ୍କ ବଦଳରେ ତାଙ୍କ ଝିଅ ସୋଫିଆ ଫିରଦୋସ ନିର୍ବାଚନ ଲଢୁଛନ୍ତି। ନିକଟରେ କଂଗ୍ରେସ ନେତା ରାହୁଲ ଗାନ୍ଧି ମାହାଙ୍ଗା ଆସି ପ୍ରଥମ ନିର୍ବାଚନ ସଭା କରି ଦଳର ନେତା ଓ କର୍ମୀଙ୍କ ମନୋବଳ ବୃଦ୍ଧି କରିବାକୁ ଉଦ୍ୟମ କରିଛନ୍ତି। ପରିବର୍ତ୍ତିତ ସ୍ଥିତିରେ ମାହାଙ୍ଗା ଓ ସାଲେପୁରରେ ବି କଂଗ୍ରେସ ମୁଖ୍ୟ ପ୍ରତିଦ୍ବନ୍ଦ୍ବିତାକୁ ଯିବାର ସୁଯୋଗ ସୃଷ୍ଟି ହୋଇଛି। ଏଭଳି ସ୍ଥିତିରେ ୨୧ ଆସନରୁ କଂଗ୍ରେସ ଖାତାକୁ କେତେ ଯିବ, କେତେ ଆସନରେ କଂଗ୍ରେସ ଦୁଇରେ ରହିବ ଅଥବା ଅମାନତ ହରାଇବା ସ୍ଥିତିକୁ ଖସିବ, ତାହାକୁ ନେଇ କଂଗ୍ରେସ ନେତା ଓ କର୍ମୀ ଅଙ୍କ କଷିବା ଆରମ୍ଭ କରିଛନ୍ତି।