ପରିବହନ ନିଗମ ଚାଲିଛି କେମିତି? କିଣିଦେଲେ, ଚଳାଇ ପାରୁନାହାନ୍ତି

କର୍ମଚାରୀ ଏବେ ଭଲ୍‌ଭୋ ବସ୍‌ ମାଲିକ, କ୍ଷତି ଦର୍ଶାଇ ଲିଜ୍‌ରେ ଟେକିଦେଲେ

ଚେତିନାହାନ୍ତି, ଆଉ ୨୨ ବସ୍‌ କିଣିବାକୁ ପ୍ରସ୍ତାବ

ଭୁବନେଶ୍ବର: ରାଜ୍ୟ ସଡ଼କ ପରିବହନ ନିଗମ ସୌଖୀନ ବସ୍‌ ଚଳାଇବା ପ୍ରସଙ୍ଗ ପୁଣି ଥରେ ଚର୍ଚ୍ଚାକୁ ଆସିଛି। ରାଜ୍ୟବାସୀଙ୍କୁ ବିଭିନ୍ନ ଆଶା େଦଖାଇ ଅଧିକାରୀମାନେ ୨ ବର୍ଷ ତଳେ ନୂଆ ଭଲଭୋ ବସ୍‌ କିଣିଥିଲେ। ବେଶ ଜାକଜକମରେ ଏହାର ଶୁଭାରମ୍ଭ କରାଯାଇଥିଲା। ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ତିନି ମାସ ତଳେ ଏହି ବସ୍‌କୁ ନିଗମ ଲିଜ୍‌ରେ ଦେଇ ଦେଇଛି। ଆହୁରି କୌତୂହଳର କଥା େହଲା, କୌଣସି ଘରୋଇ ବା ସରକାରୀ ସଂସ୍ଥାକୁ ନୁହେଁ। ବରଂ ନିଗମର କିଛି କର୍ମଚାରୀଙ୍କ ହାତରେ ଏସବୁ ମୂଲ୍ୟବାନ ବସ୍‌ ଟେକି ଦିଆଯାଇଛି। େକଉଁ ପରିସ୍ଥିତିରେ ଏତେ ଦାମୀ ବସ୍‌କୁ କର୍ମଚାରୀଙ୍କ ହାତକୁ ଟେକି ଦିଆଗଲା, ସରକାର ଏଥିପାଇଁ ଅନୁମତି ଦେଇଛନ୍ତି କି ନାହିଁ, ଏହା ଏେବ ବଡ଼ ବିତର୍କ ସୃଷ୍ଟି କଲାଣି।
ଆହୁରି କୌତୂହଳର ବିଷୟ ହେଉଛି, ମୂଲ୍ୟବାନ ବସ୍‌ ଚଳାଚଳ ସଂକ୍ରାନ୍ତରେ ଏତେ ବିଫଳତା ମୁଣ୍ଡାଇବା ପରେ ବି ନିଗମ କର୍ତୃପକ୍ଷ ଚେତିନାହାନ୍ତି। ଆଉ ୨୨ଟି ସୌଖୀନ ବସ୍‌ କିଣିବା ପାଇଁ ସରକାରଙ୍କୁ ପ୍ରସ୍ତାବ ଦେଇଥିବା ସୂଚନା ମିଳିଛି। ଗୋଟିଏ ପଟେ ରାଜଧାନୀ ଏକ୍ସପ୍ରେସ କ୍ଷତି ଆଡ଼କୁ ମୁହାଁଇଲାଣି। ଏପଟେ ଦାମୀ ବସ୍‌ ସ୍ଥିତି ମଧ୍ୟ ଅନୁରୂପ। ସନ୍ଦେହ ହେଲାଣି, ଓଡ଼ିଶା ରାଜ୍ୟ ପରିବହନ ନିଗମ ପୁଣି ଥରେ ଦୁଃସ୍ଥିତିକୁ ଚାଲିଯିବ କି?

