ଭୁବନେଶ୍ୱର: ସାଧାରଣ ନିର୍ବାଚନ-୨୦୨୪ ପାଇଁ ଭାରତୀୟ ଜନତା ପାର୍ଟି (ବିଜେପି) ଏପର୍ଯ୍ୟନ୍ତ ୧୮ଟି ଲୋକସଭା ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ବିଜୁ ଜନତା ଦଳ (ବିଜେଡି) ୯ଟି ସ୍ଥାନରେ ନିଜର ପ୍ରାର୍ଥୀ ଦେଇଛି। ରାଜନୈତିକ ଦୃଷ୍ଟିକୋଣରୁ ଚର୍ଚ୍ଚିତ ଆସନ ଭୁବନେଶ୍ବର ପାଇଁ ଅପରାଜିତାଙ୍କୁ ବିଜେପି ଟିକେଟ୍ଟି ଦେଇଥିବା ବେଳେ ଏଠାରେ ବିଜେଡିରୁ ଅବତୀର୍ଣ୍ଣ ହୋଇଛନ୍ତି ରାଜ୍ୟ ରାଜନୀତିରେ ଜଣାଶୁଣା ମୁହଁ ସୁର ରାଉତରାୟଙ୍କ ପୁଅ ମନ୍ମଥ। ବିଜେଡି ଘୋଷଣା କରିଥିବା ପ୍ରାର୍ଥୀଙ୍କୁ ନେଇ ଭୁବନେଶ୍ବରର କିଛି ଭୋଟର ଆଶ୍ଚର୍ଯ୍ୟ ହୋଇପଡ଼ିଛନ୍ତି। କାରଣ ଯଦିଓ ଘୋଷଣା କରାଯାଇ ନଥିଲା। ତଥାପି ଏଠାରୁ ବିଜେଡି ଶ୍ରୀମୟୀ ମିଶ୍ରଙ୍କୁ ସାଂସଦ ଟିକେଟ ଦେବ ବୋଲି ଚର୍ଚ୍ଚା ହେଉଥିଲା। ଶ୍ରୀମତୀ ମିଶ୍ର ମଧ୍ୟ ଭୁବନେଶ୍ବର ସାଂସଦ କ୍ଷେତ୍ରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଉଥିଲେ।
ଅପରାଜିତା ଷଡ଼ଙ୍ଗୀ ୨୦୧୯ ସାଧାରଣ ନିର୍ବାଚନରେ ଭୁବନେଶ୍ୱର ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ହେଇଥିଲେ। ତାଙ୍କୁ ମୁକାବିଲା କରିଥିଲେ ପୂର୍ବତନ ଆଇପିଏସ୍ ଅଫିସର ଅରୂପ ପଟ୍ଟନାୟକ। ଉଭୟଙ୍କ ମଧ୍ୟରେ ଜୋରଦାର ଲଢ଼େଇ ହୋଇଥିଲା। ଏହା ସ୍ୱତ୍ତ୍ୱେ ବିଜେଡି ଭୁବନେଶ୍ୱର ଲୋକସଭା ଆସନ ହରାଇଥିଲା। ବିଜେପି ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ ୨୩ ହଜାରରୁ ଅଧିକ ଭୋଟ ବ୍ୟବଧାନରେ ନିର୍ବାଚନ ଜିତିଥିଲେ। ସେବେଠାରୁ ଭୁବନେଶ୍ୱର ଦଖଲ କରିବାକୁ ରଣନୀତି ପ୍ରସ୍ତୁତ କରିବାରେ ଲାଗିପଡ଼ିଥିଲା ବିଜେଡି।
ଦଳରେ ଆଜି ବିଧିବଦ୍ଧ ଭାବେ ଯୋଗ ଦେଉଦେଉ ସୁରଙ୍କ ସାନ ପୁଅ ମନ୍ମଥ ରାଉତରାୟଙ୍କ ଉପରେ ଭରସା କରିଛି ଦଳ। ବିଜେଡି ତାଙ୍କୁ ବଡ ଦାୟିତ୍ୱ ଦେବା ସହିତ ଲୋକସଭା ନିର୍ବାଚନ ପାଇଁ ପ୍ରାର୍ଥୀ କରିଛି। କୁହାଯାଉଛି, ମନ୍ମଥଙ୍କୁ ପ୍ରାର୍ଥୀ କରି ବିଜେଡି ବଡ ଗେମ୍ ଖେଳିଛି। ମନ୍ମଥଙ୍କୁ ପ୍ରାର୍ଥୀ କରିବା ଦ୍ୱାରା କଂଗ୍ରେସର ଭୋଟ୍ ମଧ୍ୟ ବିଜେଡିକୁ ମିଳିବାର ସମ୍ଭାବନା ବେଶି ବୋଲି ଅନୁମାନ କରୁଛନ୍ତି ରାଜନୈତିକ ସମୀକ୍ଷକ। ଅନ୍ୟପଟେ ଅପରାଜିତାଙ୍କ ୫ ବର୍ଷ ଶାସନର ବିରୋଧୀ ହାୱାକୁ ମଧ୍ୟ ନିଜ ସପକ୍ଷରେ ନେବାକୁ ଚେଷ୍ଟା କରୁଛି ବିଜେଡି।
ଅନ୍ୟପଟେ ବିଜେପି ପ୍ରାର୍ଥୀ ପ୍ରଧାନମନ୍ତ୍ରୀଙ୍କ ବିକାଶକୁ ମୁଦ୍ଦା କରି ଏଥର ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି। ଅପରାଜିତା ମଧ୍ୟ ବିକାଶର ନାରା ଦେଇ ପୁଣିଥରେ ଭୁବନେଶ୍ୱରବାସୀଙ୍କ ଭରସା ଜିତିବାକୁ ଲକ୍ଷ୍ୟ ରଖିଛନ୍ତି। ହେଲେ ଏ ସବୁ ଭିତରେ କିଏ ଭୁବନେଶ୍ୱରବାସୀଙ୍କ ଭରସା ଜିତୁଛି? କିଏ ଏଠାରୁ ଲୋକସଭାକୁ ଯାଉଛି ତାହା ଦେଖିବାକୁ ବାକି ରହିଲା।
ବିଜେଡି ଟିକେଟ୍ରେ ପୁରୀରୁ ଅରୂପ ପଟ୍ଟନାୟକଙ୍କୁ ବିଜେପିର ସମ୍ବିତ ପାତ୍ର ମୁକାବିଲା କରିବେ। ଜଗତସିଂହପୁରରୁ ବିଜେଡି ପ୍ରାର୍ଥୀ ରାଜଶ୍ରୀ ମଲ୍ଲିକଙ୍କୁ ବିଭୂପ୍ରସାଦ ତରାଇ ଓ ଢେଙ୍କାନାଳୁ ଅବିନାଶ ସାମଲଙ୍କୁ ରୁଦ୍ର ନାରାୟଣ ପାଣି ମୁକାବିଲା କରିବେ।