ଔଷଧ କମ୍ପାନିଙ୍କୁ ଜଗିବ କିଏ?

୧୫୦ରୁ ୯୦ ଦେଇନାହାନ୍ତି ଆନାଲିଟିକାଲ ସାର୍ଟିଫିକେଟ୍‌
ତଥାପି ଡ୍ରଗ୍‌ସ କଂଟ୍ରୋଲ କର୍ତ୍ତୃପକ୍ଷ ନିରବ

କଟକ: ରାଜ୍ୟରେ ବ୍ୟବସାୟ କରୁଛନ୍ତି ମାଳମାଳ ପ୍ରୋପାଗଣ୍ଡା ବା ପ୍ରଚାରଧର୍ମୀ ଔଷଧ କମ୍ପାନି। ନିୟମକୁ ଫାଙ୍କି ବର୍ଷ ବର୍ଷ ଧରି ଚାଲିଛି ବେଧଡ଼କ ବେପାର। କିନ୍ତୁ ଏଭଳି କମ୍ପାନି ବର୍ଷ ବର୍ଷ ହେଲା ଓଡ଼ିଶା ବଜାରରେ ଆଡ଼ା ଜମାଇ ବେପାର କରୁଥିଲେ ବି କାହିଁକି ଡ୍ରଗ୍‌ସ୍‌ କଣ୍ଟ୍ରୋଲ କର୍ତୃପକ୍ଷ ନିଷ୍କ୍ରିୟ ରହୁଛି, ତାହାକୁ ନେଇ ପ୍ରଶ୍ନ ଉଠୁଛି। ଯେଉଁଠି ନାମକରା କମ୍ପାନି ୫ ଲକ୍ଷ ଟଙ୍କା ବେପାର କରି ପାରୁନାହାନ୍ତି ସେଠାରେ ଏଭଳି ପ୍ରଚାରଧର୍ମୀ କମ୍ପାନିଗୁଡିକ କୋଟିରେ ବେପାର କରୁଥିବା ଜଣାପଡିଛି।

ରାଜ୍ୟରେ ରେକର୍ଡ ଅନୁଯାୟୀ ୫୫୦ ଔଷଧ କମ୍ପାନି ଔଷଧ ବ୍ୟବସାୟ କରୁଛନ୍ତି। ସେଥିରୁ କିନ୍ତୁ ୧୫୦ କମ୍ପାନି ନିୟମ ଅନୁଯାୟୀ କୌଣସି କାଗଜପତ୍ର ଦାଖଲ ନ କରି ବେପାର କରି ଆସୁଥିଲେ। କଟକରେ ଜୁନ୍ ୧୧ ତାରିଖରେ ନକଲି ଔଷଧ କାରବାରକୁ ନେଇ ଚଢଉ ହେବା ଏବଂ ୭୦ ଲକ୍ଷ ଟଙ୍କାର ଔଷଧ ଜବତ୍‌ ହେବା ଘଟଣା ପରେ ରାଜ୍ୟ ଔଷଧ ବ୍ୟବସାୟୀ ମହାସଂଘ ଉକ୍ତ ୧୫୦ କମ୍ପାନିକୁ ସେମାନଙ୍କର ଆନାଲିଟିକାଲ ସାର୍ଟିଫିକେଟ୍‌ ଦାଖଲ ପାଇଁ କହିଥିଲା। ସେମାନଙ୍କ ମଧ୍ୟରୁ ଆଜି ସୁଦ୍ଧା ୬୦ଟି କମ୍ପାନି ଏହି ସାର୍ଟିଫିକେଟ୍‌ ଦାଖଲ କରିସାରିଥିବା ବେଳେ ଏବେ ବି ୯୦ଟି କଂପାନି ସେମାନଙ୍କ ଦାଖଲ କରି ନାହାନ୍ତି। କିନ୍ତୁ ଏ କ୍ଷେତ୍ରରେ ଡ୍ରଗ୍‌ସ କଣ୍ଟ୍ରୋଲ କର୍ତୃପକ୍ଷର ନିରବତାକୁ ନେଇ ଏବେ ପ୍ରଶ୍ନ ଉଠୁଛି। ପ୍ରଥମେ ଆନାଲିଟିକାଲ ସାର୍ଟିଫିକେଟ୍ ଦାଖଲ ପରେ ବ୍ୟବସାୟ କରିବାର ନିୟମ ଥିବାବେଳେ ଏଭଳି କମ୍ପାନିଙ୍କୁ ରାଜ୍ୟରେ ବ୍ୟବସାୟ ପାଇଁ ଛାଡି ଦିଆଯିବା ଘଟଣାରେ କିଏ ଉତ୍ତରଦାୟୀ ବୋଲି ପ୍ରଶ୍ନ ଉଠୁଛି।