ନିଗମ ପକ୍ଷରୁ ପ୍ରାଥମିକ ପର୍ଯ୍ୟାୟରେ ୪ଟି ଭଲଭୋ ବସ୍‌ କିଣାଯାଇଥିଲା। ସ୍ଥିର େହାଇଥିଲା, ୨ଟି ବସ୍‌ ଭୁବନେଶ୍ବର-ହାଇଦ୍ରାବାଦ ଓ ଅନ୍ୟ ୨ଟି ବ୍ରହ୍ମପୁର-କୋଲାକାତା ମଧ୍ୟରେ ଚଳାଚଳ କରିବ। କିନ୍ତୁ ବାସ୍ତବତା ହେଲା, ବ୍ରହ୍ମପୁର-କୋଲାକାତା ରୁଟ୍‌ରେ ଚଳାଚଳ କରିବାକୁ ଥିବା ବସ୍‌ ଏବେ ପୁରୀ-କୋଲାକାତା ରୁଟ୍‌ରେ ଚାଲୁଛି। ସେହିପରି ଭୁବନେଶ୍ବର-ହାଇଦ୍ରାବାଦ୍ ଚଳାଚଳ କରିବାକୁ ଥିବା ବସ୍‌ ପରମିଟ୍‌ ଅଭାବରୁ ଜୟପୁର-ରାଜମହେନ୍ଦ୍ରୀକୁ ଯାଉଛି। ରାଜ୍ୟ ସଡ଼କ ପରିବହନ ନିଗମ ଭୁବନେଶ୍ବର-ହାଇଦ୍ରାବାଦ୍‌କୁ ସୌଖୀନ ବସ୍‌ ନ ଚଳାଇବା ପଛର କାରଣ େହଉଛି, ପରମିଟ୍ ମିଳିଲା ନାହିଁ। ଏହା ଭିତରେ ନିର୍ବାଚନ ସରିଛି ଓ ଆନ୍ଧ୍ରରେ ସରକାର ବଦଳିଛି। ହେଲେ ବସ୍ ଚଳାଚଳ ପାଇଁ ଅନୁମତି ହାସଲ କରିବା ଦିଗରେ କର୍ତୃପକ୍ଷ କିନ୍ତୁ ଆଗ୍ରହ ଦେଖାଇନାହାନ୍ତି। ଓଲଟା ନିଗମ ଲକ୍ଷାଧିକ ଟଙ୍କା କ୍ଷତି ସହିବା ଦର୍ଶାଇ ବାଧ୍ୟ ହୋଇ କର୍ମଚାରୀଙ୍କ ହାତରେ ଦାମୀ ବସ୍‌ଗୁଡିକର ଭାଗ୍ୟକୁ ଛାଡ଼ି ଦେଇଛି। େଯଉଁମାନେ ଏକଦା ବସ୍‌ ଚଳାଉଥିଲେ, ସେମାନେ ଏବେ ବସ୍‌ ମାଲିକ ସାଜିଛନ୍ତି। ନିଗମ ସର୍ତ ରଖିଛି, ବସ୍‌ର ୭୦-୭୩ ପ୍ରତିଶତ ସିଟ୍ ବାବଦରେ େଯତିକି ଅର୍ଥ ମିଳିବା କଥା, ତାହାକୁ ପ୍ରତ୍ୟହ ସେମାନେ ପୈଠ କରିବେ। ତେଣିକି ସିଟ୍ ପୂରଣ େହଉ କି ନ େହଉ। ତେବେ ନିର୍ଦିଷ୍ଟ କି ଗ୍ୟାରେଣ୍ଟି ରଖି ଏହି ଅନୁମତି ଦିଆଯାଇଛି, ଯଦି ସଂପୃକ୍ତ କର୍ମଚାରୀ କ୍ଷତି କାରଣରୁ ଅର୍ଥ ପୈଠ ନ କରନ୍ତି, ତେବେ ଦାମୀ ବସ୍‌ ଭାଗ୍ୟ କଣ ହେବ?

