ନବଙ୍କ ଅବର୍ତ୍ତମାନରେ କାହା ହାତକୁ ଯିବ ଜିଲ୍ଲା ରାଜନୀତିର ଡୋରି

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା ରାଜନୀତିରେ ନବ ଦାସ ଜଣେ ଅପ୍ରତିଦ୍ବନ୍ଦୀ ନେତା ଥିଲେ। କଂଗ୍ରେସରେ ଥିବା ବେଳେ ତାଙ୍କର ଯେମିତି ପ୍ରଭାବ ଥିଲା ବିଜେଡିକୁ ଆସିବା ପରେ ମଧ୍ୟ ସେହି ପ୍ରଭାବ ବଳବତ୍ତର ରହିଲା। ନବ ୨୦୦୪ ମସିହାରେ ପ୍ରଥମ ଥର ଝାରସୁଗୁଡ଼ା ରାଜନୀତିରେ ପାଦ ଥାପି କଂଗ୍ରେସ ଦଳରୁ ବିଧାନସଭା ନିର୍ବାଚନରେ ସ୍ଥାନୀୟ ବିଜେଡି ବିଧାୟକ କିଶୋର ମହାନ୍ତିଙ୍କ ସହିତ ପ୍ରତିଦ୍ବନ୍ଦିତା କରି ହାରି ଯାଇଥିଲେ। ଏହାର ପରବର୍ତ୍ତୀ ୨୦୦୯ ନିର୍ବାଚନରେ ସେ କଂଗ୍ରେସ ଦଳରୁ ପୁଣି ଥରେ ପ୍ରତିଦ୍ବନ୍ଦିତା କରି ବିଜେଡି ପ୍ରାର୍ଥୀ କିଶୋର ମହାନ୍ତିଙ୍କୁ ପରାଜିତ କରିଥିଲେ।

୨୦୧୪ ନିର୍ବାଚନରେ ମଧ୍ୟ ସେ କିଶୋର ମହାନ୍ତିଙ୍କୁ ପରାଜିତ କରିଥିଲେ। ୨୦୧୯ ନିର୍ବାଚନ ପୂର୍ବରୁ ‌ନବ ବିଜେଡିରେ ଯୋଗ ଦେଇ ବିଜେଡି ଟିକେଟରେ ଝାରସୁଗୁଡ଼ାରୁ ପ୍ରତିଦ୍ବନ୍ଦିତା କରିବା ପରେ କିଶୋର ମହାନ୍ତି ଝାରସୁଗୁଡ଼ା ପରିବର୍ତ୍ତେ ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀରୁ ପ୍ରତିଦ୍ବନ୍ଦିତା କରିଥିଲେ। ୨୦୧୯ ନିର୍ବାଚନରେ ଉଭୟ କିଶୋର ଓ ନବ ବିଜେଡି ବିଧାୟକ ଭାବରେ ନିର୍ବାଚିତ ହୋଇଥିବା ବେଳେ ନବଙ୍କୁ ରାଜ୍ୟ ମନ୍ତ୍ରିମଣ୍ଡଳରେ ସ୍ବାସ୍ଥ୍ୟ ବିଭାଗର ମନ୍ତ୍ରୀ କରାଯାଇଥିଲା। କିଶୋରଙ୍କ ସହିତ ନବଙ୍କ ଦୀର୍ଘ ବର୍ଷର ରାଜନୈତିକ ଶତ୍ରୁତା ଥିବା ବେଳେ ଉଭୟ ଗୋଟିଏ ଦଳ‌କୁ ଆସିବା ପରେ ଜିଲ୍ଲାର ରାଜନୀତି ଦୃଶ୍ୟପଟରେ ଅନେକ ପରିବର୍ତ୍ତନ ହୋଇଥିଲା। ‌କଂଗ୍ରେସ ଦଳର ବିଧାୟକ ଥିବା ବେଳେ ନବ ସାରା ଜିଲ୍ଲାରେ ତାଙ୍କର ପ୍ରଭାବ ବିସ୍ତାର କରିଥିଲେ। ଜିଲ୍ଲାର ସବୁ ବ୍ଲକ୍‌ ଓ ଜିଲ୍ଲା ପରିଷଦରେ କଂଗ୍ରେସ ଅଧୀନରେ ରହି ଆସୁଥିଲା। ଜିଲ୍ଲା ରାଜନୀତିରେ ତାଙ୍କର ପ୍ରଭାବ ଏଭଳି ଢଙ୍ଗରେ ବିସ୍ତାର କରି ରଖୁଥିଲେ ଯେ ଅନ୍ୟ ଦଳ ବା ନେତା ତାଙ୍କ ପ୍ରଭାବ ଭେଦ କରିବା ସମ୍ଭବ ହେଉନଥିଲା।