ତଥ୍ୟ ଅନୁଯାୟୀ ରାଜ୍ୟରେ ବର୍ଷକୁ ହାରାହାରି ଭାବେ ୪୫୦ କୋଟି ଟଙ୍କାର ଔଷଧ ବେପାର ହେଉଛି। କଟକ ସହରରେ ୧୨୦ଟି ଔଷଧ ଡିପୋ, ୪୫୦ ହୋଲସେଲ ପଏଣ୍ଟ ଓ ୯୮୦ ରିଟେଲ କାଉଣ୍ଟର ରହିଛି। କଟକ ଔଷଧ ବଜାର ଉପରେ ୯୫ ପ୍ରତିଶତ ଓ ଭୁବନେଶ୍ବରରେ ୫ପ୍ରତିଶତ ରାଜ୍ୟର ବ୍ୟବସାୟୀ ନିର୍ଭର କରିଥାନ୍ତି। କିନ୍ତୁ ନାମକରା କମ୍ପାନିଙ୍କୁ ପଛରେ ପକାଇ ପ୍ରଚାରଧର୍ମୀ କମ୍ପାନିଗୁଡିକ ଅଧିକ କମିସନ୍‌, ଆକର୍ଷଣୀୟ ଉପହାର ଦେଇ ବଜାରକୁ କବ୍‌ଜାରେ ରଖିଛନ୍ତି।

ଯେଉଁ ଅଭିଯୋଗରେ କଟକର ମେଡିଲୟଡ଼୍ ମେଡିକାମେଣ୍ଟ ପ୍ରାଇଭେଟ୍‌ ଲିମିଟେଡ୍‌ ଉପରେ ଚଢଉ କରାଯାଇ ନକଲି ଔଷଧ ଜବତ ହେଲା ଏବଂ ୪/୫ ଦିନ ଜୋରଦାର ଚଢଉ ହେଲା, ସେଥିରେ କଣ ପୂରା ବ୍ୟବସ୍ଥା ସଜାଡି ହେଇଗଲା। ସେହିଭଳି କେବଳ ଗୋଟିଏ କମ୍ପାନି କ’ଣ ରାଜ୍ୟରେ ଅଛି? ତା’ ପରଠାରୁ ରାଜ୍ୟ ଡ୍ରଗ୍‌ସ କଣ୍ଟେ୍ରାଲ କର୍ତୃପକ୍ଷ ପୂରା ଚୁପ୍ କାହିଁକି? ଆନାଲିଟିକାଲ ରିପୋର୍ଟ ଦେଉ ନଥିବା କଂପାନି ଉପରେ ବିଭାଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ କାହିଁକି? ଔଷଧ ଲୋକଙ୍କ ଜୀବନ ସହ ଜଡିତ। ଏ କ୍ଷେତ୍ରରେ ଏଭଳି ନିଷ୍କ୍ରିୟତାକୁ ନେଇ ଏବେ ସନ୍ଦେହ ବଢିବାରେ ଲାଗିଛି।

ସମ୍ବନ୍ଧିତ ଖବର