ଏତେ ପରେ ବି ନିଗମର ସୌଖୀନ ବସ କିଣିବା ନିଶା ମୁଣ୍ଡରୁ ଖସୁନି। ଆଗକୁ ୧୪/୧୫ଟି ରୁଟ୍‌ରେ ପୁଣି ୨୨ଟି ସୌଖୀନ ବସ୍‌ ଚଳାଇବାକୁ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି। ଏଥିରୁ ଗୁଣ୍ଟୁର, ଟାଟା, ଭାଇଜାଗ୍ ଭଳି ରୁଟ୍‌ରେ କିଛି ବସ୍ ଚାଲିବ। ମାତ୍ର ସରକାର ଏ ନେଇ କୌଣସି ନିଷ୍ପତ୍ତି ଶୁଣାଇନାହାନ୍ତି। ଉଲ୍ଲେଖଯୋଗ୍ୟ, କିଛି ବର୍ଷ ପୂର୍ବରୁ ନିଗମ ଚଳାଉଥିବା ପୁରୁଣା ଗାଡ଼ିର ନିଲାମ କରିଥିଲା। ଏହି ଟଙ୍କାରେ ରାଜ୍ୟର ଏକାଧିକ ରୁଟ୍‌ରେ ଲୋକଙ୍କୁ ସୌଖୀନ ବସ୍‌ ସେବା ଯୋଗାଇବା ପାଇଁ ନିଷ୍ପତ୍ତି ହୋଇଥିଲା। ଏଥିପାଇଁ ସିଙ୍ଗିଲ ଆକ୍ସିଲ୍ ବିଶିଷ୍ଟ ଗୋଟିଏ ଭଲ୍‌ଭୋ ବସ୍‌ କୋଟିଏରୁ ଅଧିକ ଟଙ୍କାରେ କିଣିଥିଲା ନିଗମ। ଭୁବନେଶ୍ବର-ହାଇଦ୍ରାବାଦ ରୁଟ୍‌ ପାଇଁ ତେଲେଙ୍ଗାନା ସରକାରଙ୍କ ପକ୍ଷରୁ ପରମିଟ୍‌ ମିଳିଥିବା ବେଳେ ଆନ୍ଧ୍ର ସରକାରଙ୍କ ନିକଟରୁ ଯେଉଁ ପରମିଟ୍‌ ମିଳିବା କଥା, ତାହା ମିଳିଲା ନାହିଁ। ତେଣୁ ଏହି ରୁଟ୍‌‌ରେ ବସ୍ ଚଳାଇବାରେ ବିଫଳ ହୋଇଥିଲା ନିଗମ। ଖାଲି ସୌଖୀନ୍ ଭଲ୍‌ଭୋ ବସ୍ ନୁହେଁ, ନିକଟରେ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଆରମ୍ଭ ହୋଇଥିବା ରାଜଧାନୀର ଏକ୍ସପ୍ରେସ୍‌ ବସ୍‌ ସେବାର ଅବସ୍ଥା ମଧ୍ୟ ଭଲ ନାହିଁ। ଏଥିପାଇଁ ସମୁଦାୟ ୨୩ଟି ଏସି ଡିଲକ୍ସ ବସ୍‌ କିଣା ଯାଇଥିବା ବେଳେ ଏବେ ୧୧ଟି ରୁଟ୍‌ରେ ୨୨ଟି ଗାଡ଼ି ଚାଲୁଛି। ଭୁବନେଶ୍ବର-ଗୋରୁମହିଷାଣୀ, ଭୁବନେଶ୍ବର-ବୁର୍ଲା, ଭୁବନେଶ୍ବର-ଅନୁଗୁଳ, ଭୁବନେଶ୍ବର-ଦେବଗଡ଼ ଓ ରାଉରକେଲା ରୁଟ୍‌ରେ ଏହି ବସ୍‌ ଚଳାଚଳ କରୁଛି। ତହିଁରୁ ଅଧିକାଂଶ ରୁଟ୍‌ରେ ଶତ ପ୍ରତିଶତ ସିଟ୍‌ ପୂରଣ ହେଉନାହିଁ। ଏ ଦୃଷ୍ଟିରୁ ୨/୩ଟି ରୁଟ୍‌ରେ ମଧ୍ୟ ଲିଜ୍ ଆକାରରେ ବସ୍ ଚଳାଇବାକୁ ନିଗମ ଅନୁମତି ଦେଇଛି। କେଉଁ ପରିସ୍ଥିତିରେ ଏତେ ମୂଲ୍ୟବାନ ବସ୍‌କୁ ନିଗମ ବସ୍‌ କର୍ମଚାରୀଙ୍କୁ ଲିଜ୍ ଆକାରରେ ଦେଇଛି, ତାହା ବୁଝାପ଼ଡୁନାହିଁ। ଏ ନେଇ ସରକାରଙ୍କ ଅନୁମତି ନିଆଯାଇଛି କି? ଯଦି ସରକାର ଦେଇଛନ୍ତି, କେଉଁ ପରିସ୍ଥିତିରେ ଦେଲେ? ଏ ସଂକ୍ରାନ୍ତରେ କ୍ୟାବିନେଟ୍ ନିଷ୍ପତ୍ତି େନଇଛି କି? ଏମିତି ଅନେକ ପ୍ରଶ୍ନ ପରିବହନ ବିଭାଗ ଭୂମିକାକୁ ମଧ୍ୟ ଅକଳରେ ପକାଇଲାଣି। ସଚିବାଳୟ ସାମ୍ନାରେ ଥିବା ନିଗମର ଏଭଳି ଘଟଣା ଯଦି ବିଭାଗ ଜାଣିପାରୁନି, ତେବେ ବସ୍‌ ସଂପର୍କରେ କଣ ଖବର ରଖୁଥିେବ?

ନିଗମର ଜଣେ ଅଧିକାରୀ କହିଛନ୍ତି, ଯେଉଁ ଯେଉଁ ରୁଟ୍‌ରେ କ୍ଷତି ହେଉଥିବା ଦର୍ଶାଇ ଏହାକୁ ଲିଜ୍‌ ଆକାରରେ ବସ୍ ଚଳାଇବାକୁ ଅନୁମତି ଦିଆଯାଉଛି, ଲିଜ୍‌ ଆକାରରେ ଗଲା ପରେ ସେହି ରୁଟ୍‌ରେ ବସ୍‌ ଲାଭ କରୁଛି। ତେଣୁ, ଏଥିରୁ କେଉଁଠି ନା କେଉଁଠି ଚୋରି ରୋକିବାରେ ନିଗମ ବିଫଳ ହେଉଛି କିମ୍ବା ଯାଞ୍ଚ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଉନାହିଁ। ଫଳରେ ନିଗମକୁ କ୍ଷତି ସହିବାକୁ ପଡ଼ୁଛି। ନିଗମର ନିଜସ୍ବ ୪୬୩ଟି ବସ୍‌ ରହିଛି। ବେସରକାରୀ ସଂସ୍ଥାମାନଙ୍କର ପ୍ରାୟ ୧୮ହଜାର ବସ୍ ରହିଛି।

ସମ୍ବନ୍ଧିତ ଖବର