ଗଞ୍ଜେଇଠାରୁ କୋଇଲା ଚୋରାଚାଲାଣକୁ ରୋକିବ କିଏ?

ବଢ଼ୁଛି ନିଶା କାରବାର, କୋଇଲା, ସ୍କ୍ରାପ୍‌, ଗଞ୍ଜେଇ, ମଦ ବେପାରରେ ଅଙ୍କୁଶ ଲାଗୁନି

ରାଉରକେଲା: ଇସ୍ପାତ ସହରରେ ଏବେ ନିଶା କାରବାର ଆଶାତୀତ ବୃଦ୍ଧି ପାଇଛି। ଏମିତିକି ନକଲି ନିଶା ଦ୍ରବ୍ୟ ତିଆରି, ବିକ୍ରି ଓ ଚୋରାଚାଲାଣର ମାତ୍ରା ବି କିଛି କମ୍‌ ନୁହେଁ। ଏଠାରେ ଗଞ୍ଜେଇ କାରବାରଠାରୁ ଆରମ୍ଭକରି ଦେଶୀ ମଦ, ନକଲି ବିଦେଶୀ ମଦ, ସ୍କ୍ରାପ୍‌ ବେପାର, କୋଇଲା ଚୋରାଚାଲାଣ, ଡ୍ରଗ୍ସ ବେପାର ଆଦି ସୀମା ଟପିଲାଣି। ବିଡ଼ମ୍ବନା; ଏଥିରେ ଯେଭଳି ଅଙ୍କୁଶ ଲାଗିବା କଥା ତାହା ଲାଗିପାରୁନି। ଫଳରେ ଏସବୁ ଅନୈତିକ ବେପାର ବଢ଼ୁଛି ସିନା କମିବାର ନାଁ ନେଉନି।

ଜୀବନକୁ ବାଜି ଲଗାଇ କୋଇଲା ଚୋରି

ମାଳବାହୀ ଟ୍ରେନ୍‌ରୁ ଯେଉଁ ଢ଼ଙ୍ଗରେ ଜୀବନକୁ ବାଜି ଲଗାଇ କୋଇଲା ଚୋରି ହେଉଛି; ତାହା ନିଶ୍ଚିତଭାବରେ ବିପଦପୂର୍ଣ୍ଣ। ନିୟମିତ କୋଇଲାଚୋରି ଯୋଗୁଁ କେବଳ ରାଉରକେଲା ଇସ୍ପାତ କାରଖାନାର ରାଜସ୍ବ ହାନୀ ଘଟୁନି, ବରଂ ବିଭିନ୍ନ ସମୟରେ ଚୋର ଦଳର ଟ୍ରେନ୍‌ରୁ ପଡ଼ି ମୃତାହତ ହେଉଥିବା ପରିଲକ୍ଷିତ ହୁଏ। ରାଉରକେଲା ଇସ୍ପାତ କାରଖାନା(ଆର୍‌ଏସ୍‌ପି)କୁ ଆସୁଥିବା ବହୁମୂଲ୍ୟ କୋଇଲା ଅଧା ବାଟରେ ହିଁ ଚୋରି ହେଉଛି। କୋଇଲା ବୋଝେଇ ଟ୍ରେନ୍‌ କ୍ରସିଂ/ସିଗ୍ନାଲ ପାଇଁ କାରଖାନା ଭିତରକୁ ପ୍ରବେଶ କରିବା ପୂର୍ବରୁ ଡିଜେଲ କଲୋନୀ ରେଲୱେ ବ୍ରିଜ୍‌ ପାଖରେ ବେଶ୍‌ କିଛି ସମୟ ରହିଥାଏ। ଆଉ ଏହାର ଫାଇଦା ଉଠାଇଥାନ୍ତି ସ୍ଥାନୀୟ ଶୀତଳନଗର, ତିଲକାନଗରରେ କିଛି ପୁରୁଷ ଓ ମହିଳା। ଟ୍ରେନ୍‌ ଅଟକିବା ମାତ୍ରେ ପୂର୍ବରୁ ପ୍ରସ୍ତୁତ ହୋଇରହିଥିବା ଶତାଧିକ ପୁରୁଷ/ମହିଳା ରେଳ ଧାରଣାରେ ଠୁଲ ହେଉଥିବାବେଳେ କିଛି ଲୋକ ଟ୍ରେନ୍‌ ଉପରକୁ ଚଢ଼ି ବସ୍ତା/ବୋରାରେ କୋଇଲା ଭର୍ତ୍ତି କରି ତଳକୁ ଫୋପାଡ଼ିଥାନ୍ତି। ଉକ୍ତ କୋଇଲା ଭର୍ତ୍ତି ବସ୍ତାକୁ ତଳେ ଥିବା, ଅନ୍ୟ ସଦସ୍ୟମାନେ ଗୋଟାଇ ନିଜ ଘରେ ଗଚ୍ଛିତ କରି ରଖିଥାନ୍ତି। ଏଭଳିଭାବରେ କୋଇଲା ମାଫିଆଙ୍କ ଦ୍ବାରା ନିଯୁକ୍ତ ଚୋରଦଳ ଚୋରି କରିବାରେ ମାତିଯାଉଛନ୍ତି। ଦୈନିକ ପାଖାପାଖି ୧୦ ଲକ୍ଷ ଟଙ୍କାର ୧୦୦୦/୧୨୦୦ ଶହ ବସ୍ତା କୋଇଲା ଚୋରି କରିନେଉଛନ୍ତି। ଏହି ରୢାକେଟ୍‌ରେ ଟ୍ରେନ୍‌ ଚାଳକଙ୍କଠାରୁ ଆରମ୍ଭକକରି ଗାର୍ଡ, ସିଆଇଏସ୍‌ଏଫ୍‌, ଆର୍‌ପିଏଫ୍‌ ଯବାନଙ୍କ ସଂପୃକ୍ତି ଥିବା ଅଭିଯୋଗ ହୁଏ।

