ସଚ୍ଚିକାନ୍ତ ନାଥ
କଟକ: ରାଜ୍ୟସ୍ତରରେ ରାଜ୍ୟ ସୈନିକ ବୋର୍ଡ ଏବଂ ବିଭିନ୍ନ ଜିଲ୍ଲାରେ ୮ଟି ଜିଲ୍ଲା ସୈନିକ ବୋର୍ଡ ଏବେ କାର୍ଯ୍ୟ କରୁଛି। ପୂର୍ବତନ ସୈନିକ ଓ ବୀର ନାରୀଙ୍କ କଲ୍ୟାଣ ଯୋଜନାକୁ କାର୍ଯ୍ୟକାରୀ କରାଇବା ତଥା ସେମାନଙ୍କ ସମସ୍ୟା ବୁଝିବା ଉଦ୍ଦେଶ୍ୟରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ (୫୦:୫୦) ସହଭାଗିତାରେ ଏହା କାର୍ଯ୍ୟ କରିଥାଏ। ହେଲେ ଏବେ ରାଜ୍ୟର କୌଣସି ଗୋଟିଏ ବି ସୈନିକ ବୋର୍ଡରେ ଅଫିସର୍ ନଥିବା ବେଳେ ୫୦ ପ୍ରତିଶତ କର୍ମଚାରୀ ପଦବି ଖାଲିପଡ଼ିଛି। ଏହି କାରଣରୁ ୩ ହଜାରରୁ ଅଧିକ ଯୁଦ୍ଧବୀର ଓ ବୀରନାରୀଙ୍କ ସମେତ ୬୦ହଜାରରୁ ଅଧିକ ପୂର୍ବତନ ସୈନିକଙ୍କ ସମସ୍ୟା ବର୍ଷବର୍ଷ ଧରି ସମାଧାନ ହୋଇପାରୁନି।
ପୂର୍ବତନ ସୈନିକମାନଙ୍କ ନିମନ୍ତେ ଭୁବନେଶ୍ବର ‘ସୈନିକ ଭବନ’ରେ ରାଜ୍ୟ ସୈନିକ ବୋର୍ଡ କାର୍ଯ୍ୟରତ ଥିବାବେଳେ କଟକ, ବାଲେଶ୍ବର, ବ୍ରହ୍ମପୁର, ଢ଼େଙ୍କାନାଳ, ସମ୍ବଲପୁର, କେନ୍ଦୁଝର, କଳାହାଣ୍ତି ଓ କୋରାପୁଟରେ ଜିଲ୍ଲା ସୈନିକ ବୋର୍ଡ ରହିଛି। ଏଗୁଡ଼ିକର ପରିଚାଳନା ପାଇଁ ଭୁବନେଶ୍ବର ମୁଖ୍ୟାଳୟରେ ରାଜ୍ୟ ସେକ୍ରେଟାରିଙ୍କ ସମେତ ଜଣେ କନିଷ୍ଠ ଅଧିକାରୀ ତଥା ସମସ୍ତ ଜିଲ୍ଲା ସୈନିକ ବୋର୍ଡରେ ସେକ୍ରେଟାରି ପଦବି ରହିଛି। ଏଥି ସହିତ କିରାଣି ଓ କଲ୍ୟାଣ କାର୍ଯ୍ୟ ପାଇଁ ୬୦ଟି କର୍ମଚାରୀ ପଦବି ରହିଛି। ହେଲେ ୨୦୧୯ରୁ କେବଳ ଜଣେ ମାତ୍ର ଅଧିକାରୀ ସମଗ୍ର ରାଜ୍ୟର ଦାୟିତ୍ବ ତୁଲାଉଥିଲେ। ଶେଷ ଅଧିକାରୀ ଭାବେ ପ୍ରାକ୍ତନ କମୋଡୋର୍ ଘନଶ୍ୟାମ ଓଝା ଏହି ସପ୍ତାହରେ ଚାକିରିରୁ ଅବସର ନେଇଛନ୍ତି। ସେପଟେ, ୬୦ଜଣ କର୍ମଚାରୀ ପଦବିରୁ ୩୨ଜଣ ଅଛନ୍ତି। ୩ଜଣଙ୍କୁ ଛାଡ଼ି ଏମାନେ ସମସ୍ତେ ପ୍ରାକ୍ତନ ସୈନିକ।
ଜିଲ୍ଲା ସୈନିକ ବୋର୍ଡଗୁଡ଼ିକରେ ସ୍ଥାୟୀ ଅଧିକାରୀ(ସୈନିକ) ନ ଥିବାରୁ ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଜଣେ ଅଧିକାରୀ ଦାୟିତ୍ବ ତୁଲାଉଛନ୍ତି। କେବଳ କଟକରେ ଉପଜିଲ୍ଲାପାଳ ଏହି ଦାୟିତ୍ବରେ ଥିବାବେଳେ ଅନ୍ୟ ସବୁଠି ଡେପୁଟି କଲେକ୍ଟର୍ ଅବା ଆସିଷ୍ଟାଣ୍ଟ କଲେକ୍ଟର୍ ଦାୟିତ୍ବରେ ଅଛନ୍ତି। ସେମାନେ ନିଜ କାର୍ଯ୍ୟରେ ବ୍ୟସ୍ତ ରହୁଥିବାରୁ ସପ୍ତାହରେ ଥରେ/ଦୁଇଥର ସୈନିକ ବୋର୍ଡକୁ ଆସୁଛନ୍ତି। ଅନେକ ସମୟରେ ସୈନିକ ବୋର୍ଡର କେହି କର୍ମଚାରୀ ଫାଇଲ୍ ନେଇ ସେମାନଙ୍କ ଦସ୍ତଖତ କରାଇ ଆଣୁଛନ୍ତି। ସେନାବାହିନୀର କାଗଜପତ୍ର ସମ୍ପର୍କରେ ବିଶେଷ ଅନୁଭବ ନଥିବାରୁ ତଥା ଏହା ସେମାନଙ୍କ ସ୍ଥାୟୀ କାର୍ଯ୍ୟ ହୋଇ ନଥିବାରୁ ଏହାକୁ ସେତେ ଗୁରୁତ୍ବ ଦେଉ ନାହାନ୍ତି। ଏହାର ସିଧାସଳଖ ପ୍ରଭାବ ପଡୁଛି ରାଜ୍ୟର ୬୦ହଜାର ୫୯୧ ଜଣ ପୂର୍ବ ସୈନିକ ଓ ବୀରନାରୀଙ୍କ ଉପରେ। ପୂର୍ବ ସୈନିକ ଓ ସେମାନଙ୍କ ପରିବାର ବିଭିନ୍ନ କଲ୍ୟାଣମୂଳକ ଯୋଜନାଗୁଡ଼ିକର ସୁଫଳ ପାଇବାରୁ ବଞ୍ଚିତ ହେଉଛନ୍ତି। ଏକ୍ସ-ସର୍ଭିସମେନ୍ ପରିଚୟପତ୍ର ଓ ବେନୋଭେଲେଣ୍ଟ ସାର୍ଫିଫିକେଟ୍ ଇତ୍ୟାଦି ଦିନକରେ ମିଳିବା ବଦଳରେ ସପ୍ତାହେ/ଦୁଇ ସପ୍ତାହ ଅପେକ୍ଷା କରିବାକୁ ପଡ଼ୁଛି। ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ସଚିବ ଏବେ ସୈନିକ ବୋର୍ଡ ଦାୟିତ୍ବରେ ଥିବା ବେଳେ ଏ ସମସ୍ୟାର ସମାଧାନ କେବେ ହେବ ବୋଲି ବିଭିନ୍ନ ମହଲରେ ପ୍ରଶ୍ନ ଉଠୁଛି।