ଯିଏ ନିୟମ କରୁଛନ୍ତି, ସିଏ ଭାଙ୍ଗୁଛନ୍ତି: ବାଲେଶ୍ବର ସହରରେ ଢିଲା ହେଲାଣି ଟ୍ରାଫିକ୍‌ କଟକଣା

୧୧ଟା ପରେ ଟ୍ରାଫିକ୍‌ ପୋଷ୍ଟ ଫାଙ୍କା, ରହୁନାହାନ୍ତି କର୍ମଚାରୀ, ସିଗ୍‌ନାଲ ମାନୁନାହାନ୍ତି ଅମାନିଆ, ପ୍ରବେଶ କରୁଛି ଭାରୀଯାନ

ବାଲେଶ୍ବର: ଦୁର୍ଘଟଣା, ଜୀବନହାନି ଏବଂ ଟ୍ରାଫିକ୍ ଜାମ୍ ହ୍ରାସ କରିବା ପାଇଁ ବାଲେଶ୍ବର ସହରର କେତୋଟି ନିର୍ଦ୍ଦିଷ୍ଟ ରାସ୍ତାରେ ଭାରୀଯାନ ଚଳାଚଳ ନେଇ ଜିଲ୍ଲା ପ୍ରଶାସନ ତରଫରୁ କଟକଣା ଲାଗୁ କରାଯାଇଛି। କିନ୍ତୁ ପ୍ରତିଦିନ ପୂର୍ବାହ୍ନ ୧୧ଟା ପରେ ସାରା ସହରର କୌଣସି ଟ୍ରାଫିକପୋଷ୍ଟରେ ଟ୍ରାଫିକ୍‌ କର୍ମଚାରୀଙ୍କୁ ଖୋଜିଲେ ବି ଦେଖା ମିଳୁନାହାନ୍ତି। ଏଭଳି ସ୍ଥିତି ଅପରାହ୍ନ ସାଢ଼େ ୩ଟାରୁ ୪ଟା ପର୍ଯ୍ୟନ୍ତ ଲାଗିରହୁଥିବା ବେଳେ ଦୀର୍ଘ ୪/୫ ଘଣ୍ଟା ଟ୍ରାଫିକ୍‌ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବେ ବିପର୍ଯ୍ୟସ୍ତ ହୋଇପଡ଼ୁଛି। ତେବେ  ପୁଲିସ ଓ ପ୍ରଶାସନ ମଧ୍ୟରେ ଉପଯୁକ୍ତ ସମନ୍ବୟ ରହୁୁନଥିବା କାରଣରୁ ଜାରି କରାଯାଇଥିବା ଟ୍ରାଫିକ କଟକଣା ଏକ ପ୍ରହସନ ବୋଲି ସହରବାସୀ ଅଭିଯୋଗ କରିଛନ୍ତି।

ସୂୂଚନାଥାଉକି, ବାଲେଶ୍ବର ସହରର ଆଇଟିଆଇ ଛକରୁ ଭାୟା ବାଲେଶ୍ବର ବସ୍‌ଷ୍ଟାଣ୍ତ ଏଫଏମ୍ ଗୋଲେଇ ଦେଇ ସୂରଜ ହୋଟେଲ ଛକ, ପୁଲିସ ଲାଇନ ଛକରୁ ଭାୟା ଏଫଏମ୍ କଲେଜ ଦେଇ ହେମକାପଦା ଛକ, ଫକୀରମୋହନ ଗୋଲେଇରୁ ଭାୟା ଫାଣ୍ତିଛକ, ଚିଡ଼ିଆପୋଲ, ସଦର ମହକୁମା ଡାକ୍ତରଖାନା, ସିନେମା ଛକ ଏବଂ ମୋତିଗଞ୍ଜ ବଜାର ଦେଇ ଟାଉନ ଥାନା, ଷ୍ଟେସନଛକରୁ ଭାୟା ଏଡିଏମ ଛକ, ଜିଲ୍ଲା ସ୍କୁଲ ଦେଇ ପାଣି ଟାଙ୍କି ଛକ, ମିର୍ଜାପୋଖରୀ ଛକରୁ ଭାୟା ମାଣିଖମ୍ବ ଏବଂ ବାରବାଟି ଦେଇ ବୁଢ଼ା କାର୍ତ୍ତିକ ଛକ, ମିର୍ଜାପୋଖରୀରୁ ଭାୟା ଟାଉନହଲ ଏବଂ ସିନେମା ଛକ ଦେଇ ବେବିଲୋନ ଛକ, ଟେକ୍ନିକାଲ ସ୍କୁଲ ଛକରୁ ଭାୟା ଏଡିଏମ ଛକ, ରାଜାବଗିଚା ଦେଇ ନାରୀସଂଘ, ଷ୍ଟେସନ ଛକରୁ ଭାୟା ନାରୀସଂଘ ଦେଇ ପଢୁଆଁପଦା ଛକ ପର୍ଯ୍ୟନ୍ତ ରାସ୍ତାଗୁଡ଼ିକରେ ସକାଳ ସାଢ଼େ ୮ଟାରୁ ରାତି ୧୦ଟା ପର୍ଯ୍ୟନ୍ତ କୌଣସି ଭାରିିଯାନ ଚଳାଚଳ କରିପାରିବ ନାହିଁ ବୋଲି କିଛିମାସ ହେଲା ପ୍ରଶାସନ ପକ୍ଷରୁ ନିୟମ ଜାରି କରାଯାଇଛି।