ବେଲଗାମ୍‌ ଗଞ୍ଜେଇ ବେପାର

ସହରରେ ଗଞ୍ଜେଇ ବେପାର ବେଲଗାମ୍‌ ହେଲାଣି। ବିଭିନ୍ନ ପାନ ଦୋକାନଠାରୁ ଛୋଟଛୋଟ ଗୁମୁଟିରେ ସହଜରେ ଗଞ୍ଜେଇ ଉପଲବ୍ଧ। ଗଞ୍ଜେଇ ବେପାରୀମାନେ ସିଧାସଳଖ ଗ୍ରାହକଙ୍କ ସହ ଯୋଗାଯୋଗ କରି ବେପାର ଚଲାଉଛନ୍ତି। ଏମିତିକି ଏମାନେ ବିଭିନ୍ନ ଛୋଟଛୋଟ ପାନ ଦୋକାନରେ ମଧ୍ୟ ଗଞ୍ଜେଇ ବିକ୍ରି କରୁଛନ୍ତି। ପାନଦୋକାନୀମାନେ ସିଗାରେଟ୍‌ରେ ଗଞ୍ଜେଇ ଭର୍ତ୍ତି କରି ‘ମହଙ୍ଗାବାଲା ସିଗାରେଟ୍‌’ ନାଁରେ ବେଧଡ଼କ ବିକ୍ରି କରୁଛନ୍ତି। ଏହି ସ୍ବତନ୍ତ୍ର ସିଗାରେଟ୍‌ ବ୍ୟତିତ ଗୋଗୋ ପେପର୍‌, ବଙ୍ଗ୍‌, ଚିଲମ୍‌ରେ ଗଞ୍ଜେଇ ଭର୍ତ୍ତିକରି ପିଉଛନ୍ତି। ସହରର ବିଭିନ୍ନ ଅଞ୍ଚଳ, ବିଶେଷକରି ପ୍ଲାଣ୍ଟ୍‌ସାଇଟ୍‌ ଥାନା ଅଞ୍ଚଳରେ ଗଞ୍ଜେଇ କାରବାର ଢ଼େର୍‌ ଅଧିକ। କେବଳ ଏହି ପାଖାପାଖି ୩୦ରୁ ଅଧିକ ସ୍ଥାନରେ ଗଞ୍ଜେଇ ବିକ୍ରି ହେଉଛି। ଏତଦ୍‌ବ୍ୟତୀତ ପାୱାରହାଉସ୍‌ ରୋଡ୍‌ ପାର୍କିଂ ଗଳି, ସେକ୍ଟର-୨ ସବ୍‌ଜି ବଜାର, ପାନପୋଷ ମର୍ଗ ହାଉସ୍‌ ପାଖ ଅଞ୍ଚଳ, ଏସ୍‌ଟିଆଇ ଛକ, ବାସନ୍ତୀ ଓଭରବ୍ରିଜ୍‌ ତଳେ, ପାୱାର ହାଉସ୍‌ ରୋଡ୍‌, ନାଲାରୋଡ୍‌, ସେକ୍ଟର-୨ ଏନ୍ଆଇଟି ମୁଖ୍ୟ ଗେଟ୍‌ ପାଖ, ଏନ୍‌ଆଇଟି ବ୍ୟାକ୍‌ ପୋଷ୍ଟ୍‌ ଅଞ୍ଚଳ, ସେକ୍ଟର-୮, ସେକ୍ଟର-୫ ଭଞ୍ଜଭବନ ପାଖରେ, ଆମ୍ବାଗାନ ସବ୍‌ଜି ମାର୍କେଟ୍‌, ବନ୍ଧମୁଣ୍ଡାର ଡି’ କ୍ୟାବିନ, ଏ-ସେକ୍ଟର ହାଇସ୍କୁଲ ଛକ ପାଖ, ବେଦବ୍ୟାସ ଛକର ୪/୫ଟି ସ୍ଥାନ, ବେଦବ୍ୟାସ ଶିବ ମନ୍ଦିର ପାଖ, ଆଇଡିସି ବି’ ସେକ୍ଟର, କଲୁଙ୍ଗା ହାଟ, ସ’ମିଲ୍‌ ଛକରେ ବିକ୍ରି ହେଉଛି। ରାଉରକେଲାକୁ ଏସବୁ ଗଞ୍ଜେଇ ମୁଖ୍ୟତଃ ମାଲକାନଗିରି, ଦେବଗଡ଼ ଓ ସମ୍ବଲପୁର ସମେତ ପଡ଼ୋଶୀ ରାଜ୍ୟ ଛତିଶଗଡ଼, ଝାଡ଼ଖଣ୍ଡରୁ ଆସୁଥିବା ଜଣାପଡ଼ିଛି।

