୪ ଅନାଥ ଭାଇଭଉଣୀଙ୍କ ଦୁଃଖ ବୁଝିବ କିଏ?

କୁଳିଅଣା: ମୟୂରଭଞ୍ଜ ଜିଲ୍ଲା କୁଳିଅଣା ବ୍ଲକ ଅନ୍ତର୍ଗତ ଚାନ୍ଦୁଆ ପଞ୍ଚାୟତ ଅଧୀନ ଦୁଧକୁଣ୍ତି ଗାଁରେ ଏବେ ବାପା, ମା’ଙ୍କୁ ହରାଇ ଅସହାୟ ହୋଇ ପଡ଼ିଛନ୍ତି ୪ ଅନାଥ ଭାଇ ଭଉଣୀ। ଗତବର୍ଷ ଜୁନ୍‌ ମାସରେ ଅଜଣା ଜ୍ବରରେ ପଡ଼ି ସଂସାର ଛାଡ଼ିଲେ ମା’ ବାହାମଣି ହାଁସଦା (୩୮)। ସ୍ବାମୀ ମାଘାଲ ହାଁସଦା ୪ ପିଲାଙ୍କ ହାତ ଧରି କିଛି ବାଟ ଚାଲିବା ପରେ ସେ ବି ହାତ ଛାଡ଼ିଦେଲେ। ଗତ ମାର୍ଚ୍ଚ ମାସ ୩୦ ତାରିଖରେ ତାଙ୍କର ଆକସ୍ମିକ ମୃତ୍ୟୁ ଘଟିଲା। ରାତିରେ ଶୋଇଥିଲେ ଯେ ସକାଳକୁ ଦେହରେ ପ୍ରାଣବାୟୁ ନଥିଲା।

ବର୍ଷେ ଭିତରେ ବାପା, ମା’ ଡକାଡକି ହୋଇ ଆରପାରିକୁ ଚାଲିଗଲେ ଆଉ ୪ ପିଲା ଦୁନିଆ ଦାଣ୍ଡରେ ଏକା ହୋଇଗଲେ। ଏବେ ବଡ଼ଝିଅ ସୀତାମାଣିଙ୍କୁ ୧୫ ବର୍ଷ। ପଞ୍ଚମ ଶ୍ରେଣୀରୁ ତା’ ପାଠପଢ଼ାରେ ଡୋର ବନ୍ଧାହୋଇଛି। ତା’ ତଳକୁ ୧୩ ବର୍ଷର ପୁଅ ଆନପା ଯିଏ ଏବେ ପଞ୍ଚମ ଶ୍ରେଣୀରେ ପଢୁଛି। ୯ ବର୍ଷର କୁନିଝିଅ ମାଇନ ଏବେ ଏବେ ସ୍କୁଲ ଯାଉଛି ଆଉ ୩ ବର୍ଷର ସାନପୁଅ ବିଷ୍ଣୁ ଅଙ୍ଗନବାଡ଼ି ମାଡିଛି। ଏହି ଅନାଥ ଭାଇ ଭଉଣୀ ଏବେ କାହା ଭରସାରେ ବଞ୍ଚିବେ ବୋଲି ବୁଦ୍ଧିବାଟ ଦିଶୁନି। ସମ୍ପତ୍ତି ବାଡ଼ି କିଛି ନାହିଁ। ବାପା, ମା’ ଥିଲାବେଳେ ମୂଲ ଲାଗି ଯାହା ଆଣୁଥିଲେ ସେଥିରେ ପରିବାର ଚଳୁଥିଲା। ଏବେ ହାତରେ ଟଙ୍କାଟିଏ ବି ନାହିଁ।

ମାସେ ହେଲା ବଡ଼ବାପା ରାଗେନ ହାଁସଦା ଓ ବଡ ମା’ ସୁକୁଲମଣି ଏହି ପିଲାମାନଙ୍କ ଦେଖାଶୁଣା କରୁଛନ୍ତି। ତେବେ ସେମାନଙ୍କର ବି ଦୁଇ ପୁଅ ଓ ଗୋଟିଏ ଝିଅକୁ ମିଶାଇ ପାଞ୍ଚପ୍ରଣୀ କୁଟୁମ୍ବ। ମୂଲ ଲାଗି ପରିବାର ପୋଷୁଥିବା ବଡ଼ବାପା କେତେଦିନ ବା ପୁତୁରା ଝିଆରୀଙ୍କୁ ଆଶ୍ରୟ ଦେଇପାରିବେ। ଏଣୁ ବାପା ମା’ ଛେଉଣ୍ତ ଏହି ଚାରି ପିଲାଙ୍କୁ ପ୍ରଶାସନ ଯଦି ସହାୟତାର ହାତ ନ’ବଢାଏ ତେବେ ୪ଟି କଅଁଳ ପିଲାଙ୍କ ଜୀବନ ଦୁର୍ବିସହ ହୋଇପଡ଼ିବ। ତେଣୁ ଅତିକମ୍‌ରେ ଆଦିବାସୀ ପିଲାଙ୍କ ପାଇଁ ଉଦ୍ଦିଷ୍ଟ କୌଣସି ଆବାସିକ ବିଦ୍ୟାଳୟରେ ଏମାନଙ୍କ ପାଠ ପଢାଇବାରେ ବ୍ୟବସ୍ଥା କରାଇ ପାରିଲେ ଆକାଳରେ ମଉଳି ଯାଉଥିବା ଫୁଲକଢିଗୁଡିକ ଭବିଷ୍ୟତର ସ୍ବପ୍ନ ଦେଖି ପାରନ୍ତେ।

ସମ୍ବନ୍ଧିତ ଖବର