କେବଳ ହରିପୁର ପାର୍ଶ୍ବରୁ ଆସୁଥିବା ଟ୍ରାକ୍ଟର, ମିନିଟ୍ରକଗୁଡ଼ିକୁ ଆନନ୍ଦବଜାର, ମାଲଗୋଦାମ, ଭାସ୍କରଗଞ୍ଜ ଛକ, ତେଲେଙ୍ଗାସାହି ଛକ, ପୁଲିସ ଲାଇନ ଛକ ଦେଇ ଆଇଟିଆଇଛକ ଆଡ଼କୁ ଯିବା ଓ ସେହି ସମାନ ରାସ୍ତା ଦେଇ ଫେରିବାକୁ ଅନୁମତି ଦିଆଯାଇଛି। ହେଲେ ଏହା କେବଳ କାଗଜକଲମରେ ସୀମିିତ ରହିଥିବା ବେଳେ ଏହାକୁ ଆଦୌ କାର୍ଯ୍ୟକାରୀ କରାଯାଉନାହିଁ। ଏହାଛଡ଼ା ପ୍ରତିଦିନ ବିଭିନ୍ନ ଟ୍ରାଫିକ୍‌ପୋଷ୍ଟ୍‌ରେ ମୁତୟନ ହେଉଥିବା ଟ୍ରାଫିକ କର୍ମଚାରୀ ସକାଳ ୮ଟାରେ ଆସି ୩/୪ ଘଣ୍ଟା ପର୍ଯ୍ୟନ୍ତ ଡ୍ୟୁଟି କରି ପୁଣିି ଅପରାହ୍ନ ସାଢ଼େ ୩ଟା/୪ଟା ବେଳକୁ ଆସୁଛନ୍ତି। ଏନେଇ ସେମାନଙ୍କୁ ପଚାରିଲେ ଆମକୁ ଯେମିତି ଡ୍ୟୁଟି ଦିଆଯାଇଛି ସେହି ଅନୁଯାୟୀ କରୁଛୁ ବୋଲି କହିଛନ୍ତି। ଏକାସାଙ୍ଗରେ ଡ୍ୟୁଟି ପୂରା ନକରି ସକାଳ ବେଳା ଅଧା ଏବଂ ଅପରାହ୍ନରେ ଆଉ ଅଧା ଡ୍ୟୁଟି କଲାବେଳକୁ ଆମେ ଆମ ବ୍ୟକ୍ତିଗତ କାମ କରିପାରୁନୁ ବୋଲି କିଛି ଟ୍ରାଫିକ କର୍ମଚାରୀ ସେମାନଙ୍କ ନାମ ପ୍ରକାଶ ନକରି ଅଭିଯୋଗ କରିଛନ୍ତି। ସବୁଠୁ ଗୁରୁତ୍ବପୂୂର୍ଣ୍ଣ ବିଷୟ ହେଉଛି ଟ୍ରାଫିକ୍‌ ପୋ‌ଷ୍ଟ ଗୁଡ଼ିକରେ ଦେଖାଦେଇଥିବା ଏଭଳି ଅବ୍ୟବସ୍ଥା ପାଇଁ ସହରବାସୀ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଟ୍ରାଫିକ୍‌ ସିଗ୍‌ନାଲ ସିଷ୍ଟମ ସମ୍ପୂର୍ଣ୍ଣ ଭାବେ ଫେଲ୍‌ ମାରୁଛିି। ସହରରେ ମନଇଚ୍ଛା ଭାରୀଯାନ ପ୍ରବେଶ କରି ରାସ୍ତାଘାଟ ଅଯଥାରେ ଜାମ୍‌ କରୁଛନ୍ତି। ଏଥିସହ ଅମାନିଆ ଗାଡ଼ିଚାଳକମାନେ ଭୁଲ ସିଗ୍‌ନାଲରେ ପ୍ରବେଶ କରୁଥିବାରୁ ପଥଚାରୀ  ଦୁର୍ଘଟଣାର ଶିକାର ହେଉଥିବା ଦେଖାଯାଉଛି।

ଏସବୁ ସ୍ଥିତି କେବଳ ଜିଲ୍ଲା ପୁଲିସ ଓ ପ୍ରଶାସନର ସମନ୍ବୟ ଅଭାବରୁ ସୃଷ୍ଟି ହୋଇଛି। ଟ୍ରାଫିକ୍‌ କଟକଣା ନେଇ ପ୍ରଶାସନ ତରଫରୁ ଗୋଟିଏ ନିଷ୍ପତ୍ତି ନିଆଯାଉଥିବା ବେଳେ ଏପଟେ ପୁଲିସ ପକ୍ଷରୁ ଟ୍ରାଫିକ୍‌ କର୍ମଚାରୀଙ୍କୁ ଠିକ୍‌ ସମୟରେ ଡ୍ୟୁଟି ଦିଆଯାଉନାହିଁ। ଏନେଇ ଜିଲ୍ଲାପାଳ ଦୃଷ୍ଟି ଦେବାକୁ ଦାବି କରାଯାଇଛି।

ସମ୍ବନ୍ଧିତ ଖବର