ସ୍କ୍ରାପ୍‌ ବେପାରକୁ ନିଘା ନାହିଁ

Marine Link

କୋଭିଡ୍‌ ମହାମାରୀ ସମୟରେ ଅତ୍ୟଧିକ ଯାଞ୍ଚ୍‌ ଯୋଗୁଁ ଏକପ୍ରକାର ଠପ୍‌ ହୋଇଯାଇଥିବା ସ୍କ୍ରାପ୍‌ ବେପାର ଏବେ ପୁନର୍ବାର ମୁଣ୍ଡ ଟେକିଲାଣି। ମାସକୁ ପାଖାପାଖି ୨ ଶହ ଟନ୍‌ରୁ ଅଧିକ ସ୍କ୍ରାପ୍‌ ୪ଟି ଥାନା ଅତିକ୍ରମ କରି ଚୋରାଚାଲାଣ ହେଉଛି। ରାଉରକେଲା ସମେତ ବେଦବ୍ୟାସ, କଳୁଙ୍ଗା ଆଦି ଶିଳ୍ପାଞ୍ଚଳରୁ ସ୍କ୍ରାପ୍‌ ଚୋରାଚାଲାଣ ଏବେ ବେଗ ଧରିଛି। ରାଉରକେଲାର ମାଲଗୋଦାମ, ଫାଟାପାଇପ୍, ତିଲକାନଗର, ବନ୍ଧମୁଣ୍ଡାର କୁକଡ଼ା ଫାଟକ ନିକଟରେ ବେଆଇନ ଲୁହା ବ୍ୟବସାୟ ଜୋର୍‌ ଧରିଛି। ଆର୍‌ଏସ୍‌ପିରୁ ପରିବହନ ହେଉଥିବା ପିଗ୍‌ ଆଇରନ ଭର୍ତ୍ତି ଗାଡ଼ି ପ୍ରଥମେ ପ୍ଲାଣ୍ଟ୍‌ସାଇଟ୍‌ସ୍ଥ ପାର୍କିଂରେ ରହୁଥିବା ସମୟରେ ଚୋରଦଳ ପିଗ୍‌ ଆଇରନ୍‌କୁ ଅନଲୋଡ୍‌ କରିନେଇଥାନ୍ତି। ଏହାସହ ଆର୍‌ଏସ୍‌ପି ଭିତରୁ ଚୋରି ହେଉଥିବା ସ୍କ୍ରାପ୍‌କୁ ମଧ୍ୟ ମାଫିଆମାନେ କିଣିଥାନ୍ତି। ଏସବୁ ସ୍କ୍ରାପ୍‌କୁ ସେଠାରୁ ପ୍ରଥମେ ମାଲଗୋଦାମ ଖଟାଲ ନିକଟସ୍ଥ ସ୍କ୍ରାପ୍‌ ଗୋଦାମରେ ଗଚ୍ଛିତ ରଖିବାପପରେ ବିଳମ୍ବିତ ରାତିରେ ପିକ୍‌ଅପ୍‌ ଯୋଗେ ଝାଡ଼ଖଣ୍ଡର