୨୦୧୯ରୁ କିନ୍ତୁ କିଶୋର ଓ ନବଙ୍କ ମଧ୍ୟରେ ଉତ୍ତମ ବୁଝାମଣା ଥିବା କହାଯାଉଥିଲା। ତେବେ କର୍ମୀମାନଙ୍କ ମଧ୍ୟରେ ବୁଝାମଣାରେ ସେତିକି ଉନ୍ନତି ପରିଲକ୍ଷିତ ହୋଇନଥଲା। ପୂର୍ବରୁ କିଶୋର ଝାରସୁଗୁଡ଼ା ବିଧାନସଭା ଆସନରୁ ପ୍ରତିଦ୍ବନ୍ଦିତା କରୁଥିବା ବେଳେ ଏହି ଆସନରେ ଥିବା ତାଙ୍କର ସମର୍ଥକଙ୍କ ମଧ୍ୟରୁ ଅନେକ ନବଙ୍କୁ ଗ୍ରହଣ କରିଥିବା ବେଳେ କେତେକଙ୍କ ପାଇଁ ଏହା ସହଜ ହୋଇନଥିଲା। ଦୀର୍ଘବର୍ଷ ଧରି କିଶୋରଙ୍କ ପାଖରେ ରହି ଆସିଥିବା ବହୁ ସମର୍ଥକଙ୍କ ମଧ୍ୟରୁ  ହାତଗଣତି କିଛି ସମର୍ଥକ ନବଙ୍କ ଶିବିରରେ ନିଜକୁ ଖାପ ଖୁଆଇ ପାରିଥିଲେ। ଅନ୍ୟପକ୍ଷରେ କଂଗ୍ରେସରେ ଥିବା ସମୟରେ ନବଙ୍କ ସହିତ ରହି ଆସିଥିବା ବହୁ ସମର୍ଥକ ନବ ବିଜେଡିକୁ ଆସିବା ପରେ ସେମାନେ କୋଣଠେସା ହୋଇ ରହିଥିବା ଅନୁଭବ କରୁଥିଲେ। ଜିଲ୍ଲାରେ ନୂଆ ବିଜେଡି ଓ ପୁରୁଣା ବିଜେଡି କର୍ମୀ କଥା ଉଠୁଥିଲା। ଏଭଳି ଏକ ସମୟରେ ଗତ ୨୦୨୧ ଡିସେମ୍ବର ୩୦ ତାରିଖ ହଠାତ ବିଧାୟକ କିଶୋର ମହାନ୍ତି ଚାଲିଯିବା ପରେ ସାରା ଜିଲ୍ଲାରେ ନବଙ୍କ ଅଖଣ୍ଡ କ୍ଷମତା ବୃଦ୍ଧି ପାଇଥିଲା।

