ଝିମିଟି ଖେଳରୁ ମହାଭାରତ, ସାରା ପଡ଼ାବାସୀ କାଟୁଛନ୍ତି ବାସନ୍ଦ ଜୀବନ

ବରଗଡ଼/ଗାଇସିଲାଟ୍‌ : ‘ଝିମିଟି ଖେଳରୁ ମହାଭାରତ’ ଭଳି ଏକ ଘଟଣା ସାମନାକୁ ଆସିଛି ବରଗଡ଼ ଜିଲ୍ଲା ଗାଇସିଲାଟ୍‌ ବ୍ଲକ୍‌ରୁ। ଛୁଆଙ୍କ କଳିକୁ କେନ୍ଦ୍ର କରି ସମଗ୍ର ପଡ଼ାବାସୀଙ୍କୁ ବାସନ୍ଦ କରିବା ଭଳି ସମ୍ବେଦନଶୀଳ ଘଟଣା ଘଟିଛି ଗୌରେନମୁଣ୍ଡା ଗାଁରେ।

ସୂଚନା ମୁତାବକ, ଗାଁରେ ପ୍ରାୟ ୨ହଜାର ଲୋକଙ୍କ ଜନବସତି ରହିଛି। ୬ଟି ୱାର୍ଡ ମଧ୍ୟରୁ ୫ନମ୍ବର ୱାର୍ଡ ହେଲା ହରିଜନବସ୍ତି। ଏଠାରେ ୩ଶହ ଜଣ ରହୁଛନ୍ତି। ପାଖାପାଖି ୧୫ ଦିନ ତଳେ ପଡ଼ାର ଗଦି ସୁନାଙ୍କ ଛୋଟ ଝିଅ ସାଇକେଲ୍‌ ଚଳାଉଥିଲା। ସେ ଲକ୍ଷ୍ମଣ ଛତ୍ରିଆଙ୍କ ୧୦ବର୍ଷର ପୁଅକୁ ସାଇକେଲ୍‌ରେ ଧକ୍କା ଦେଇଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ଲକ୍ଷ୍ମଣ ଝିଅକୁ ଚାପୁଡ଼େ ପକାଇଥିଲେ। ଝିଅଟି ଘଟଣା ସଂପର୍କରେ ପିତା ଗଦିଙ୍କୁ ଜଣାଇଥିଲା। କୌଣସି ଏକ କାରଣରୁ ଗଦିଙ୍କୁ ବର୍ଷେ ତାଙ୍କ ପଡ଼ାରେ ଏକଘରିଆ କରି ରଖାଯାଇଛି। ଝିଅକୁ ମାଡ଼ ମରାଯିବା ଘଟଣା ନେଇ ଗଦି ସରପଞ୍ଚଙ୍କ ଦ୍ବାରସ୍ଥ ହୋଇଥିଲେ। ସରପଞ୍ଚ, ୬ଜଣ ୱାର୍ଡ ମେମ୍ବର ଏବଂ କିଛି ବୟୋଜ୍ୟେଷ୍ଠ ବୈଠକ ଡାକି ଲକ୍ଷ୍ମଣଙ୍କୁ ଡାକିଥିଲେ। ହେଲେ ସେ ଆସିଲେ ନାହିଁ। ଫଳରେ ସରପଞ୍ଚଙ୍କ ସମେତ ୱାର୍ଡ ମେମ୍ବରମାନେ ହରିଜନପଡ଼ାକୁ ଯାଇଥିଲେ। ସେଠାରେ ବିବାଦ ସମାଧାନ କରିବା ପାଇଁ ଆଲୋଚନା କରିଥିଲେ। ହେଲେ ଘଟଣାସ୍ଥଳରେ କୌଣସି କାରଣରୁ ସେମାନେ ଅପମାନବୋଧ କରିଥିଲେ। ଫଳରେ ଗାଁରେ ବୈଠକ ଡକାଯାଇ ସମସ୍ତ ହରିଜନ ପଡ଼ାବାସୀଙ୍କୁ ବାସନ୍ଦ ନିଷ୍ପତ୍ତି ହୋଇଥିଲା।

ସେମାନଙ୍କୁ ରାସନ ସାମଗ୍ରୀ କି ପନିପରିବା ମଧ୍ୟ କେହି ବିକ୍ରି କରୁନାହାନ୍ତି। ଏପରିକି ପୋଖରୀରେ ଗାଧୋଇବା ପାଇଁ ମଧ୍ୟ ବାରଣ କରାଯାଇଛି। ଗାଁକୁ ଆସୁଥିବା ଟ୍ୟାଙ୍କର ପାଣି ବି ୱାର୍ଡ ନମ୍ବର-୫କୁ ଯାଉନାହିଁ। ଫଳରେ ସେମାନେ ଗାଇସିଲାଟ୍‌ କିମ୍ବା ଆଖପାଖ ଗାଁକୁ ଯାଇ ସଉଦା କିଣୁଛନ୍ତି। ଏପରିକି ହରିଜନ ପଡ଼ାବାସୀ ପଞ୍ଚାୟତ କାର୍ଯ୍ୟାଳୟକୁ କିରୋସିନ୍‌ କିମ୍ବା ଭତ୍ତା ଆଣିବାକୁ ବି ଯାଇପାରୁ ନାହାନ୍ତି। ଘଟଣା ସଂପର୍କରେ ପୁଲିସ୍‌ ଖବର ପାଇଁ ସମାଧାନ ପାଇଁ ଚେଷ୍ଟା କରିଥିଲେ ହେଁ ବିଫଳ ହୋଇଥିଲା। ଅନ୍ୟପକ୍ଷରେ ଗାଁରେ ଏବେ ଏକ ଅପ୍ରୀତିକର ସ୍ଥିତି ସୃଷ୍ଟି ହୋଇଛି। ଅନ୍ୟପକ୍ଷରେ ମାମଲାରେ ସ୍ଥାନୀୟ ଜନପ୍ରତିନିଧି କିମ୍ବା ପ୍ରଶାସନ ମୁଣ୍ଡ ନପୂରାଇବା ଆଶ୍ଚର୍ଯ୍ୟର କଥା।

ସମ୍ବନ୍ଧିତ ଖବର