ଚକ୍ରଧରପୁର, ଟାଟାନାଗର, ଜାମଶେଦପୁର, ବଡ଼ବିଲ ଆଦି ଅଞ୍ଚଳକୁ ଚାଲାଣ କରାଯାଉଛି। କେବଳ ରାଉରକେଲାର ଏହି ମାଫିଆମାନେ ମାସିକ ପାଖାପାଖି ୨ ଶହ ଟନ୍‌ ସ୍କ୍ରାପ୍‌ ଚାଲାଣ କରୁଥିବା ଆକଳନ କରାଯାଉଛି। ଏତଦ୍‌ବ୍ୟତୀତ ବେଦବ୍ୟାସ ଅଞ୍ଚଳରେ ମଧ୍ୟ ସ୍କ୍ରାପ୍‌ କାରବାର ଅଣାୟତ୍ତ ହେଲାଣି। କେବଳ ବେଦବ୍ୟାସରେ ୧୩ଟି ସ୍କ୍ରାପ୍‌ ଗୋଦାମ ରହିଛି। ବେଦବ୍ୟାସ ମନ୍ଦିର ରୋଡ୍‌ରେ ୪ଟି ସ୍କ୍ରାପ୍‌ ଗୋଦାମ ଥିବାବେଳେ କୁଆରମୁଣ୍ଡା ରୋଡ୍‌ରେ ୩ଟି, ବ୍ରାହ୍ମଣୀତରଙ୍ଗ ଥାନା ପଛପଟେ ଗୋଟିଏ, ସ’ ମିଲ୍‌ ଛକରେ ୪ଟି, କଳୁଙ୍ଗା ରୋଡ୍‌ରେ ଗୋଟିଏ ରହିଛି। ଏହି ସ୍କ୍ରାପ୍‌ ଗୋଦାମ ଯମୁନାଢ଼ିପା, କାଂଶବାହାଲ ପର୍ଯ୍ୟନ୍ତ ଲମ୍ବିଛି। ଚୋରି ସ୍କ୍ରାପ୍‌ ସମେତ ଗୋଟାଳିଙ୍କଠାରୁ କିଣାଯିବାସହ ବଡ଼ ବଡ଼ ଅଚଳ ବସ୍‌, ଟ୍ରକ୍‌, ଡମ୍ପର, ଟ୍ରଲର୍‌ ଆଦିକୁ ଅନୈତିକଭାବେ ସ୍କ୍ରାପ୍‌ରେ ପରିଣତ କରାଯାଉଛି। ତେବେ ଏମାନେ କୌଣସି ଚୋରାପଥରେ ନୁହେଁ, ବରଂ ବୀର୍ସା ଛକ-ବନ୍ଧମୁଣ୍ଡା ରାସ୍ତା ଦେଇ ଚାଲାଣ କରୁଛନ୍ତି। ଅର୍ଥାତ୍‌ ଏମାନେ ଉଦିତନଗର-ପ୍ଲାଣ୍ଟ୍‌ସାଇଟ୍‌-ବନ୍ଧମୁଣ୍ଡା-ବିଶ୍ରା ପୁଲିସ ଥାନା ଅତିକ୍ରମ କରି ଚାଲାଣ କରୁଛନ୍ତି।

ଦେଶୀ ଓ ନକଲି ବିଦେଶୀ ଭାସୁଛି ସହର

ରାଉରକେଲା‌ର ଗଳି କନ୍ଦିରେ ଏବେ ଦେଶୀ ଓ ନକଲି ବିଦେଶୀ ମଦ ବେପାର ଚାଲିଛି। ରାଉରକେଲାକୁ ମୁଖ୍ୟତଃ କୁଆରମୁଣ୍ଡା, ବୀରମିତ୍ରପୁର, ବ୍ରାହ୍ମଣୀତରଙ୍ଗ ଅଞ୍ଚଳରୁ ନିୟମିତ ଦେଶୀ ମଦ ଚାଲାଣ ହେଉଛି। ବିଶେଷକରି ବୀରମିତ୍ରପୁର ଥାନା ଅନ୍ତର୍ଗତ ଅଙ୍କୁରପାଲୀ, କରିଛାପଲ, ବ୍ରାହ୍ମଣୀତରଙ୍ଗ ଥାନା ଅନ୍ତର୍ଗତ ଖଇରବନ୍ଧ, ବୁଚାହୁଣ୍ଡା, ରେଳାପୋଷ, ଗୋପପାଲୀ, କୁମ୍ଭାରସାହି ଆଦି ଅଞ୍ଚଳରୁ ପ୍ରତିଦିନି ମଦ ଆସୁଛି। ମାସକୁ ପ୍ରାୟ ୭/୮ ହଜାର ଲିଟର ଚାଲାଣ ହେଉଛି। କେବଳ ଗ୍ରାମାଞ୍ଚଳ ନୁହେଁ, ବରଂ ଇସ୍ପାତ ସହର ଭିତରେ କେତେକ ବସ୍ତି ଅଞ୍ଚଳରେ ଦେଶୀ ମଦ ତିଆରି, ଅନୈତିକ ମଦ ବିକ୍ରି ହେଉଛି। ବିଶେଷକରି ସେକ୍ଟର-୨ ଖରିଆବାହାଲ ବସ୍ତି, ବନ୍ଧମୁଣ୍ଡା କୋଇଲାଗେଟ୍‌, ତିଲକାନଗର, ଗୋପବନ୍ଧୁପଲ୍ଲୀ, ଇନ୍ଦୀରାନଗର, ନୟାବଜାର, ସେକ୍ଟର-୬, ଲୁଆକେରା, ବନପୋଷ, ଆଇଟିଆଇ ପାଖ ବସ୍ତି, ବାଗୁଡ଼ି ବସ୍ତି ଆଦିରେ ମଦ ବେପାର ଅବାଧ ଚାଲିଛି। ଏମିତିକି ଝାଡ଼ଖଣ୍ଡରୁ ମଧ୍ୟ ନିୟମିତ ନକଲି ମଦ ଆସୁଥିବାର ନଜିର ରହିଛି। ଝାଡ଼ଖଣ୍ଡର ଦେଶୀ ମଦ ସ୍ପିରିଟ୍‌ ମିଶ୍ରିତ ଥିବାରୁ ଏହାର ନିଶା ମାତ୍ରା ଅଧିକ ରହୁଥିବାରୁ ଗ୍ରାହକଙ୍କ ପ୍ରଥମ ପସନ୍ଦ ପାଲଟିଛି। ଏହାସହ ସହରରେ ନକଲି ବିଦେଶୀ ମଦ କାରବାର ମଧ୍ୟ ବୃଦ୍ଧି ପାଇଛି। ସୁଚିନ୍ତି ଯୋଜନା ମାଧ୍ୟମରେ ସହର ଉପକଣ୍ଠ ଇଲାକାରେ ନକଲି ବିଦେଶୀ ମଦ ତିଆରି କରାଯାଉଛି। ଏହାପରେ ସହରରେ ଥିବା ଢ଼ାବାଗୁଡ଼ିକରେ ଏହାକୁ ବିକ୍ରି କରୁଛନ୍ତି।

ସମ୍ବନ୍ଧିତ ଖବର