ନବଙ୍କ ନେତୃତ୍ବରେ ତ୍ରିସ୍ତରୀୟ ପଞ୍ଚାୟତ ନର୍ବାଚନ ଓ ପୌର ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ତ୍ରିସ୍ତରୀୟ ନିର୍ବାଚନରେ ସମସ୍ତ ୫ଗୋଟି ବ୍ଲକ୍‌ ଓ ୯ରୁ ୯ ଜିଲ୍ଲା ପରିଷଦ ଆସନ ନବଙ୍କ ଅଧୀନକୁ ଆସିଥିବା ବେଳେ ପୌରନିର୍ବାଚନରେ କିନ୍ତୁ ସେତିକି ସଫଳତା ମିଳିନଥିଲା। ଝାରସୁଗୁଡ଼ା ଜିଲ୍ଲାରେ ଥିବା ୩ ପୌର ପରିଷଦରୁ ବେଲପାହାଡ଼ ପୌର ପରିଷଦ କଂଗ୍ରେସ ନଗରପାଳ ହାତକୁ ଚାଲି ଯାଇଥିଲା। ଏହାପରେ ପରେ ବ୍ରଜରାଜନଗର ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏହି ଆସନରେ କିଶୋରଙ୍କ ପତ୍ନୀ ଅଳକା ମହାନ୍ତି ବିଜେଡି ଟିକେଟରୁ ବିଜୟୀ ହୋଇଥିଲେ। ନବ ତାଙ୍କ ପରିବାରର ଜଣଙ୍କୁ ଉତ୍ତରାଧିକାରୀ କରିବା ପାଇଁ ପ୍ରବଳ ଉଦ୍ୟମ କରିଥିଲେ ମଧ୍ୟ ସେତିକି ସଫଳତା ପାଇନଥିଲେ। ସେ କଂଗ୍ରେସ ବିଧାୟକ ଥିବା ସମୟରେ ପ୍ରଥମେ ସେ ତାଙ୍କ ପୁତ୍ର ବିଶାଳଙ୍କୁ ଜିଲ୍ଲା କଂଗ୍ରେସର କାର୍ଯ୍ୟକାରୀ ସଭାପତି କରି ରାଜନୀତିକୁ ଆଣିଥିଲେ ମାତ୍ର ଏହା ପରେ ପରେ ସେ ବିଜେଡିରେ ପାଦ ଥାପିବା ପରେ ବିଶାଳ ଆଉ ରାଜନୀତିରେ ଆଗକୁ ଯାଇନଥିଲେ।

ଏହାପରେ ନବ ତାଙ୍କ ଝିଅ ଦୀପାଳିଙ୍କୁ ତାଙ୍କ ଉତ୍ତରାଧିକାରୀ ଭାବରେ ବାଛି ଥିଲେ। ସେ ମନ୍ତ୍ରୀ ହେବା ପରେ ଝିଅ ଦୀପାଳିଙ୍କୁ ତାଙ୍କର ପ୍ରତିନିଧି କରିଥିଲେ। ଦୀପାଳି ମଧ୍ୟ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବୁଲାବୁଲି କରିବା ସହିତ ଲୋକଙ୍କ ସହିତ ମିଶିଥିଲେ। ବ୍ରଜରାଜନଗର ଉପନିର୍ବାଚନରେ ଦୀପାଳିଙ୍କୁ ଟିକେଟ ଦିଆଯିବା କଥା ମଧ୍ୟ ଉଠିଥିଲା। ମାତ୍ର ଅଳକା ଟିକେଟ ପାଇବା ପରେ ତାଙ୍କୁ ନିର୍ବାଚନ ପ୍ରଚାର ଦାୟିତ୍ବ ଦିଆଯାଇଥିଲା। ପଦ୍ମପୁର ଉପନିର୍ବାଚନରେ ମଧ୍ୟ ଦୀପାଳି ପ୍ରଚାର ଦାୟିତ୍ବ ନେଇ ପ୍ରଚାର ଅଭିଯାନରେ ସାମିଲ ହୋଇଥିଲେ। ଜିଲ୍ଲା ରାଜନୀତିରେ ଅଖଣ୍ଡ ପ୍ରଭାବ ଜାହିର କରିଥିବା ନବଙ୍କ ଗତ ରବିବାର ହଠାତ ଅକାଳ ବିୟୋଗ ପରେ ଏବେ ଜିଲ୍ଲା ରାଜନୀତିର ଗତି କୁଆଡ଼େ ଯିବ ତାକୁ ନେଇ ସମସ୍ତେ ସନ୍ଦୀହାନ ହୋଇପଡ଼ିଛନ୍ତି। ଜିଲ୍ଲା ବିଜେଡି ସଭାପତି ପଦରେ ଥିବା ସ୍ବର୍ଗତ କିଶୋର ମହାନ୍ତିଙ୍କ ସ୍ଥାନ ପୂରଣ ହୋଇନଥିବା ବେଳେ ଏବେ ନବଙ୍କ ଅଭାବ ଜିଲ୍ଲା ରାଜନୀତିରେ ଏକ ବିଷମ ପରିସ୍ଥିତି ସୃଷ୍ଟି କରିଛି। ଆଗାମୀ ଦିନରେ ଜିଲ୍ଲା ରାଜନୀତିର ଡୋରି କାହା ନିୟନ୍ତ୍ରଣରେ ପରିଚାଳିତ ହେବ ତାକୁ ନେଇ ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର