କିଏ ଦେବ ଶ୍ରୀମନ୍ଦିରକୁ ସୁରକ୍ଷା? ନିରବତା ବଢ଼ାଉଛି ବିପଦ, କୁଆଡ଼େ ଗଲା ପ୍ରି-କାଷ୍ଟିଂ ନିର୍ମାଣ ନିଷ୍ପତ୍ତି

ପ୍ରତ୍ନତତ୍ତ୍ବ ବିଭାଗର ସତର୍କତା ସତ୍ତ୍ବେ ଖନନ ଜାରି

ପୁରୀ : ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ୧୦୦ ମିଟର ପରିଧିରେ ଖନନ କଲେ ଶ୍ରୀମନ୍ଦିର ପ୍ରତି ବିପଦ ମାଡ଼ି ଆସିବ। ମାଟିର ଶୃଙ୍ଖଳ ବିଗିଡ଼ିଲେ ଶ୍ରୀମନ୍ଦିରରେ ଫାଟ ସୃଷ୍ଟି ହେବା ସହ ଭୁଶୁଡ଼ିବା ପରିସ୍ଥିତି ସୃଷ୍ଟି ହେବ। ହଜାର ହଜାର ବର୍ଷର କୀର୍ତ୍ତିରାଜି ପ୍ରଭାବିତ ହେବ। ଶ୍ରୀମନ୍ଦିର ଐତିହ୍ୟ କରିଡର୍‌କୁ ନେଇ ପ୍ରତ୍ନତତ୍ତ୍ବ ବିଭାଗର ଏହି ସତର୍କତା ସତ୍ତ୍ବେ ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ଖନନ ଜାରି ରଖିଛି ଠିକା ସଂସ୍ଥା ଟାଟା ପ୍ରୋଜେକ୍ଟ ଲିମିଟେଡ୍‌। ପୂର୍ବଦ୍ବାର, ପଶ୍ଚିମଦ୍ବାର ଖନନ ପରେ ଏବେ ଦକ୍ଷିଣଦ୍ବାରରେ ଖନନ ଜାରି ରହିଛି। ଏହା ଭକ୍ତ, ସେବାୟତଙ୍କ ମହଲରେ ଅସନ୍ତୋଷ ଭରି ଦେଇଥିବାବେଳେ ବିଭିନ୍ନ ସଂଗଠନ ବି ଏଭଳି କାର୍ଯ୍ୟ ବିରୋଧରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଯଦି ଶ୍ରୀମନ୍ଦିରର କିଛି ଅସୁବିଧା ହୁଏ, ଏଥିପାଇଁ କିଏ ଉତ୍ତରଦାୟୀ ରହିବ ବୋଲି ପ୍ରଶ୍ନ କରିଛନ୍ତି। କିନ୍ତୁ ମନ୍ଦିର ପ୍ରଶାସନ ହେଉ କି ଠିକା ସଂସ୍ଥା ଅବା ପ୍ରତ୍ନତତ୍ତ୍ବ ବିଭାଗ, ସମସ୍ତେ ଏ ଦିଗରେ ନିରବତା ଅବଲମ୍ବନ କରିବା ଶ୍ରୀମନ୍ଦିର ପାଇଁ ଘନେଇଥିବା ଏହି ବିପଦ ବଢ଼ାଇବାରେ ଲାଗିଛି।

୯ ମାସ ତଳେ ପ୍ରତ୍ନତତ୍ତ୍ବ ବିଭାଗ ଐତିହ୍ୟ କରିଡର୍‌ ସଂପର୍କରେ ଶ୍ରୀମନ୍ଦିର ପ୍ରଶାସନକୁ ଚିଠି କରିଥିଲା। ଯେଉଁଥିରେ ଖନନ ଅବା ନିର୍ମାଣ କାର୍ଯ୍ୟ ହେଲେ ଶ୍ରୀମନ୍ଦିର ପ୍ରତି ବିପଦ ରହିଛି ବୋଲି ସତର୍କ କରାଯାଇଥିଲା। ତଥାପି ଚିଠିକୁ ବେଖାତିର କରି ଖନନ କରାଯାଇଥିଲା। ପରେ ଚଳିତ ମାସରେ ପୁନର୍ବାର ପ୍ରତ୍ନତତ୍ତ୍ବ ବିଭାଗ ଓବିସିସିକୁ ଏକ ଚିଠି କରିଥିଲା, ଯେଉଁଥିରେ ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ଖନନର ଏନ୍‌ଏମଏ ଅନୁମତିପତ୍ର ମଗାଯାଇଥିଲା। କିନ୍ତୁ ଏହାର କିଛି ଜବାବ ରଖିନଥିଲା ଓବିସିସି। ଏଣୁ କିଛିଦିନ ତଳେ ପ୍ରତ୍ନତତ୍ତ୍ବ ବିଭାଗ ଡିଜି ଭି. ବିଦ୍ୟାଭାରତୀ ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିର ରକ୍ଷଣାବେକ୍ଷଣ ସ୍ଥିତି ଅନୁଧ୍ୟାନ କରିବା ସହ ଐତିହ୍ୟ କରିଡର୍‌ ବୁଲି ଦେଖିଛନ୍ତି। ପ୍ରକଳ୍ପର ନକ୍ସା ସହ ଭିଡିଓ ଚିତ୍ର ଦେଖିବା ପରେ ଶ୍ରୀମନ୍ଦିରର ୧୦୦ ମିଟର ପରିଧିରେ ନିର୍ମାଣ କାର୍ଯ୍ୟ ହୋଇପାରିବନି ବୋଲି ଯୁକ୍ତି ବାଢ଼ିଛନ୍ତି। ଶ୍ରୀମନ୍ଦିରର ଏତେ ନିକଟରେ ଖନନ ହେଲେ ବିପଦ ବୋଲି ସତର୍କ କରାଇଥିଲେ। ଶ୍ରୀମନ୍ଦିରର ସୁରକ୍ଷା ଦିଗରେ ପ୍ରତ୍ନତତ୍ତ୍ବ ବିଭାଗ ସହ ସମନ୍ବୟ ଭିତ୍ତିରେ କାମ କରିବାକୁ ପରାମର୍ଶ ଦେଇଥିଲେ। ଏହା ସତ୍ତ୍ବେ ବି ଠିକା ସଂସ୍ଥା ପଶ୍ଚିମଦ୍ବାରରେ କଂକ୍ରିଟ୍‌ କାମ ଜାରି ରଖିଛି ଓ ଏବେ ଦକ୍ଷିଣଦ୍ବାରରେ ଖନନ ଆରମ୍ଭ କରିଛି। ପୂର୍ବ-ଦକ୍ଷିଣଦ୍ବାର କୋଣରେ କାକୁଡ଼ିଖାଇ ମନ୍ଦିର ନିକଟରେ ଖନନ ପରେ ବିରାଟ ଗର୍ତ୍ତ ସୃଷ୍ଟି ହୋଇଛି। ସେହିଭଳି ଅନ୍ୟାନ୍ୟ ଜାଗାରେ ବି ଖନନ ଜାରି ରହିଛି। ପ୍ରତ୍ନତତ୍ତ୍ବ ବିଭାଗ ଭୁବନେଶ୍ବର ମଣ୍ଡଳ ଡିଜି ପରିଦର୍ଶନ କରି ଯିବା ପରେ ନିରବ ବସିଛନ୍ତି। ଏଭଳି ସ୍ଥିତିରେ ଶ୍ରୀମନ୍ଦିର ସୁରକ୍ଷା ଦାୟିତ୍ବ କିଏ ନେବ ବୋଲି ଭକ୍ତ, ସେବାୟତ ମହଲ ପ୍ରଶ୍ନ କରିଛନ୍ତି। ଏପରିକି ଐତିହ୍ୟ କରିଡର୍‌ ପାଇଁ ଖନନ ଦ୍ବାରା ଯଦି ଶ୍ରୀମନ୍ଦିରର ପାଇଁ କିଛି ବିପଦ ଆସେ, ଏହା ଅକ୍ଷମଣୟୀ ବୋଲି ଚେତାଇ ଦେଇଛନ୍ତି।

