ଭୁବନେଶ୍ବର: ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ପିସିସି)ର ଆଗାମୀ ସଭାପତି କିଏ ହେବେ? ଏଥି ପାଇଁ ଦିଲ୍ଲୀରେ ହିସାବ ଚାଲିଛି। କାହା ନେତୃତ୍ବରେ ଓଡ଼ିଶାରେ କଂଗ୍ରେସ କେତେ ଲାଭବାନ ହେବ। କଂଗ୍ରେସ ହାଇକମାଣ୍ଡ ଏମିତି ଜଣେ ନେତାଙ୍କୁ ପିସିସି ଗାଦିରେ ବସାଇବାକୁ ଚାହୁଁଛନ୍ତି ଯିଏ ଓଡ଼ିଶାରେ କଂଗ୍ରେସର ସଙ୍ଗଠନରେ ସଞ୍ଜିବନୀ ଭରିଦେବ ଏବଂ ବିଜେପି ଓ ବିଜେଡି ସହ ଜୋରଦାର ଲଢେଇ କରି କଂଗ୍ରେସର ଅସ୍ତିତ୍ବ ଫେରାଇ ଆଣିବ। କିନ୍ତୁ ରାଜ୍ୟ କଂଗ୍ରେସର ଅନେକ ବରିଷ୍ଠ ନେତାଙ୍କ ଭାବମୂର୍ତ୍ତି ଖରାପ ଥିବାରୁ ତରବରିଆ ଭାବେ କାହା ହାତରେ ଦାୟିତ୍ବ ଦେଇ ରିସ୍କ ନେବାକୁ ଚାହୁଁନି ଦଳ। ସମସ୍ତଙ୍କର ନଜର ହାଇକମାଣ୍ଡ କଣ ନିଷ୍ପତ୍ତି ନେବେ।

Advertisment

ପିସିସି ସଭାପତି ଦୌଡ଼ରେ ୫ ଜଣ ବରିଷ୍ଠ ନେତା ଅଛନ୍ତି। କିନ୍ତୁ କାହାର ଉପରେ ହାଇକମାଣ୍ଡ ଭରସା କରିବେ ତାହା ଅଳ୍ପ କିଛି ଦିନ ମଧ୍ୟରେ ସ୍ପଷ୍ଟ ହୋଇଯାଇପାରେ। ତେବେ ପିସିସି ସଭାପତି ଚୟନ କରିବା ପୂର୍ବରୁ କଂଗ୍ରେସ ଟ୍ରାକ ରେକର୍ଡକୁ ନେଇ ତର୍ଜମା ଆରମ୍ଭ କରିଛି।

ଶ୍ରୀକାନ୍ତ ଜେନା
ପୂର୍ବତନ କେନ୍ଦ୍ରମନ୍ତ୍ରୀ ଓ ଏଆଇସିସିର ବିଭିନ୍ନ ପଦପଦବୀରେ ରହି ଦାୟିତ୍ବ ତୁଲାଇଛନ୍ତି
ପୂର୍ବରୁ ଦଳ ବିରୋଧୀ କାମ ପାଇଁ କଂଗ୍ରେସରୁ ବହିଷ୍କୃତ ହୋଇଥିଲେ, ନିର୍ବାଚନ ପୂର୍ବରୁ ଦଳକୁ ଫେରି ନିର୍ବାଚନ ଲଢିଥିଲେ

ଭକ୍ତ ଦାସ 
ପୂର୍ବତନ କେନ୍ଦ୍ରମନ୍ତ୍ରୀ ଓ ଅନେକ ରାଜ୍ୟର ପ୍ରଭାରୀ ଭାବେ ଦାୟିତ୍ବ ତୁଲାଇଛନ୍ତି
ନିର୍ବାଚନ ସମୟରେ ପ୍ରଚାର କମିଟି ମୁଖ୍ୟ ଥିଲେ, ଦୀର୍ଘ ବର୍ଷର ସାଙ୍ଗଠନିକ ଦକ୍ଷତା ରହିଛି

ତାରା ବାହିନୀପତି
୫ ଥରର ବିଧାୟକ, ବିଧାନସଭାରେ ସରକାରଙ୍କୁ ଅଡୁଆରେ ପକାଇଛନ୍ତି
ଦକ୍ଷିଣ ଓଡ଼ିଶାର ବଡ ଚେହେରା, ସଙ୍ଗଠନରେ ରହିଛି ଦବଦବା

ସପ୍ତଗିରି ଉଲ୍ଲାକା
ବିଜେପି ଓ ବିଜେଡି ହାୱାକୁ ପ୍ରତିହତ କରି ଲଗାତର ୨ ଥର ସାଂସଦ
ଆଦିବାସୀ ଚେହେରା ଭାବେ ଜଣାଶୁଣା , ରାହୁଲ ଗାନ୍ଧୀଙ୍କ ଅତ୍ୟନ୍ତ ଖାସ୍

ମହମ୍ମଦ ମୋକ୍କିମ
ପୂର୍ବତନ ବିଧାୟକ, ଉପକୂଳ ଓଡ଼ିଶାରେ କଂଗ୍ରେସ ସଙ୍ଗଠନକୁ ବଞ୍ଚାଇ ରଖିବାରେ ପ୍ରମୁଖ ଭୂମିକା
ସଭାପତିଙ୍କ ବିରୋଧରେ ମନ୍ତବ୍ୟ ଦେଇ ପୂର୍ବରୁ କଂଗ୍ରେସରୁ ନିଲମ୍ବିତ ହୋଇଥିଲେ

ସୂଚନା ରହିଛି, ଖୁବଶୀଘ୍ର କିଛି ବିଧାୟକଙ୍କ ସହ ବରିଷ୍ଠ ନେତାଙ୍କୁ ଦିଲ୍ଲୀ ଡକାଇ ପିସିସି ସଭାପତି ଚୟନ ନେଇ ଆଲୋଚନା କରିବେ କଂଗ୍ରେସ ହାଇକମାଣ୍ଡ। ତେବେ ପିସିସି ସଭାପତି ଚୟନରେ ପ୍ରଭାରୀ ଅଜୟ କୁମାରଙ୍କର ବଡ ଭୂମିକା ରହିବ। ଏଥର ପୁରୁଣା ଚେହେରା ନୁହେଁ ବରଂ ନୂଆ ଚେହେରା ଉପରେ ଭରସା କରିପାରନ୍ତି କଂଗ୍ରେସ ମୁଖିଆ।