ଜୟପୁର: ଗତ ଅକ୍ଟୋବର ମାସ ୩୧ତାରିଖ ଦିନ ଜୟପୁର ବିମାନବନ୍ଦରର ଲୋକାର୍ପଣ ହେବା ସହ ୯ସିଟ୍ ବିଶିଷ୍ଟ ବିମାନ ଚଳାଚଳ ଆରମ୍ଭ ହୋଇଛି। ବିମାନବନ୍ଦରର ସମ୍ମୁଖ ଓ ୩୨୬ ନମ୍ବର ଜାତୀୟ ରାଜପଥ ସହ ସଂଯୋଗ କରୁଥିବା ରାସ୍ତା ମଝିରେ ଡିଭାଇଡର କରି ସୌନ୍ଦର୍ଯ୍ୟକରଣ ପାଇଁ ବହୁ ଛୋଟ ବଡ଼ ୨୦୦ରୁ ଊର୍ଦ୍ଧ୍ବ ବିଭିନ୍ନ ରକମର ଫୁଲ ଗଛ ଲଗାଯାଇଛି। ତେବେ ଏହାର ଦେଖାରେଖା କିଏ କରିବ, ଏଥି ପାଇଁ ପ୍ରତ୍ୟେକ ଦିନ ହେବାକୁ ଥିବା ଖର୍ଚ୍ଚ କିଏ ଭରଣା କରିବ ତାହାକୁ ନେଇ ଏବେ ବିରାଟ ବଡ ପ୍ରଶ୍ନ ସୃଷ୍ଟି କରିଛି।
ମଳିଥିବା ସୂଚନା ମୁତାବକ, ପ୍ରତ୍ୟେକ ଦିନ ପୌରପାଳିକାର ୧୦ରୁ ଊର୍ଦ୍ଧ୍ବ ଦିନ ମଜୁରିଆ ଭାବେ କାମ କରୁଥିବା ସଫେଇ କର୍ମଚାରୀ ଗତ ୩୧ତାରିଖରୁ ଏସବୁ ଗଛକୁ ସବୁ ଦିନ ପାଣି ଦେବା, ଘାସ ଉପାଡ଼ିବା, ଦେଖାରେଖା କରିବା ସହ ସଫେଇ କାମ କରି ଆସୁଛନ୍ତି। ପ୍ରତ୍ୟେକ ଦିନ ଏହି ଦିନ ମଜୁରିଆଙ୍କ ପାଇଁ ପୌରପାଳିକା ପକ୍ଷରୁ ୩ହଜାରରୁ ଊର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ କରାଯାଉଛି। ସହରର ବିଭିନ୍ନ ୱାର୍ଡରେ କାମ କରିବାକୁ ଥିବା ସଫେଇ ଶ୍ରମିକଙ୍କୁ ନେଇ ସଂପ୍ରତି ଏହି କାମ ଚାଳିଛି। ତେବେ ପ୍ରଶ୍ନ ଉଠୁଛି ଯେ ବ୍ଲକ ଅଂଚଳରେ ଥିବା ବିମାନବନ୍ଦରର କାମ ପାଇଁ ପୌରପାଳିକା କିଭଳି ଟଙ୍କା ଖର୍ଚ୍ଚ କରି ଶ୍ରମିକ ଲଗାଉଛି। ଯେଉଁ ଶ୍ରମିକ ମାନେ ସହରର ବିଭିନ୍ନ ୱାର୍ଡରେ ସଫେଇ କାମରେ ନିୟୋଜିତ ହୋଇଥାନ୍ତେ ସେମାନଙ୍କୁ ସେଠାକୁ ପଠାଇବା ବଦଳରେ ବିମାନବନ୍ଦରର ଏହି କାମ ପାଇଁ ପଠାଯାଉଛି। ଫଳ ସ୍ବରୁପ ସହରର କିଛି ୱାର୍ଡରେ ଯେଭଳି ଗତିରେ ସଫେଇ କାମ ହେବା କଥା ସେହି ମାତ୍ରାରେ ହୋଇ ପାରୁ ନାହିଁ। ଜିଲ୍ଲାପାଳଙ୍କ ମୌଖୀକ ନିର୍ଦେଶରେ ଏହି କାମ କରାଯାଉଥିବା ସୂଚନା ମିଳିଛି।
ଜିଲ୍ଲାପ୍ରଶାସନ ବ୍ଲକ ଅଂଚଳରେ ପୌରପାଳିକା ଉପରେ ବୋଝ ଲଦିବା ବଦଳରେ ଦୀର୍ଘ ମିଆଦୀ ଭାବେ ବିମାନବନ୍ଦରର ସଫେଇ, ଗଛ ଗୁଡିକର ଦେଖାରେଖା କରିବା ପାଇଁ ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ କରିବା ଆବଶ୍ୟକ। ଏହା ସହ ଏହି କାମ ପାଇଁ କେତେ ଟଙ୍କା ଖର୍ଚ୍ଚ ହେବ ସେ ନେଇ ବ୍ୟୟବରାଦ କରିବା ସହ ସ୍ବତନ୍ତ୍ର ପାଣ୍ଠିର ଯୋଗାଡ କରିବା ସହ ଏଥି ପାଇଁ ଲିଖିତ ଭାବେ ନିର୍ଦେଶ ଦେବା ଆବଶ୍ୟକ ବୋଲି ବୁଦ୍ଧିଜୀବୀମାନେ ମତ ପ୍ରକାଶ କରିଛନ୍ତି। ଅନ୍ୟ ପକ୍ଷରେ ବିନା ଯୋଜନା ଓ ପାଣ୍ଠିରେ ଏପରି ପୌରପାଳିକାର ସହଯୋଗରେ କେତେ ଦିନ ଏଭଳି ଚାଳିବ ବୋଲି ଚର୍ଚ୍ଚା ଜୋର ଧରିଛି। ଅବିଭକ୍ତ କୋରାପୁଟ ଜିଲ୍ଳାବାସୀଙ୍କ ବହୁ ପ୍ରତିକ୍ଷୀତ ବିମାନ ଉଡିବା ଏବଂ ବିମାନ ବନ୍ଦର ଚାଳିବା ପରେ ସହରର ସାମଗ୍ରୀକ ବିକାଶ ଏବଂ ସୌନ୍ଦର୍ଯ୍ୟକରଣ ପାଇଁ ପୌରପାଳିକା ପକ୍ଷରୁ ସାମାନ୍ୟ ସହଯୋଗ କରାଯାଉଛି ବୋଲି କହିଛନ୍ତି ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ସିଦ୍ଧାର୍ଥ ପଟ୍ଟନାୟକ।