ପୂର୍ବରୁ ଐତିହ୍ୟ କରିଡର୍‌ ପାଇଁ ପ୍ରି-କାଷ୍ଟିଂ ପ୍ରକ୍ରିୟା ଅବଲମ୍ବନ କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ୍‌ କୁମାର କହିଥିଲେ। ଯେହେତୁ ଶ୍ରୀମନ୍ଦିରକୁ ଦୈନିକ ହଜାର ହଜାର ଭକ୍ତ ଆସୁଛନ୍ତି, ମନ୍ଦିର ନିକଟରେ କୌଣସି ନିର୍ମାଣ ଦର୍ଶନକୁ ପ୍ରଭାବିତ କରିବ ବୋଲି କହିଥିଲେ। ଏପରିକି ଭକ୍ତ ଓ ଶ୍ରୀମନ୍ଦିର ସୁରକ୍ଷା ଦୃଷ୍ଟିରୁ ୮୦ ପ୍ରତିଶତ କାର୍ଯ୍ୟ ପ୍ରି-କାଷ୍ଟିଂ ପ୍ରକ୍ରିୟାରେ କରାଯିବ ବୋଲି ମୁଖ୍ୟ ପ୍ରଶାସକ କହିଥିଲେ। ନକ୍ସା ଅନୁଯାୟୀ କଂକ୍ରିଟ୍‌ର ବିମ୍‌ ସହ ଅନ୍ୟାନ୍ୟ କାମ ଅନ୍ୟତ୍ର ନିର୍ମାଣ କରାଯାଇ କେବଳ ମନ୍ଦିର ଚତୁଃପାର୍ଶ୍ବରେ ସ୍ଥାପନ କରାଯିବ ବୋଲି ସେ କହିଥିଲେ। କିନ୍ତୁ ଏହି ପ୍ରକ୍ରିୟା ଆଜି ପର୍ଯ୍ୟନ୍ତ ଅବଲମ୍ବନ କରାଯାଇ ନଥିବାରୁ ଭୁଆଁ ବୁଲାଇବା ପାଇଁ ଏଭଳି ଘୋଷଣା କରାଯାଇଥିଲା ବୋଲି ଭକ୍ତ, ସେବାୟତ ଅଭିଯୋଗ କରିଛନ୍ତି।

ଶ୍ରୀମନ୍ଦିର ଐତିହ୍ୟ କରିଡର୍‌କୁ ଶ୍ରୀଜଗନ୍ନାଥ ଧର୍ମ-ସଂସ୍କୃତି ସୁରକ୍ଷା ସଂଗଠନର ବିରୋଧ
ପୁରୀ : ଶ୍ରୀମନ୍ଦିର ଐତିହ୍ୟ କରିଡର୍‌କୁ ବିରୋଧ କରିଛି ଶ୍ରୀଜଗନ୍ନାଥ ଧର୍ମ-ସଂସ୍କୃତି ସୁରକ୍ଷା ସଂଗଠନ। ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗର ସତର୍କତା ଜାରି ସତ୍ତ୍ବେ କିଛି ନ୍ୟସ୍ତ ସ୍ବାର୍ଥ ଅଧିକାରୀ ଠିକା ସଂସ୍ଥା ସହ ମିଶି ଏହି ପ୍ରକଳ୍ପ କାର୍ଯ୍ୟକୁ ଜୋର ଜବରଦସ୍ତ କରୁଥିବା ସଂଗଠନ ଅଭିଯୋଗ କରିବା ସହ ଏହା ଶ୍ରୀମନ୍ଦିର ପାଇଁ ବିପଦ ସୃଷ୍ଟି କରୁଥିବାରୁ ତୁରନ୍ତ ପ୍ରକଳ୍ପ ଓ ଏଥିପାଇଁ ଜାରି ଖନନ କାର୍ଯ୍ୟ ବନ୍ଦ କରିବାକୁ ସଂଗଠନ ଦାବି କରିଛି। ସଂଗଠନର ରାଜ୍ୟ ସଭାପତି ବଦ୍ରି ମିଶ୍ର କହିଛନ୍ତି, ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ ଐତିହ୍ୟ ସୁରକ୍ଷା ଆଇନ-୧୯୫୮(୨୦୦୦ ମସିହାରେ ସଂଶୋଧିତ) ଦଫା ୨୦(ଏ) ଅନୁସାରେ ଶ୍ରୀମନ୍ଦିର ୧୦୦ ମିଟର ପରିଧିରେ କୌଣସି ନିର୍ମାଣ କାର୍ଯ୍ୟ ହୋଇପାରିବନି। ନିର୍ମାଣ କାର୍ଯ୍ୟ ପାଇଁ ଆଇନରେ ସଂଶୋଧନ ଦରକାର। ପ୍ରଥମେ ରାଜା ଯଯାତି କେଶରୀ ଏଠାରେ ମନ୍ଦିର ନିର୍ମାଣ ଆରମ୍ଭ କରିଥିଲେ, ଯାହାକୁ ରାଜ ଅନଙ୍ଗଭୀମ ଓ ଚୋଡ଼ଗଙ୍ଗ ଦେବ ପରିବର୍ଦ୍ଧିତ କରିଥିଲେ। ଶ୍ରୀମନ୍ଦିରର ନିର୍ମାଣ ପ୍ରାୟ ୧ହଜାର ବର୍ଷ ତଳେ ହୋଇଥିଲା। ବାଲିର ସହର ପୁରୀର ବାଲି ଉପରେ ତିଷ୍ଠି ରହିଛି ଏତେବଡ଼ ଲମ୍ବାକୃତି ମନ୍ଦିର। ଏବେ ଯେଭଳି ଖନନ ହୋଇ ଗର୍ତ୍ତ ସୃଷ୍ଟି କରାଯାଉଛି, ଯଦି ବର୍ଷା ହୁଏ କି ପ୍ରଚଣ୍ଡ ବିଜୁଳି ମାରେ, ତେବେ ଶ୍ରୀମନ୍ଦିର ଭୁଶୁଡ଼ି ଯାଇପାରେ। ଏହା ଅସମ୍ଭବ ବି ନୁହେଁ। ପ୍ରତ୍ନତତ୍ତ୍ବ ବିଭାଗ ବି ଏ ଦିଗରେ ସତର୍କ ସୂଚନା ଜାରି କରି ସାରିଛି। ବାରମ୍ବାର ଚିଠି କରି ଅବଗତ କରାଇଛି। ତଥାପି ନିର୍ମାଣ କାର୍ଯ୍ୟ ଜାରି ରହିଛି। ଶ୍ରୀମନ୍ଦିର ସୁରକ୍ଷା ପାଇଁ ତୁରନ୍ତ ଏହି କାର୍ଯ୍ୟ ସ୍ଥଗିତ ରଖିବାକୁ ଶ୍ରୀ ମିଶ୍ର ଦାବି କରିଛନ୍ତି। ଏ ସଂପର୍କରେ ସଂଗଠନ ପକ୍ଷରୁ ପ୍ରତ୍ନତତ୍ତ୍ବ ବିଭାଗ ଡିଜିଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି। କେନ୍ଦ୍ରୀୟ ଦଳ ଆସି ଅନୁଧ୍ୟାନ ନ କରିବା ପର୍ଯ୍ୟନ୍ତ କରିଡର୍‌ କାର୍ଯ୍ୟ ସ୍ଥଗିତ ରଖିବାକୁ ସଂଗଠନ ଦାବି କରିଛି। ଯଦି ଏହା ଉଲ୍ଲଂଘନ କରାଯାଏ, ସଂଗଠନ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଶ୍ରୀ ମିଶ୍ର କହିଛନ୍ତି।

ସମ୍ବନ୍ଧିତ ଖବର